Unknown

 

 

 

 

 

 

 

 

 

ଆଖିର ଚାହାଣୀ ମନର ଭାଷା

ଶ୍ରୀମତୀ ସରସ୍ଵତୀ ମିଶ୍ର

 

(ଏକ)

 

ଯେଉଁଦିନ ଗଙ୍ଗାରାମ ଚୌଧୁରୀ, ତାଙ୍କର ଦୁଇପୁତ୍ର ଜୟରାମ ଓ ହରିରାମ ଓ ପୁତ୍ରବଧୂଙ୍କୁ ଛାଡ଼ି ଇହସଂସାରରୁ ବିଦାୟ ନେଲେ, ସେହିଦିନୁ ଘରର ସମସ୍ତ ଜଞ୍ଜାଳ, ସମ୍ପତ୍ତି ବୁଝାମଣାର ଦାୟିତ୍ୱ ଜ୍ୟେଷ୍ଠପୁତ୍ର ଜୟରାମଙ୍କ ଉପରେ ପଡ଼ିଲା । ପତ୍ନୀବିୟୋଗ ପରେ ଗଙ୍ଗାରାମ ସର୍ବଦା ଦେବ ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କରି ରଖିଥିଲେ । କନିଷ୍ଠପୁତ୍ରକୁ ବିବାହ ଦେଇ, ବୋହୂକୁ ନିଜ ଜୀବଦ୍ଦଶାରେ ଦେଖିବା, ତାଙ୍କର କଳ୍ପନାରେ ନ ଥିଲା, କାରଣ ମୃତ୍ୟୁସମୟରେ ‘ସେ ଅଶୀର ଆରପାରିରେ । କିନ୍ତୁ ମନେ ମନେ ସେ ତାଙ୍କର ବୋହୂ ଠିକ୍‌ କରିଥିଲେ ।’

 

ଅନ୍ତିମଶଯ୍ୟାରେ ଜୟରାମଙ୍କୁ ସେ ତାଙ୍କର ମନର ବାସନା କହିଥିଲେ । ଶେଷନିଃଶ୍ୱାସ ଛାଡ଼ିବା ପୂର୍ବରୁ ନିଜର ଅନ୍ତରଙ୍ଗ ବନ୍ଧୁ ସୁବୋଧ ରଥଙ୍କର କନ୍ୟା ସୁଷମାକୁ ଦେଖିବା ପାଇଁ ଚାହିଁଥିଲେ । ବନ୍ଧୁତ ତାଙ୍କ ଆଗରୁ ପରଲୋକରେ, ବନ୍ଧୁପତ୍ନୀ ଯେତେବେଳେ ସୁଷମାକୁ ନେଇ ପହଞ୍ଚନ୍ତି, ସେତେବେଳେ ସେ ଥରେ ନିଜ ପୁଅଆଡ଼କୁ ଓ ଥରେ ସୁଷମାକୁ ଚାହିଁ ଆଖି ବୁଜିଲେ । ଶେଷ ମୁହୂର୍ତ୍ତରେ ତାଙ୍କର ବାକ୍‌ରୁଦ୍ଧ ହୋଇଥିଲା–କିନ୍ତୁ ସେହି ଶୋକାକୁଳ ପରିବେଶ ମଧ୍ୟରେ ଉପସ୍ଥିତ ଥିବା ସମସ୍ତେ ବୃଦ୍ଧଙ୍କ ଚାହାଣୀର ତାତ୍ପର୍ଯ୍ୟ ବୁଝିପାରିଥିଲେ ।

 

ଭାର୍ଗବୀ ନଦୀ ନିକଟରେ ବିରଞ୍ଚିପୁରର ଗଙ୍ଗାରାମ ଓ ସୁବୋଧ ଦୁଇଜଣ ଧର୍ମପ୍ରାଣ ଲୋକ ବୋଲି ଆଖପାଖ ଦଶଖଣ୍ଡି ଗାଁରେ ଜଣାଶୁଣା । ସୁବୋଧ ରଥଙ୍କର ସଂସାରରେ ଅନେକ ଦିନଯାଏ ଦୁଇପ୍ରାଣୀ–ସନ୍ତାନ ନ ଥିବାରୁ ମନରେ ତାଙ୍କର ସର୍ବଦା ଦୁଃଖ । ହସଖୁସି ମଉଜରେ ଗାଁ ଲୋକେ ଡାକିଲେ କିଛି ଗୋଟାଏ ବାହାନା ଦେଖାଇ ମନା କରିଦିଅନ୍ତି ଯିବାକୁ । ସର୍ବଦା ଶିବ ମନ୍ଦିରରେ ବସି ଗୁଣୁଗୁଣୁ ହୁଅନ୍ତି । କେତେବେଳେ କିମିତି ବନ୍ଧୁ ଗଙ୍ଗାରାମଙ୍କ ପାଖରେ ଟିକିଏ ବସନ୍ତି ଓ ଧର୍ମଚର୍ଚ୍ଚା କରନ୍ତି । ଅନେକ ଦିନ ପରେ ତାଙ୍କର ଗୋଟିଏ ଝିଅ ହେଲା । ଗଙ୍ଗାରାମଙ୍କ ଇଚ୍ଛାରେ ତାର ନାମ ଦିଆଗଲା ‘ସୁଷମା’ । ସତ ହେଉ ବା ମିଛ ହେଉ–ଲୋକେ କହନ୍ତି, ଶିବଙ୍କ କୃପାରୁ ‘ସୁଷମା’ର ଜନ୍ମ, ନୋହିଲେ କି ୧୫/୨୦ ବର୍ଷର ବନ୍ଧ୍ୟାତ୍ୱ ଏତେ ସହଜରେ ଫିଟେ । କେତେକ ବର୍ଷ ତଳର କଥା । ଏଇ ସୁଷମା ଜନ୍ମ ହେବାର ପୂର୍ବଦିନ ‘ସୁବୋଧ’, ଗଙ୍ଗାରାମଙ୍କ ପାଖକୁ ଆସିଥାନ୍ତି–ଗଙ୍ଗାରାମ ଦାଣ୍ଡପିଣ୍ଡାରେ ବସିଥାନ୍ତି, ପାଖରେ ବି ତାଙ୍କ ପୁଅ ହରି ବସିଥାଏ । ଆଉଁସି ଦେଉଥାନ୍ତି । ତାକୁ–ପାଚିଲା ଆମ୍ୱ କେତେବେଳେ କଅଣ ଅଛି–ହଉ ପିଲାଟି କଥା, ଜୟ ସବୁ କରିବ ଯେ–ବନ୍ଧୁକୁ ଆସିବା ଦେଖି ହରିକୁ ପଚାରିଲେ ମାଉସୀଙ୍କର ପୁଅ ହବ ନା ଝିଅ ହବ । ସେତେବେଳକୁ ବଡ଼ ଖୁସିରେ ‘ସୁବୋଧ’ ଚାହିଁଥାଆନ୍ତି ହରିକି । ପିଲାଲୋକ, କହିଲା, ଆମ ଘରେ ତ କିଏ ଝିଅ ନାହିଁ–ମାଉସୀଙ୍କର ଝିଅଟିଏ ହେଲେ, ଆମେ ତାକୁ ଘରକୁ ଆଣିବା–ଆମେ ଖେଳିବୁ-। ସେତେବେଳେ ‘ସୁବୋଧଙ୍କ’ର ମୁହଁକୁ ଚାହିଁଲେ, ଯେ କେହି ସ୍ପଷ୍ଟ ବୁଝିପାରିବ, କି ଆନନ୍ଦ ତାଙ୍କର ମନରେ–ସନ୍ତାନ ନ ହେଉଣୁ ହେବାର ଆଶା କି ଏକ ସ୍ୱର୍ଗର ମନ୍ଦାକିନୀ ସୃଷ୍ଟି କରିଛି ହୃଦୟରେ ଦୁଇ ବନ୍ଧୁଙ୍କର ଏତେ ଏତେ ବୟସରେ ବି ପିଲାଟିର ସେହି କଥାଟି ଅତି ମୂଲ୍ୟବାନ ପରି ମନେହେଲା । ତରଳ ମନର ଚପଳ କଥା–ତେହିଁକି ସତକୁ ସତ ପରଦିନ ମାଉସୀଙ୍କର ଝିଅ ହୋଇଥିଲା । କାକତାଳୀକ ରୀତିରେ ହେଉ ବା ଯାହା ହେଉ, ବାଲ୍ୟ ବୟସର କଥାଟି–ଦୁଇ ବନ୍ଧୁଙ୍କର କୋମଳ ତନ୍ତ୍ରୀ ଉପରେ ରଖିଦେଇ ଗଲା ଏକ ଅଲିଭା ଛାପ । ଝିଅଟିକୁ ଗଙ୍ଗାରାମ ବାରମ୍ୱାର ନେଇଆସନ୍ତି । ହରି ଗେଲ କରେ, ତାକୁ ନେଇ କେତେ ଗପ, କେତେ କଥା ଦୁଇ ବନ୍ଧୁଙ୍କର । ସୁଷମା ଗଙ୍ଗାରାମଙ୍କ ଘରେ ଏକରକମ ଜଣେ ହୋଇଯାଇଛି ।

 

ସତେ ଯେପରି ସନ୍ତାନଟିଏ ଦେଖିବାକୁ ସୁବୋଧ ବଞ୍ଚି ରହିଥିଲେ–ଠିକ୍‌ ଝିଅକୁ ବର୍ଷେ ପୁରୁ ନ ପୁରୁଣୁ ତାଙ୍କର ମାଣକ ପୂରିଲା–ଶେଷ ସମୟରେ ଗଙ୍ଗାରାମ ବାଷ୍ପାକୁଳ ନୟନରୁ, ଦୁଇଟୋପା ଅଶ୍ରୁ ଢାଳିଲେ, ବନ୍ଧୁଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନାରେ ଆଖିର ଚାହାଁଣି, ମନର କଥା ବୁଝିଲେ ଗଙ୍ଗାରାମ କେତେଥର କହିଛନ୍ତି ବନ୍ଧୁ ଝିଅଟି ତ ପାଣି ହାଣ୍ଡିରୁ ପଡ଼ିଛି । ତାଙ୍କର ଶରୀର ତ ବାରଦିନେ ତେର ରୋଗ ଭୋଗୁଛି–ବଞ୍ଚିବ ଯଦି, ବନ୍ଧୁ ତାର କିନାରା ଗୋଟିଏ କରିବେ । ସେହିଦିନୁ ଗଙ୍ଗାରାମ ସୁଷମାକୁ ଅତି ଆପଣାର ଆଉ ଅତି ନିଜର କରିଥାନ୍ତି । ସବୁବେଳେ ଜୟରାମଙ୍କୁ କହନ୍ତି–ଶିବ ଦତ୍ତ କନ୍ୟା ଏ ସାକ୍ଷାତ୍‍ ଲକ୍ଷ୍ମୀ, ନ ଥିଲା ଘର ହସି ଉଠିବ ଇଏ ଥିଲେ । ଜୟରାମ ବୁଝନ୍ତି ବାପାଙ୍କ ଇଚ୍ଛା, ‘ସୁଷମା’ର ‘ମା’’ ଉଜ୍ଜଳ ଦେଈ ଅତି ନିବିଡ଼ଭାବେ ଏ ପରିବାର ସହ ଚଳନ୍ତି ।

 

ଗାଁର ଅନେକ ବି ଜାଣନ୍ତି ଏ ଦୁଇବନ୍ଧୁଙ୍କର କଳ୍ପନା କଥା–ତେଣୁ ସେଦିନ ଗଙ୍ଗାରାମଙ୍କର ଚାହାଣୀ, ତାଙ୍କ ମନର କଥା ଆଉଥରେ ସୂଚାଇ ଦେଇଥିଲା ଶେଷଥର ପାଇଁ । ସେତେବେଳେ ହରିର ବୟସ ସତର ଓ ସୁଷମାର ବୟସ ଏଗାରବର୍ଷ–ଦୁହେଁ ବିରଞ୍ଚିପୁର ହାଇସ୍କୁଲରେ ଯଥାକ୍ରମେ ଏକାଦଶ ଓ ସପ୍ତମଶ୍ରେଣୀରେ ପଢ଼ୁଥାଆନ୍ତି ।

•••

 

(ଦୁଇ)

 

ସେଦିନ ଜୟରାମ ଆଖି ନାଲନାଲ କରି ଗର୍ଜନ କଲେ–ତମେ ଦି’ଜଣ ସ୍କୁଲରୁ ଆସି ଗାଧୋଇ ଯାଉଛ ଯେ, ମୁଣ୍ଡଉପରୁ ଖରା ନଇଁଲାଣି । ଏଇସବୁ ଶିକ୍ଷା ପାଇଛ ସେଠାରେ । ସକାଳ ସ୍କୁଲ, ଛୁଟି ହେଲାଣିକୁ ପହରୁ–ଗାଁର ସମସ୍ତେ ଖାଇପିଇ ଶୋଇଲେଣି–ତୁମେ ଦିଟା ପାଣିକୁଆଙ୍କ ପରି ବୁଡ଼ୁଚ ନଈରେ–ଯାହାତ ପାଠପଢ଼ି ମନ୍ଦିର ଲେଉଟେଇବ, ଜଳ ଜଳ ଦିଶୁଛି–ସେଥିରେ ପୁଣି ଗୁଣ ବିକାଶୁଛନ୍ତି, ଆଉବାରେ ଯଦି ଏ ଅନିୟମିତତା ଦେଖେ, ତେବେ ତୁମେ ଚିହ୍ନ, ନହିଲେ ମୁଁ ଚିହ୍ନେ–ଯାଅ ଖାଇପିଇ ଟିକିଏ ଶୋଇପଡ଼–ନାଇଁ ଯଦି ପୁଣି ଖରାବେଳେ ଧଡ଼ଧାଡ଼ କରିବ ତେବେ...କହି ଜପଜପ୍‌ ହୋଇ ଚାଲିଗଲେ । ନିଜ ସ୍ତ୍ରୀକୁ ବାଟରେ ଦେଖିପକାଇ କହିଲେ–ବୁଝୁଛ କୁନ୍ତଳା, ତୁମର ଏ ଗେଲବସରିଆ ଢଙ୍ଗଗୁଡ଼ାକ ଭଲ ନୁହେଁ । ହରି ଓ ସୁଷମା, ଓ ଘଟିମାନ ଦିହରେ, ଗୋଟେ କୋଣରେ ଛପିଯାଇଥାନ୍ତି–କୁନ୍ତଳା ତ ଜାଣନ୍ତି ୟାଙ୍କର କଥା–ଭିତରେ ଅଖଣ୍ଡ ସ୍ନେହ ଆଉ ମୁଁ ଗେଲବସରିଆ କରୁଛି–ମନହେଲା ପଦେଅଧେ ଶୁଣାଇ ଦେବାକୁ–କିନ୍ତୁ ପିଲାଗୁଡ଼ାକ ଅଛନ୍ତି–ଆଖିରେ ବୁଝାଇ ଦେଲେ ଯେ ପରେ ଠିକଣା କରି ବତାଇ ଦେବେ । ଜୟରାମ ‘ସ୍ତ୍ରୀ’ଙ୍କ ଭାବଟା ବୁଝିପାରି–ଟିକିଏ ଆଖିଠାରିଦେଇ ଘର ପଛପଟ ବାଟେ ଆରଘରକୁ ଚାଲିଗଲେ ।

 

ହରି ଓ ସୁଷମା–ଦିହେଁ କାହାକୁ କିଛି କହୁ ନ ଥାନ୍ତି । ମୁହଁଟାମାନ ଧାନଉଷୁଁଆ ହାଣ୍ଡିପରି କରି ଖାଇବସିଲେ । ଭାଉଜ ଦିହିଁଙ୍କୁ ଚାହିଁ ମନେମନେ ହସୁଥାଆନ୍ତି–କହିଲେ, ହରି–ତୁମେ ଦୁହେଁ ବାଡ଼ିଘରେ ସପଟିଏ ପକାଇ ଶୋଇପଡ଼ । ସୁଷମା କହିଲା ନାହିଁ–ଭାଉଜ ମୁଁ ଘରକୁ ଯିବି–ଅଭିମାନ ଭରା ଦରଦ ସ୍ୱର–ଭାଉଜ ବୁଝିଲେ–କହିଲେ ସେ ବକିଲେ ବୋଲି ଦୁଃଖ କରୁଛୁ–ତୁମ ଭଲପାଇଁ ସବୁ କହିଲେ ସିନା–ସୁଷମା କହିଲା–,ମୁଁ କ’ଣ ତାକୁ କିଛି କହୁଛି–ସେ ତ ବକିବା କଥା–ଏତେଡେରି କଲେ କିଏ ନ କହିବଯେ, ହରି କିଛି କହୁ ନ ଥାଏ । ଦୁହେଁଯାଇ ବାଡ଼ିଘରେ ଗଡ଼ପଡ଼ ହେଲେ । ଦୁହିଁଙ୍କ ମନରେ ତ ଅସରନ୍ତି ଭାବନା–ଏଣେ ଅଭିମାନ ପାହାଡ଼ମାନ ୧୪୪ ବନ୍ଧ ଯାହା ପକାଇଥାଏ–ବନ୍ଧଭାଙ୍ଗିଲେ ଯେମିତି କଥାର ସୁଅ ଘଣ୍ଟାଘଣ୍ଟା ଧରି କାହିଁ କୁଆଡ଼େ ଛୁଟି ଯାଆନ୍ତା । ଏଥିରେ ନିଦ ଲାଗିବ କେମିତି । ଜୟରାମ ଆରଘରେ ଥାନ୍ତି–ମନେ ଭାବୁଥାନ୍ତି–ଏଇଲେ କୁନ୍ତଳା ଆସିଲେ, ଗୋଟେ କିଛି କହିବେ–ସେ କ’ଣ କହିବେ ଆଉ ଜୟରାମ କ’ଣ ଉତ୍ତର ଦେଇ ସମ୍ଭାଳିବେ ଏୟା ଚିନ୍ତା କରୁଥାନ୍ତି । କୁନ୍ତଳା କାମସାରି ଯେପରି ପହଞ୍ଚିଲେ–କିଛି କହିଲେନି । ଜୟରାମ ପଚାରିଲେ, କିଓ ପିଲାଦିଟା ଶୋଇଲେଣି–କେତେ ବକିଲି ତାଙ୍କୁ ପିଲାଲୋକ, ଗୋଳମାଳ ନ କଲେ ତ ସୁଖଲାଗିବନି ତାଙ୍କୁ । କିନ୍ତୁ ଆକଟ ଟିକିଏ ନ ରହିଲେ, ପୁଣି ଏହି ନେଡ଼ିଗୁଡ଼ କହୁଣୀକୁ ବୋହିଯିବ–କଥାରେ କହିଛି–ଲାଳୟେତ ପଞ୍ଚବର୍ଷଣି, ଦଶବର୍ଷାଣି ତାଡ଼ୟେତ–ନା, କ’ଣ କୁନ୍ତଳା ? ଠିକ୍‌ ନୁହେଁ ? କହି ଜୟରାମ ଗମ୍ଭୀର ହେଲେ । ହଁ, ସବୁ ତୁମେ କହୁଛ–ତାଙ୍କ ଉପରେ ତ ରାଗିଲ, ଆଉ ମୋ’ ଆଡ଼କୁ କାହିଁକି ଚିହିଁକି ଆସିଲ–ମୁଁ ତାକୁ ଗେଲବସରିଆ କରୁଛି ଖାଲି–ତୁମେ ଆଉ କିଛି କରୁନ–କାଲି ସନ୍ଧ୍ୟାବେଳେ ସୁଷମାକୁ କୁତୁକୁତୁ କରୁ ନ ଥିଲ–ଫେଁକରି ହସିଦେଇ, କୁନ୍ତଳାକୁ ଆଉଜାଇ ଆଣିଲେ–ହେତ୍‌ ଦିନଟାରେ–କହି କୁନ୍ତଳା ନିଜକୁ ସରେଇ ନେଲା । ଜୟରାମ କହିଲେ, କୁନ୍ତଳା, ସୁଷମା ହରି ଚାଲିଗଲାବେଳେ ମୋତେ ଲକ୍ଷ୍ମୀ ନାରାୟଣ ପରି ଦିଶନ୍ତି–ଦିହିଁଙ୍କ ମନ ଭଲ ମିଳୁଛି–ହଉ ଇଶ୍ୱରଙ୍କର ଇଚ୍ଛା, କୁନ୍ତଳା କହିଲା–ନାଇଁମ, ତୁମେ ଦେଖିବନି –ଶ୍ୱଶୁରେ ଶେଷବେଳେ କିପରି ଚାହିଁଲେ ଦେଖିନ–ତାଙ୍କର ସବୁବେଳେ ନାରାୟଣଙ୍କଠାରେ ବିଶ୍ୱାସ–ଇଚ୍ଛା କେବେହେଲେ ଅନ୍ୟଥା ହୋଇ ପାରିବନି । ଜୟରାମଙ୍କର ବାପାଙ୍କ ଶେଷସମୟର ଦୃଶ୍ୟ ମନେପଡ଼ିଲା–ଗମ୍ଭୀର ହେଲେ–କହିଲେ, କୁନ୍ତଳା ଏବେବି ତୁମେ ସଂସାର ଚିହ୍ନିନ–ଯେଉଁଠାରେ ଚାଉଳରେ ଗୋଡ଼ି ମିଶାଇ ଦୁଧରେ ପାଣିମିଶାଇ, ସିମିଳିତୁଳାରେ ବାଲି ମିଶାଇ, ଦିନ ଦିପହରେ ଗରିବଠାରୁ ଲାଞ୍ଚନେଇ, ଏଇଲୋକ ନିଜର ସ୍ୱାର୍ଥ ମେଣ୍ଟାଉଛି, ଏଇଲୋକ ଦ୍ୱିତଳପ୍ରାସାଦରେ, ବିଜୁଳି ପଙ୍ଖାତଳେ ଆରାମରେ ବିଭୋର ହୋଇ, କୋଠାପାଖେ ଥିବା ଗରିବ, ଦୁଃଖୀ, ରଙ୍କିଙ୍କୁ ମଧ୍ୟ ତିଳେତିଳେ କଷ୍ଟ ଦେବାକୁ ଟିକିଏ ହେଲେ ପଛଉ ନାହିଁ–ସେଥିରେ ତୁମେ ସହଜରେ କଥାଗୁଡ଼ାକ ମାପୁଛ କାହିଁକି ? ସତ୍ୟ, ନ୍ୟାୟ, ଧର୍ମ ଦିନେ ନା ଦିନେ ପ୍ରତିଷ୍ଠିତ ହୁଏ । ଈଶ୍ୱର ନିଷ୍ଠାର ପରିଣାମ ସୁଖରେ ହିଁ ପରିଣତ ହୁଏ ଠିକ୍‌ ମୁଁ ମାନୁଛି–କିନ୍ତୁ ମଧ୍ୟ ସ୍ତରରେ ଯେ ଝଡ଼ଝଞ୍ଜା ସତ୍ୟ ଦେଇ ନିଷ୍ପେଷିତ ହୁଏ–ତା’ ହିଁ ଅତି ବେଦନାଦାୟକ କୁନ୍ତଳା–କହିସାରି ଅଦେଖା ଶକ୍ତିଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲେ ଜୟରାମ–ଦେଖିଲେ କୁନ୍ତଳା ବାଲୁ ବାଲୁ କରି ଚାହିଁଛି । ଦିହେଁଯାକ ଶୋଇଲେଣି କି ଭୁଟୁରୁଭାଟର ଲଗେଇଚନ୍ତି, ଦେଖି ଆସିବାକୁ, କୁନ୍ତଳାକୁ କହି, ଜୟରାମ ଟିକିଏ ଆଖି ବୁଜିଲେ ।

 

ଏଣେ ତ ଏ ଦୁଇଟି ଖାଲି ଛଟର ପଟର, କିଏ କାହାକୁ କିଛି କହୁ ନ ଥାନ୍ତି । ଅଭିମାନଟା କମି ଆସିଲାଣି–ମନୁଟା କିଏ ଆଗ କହି ଦିଅନ୍ତା–କିନ୍ତୁ କିଏ କହୁଛି କାହାକୁ ଆଗ । ହରି ଖାଲି ହଉଥାଏ–ଏ ମସିଣାରେ ପିମ୍ପୁଡ଼ିଗୁଡ଼ାକ କୁଆଡ଼ୁ ଆସିଲେ–ମସିଣାଟା ଝାଡ଼ି ଦେଲେ ହୁଅନ୍ତା, ସୁଷମା ଗାଲି ପାଡ଼ି ପଡ଼ିଥାଏ–ସବୁ ଶୁଣୁଥାଏ, ଏମିତି ଥରେ ଦି ଥର କହିବାରୁ ସୁଷମା ଚାହିଁଲା । ହରି କହିଲା, କ’ଣ ଚାହିଁଚୁ ମୋତେ ଖାଇବୁ–ଏଣେ ତ ପିମ୍ପୁଡ଼ି ଖାଉଛନ୍ତି, ଆଉ ତୁ କ୍ୟାଁ ବାକି ପଡ଼ିବୁ । ସୁଷମା କହିଲା–ନାଁ କାହିଁ ଖାଇବି ତୁମ ଯୋଗୁଁ ଆଜି ଖୁବ୍‌ ଖାଇଚି ଯେ । ହରି କହିଲା, ହ, ମୋତେ କହିବୁନି କାହିଁକି, ତୁ ମୋତେ ନଈକୂଳରେ ପାଣି ଛାଟିଲାରୁ ସିନା, ମୁଁ ଆଉଥରେ ଗାଧୋଇଲି–ଡେରି ହେଲା । ତୁମେ ମୋତେ ଚାହିଁ କାହିଁ ହସିଲ ? ମୁଁ ତ ମୋର ଗାଧୋଇଲି, ଆସିଥାଆନ୍ତି, ହରିର ମନେପଡ଼ିଗଲା, ଗାଧୋଇଲାବେଳେ, ଦେହରେ ଫ୍ରଗ୍‍ଟା ଭିଜି ଟିକିଏ ଉଠିଯାଇଥିଲା ଗୋଡ଼ଆଡ଼ୁ । ହସିଦେଇଥିଲା, କହିଲା ମୋ’ ମନରେ ଗୋଟିଏ କଥା ପଡ଼ିଲା ଯେ ମୋତେ ହସ ଲାଗିଲା । ସୁଷମା ଉଠିଯାଇ କହିଲା, ହ ହ ସବୁ ସତ କହୁଛ, ଏମିତି ଖାଲି କଥା ମନେପଡ଼ିଗଲା–ପୁଣି ଠିକ୍‌ ମୋର ପାଣିରୁ ଉଠିଗଲାବେଳକୁ, ସେଥିରେ ଫେରେ ମୋତେ ଚାହିଁକରି–କଥା ବାଆଁରଉଛ । ଆମର ଆଉ ତୁମ ସାଙ୍ଗରେ ଗାଧୋଇଯିବା ଦରକାର ନାହିଁ କି ବକା ଖାଇବା ଦରକାର ନାହିଁ ।

 

ତୋର ତାହାହେଲେ ଆଜି ଦରକାର ଥିଲାଟି ? ହରି ରହସ୍ୟରେ ପଚାରିଲା, ହଁ–ନ ହେଲେ ନାହିଁ–ଭାରି ରଙ୍ଗରେ କଥା କହୁଛନ୍ତି, ଇଏ, ସୁଷମା କହିଲା । ହରି ମୁହଁଟିକି ମାରିଦେଇ କହିଲା, ହଉ, ତୋର ଯେତେବେଳେ ଦରକାର ନାହିଁ ମୁଁ ଆଉ ଗାଧୋଇବିନି ମୋଟେ କାଲିଠୁ ।

 

ନାଁ, ଗାଧୋଇବନି–ନାହିଁ କରିବ । ଦେବେ–ଭାଇନା ଚଡ଼ ଚାପୁଡ଼ା ଯେ । ହରି କହିଲା–ଭାଇନା ମୋତେ ମାଇଲେ, ମୁଁ ତୋତେ ଛାଡ଼ିବି କି ? କାହିଁ ମୋ’ କଥା କିମିତି ଉଠିବ–ବଡ଼ ଅଖାଡ଼ୁଆ ତୁମେ ହରିଭାଇ–

 

ଏତିକିବେଳେ ଭାଉଜ ପଶି ଆସିଲେ ଭିତରକୁ–କିରେ । ପୁଣି କ’ଣ ଖିଟିର ଖାଟର ଲଗେଇଛ–ଖାଇଲାବେଳେ ତ କ’ଣ ୟା ମୁହଁ ଏଣିକି, ତା ମୁହଁ ତେଣିକି–ତୁମ ଦୁଇଜଣଙ୍କର ପଡ଼ିବନି ଆଦୌ । ଖରାବେଳେ ନ ଶୋଇ, ଗୋଟେ କୀର୍ତ୍ତନ ଲଗେଇଛ–ନାଁ–। ଯାଉଛି–ଭାଇନାଙ୍କୁ କହିଦେବି ।

 

ନାହିଁ ନାହିଁ ଭାଉଜ, ଆମେ ଶୋଇବୁ ଏଥର–ଦିହେଁ କହି ପଳେଇଲେ । ଭାଉଜ ନିରତିଶୟ ଆନନ୍ଦ ଅନୁଭବ କଲେ । ଭାବିଲେ, ମୁଁ ଟିକିଏ ଘୋଷା ହୋଇଥିବାରୁ, ସେ ଯେପରି ଆଉଜେଇ ନେଲେ–ସେହିପରି ସ୍ନେହ ଯେଉଁଠାରେ, ଖିଟିମିଟି, ମୁହଁ ଫୁଲା ଫୁଲି, ସେଠାରେ ବେଶୀ–ତା ହେଉ ନ ଥିଲେ, ପରବର୍ତ୍ତୀ ଆନନ୍ଦ ସୋହାଗଟା କେଉଁଠୁ ଆସନ୍ତା । ଦେଖିଲେ–ଯୋଡ଼ିକଯାକ ଚୁପ୍‌ ହୋଇ ଶୋଇଯାଇଛନ୍ତି । ଭାବିଲେ–ଠିକ୍‌ ମୁଁ ଚାଲିଗଲେ ଏଇଲେ କୁତୁରୁକାତର ଆରମ୍ଭ କରିଦେବେ ।

 

ଅଗଣାକୁ ଆସି ଦେଖନ୍ତି ତ ’ସୁଷମା’ ବୋଉ ତେଣୁ କହି କହି ଆସୁଛନ୍ତି ସୁଷମା କାହିଁକି-? ଏତେବେଳେ ଯାଏଁ ଘରକୁ ଗଲାନି ଯେ, ମୁଁ ବାୟାଣୀ ହୋଇଗଲାଣି । କୁନ୍ତଳା କହିଲେ, ହଁ, ସୁଷମା ବୌ, ଦିଜଣଯାକ ବାଡ଼ିଘରେ ଶୋଇଛନ୍ତି । ଗାଧୋଇକରି ଆସିଲେ–ମୁଣ୍ଡ ଉପରୁ ଖରା ଗଡ଼ିଥିଲା–ଖାଇଲେ । ଏ ଖରାରେ ଆଉ ଯାଇଥାନ୍ତା କିପରି ? ସୁଷମା ବୌ, ଟିକିଏ ଦସିଦେଇ କହିଲେ, ଆଲୋ ଘରେ ପଙ୍ଗ୍‌ ପଟୁନି, ଏଠେଇଁ ରହିଲେ ଦିହେଁଯାକ ଖୁଟୁର ଖାଟର ହେବାକୁ ସୁବିଧା । କୁନ୍ତଳା ଟିକିଏ ହସିଦେଲେ–କହିଲେ, ସୁଷମା କହୁଥିଲା ଯେ ଯିବାକୁ–ମୁଁ ନାହିଁ କଲି ।

 

ସୁଷମା ବୌ କହିଲେ, ଆଲୋ କୁନ୍ତଳା, ଜୟି କାହିଁ କି ? ହଉ ମୁଁ ଯାଉଛି–ଧାନ ଗଣ୍ଡାକ ଢିଙ୍କିରେ ପକାଇଛି–ଶୁକ ମାଆକୁ ଧରାଧରି କରିଆଣିଛି । ସାରି ଦେଇ ଆସେ, ସୁଷମା ତ ଶୋଇଛି, ଶୋଇଥାଉ, ସନ୍ଧ୍ୟାକୁ ପଠାଇ ଦେବୁ ଯେ, ଟିକିଏ ସଞ୍ଜ ଘରିକା ଦେଇଦେବ–କହି ସୁଷମା ବୌ ବାହାରିଗଲେ ।

•••

 

(ତିନି)

 

ସୁଖଦୁଃଖ ଭିତର ଦେଇ କେତୋଟି ଋତୁ ବିତିଗଲାଣି । ଜୟରାମଙ୍କ ପରିବାର ଓ ଉଜ୍ଜଳ ଦେଈଙ୍କ ପରିବାରର ନିବିଡ଼ତା ଦିନୁ ଦିନ ଅଧିକ ହୋଇଚାଲେ । ଯୋଗସୂତ୍ର ତ ହରି ଓ ସୁଷମା । ଦୁହେଁ ଦୁହିଁଙ୍କୁ କିଛି ସମୟ ନ ଦେଖିଲେ ବାୟା । ଗ୍ରୀଷ୍ମଛୁଟି ହରିର ମାଟ୍ରିକ୍ୟୁଲେସନ ପରୀକ୍ଷାର ଫଳ ଏଇ ଛୁଟିରେ ବାହାରିବାର କଥା । ସୁଷମା ବି ପ୍ରଥମ ହୋଇ ଅଷ୍ଟମ ଶ୍ରେଣୀକୁ ପ୍ରମୋସନ ପାଇଥାଏ । ଆମୋଦ ପ୍ରମୋଦ ପାଇଁ ସମୟ ପ୍ରଶସ୍ତ ଥିଲେ ବି, ହରିର ମାନସିକ ସନ୍ଦିଗ୍ଧତା ଯୋଗୁଁ ସମୟର ଏତାଦୃଶ ବ୍ୟବହାର ହୋଇ ପାରେନି । ହରି ଭଲ ପଢ଼େ–କ୍ଲାସରେ ଏଥର ସର୍ବଦା ପ୍ରଥମ–ସେଣ୍ଟପ୍‌ ବି ହୋଇଛି ପ୍ରଥମ ହୋଇ–ଶିକ୍ଷକମାନେ ଏଥର ତା ଉପରେ ଗୋଟେ ବଡ଼ ଆଶା ରଖିଛନ୍ତି । ସବୁ ହରି ଜାଣେ, କିନ୍ତୁ ଯେତେ ଯାହା କରିଥିଲେ ବି ଏଥର ପରୀକ୍ଷା ଦିଆହୋଇଛି ପୁରୀରେ, ସବୁ ଅପରିଚିତ ମୁହଁ–କେତେ ପିଲା–ଏଥର ତା ମାଷ୍ଟ୍ରମାନେ ଖାତା ଦେଖିବେନି । କାଳେ କ’ଣ ହୋଇଯିବ ସେ ଚିନ୍ତାରେ ହରି ଦିନୁ ଦିନ ଚିନ୍ତାରେ ମ୍ରୀୟମାଣ ହୋଇପଡ଼ୁଥାଏ । ଯହୁଁ ଯହୁଁ ଦିନ ଗଡ଼ି ଚାଲେ, ମନ ତାର ସେତେ ଉଦ୍‌ବେଳିତ ହୋଇ ପଡ଼ୁଥାଏ । ଜୟରାମ, କୁନ୍ତଳା, ସୁଷମା କାହାରି ମନରେ ସୁଖ ନ ଥାଏ ମାମୁଲି କଥାବାର୍ତ୍ତା ଯାହା ।

 

ସୁଷମା ସମ୍ଭାଳି ପାରେନି–କହେ ହରି ଭାଇ ତୁମେ ଏମିତି ମୁହଁ ଶୁଖେଇଚ କାହିଁକି, ସୁଖରେ ଖାଉନ କି ଭଲରେ କଥାବାର୍ତ୍ତା କରୁନ, ମୁଁ କ’ଣ ଦୋଷ କରିଛି ? ସୁଷମା ଜାଣେ ହରି ଭାଇ ତାର କାହିଁକି ବିରସ–ଖାଲି ପଦେ ସୋହାଗପୂର୍ଣ୍ଣ କଥା ଶୁଣିବ ବୋଲି, ନିଜ ଉପରକୁ ଦୋଷ ଟାଣି ନେଇ କହୁଥାଏ । ହରି ଭାବେ, କ’ଣ ଜାଣୁଛି ସୁଷମା–ଫଳ ଯଦି କ’ଣ ହୋଇଯାଏ ସେ କ’ଣ ଭାବିବ ? ମାଷ୍ଟ୍ରେ ସବୁ କ’ଣ ଭାବିବେ ? ଗାଁବାଲା କେତେ କ’ଣ ଟୁପୁରଟାପୁର ହେବେ–ଭାଇନାଙ୍କର ମୁଣ୍ଡ ତଳକୁ ହୋଇଯିବ । କେତେ ବଡ଼େଇ କରି ମୋ କଥା କହନ୍ତି ସମସ୍ତଙ୍କୁ । ଭାଉଜ କ’ଣ ଆଗ୍ରହରେ ଆଉ ଡାକିବେ, ହରି ଖାଉନ । ମନ ତାର ଅହେତୁକ ଭାବନାରେ ପୁଣି ଉତ୍‌କ୍ଷିପ୍ତ ହୋଇଉଠିଲା–କହିଲା, ସୁଷମା, ସତେ ମୁଁ ଭଲରେ ପାଶ୍‌ କରିବି, ଖାତା ସବୁ କୁଆଡ଼େ ଯାଇଛି, ମାଷ୍ଟ୍ରେ ଜାଣନ୍ତିନି–କିଏ କ’ଣ କରିଦେବେ । ଆଉ ସୁଷମା ! ସେତେବେଳେ ହରିଭାଇକୁ ଦେଖିବୁନି । ସୁଷମା ବିବ୍ରତ ହୋଇପଡ଼ିଲା । କାହିଁକି ? ହରିଭାଇକି ପଚାରିଲା ! ଧୈର୍ଯ୍ୟ ସଂଗ୍ରହ କରି କହିଲା–କ’ଣ ଗୁଡ଼ାଏ ଅଲକ୍ଷଣା କଥା ଗପୁଛ । ଆଚ୍ଛା କହିଲ, ମୋତେ କ’ଣ ଦେବ ପାଶ୍‌ କଲେ । ହରି ଚାହିଁ ରହିଲା–‘ସତେ’ –କାହିଁ ଭଲ ଲାଗୁନି ସୁଷମା–ମୋ ମୁଣ୍ଡଟା କାହିଁକି ଘୂରିଯାଉଛି-। ସୁଷମା ଆଉଁସି ଦେଉ ଦେଉ କହିଲା, ତୁମେ ତ ଭଲ କରି ଖାଉନ, ଦିହ ନିଜୋରିଆ ଲାଗୁଥିବ, ହଉ, ମୁଁ ଟିକିଏ ଚିପି ଦେଉଛି–ସୁଷମା ମୁଣ୍ଡ ଚିପି ବସିଲା, ହରି ଶୋଇ ରହିଥାଏ ।

 

ଜୟରାମ ଚିନ୍ତିତ ହୋଇ ପଡ଼ନ୍ତି, ଭାଇର ଶୁଖିଲା ମୁହଁ ଦେଖି ଭାବନ୍ତି–ହେଡ଼ମାଷ୍ଟ୍ରେ ତ କହୁଥିଲେ, ସେ ଭଲ କରିଛି । କ’ଣ କ’ଣ ସେ ଲେଖିଛି, ପରୀକ୍ଷା ପରେ ସବୁ ପଚାରି ନେଇଛନ୍ତି ସେ । ପାଶ୍‍ କଥା ତ ମାମୁଲି, ସେମାନେ ଗୋଟେ ବଡ଼ ଆଶା ରଖିଛନ୍ତି । ପିଲାଲୋକ, ପରୀକ୍ଷା ଦେଇ ଆସିଛି ପୁରୀରେ–ମନର ଆଶଙ୍କା ରହିବା ସ୍ୱାଭାବିକ । ଫଳ ବାହାରିବା ନିକଟ ହେଲାଣି । କେତେଦିନ ଡେରି ଆଉ ହେବ । ଏହିପରି ଭାବୁ ଭାବୁ କୁନ୍ତଳାକୁ ଦେଖି ପଚାରିଲେ, ହଇହେ, ହରି କାହିଁ କି ? କୁନ୍ତଳା ସେଇଲେ ନଈରୁ ପାଣି ନେଇ ଆସୁଥିଲେ–କହିଲେ ମୁଁ ତ ଏଇ ଆସୁଛି–ଦେଖେଁ । ଦେଖିଲେ ଆର ଘରେ ହରି ଶୋଇଛି । ସୁଷମା ତାର କଡ଼ରେ ବସି ମୁଣ୍ଡ ଚିପି ଦେଉଚି । ହେଲେ ଦୁହେଁ ନିର୍ବାକ । କୁନ୍ତଳା ଦେଖା ନ ଦେଇ, ପଛକୁ ଫେରି ପଡ଼ି ଡାକିଲେ–ହଇହେ ଦେଖିବ ଆସ, ଚୁପ୍‌ ଚୁପ୍‌, ଜୟରାମ ଦେଖି ମନେ ମନେ ଆନନ୍ଦ ଅନୁଭବ କଲେ–ଭାବିଲେ ଗୋଟିଏ ଘଟଣାରୁ ଦୁଇଟିଯାକ ବିରସ–ଦୁହେଁ ଯେପରି ଏକ ପ୍ରାଣ । କେତେ ଦଉଡ଼ୁଥାନ୍ତି–କେତେ ଫୁସୁରୁଫାସର ପୁଣି ଘଡ଼ିକେ ମନ ଫଟାଫଟି । ଆଜି ଦୁହେଁ ଆକୁଳ, ଅସ୍ଥିର, ଉଦ୍‌ଗ୍ରୀବ । ଜୟରାମଙ୍କର ମୁଣ୍ଡ ନୋଇଁ ଆସିଲା, ଅଦେଖା ଶକ୍ତିଙ୍କ ଉଦ୍ଦେଶ୍ୟରେ ।

 

ଦୂରେଇ ଆସି ଡାକିଲେ ସୁଷମାକୁ । ସୁଷମା ତର ତର ହୋଇ ଉଠିଆସିଲା । ମୁହଁଟି ଶୁଖିଯାଇଛି–ସରଳଭାବେ କହିଲା, ହରିଭାଇଙ୍କର ମୁଣ୍ଡଟା କ’ଣ ହେଉଛି ଯେ, ଟିକିଏ ଚିପି ଦେଉଥିଲି ।

 

କାହିଁ ସେ ? ଜୟରାମ ଶୁଣେଇ ଶୁଣେଇ କହିଲେ । ଏତେ ବ୍ୟସ୍ତ କାହିଁକି ହେଉଛି ସେ-? ସେ ଏକୁଟିଆ ପରୀକ୍ଷା ଦେଇଛି ନା ବ୍ରହ୍ମାଣ୍ଡଯାକ ପରୀକ୍ଷା ଦେଇଛନ୍ତି । ହେଡ଼ମାଷ୍ଟ୍ରେ ତ କହୁଥିଲେ, ସେ ଭଲ କରିଛି, ଭଲ ପାଶ୍ କରିବ । ଯାହା ତ ଈଶ୍ୱର କରିବେ–ଏମିତି ହେଲେ ଶରୀର ରହିବ କିପରି ? ଆଜିକାଲି ଏ ପିଲେ ଯାହା ହେଲେଣି କେତେବେଳେ ଯେ କ’ଣ କରି ବସିବେ–ଟିକିଏ ହେଲେ ତାକତ ନାହିଁ–କ’ଣ ଏମାନେ ସାଂସାରିକ ବିପଦ ସବୁ ସମ୍ଭାଳିବେ । ଜାଣି ବରଂ ଏମାନଙ୍କୁ ଚାଷବାସରେ ଭର୍ତ୍ତି କରିଦେବା ଭଲ । ସୁଷମା ! ତାକୁ କହିଦେ, ଖାଇଦେଉ ଗଣ୍ଡେ–କହି ଜୟରାମ ଦାଣ୍ଡ ଆଡ଼କୁ ଚାଲିଗଲେ । ସୁଷମା ଧଡ଼ପଡ଼ ହୋଇଯାଇ, ହରିଭାଇକୁ ଡାକିଲା, କେତେ ନେହୁରା ହେଲା–ଭାଇନାଙ୍କ ନାଁ କହି ଡରେଇଲା, କିନ୍ତୁ ସବୁ ନିଷ୍ଫଳ–ଅଜଣା ଆଶଙ୍କାର ଡର ଏପରି ମାଡ଼ି ବସିଥାଏ ଯେ, କହିଲା–ମୋ ପେଟ ଅତି ଖରାପ–ଯା, ମୋ ସୁନାଟା ପରା କହିଦେବୁ–ମୁଁ ଟିକିଏ ଶୁଏଁ ।

 

ଦୁଃଖରେ ହେଲେ ବି ସମୟ ଗଡ଼ିଯାଏ–ହରି ଭାବୁଥାଏ ଫଳ ମୋଟେ ନ ବାହାରନ୍ତା କି-। ଯାହା ଯେତେବେଳେ ଆସିବା କଥା, ଆସିଯାଏ–ମଣିଷ ଭାବେ, କଳ୍ପନା କରେ–ତୁଚ୍ଛାକୁ । ସେହି ଦିନୁଟି ଆସିଗଲା ଆଜି ଆଗରୁ ଶୁଣାଯାଇଛି ଆଜି ହିଁ ଫଳ ବାହାରିବ । ଗୋଟିଏ ଚରମ ଆଶଙ୍କାର ଦିନ–ସେ ଦିନର ସକାଳୁଆ ପବନ, ପିଲାମାନଙ୍କର ଦାଣ୍ଡରେ କୋଳାହଳ, କାଉ କୋଇଲିଙ୍କ ରାବ ସବୁ ଲାଗୁଥାଏ ଖାପଛଡ଼ା–ଏ ସବୁ ଯେପରି ଷଡ଼ଯନ୍ତ୍ର କରିଛନ୍ତି, ଯେପରି ଏମାନଙ୍କ ଅବସ୍ଥାକୁ ଉପହାସ କରୁଛନ୍ତି, ହରି ଶୋଇପଡ଼ିଛି ଚିନ୍ତାରେ–ଆଜି ତାର ଦେହ ଜଡ଼ପ୍ରାୟ–ନିଶ୍ୱାସ ଯାହା ଯାଉଛି ଆସୁଛି–କଥା ନାହିଁ, ବାର୍ତ୍ତା ନାହିଁ, କେହି ବି ତାକୁ ଡାକୁ ନାହାନ୍ତି । ସବୁଦିନେ ସୁଷମା ଆସେ, ଆଜି ନାହିଁ । ଜୟରାମ ଅତି ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି–କ’ଣ କରିବେ ସେ–ନାହିଁ ନାହିଁ ଯଦି କିଛି ଓଲଟ ପାଲଟ ହୋଇଯାଏ, କିପରି ସମ୍ଭାଳିବେ ହରିକି । କେତେ ଭାବପ୍ରବଣ ସେ–କ’ଣ ଯେ କରି ବସିବ, ଯେତେସବୁ ଅମଙ୍ଗଳ ଆଶଙ୍କା । କୁନ୍ତଳା ମାଇପି ଲୋକ, ଜୟରାମଙ୍କ ଧୈର୍ଯ୍ୟ ରହିଥିଲା । ଆଜି ତାକୁ ଏପରି ଦେଖି, ସେ ନିର୍ବେଦ ଓ ନିର୍ବାକ । ଘରେ ରୋଷେଇ ନାହିଁ–ଏସବୁ ଯେପରି ପଡ଼ିଛି ଘରେ କେହି ନ ଥିଲାପରି । ଜଣେ ମରିଗଲେ ଯେପରି ଖାଁ ଖାଁ ଲାଗେ ଠିକ୍‌ ସେହିପରି ସୁଷମା ଖାଲି ତାଙ୍କ ଘରକୁ ଏ ଘର ହେଉଛି–କାହାକୁ କିଛି କହୁନି କି ତାକୁ କେହି ବି କିଛି କହୁ ନାହାନ୍ତି । ପୋଷ୍ଟମ୍ୟାନ୍‌ କାଗଜ ଦେଇଗଲା । ଜୟରାମଙ୍କର ସେତେବେଳେ ପ୍ରଖର ମାନସିକ ଆନ୍ଦୋଳନ । ଚଟ୍‌କରି ଦେଖିପକାଇଲେ–ବିରଞ୍ଚିପୁର ହାଇସ୍କୁଲ–ଏଁ–ହରି ନାଁ କାହିଁ–ସରିଗଲା କୁନ୍ତଳା–କହି ଲଥ୍‌ କରି ବସି ପଡ଼ିଲେ । ସାତ ତଳ ପିଲେ ପାଶ୍‌ କଲେ, ମୋ ଭାଗ୍ୟରେ ଏୟା ଥିଲା । କୋଉ ବାପ ଚଉଦପୁରୁଷରେ କିଏ ଆମ ବଂଶରେ ପାଠ ପଢ଼ିଥିଲା–ମୁଁ ଚଣ୍ଡାଳ କାହିଁକି ଏ ବୁଦ୍ଧି କଲି । କୁନ୍ତଳା ଜଳ ଜଳ ଚାହିଁଛି–ସ୍ଥାଣୁ–କାଟିଦେଲେ ରକତ ବାହାରିବନି । ଜୟରାମ କହିଲେ–କୁନ୍ତଳା ଆଉ ସେପରି ପଡ଼ିଛ କାହିଁକି–ଖୁବ୍‌ ହେଇଗଲା–ବାପ ମା’ ଯାଇଥିଲେ–ସହିଥିଲି–ହଉ ତୁମେ ଯାଅ, ଟିକିଏ ହରିକୁ ଦେଖ–ଉଠାଇବନି ତାକୁ ।

 

ହରି ଶୋଇଛି–ଚେତନା ନାହିଁ–କେତେ ଆଶା କାହାର ମାଟି ହୋଇଯିବ । କିପରି ଭାଇନା, ଭାଉଜ ସୁଷମାଙ୍କୁ ମୁହଁ ଦେଖାଇବ । ଜୀବନଟା ଯଦି ଚାଲିଯାଆନ୍ତା ସବୁ ଦୁର୍ଭାବନା ଭିତରେ, ନିଦ୍ରାଦେବୀ ତାକୁ ଭୁଲାଉଛନ୍ତି–ସେ ଶୋଇଛି ।

 

ସୁଷମା, ଜୟରାମ ଓ କୁନ୍ତଳାଙ୍କୁ ଏପରି ଦେଖି, ନିର୍ବେଦ ହୋଇଗଲା । ପାଖରେ ପଡ଼ିଥିବା କାଗଜଟାକୁ ଚାହିଁ ଦେଇ, ପଳାଇ ଆସିଲା ଝଡ଼ପରି । ଭୀଷଣ କୋହ–ଭାଇ ତାର କ’ଣ ହୋଇ ଯାଉଥିବ–ସହିପାରିବନି ତାର ବୁକୁଫଟା କାନ୍ଦ–କ’ଣ ଯଦି କରିଦେବେଣି–ମନେପଡ଼ିଲା ହରି କହୁଥିଲା କୁଆଡ଼େ ଆତ୍ମହତ୍ୟା–। ଭାବି ପାରିଲାନି–ହେଲେ ତ ବିଲୁ ଅପା ହେରିକା କହିବେ–ପ୍ରେମ କରିବ ନଈକୂଳେ–ଏଇଟା କ’ଣ ପଢ଼ିବ । ମୁଁ ଚଣ୍ଡାଳୀ କାହିଁକି ମିଶିଲି ତାଙ୍କ ସଙ୍ଗେ । ପୋଡ଼ାମୁହିଁଟେ ମୁଁ । ଜୀବନ ତାର ତୁଚ୍ଛ ମନେହେଲା । ଦୌଡ଼ିଲା ନଈ ଆଡ଼କୁ ଏକ ମୁହାଁ ହୋଇ–ଯାଉ ତାର ଏ ଅଲୋଡ଼ା ଜୀବନ–

 

ସେଣୁ ବୃଦ୍ଧ ଶରଣ ସିଂ, ହେଡ଼ମାଷ୍ଟର, ଆସୁଛନ୍ତି–ସୁଷମାକୁ ଏପରି ପାଗଳିନୀ ପରି ଦେଖି, ଧରି ପକାଇଲେ–ଭୋ ଭୋ କାନ୍ଦିଲା ସୁଷମା–କିଛି କହିପାରିଲାନି, ହେଡ଼ମାଷ୍ଟର କେତେ ଆଶ୍ୱାସନା ଦେଲେ, କହ ମା’, କ’ଣ ହୋଇଛି ?

 

ହରିଭାଇ! ପୁଣି କାନ୍ଦିଲା ? କ’ଣ ହରି ଭାଇ ! ହେଡ଼ମାଷ୍ଟର ସନ୍ଦିଗ୍ଧ ହେଲେ । କି ସୁଖବର ଶୁଣାଇବାକୁ ଦୌଡ଼ି ଆସୁଥିଲେ–କ’ଣ ହରିର ହେଲା । ସୁଷମାର କାନ୍ଦ ଦେଖି, କେତେ ଆକସ୍ମିକ ଦୁର୍ଘଟଣାର ଆଶଙ୍କା ଚଟ୍‌ କରି ଖେଳିଗଲା ତାଙ୍କ ମୁଣ୍ଡରେ । ଆଲୋ କ’ଣ ହୋଇଛି, ଟିକିଏ କହ ଭଲା ।

 

ହରି ଭାଇ ଫେଲ୍‌ ସାର୍‌–ଆଉରି ଜୋରରେ କାନ୍ଦିଉଠିଲା ସୁଷମା । ବଡ଼ ଗୋଟିଏ ଚିନ୍ତାରୁ ମୁକ୍ତ ହେଲେ ଯେପରି । ଆରେ ଏ ଝିଅ ମୋତେ ତ ପାଗଳ କରି ଦେଇଥିଲା । କ’ଣ ନଈକୁ ଡେଇଁବାକୁ ଯାଉଥିଲୁ–ଆଲୋ ହରି କାହିଁ ! ମୁଁ ଯାଇନି ତାଙ୍କ ପାଖକୁ । ସୁଷମା ଟିକିଏ ଧୈର୍ଯ୍ୟ ପାଇଲା ଯେପରି–ଚାହୁଁଥାଏ ସାରଙ୍କ ମୁହଁକୁ । ହେଡ଼ମାଷ୍ଟ୍ରେ ତାର ମୁଣ୍ଡଟି ସାଉଁଳାଇ ଦେଇ କହିଲେ, ଆରେ ପାଗଳୀ–ତୋ ହରି ଭାଇ ସାରା ଓଡ଼ିଶାରେ ସେକେଣ୍ଡ ହୋଇଛି–ଫାଷ୍ଟ ଡିଭିଜନରେ । କୁଆଡ଼େ କିଛି ନ ଦେଖି ନ ଶୁଣି, ଝିଅ ବକଟେ, ସାହସ ଦେଖ–ନଈକି ଡେଇଁବ ୟେ-। ଆ ଆ–ଆଖିରେ ଦୁହିଁଙ୍କର ଆନନ୍ଦାଶ୍ରୁ ।

 

କାଗଜର ପ୍ରଥମ ପୃଷ୍ଠାରେ ୧୮ ଜଣଙ୍କ ନାମ ବାହାରିଛି–ସମସ୍ତେ ଫାଷ୍ଟ ଡିଭିଜନ । ଅଳ୍ପ ଫାଷ୍ଟ ଡିଭିଜନ ହେତୁ ସ୍କୁଲଓ୍ୟାରି ନା ଭିତରେ ଏଗୁଡ଼ିକ ଛାପାଯାଇନି ବୋଧହୁଏ । ସୁଷମା କାଗଜ ଖଣ୍ଡିକ ଶିକ୍ଷକଙ୍କ ହାତରୁ ନେଇ ଦେଖି–ଦୌଡ଼ିଗଲା ଏକା ଖେପାକେ ।

 

ଭାଇନା, ଭାଉଜ, ହରି ଭାଇ ମୋର ସେକେଣ୍ଡ ହୋଇଛି ଫାଷ୍ଟ ଡିଭିଜନରେ–କହିକହି ପଶିଗଲା ସୁଷମା–ହରି ଭାଇ ଉପରେ ଲୋଟିପଡ଼ି କହିଲା, ଭାଇ ! ମିଠେଇ ଦିଅ–ତୁମେ ସେକେଣ୍ଡ ହୋଇଛ ଓଡ଼ିଶାରେ–ପ୍ରଥମ ଶ୍ରେଣୀ । ହରି ବିଶ୍ୱାସ କରିପାରିଲାନି ପ୍ରଥମେ । ଧୀରେ ଧୀରେ ଦାଣ୍ଡଆଡ଼କୁ ଆସିଲା । ଦେଖିଲା, ଭାଇନା ଓ ହେଡ଼ମାଷ୍ଟ୍ରେ ବସିଛନ୍ତି, ଭାଉଜ କବାଟ ପାଖେ–ନମସ୍କାର କଲା । ହେଡ଼ମାଷ୍ଟ୍ରେ କହୁଥାନ୍ତି ଏଡ଼େ ମାନସିକ ଉତ୍ତେଜନା ଯେ ତୁମର, କାଗଜ ଟିକିଏ ଦେଖିବାକୁ ବି ଧୈର୍ଯ୍ୟ ନାହିଁ । କନ୍ଦାକଟା କରି ତୁମେ ଅସ୍ଥିର; ଏ ଝିଅ ଦୌଡ଼ୁଛି ନଈକୁ ଡ଼େଇଁବ । ମୁଁ ତ ନ ଆସିଥିଲେ, କ’ଣ କାଣ୍ଡ ଭିଆଇଥାନ୍ତ ।

 

ଭଗବତ୍ ପ୍ରେରିତ ଆପଣ, କହିଲେ ଜୟରାମ । ହରିକୁ ଆକଟିଲା ପରି କହିଲେ ହେଡ଼ମାଷ୍ଟ୍ରେ, ଏଡ଼ିକି ଦୁର୍ବଳ ତୁ । ଯାହାହେଉ; ଆଜି ଗୋଟିଏ ଗୌରବର ଦିନ । ଆମ ଗାଁ, ସ୍କୁଲ, ସମସ୍ତେ ଆଜି ଧନ୍ୟ, ଦିଅ ଜୟରାମ, ଗୋଟେ ଫିଷ୍ଟ୍‌ ଇତ୍ୟାଦିର ଆୟୋଜନ କର–ସୁଷମା କହିଲା–ଦେଖିଲ, ହରି ଭାଇ କୁଆଡ଼େ ଗଲେଣି ଅସଲ ବେଳକୁ–କହି ଦୌଡ଼ିଲା–ଧରି ଆଣିବ ଯେପରି ତାକୁ । ଜୟରାମ କହିଲେ ଆପଣ ତାଲିକା କରନ୍ତୁ–ମୁଁ ସବୁଥିରେ ରାଜି ।

 

ଘରଟି ଆନନ୍ଦରେ ମୁଖରିତ ହୋଇ ଉଠିଲା ।

•••

 

(ଚାରି)

 

ଜ୍ୟେଷ୍ଠ ମାସ–ଗ୍ରୀଷ୍ମର ପ୍ରକୋପ ସାମାନ୍ୟ କମିଛି । ଅସରାଏ ଖଣ୍ଡେ ବର୍ଷା ହୋଇଯିବାରୁ, ଚାଷୀମାନେ ବିଲ ସବୁ ହଳ କରି ଖରାଟିଆ ଧାନବୁଣା କ୍ରମେ ସୁରୁ କରିଦେଲେଣି । ଜୟରାମଙ୍କର ଭୂଇଁ ଦି’ବାଟି ସରିକି ହେବ–ସେଥିରେ ବି ଅଉଲ ନମ୍ୱର ଜମି ବାଟିଏ ଉପରେ ଅଛି-। ଏକ ଏକ ଚକିଆ ଜମି, ଚାଷ ଲାଭଜନକ ହୁଏ–ଲଘୁତି ବେଶୀ ଲାଗେନି । ଲୋକେ କହନ୍ତି, ଗଙ୍ଗାରାମ ତ ଜମି କରିଛନ୍ତି ଗୋଟିଏ ଚକରେ ୧୦/୧୨ ମାଣ ଟୁକୁରା ଟୁକୁରା ନୁହେଁ, ସେଥିଯୋଗୁଁ ବାଡ଼ କିଳା ହୋଇଜମିଗୁଡ଼ିକ ବେଶ୍ ଆୟତ ଉପରେ ଅଛି । ବାପାଙ୍କ ଅମଳରୁ ବଳଦ, ଶଗଡ଼, ଦିଜଣ ହଳିଆ ଅଛନ୍ତି–ଭିଡ଼ଭାଡ଼ବେଳେ ଭୟରାମ ଦାଣ୍ଡଲୋକ କିଛି ପକାଇ ବଛା, ବେଉଷଣ, ଧାନକଟା ବେଙ୍ଗଳା ଇତ୍ୟାଦି କାମ ଉଠାଇ ନିଅନ୍ତି । ବାପା ଥିଲାବେଳୁ ଜୟରାମ ବିଲ ବାଡ଼ିକୁ ଯାଆନ୍ତି । ଏବେ ବି ବାପାଙ୍କ ପୁରୁଣା କଥାଟି ଜୟରାମଙ୍କ ମନେଥାଏ । ‘‘ଆଣ୍ଠୁ ପକା ପୁରା ଚାଷ, ଛତାଧରା ଅଧା ଚାଷ, ଦୁଆରେ ହୁକୁମ କରେ ଯେ, ଖପରା ଘେନି ବୁଲେ ସେ’’ । ସମୟେ ସମୟେ, ଜୟରାମ ବି ନିଜେ କାମରେ ଲାଗିଯାନ୍ତି–ବୟସ ୩୫/୩୬ । କୁନ୍ଦଲା ପରି ଚେହେରା–ଖରାତରାରେ ବୁଲି ବୁଲି ଦେହର ରଙ୍ଗଟା ନାଲି ଓ ଧଳା ଦିଶେ–ମନେହୁଏ ସେ ଯଦି ଚାକିରୀ କରି ଛାଇତଳେ ଥାନ୍ତେ, ଚେହେରାଟା ଧଳା ଓ ଚିକ୍କଣ ଦିଶୁଥାଆନ୍ତା । ଡେଙ୍ଗା ବୋଲି କହି ହେବନି । ବାଙ୍ଗରା ବି ନୁହନ୍ତି, ମୋଟା ମୋଟି ଏଇ ସାଧାରଣ ଗାଉଁଲି ମଣିଷ–ମଣିଷପରି ମଣିଷଟିଏ ।

 

ଧାନବୁଣା ସମୟ–ଦିନେ ଉପର ବେଳା ଜୟରାମ ମାଡ଼ିଯାଇଛନ୍ତି ତାଙ୍କ ତିନିମାଣ ଚକଠାକୁ–୪ଜଣ ଲୋକ, ୨ଟା ହଳ ଯାଇଛି–ତେଣୁ କାମ ଟିକିଏ ତଦାରଖ କରିନେବେ ।

 

ହରିର ଟିକିଏ ବିଲବାଡ଼ିକୁ ଯିବା ମନ, ହେଲେ ଭାଇନା ମନା କରନ୍ତି ? ସେ ଦିନ ହରି ଲଗେଇଲା, ‘‘ଭାଉଜ ମୁଁ ଟିକିଏ ବିଲଆଡ଼କୁ ଯାଆନ୍ତି, ଭାଇନାଙ୍କୁ କହିଲେ, ସେ ବକୁଛନ୍ତି–କାହିଁ ମୋର ତ ଏଇଲେ ଛୁଟି, ଟିକିଏ ଗଲେ କ’ଣ ହୁଅନ୍ତାନି । ଏଇ ଭାଉଜ ପାଖରେ ହରିର ଅଳି ବେଶୀ, ପିଲାଦିନରୁ ଏଇ ଭାଉଜ ତାର ମା’’ । ଭାଉଜଙ୍କର ପିଲାପିଲି ତ କିଛି ନ ଥାନ୍ତି–ସେଥିପାଇଁ ବି ମନ ତାଙ୍କର ଦୁଃଖ ନ ଥାଏ । ହରି ଅଛି–ଇଶ୍ୱର ତାଙ୍କୁ ପିଲା ଖଣ୍ଡିଏ ଦେଲେବି ହେଲା–ବଂଶର କ୍ରମ ରହିବା କଥା, ସେ ଭଲ ପଢ଼ୁ, ନାଁ କରୁ, କାଲିକି କାଲି ବୋହୂ ଆସିବ–ବଡ଼ କିଛି ସୁଦୂରପ୍ରସାରୀ କଳ୍ପନା କୁନ୍ତଳାଙ୍କର । ହରିର ଅଳିଝଳିଟି ତାଙ୍କୁ ବଡ଼ ଖୁସି ଲାଗେ । ସେଇଲାଗେ ପନିକି ଆଣି ଆଳୁ ଚୁନି ଚୁନି କରି କାଟି, ଭାଜି ହରିକୁ ପଖାଳ ବାଢ଼ିଦେଲେ–ହରି ଗଣ୍ଡିଏ ପେଟପୁରା କରି ନ ଖାଇଲେ ତାଙ୍କ ମନଟା ଦିନଟା ଯାକ ଗୁଡ଼ୁଗୁଡ଼ୁ ହେଉଥାଏ । ହରି ଝଟକରି ଖାଇ ବାହାରିଲା–କହିଲା ଭାଉଜ, ଭାଇନାକୁ ଟିକିଏ ବୁଝେଇ କରି କହିଦେବ–ଭାଉଜ କହିଲେ, ହରି, ଯାଉଛତ, ଦିଖଣ୍ଡି ପାନ ଭାଙ୍ଗି ଦେଇଛି ନେଇଯାଅ–ବିଲରେ ଭାଇନା ଥିବେ ତାଙ୍କୁ ଦେଇଦେବ । ପାନ ଦିଖଣ୍ଡ ଦେଲେ, କହିଲେ ହରି, ସହଳ ଚାଲି ଆସିବ, ରାତିଯାଏ ରହିବନି । ହଁ ଭାଉଜ’ କହି ହରି ଏକା ଖେପାକେ ଦାଣ୍ଡରେ । ଭାଇନାଙ୍କ ବକାକୁ, ଭାଉଜ ବଳ ପାଇଲେ, ହରି ଗୋଟେ ବଡ଼, ଧୈର୍ଯ୍ୟ ଓ ସାହସ ପାଏ । ନିଶ ଟିକିଏ ଟିକିଏ ଉଠିଲାଣି–ମୁହଁଟି ତାର ନମନୀୟ ହେଲାଣି–ସ୍ୱର ଭାଙ୍ଗଣିଆ ପାଲଟିଲାଣି–ହେଲେ ସେହିପରି ସରଳ ଓ ସାଧାସିଧା ସେ । ଭାବନ୍ତି ଭାଉଜ–ସୁଷମା ଆସିବ ସେ ଦି ଜଣ ହେବେ । ବଡ଼ ଜା ହେବାର ବାସନାପ୍ରଚ୍ଛନ୍ନ ଭାବରେ ଉଙ୍କିମାରି ଚାଲିଗଲା । ହରି ଯିବାପଥକୁ କ୍ଷଣେ ଚାହିଁ, କୁନ୍ତଳା ଦରଜା ବନ୍ଦକରି ଭିତରକୁ ଗଲେ ।

 

ସୁଷମା ବୋଉ ହରିକୁ ଦାଣ୍ଡରେ ଦେଖିପକାଇ ଡାକ ଛାଡ଼ିଲେ–କିଏ ହରି କିରେ ? କୁଆଡ଼େ ଯାଉଛୁ–ଆରେ ଏଠିକି ଟିକିଏ ଆ’ମ । ହରି ଭାବିଲା–ଭଲକଥା ହେଲା ଆଉ ବିଲକୁ କେତେବେଳେ ଯିବ–ଏଇଲେ ତ ତାକୁ ଅଟକାଇବେ । ଯାହାହେଉ ଆସିଲା, କହିଲା–ମାଉସୀ ଟିକିଏ ବିଲ ଆଡ଼କୁ ଯାଉଥିଲି ବୁଲିବାକୁ । ମାଉସୀ ହସିଲେ କହିଲେ ‘ଓଃ ପୁଅକୁ ମୋର ଘର ଚିନ୍ତା ଲାଗିଗଲାଣି–ଆରେ ବିଲ ଚିହ୍ନିଛୁଟିକି–କହି ବସାଇଲେ ତାକୁ । ମସିଣାଟିଏ ପକାଇ ସୁଷମା ବସି ସିଲେଇ କରୁଛି । ପାଖରେ ଖବରକାଗଜ ଖଣ୍ଡେ ପଡ଼ିଛି–ଯୌବନର ପ୍ରଥମ ଗନ୍ଧ ମହକି ଆସୁଛି–ଗୋରା ତକ ତକ ମୁହଁଟି ତାର ଗମ୍ଭୀର ହୋଇଯାଇଛି ସତେ ଜାଣି ଶୁଣି । ବେଣୀଟି ଝୁଲୁଛି ବେକର ସାମନା ପାଖକୁ । ହରି ଚାହୁଁଥାଏ–ମାଉସୀ ଅଛନ୍ତି ଯେ ।

 

ମାଉସୀ, ଦିହିଁକୁ ଦେଖି ମନେ ମନେ ନିରତିଶୟ ଆନନ୍ଦ ଅନୁଭବ କରୁଥାନ୍ତି । କହିଲେ, ପୁଅ ! କେତେବେଳେ ତ ଏଠିକି ଟିକିଏ ଆସୁନୁ । ଗରିବ ଘରଟି ମୋର–ଆଜି ସେ ଥିଲେ କେତେ ଆଦର କରୁଥାନ୍ତେ–କେତେ ଫୁଲି ଉଠୁଥାନ୍ତେ–ସୁଷମା ବୋଉ ଆଖି ଛଳ ଛଳ ହେଲା–ଅଜାଣତରେ ମୁହଁ ଲୁଚାଇ ନେଲେ । ସୁଷମା ଭାବୁଥାଏ, ଗରିବ ଗରିବ କେତେ କହି ହେଉଛି ହରିଭାଇଙ୍କ ଆଗରେ–ସତେ ଯେମିତି ହରି ଭାଇ ଗୋଟେ ବଡ଼ମଣିଷ ହୋଇ ଗଲେଣି । ହରି କହିଲା–ମାଉସୀ ତୁମେ ତ ସବୁବେଳେ ଆମ ଘରକୁ ଯାଉଛ–ସବୁଦିନ ତ ଦେଖୁଛ–ହଉ ଏବେ, ମୁଁ ଥିବାଯାକ ପ୍ରତିଦିନ ଏଣେ ଆସିବି । ସୁଷମା କହିଲା–ବୋଉ ତୁ କାହିଁକି ତାଙ୍କୁ ବସାଇଛୁ–କାମରେ ଯାଉଥିଲେ ସେ । କହିବେ–ମୋତେ ଏଠି ଅଟକାଇ ଦେଲେ–ମୁହଁଟି ତଳକୁ କରି ଅଭିମାନରେ ଯେପରି ଏ କଥାଗୁଡ଼ିକ ବାହାରିଗଲା ସୁଷମା ମୁହଁରୁ । ହରି ଭାବିଲା–ଆରମ୍ଭ ହେଲା ଅଭିନୟ । ଉଜ୍ଜଳ ଦେଈ ଟିକିଏ ହସି ଦେଇ କହିଲେ “ହରିଟି ମୋର ସୁନା–ଏଇ ପାଠପଢ଼ୁଆ ମୁଁ ଦେଖୁନି–ଇଂରେଜୀ ଦି’ ଅକ୍ଷର ପଢ଼ୁ ପଢ଼ୁ ଏକଦମ ଫିଟ୍‌ଫାଟ୍‌ । ହଉ ମୁଁ ଟିକିଏ ଆସୁଛି ।’’ ପଡ଼ିଶାଘର ଗାଈ ଦୁହାଁଳି ଅଛି–ତାଠାରୁ ପାଏ ଦୁଧ ଆଣି ହରିକୁ ପିଇବାକୁ ଦେବେ, ଏଇ ଇଚ୍ଛାରେ ।

 

ଏ ଦୁହେଁ କାହାକୁ କିଛି କହୁ ନ ଥାନ୍ତି । ବିଶେଷ କାରଣ ନ ଥାଇ ଯୋଡ଼ି ହେଉଥିବା ମନ ଦିଓଟି ଭିତରେ ଟିକିଏ ଟିକିଏ ଅଭିମାନଜନିତ ତଫାତ୍ ଘଟିଯାଏ । ରଥ ପଛକୁ ଆସି ପୁଣି ଆଗକୁ ବେଶୀ ମାଡ଼ିଯାଏ–ଏ ଭିତରେ ଯେଉଁ ରହସ୍ୟ ରହିଛି–ଠିକ୍‌ ସେୟା–ଦୁଇଟି ଯୋଡ଼ି ହେଉଥିବା ମନ–ଟିକିଏ ଫାଙ୍କ ହୋଇଗଲେ ପରେ ଦ୍ୱିଗୁଣ ବେଗରେ ଲାଗି ଆସେ ।

 

ହରି ମନକୁ ମନ କହୁଥାଏ–ମାଉସୀ କେତେବେଳେ ହେଲା କୁଆଡ଼େ ଗଲେ, ଟିକିଏ ବିଲ ଆଡ଼କୁ ଯାଉଥିଲି ଯେ, ବେଳ ତ ଆସିଗଲାଣି, ସୁଷମା ଆଉ କି ସମ୍ଭଳା ପଡ଼େ–ମୂଳୁରୁ ତ ଅଭିମାନ । ହରିଭାଇଙ୍କି ବୋଉ ଡାକିବାକୁ ଯେ ଗଲା ପଛକେ–ସେ ଟିକିଏ ମନକୁ ବସିଲେନି । ‘ବୋଉ, ବୋଉ’ ଡାକି ବାଡ଼ିଦୁଆରକୁ ଚାଲିଗଲା । ହରି ବିବ୍ରତ ହୋଇପଡ଼ିଲା–କାହିଁକି କହିଲି, ସୁଷମା ତ ଏଇଲେ କହିଦେବ । ମାଉସୀ ଭାବିବେ, ‘‘ଶ୍ରଦ୍ଧାରେ ଡାକିଥିଲି ଯେ, ଟିକିଏ ବସୁ ନ ବସୁଣୁ ଛାନିଆ–ଯେତେ ଯାହାକୁ ଆପଣାର କରୁଛି, କେହି ହେଉ ନାହାନ୍ତି ।’’ ସ୍ୱାମୀଙ୍କର ମୃତ୍ୟୁ ପରେ, ଟିକିଏ କଥାରେ ଚିନ୍ତା–ସତେ ଯେପରି ସେ ଏ ଦୁନିଆର ଅତି ଛୋଟ, ଆଉ ତାଙ୍କୁ ସମସ୍ତେ ଦଶହାତ ଉପରେ ବସି ଉପହାସ କରୁଛନ୍ତି । ଯାହାକୁ କହନ୍ତି Inferiority Complex । ହରି ଦୌଡ଼ି ଯାଇ ସୁଷମାକୁ ରୋକି ନେଲା । ସୁଷମା ଦୌଡ଼ି ଆସିଲା, ଦାଣ୍ଡପଟେ ବୁଲି ଯାଇ ବୋଉକୁ ଡାକି ଦେବ ବୋଲି । ହରି ଆସି ଦାଣ୍ଡ ପାଖେ ହାଜର । ଏ ଦୌଡ଼ାଦୌଡ଼ି ଭିତରେ ମାଉସୀ ଆସି ପହଞ୍ଚିଗଲେ–ଦୁହେଁ ଅପ୍ରତିଭ ହେଲେ । ସୁଷମା କହିଲା, ଦେଖିଲୁ ବୋଉ, ଯିବା ପାଇଁ ଅଥୟ ହେଲେ, ମୁଁ ତୋତେ ଡାକିବାକୁ ଯିବାରୁ ବାଟ ଓଗାଳୁଛନ୍ତି । ହରି ଜବାବ ଦେଲା–ନାହିଁ ମାଉସୀ–ମୁଁ ଆଦୌ ବ୍ୟସ୍ତ ହୋଇନି କି ତାକୁ ବାଟ ଓଗାଳିନି–ଭାରି ମିଛ କହୁଛି ।

 

ମାଉସୀ କହିଲେ, ହଁ ଆଉ ଟିକିଏ ବସ–ଏଇଲେ ଯିବୁ ଭାରି ଯେ–କହି ଟିକିଏ ତଳଆଡ଼କୁ ଗଲେ । ‘ବସିଗଲେ ଆମର ଗୋଟା ସୁଦ୍ଧା ଭଦ୍ରଲୋକ–ଭାରି ମିଛୁଆ ତୁମେ ହରି ଭାଇ-। ମୁହଁ ଝିଙ୍ଗାସି କହିଲା ସୁଷମା । ହରି କହିଲା, କହୁନୁ ବୋଉକୁ ଆଉ । ହରି ଭାଇ, ଆବେଗରେ କହିଲା ସୁଷମା, ତୁମେ ମତେ ଟିକିଏ ନିଅନ୍ତନି ବିଲକୁ, ହଁ ଭଲ ପାଶ୍‍ କଲ, ନାଁ ହେଲା, ଆଉ କ’ଣ ମୁଁ ଦିଶିବି । ହରି ତା ବେଣୀଟି ହଲାଇ ଦେଇ କହିଲା–ଧେତ୍‌, ଭାରି ଅଭିମାନୀ ତୁ ।

 

କାହିଁ, ମୁଁ ତ ମୋ ଗୋଡ଼ରେ ଯିବି, କ’ଣ କାଖେଇ କରି ନେବ କି ଭିଡ଼ ଲାଗି ଯାଉଛି କହିଲା ସୁଷମା ।

 

ହରି ଗୋଟେ ରହସିଆ ବାଟ ପାଇଲା–କହିଲା, ସତେ ସେୟା ହୁଅନ୍ତା ଯଦି ମୁଁ ତତେ କାଖେଇ କରି ଦିନଯାକ ବୁଲନ୍ତି ।

 

ହଉ, ହଉ, ସବୁ ଖାଲି ତୁମର ଥଟା–ଏଇ ବୋଉ ଆସୁଛି, କହି ଥିର ହୋଇବସି ରହିଲା–ଦୁହେଁ ଯେପରି ଅତି ନିରୀହ ।

 

ମାଉସୀ ଗ୍ଲାସଟିଏ ଦୁଧ ଚିନି ପକାଇ ହରିକୁ ଦେଲେ । ହରି ସେତକ ପିଇ ଟିକିଏ ତକାଇଲା ପରି ରହିଲା । ସୁଷମା ଆସ୍ତେ କହିଲା, ବୋଉ, ମୁଁ ଟିକିଏ ବିଲକୁ ଯାଆନ୍ତିନି ବୁଲି । ବୋଉ ଆଖି ତରାଟି ଚାହିଁଲେ–କହିଲେ, ଆଉ ଦିନେ ଯିବୁ ।

 

ଦୁହେଁ ବୁଝି ପାରିଲେ–ହରି ଉଠିଲା ।

 

X            X            X            X

 

ମୁହଁ ସଞ୍ଜ । ଜୟରାମ ଓ ହରି ବିଲରୁ ଫେରୁଛନ୍ତି । ଘରଦ୍ୱାର ନେଇ ମାମୁଲି କଥାବାର୍ତ୍ତା ଚାଲିଛି । ଜୟରାମ ଅନେକ ଉପଦେଶ ଦେଇ କହୁଛନ୍ତି । ବାଟରେ ଦେଖିଲେ ଗୋପୀ ଦାସେ । ପଚାରିଲେ–କିରେ ଦି’ଭାଇ କ’ଣ ସବୁ ଫୁସୁରୁଫାସର ହୋଇଆସୁଛ ମ ? ଜୟରାମ କହିଲେ, କିଏ ଗୋପୀବାପା–ହଁ, ମୁଁ ଯାଇଥିଲି ବିଲକୁ–ଲୋକଗୁଡ଼ାକ ଲାଗିଥିଲେ–ପାଖରେ ତ ନ ରହିଲେ କାମ ଫାଙ୍କି ଦେବାକୁ ସମସ୍ତେ–ନୋହିଲେ ଆମ ହଳ ନେଇ ନିଜ ଜମିରେ ଦି ଅଚା ବି ବୁଲାଇ ଦେବେ । ସବୁ ତ ତୁମେ ଜାଣ–ଆଉ କ’ଣ ସେ ଯୁଗ ଅଛି । ଇଏ ହରି ଯାଇ ସେଠେଇ ଦାଖଲ–କିରେ ତୁ କାହିଁକି ସେଠାରେ ? ତୋର ତ ପଢ଼ିବା କଥା । ଆଉ ଟିକିଏ ରହିଥାଆନ୍ତି–ଇଏ ଯାଇଥିଲା, ବେଳାବେଳି ଚାଲିଆସିଲି ।

 

ଦାସେ ଗୋଟିଏ ପକ୍କା ଟାଉଟର । ସମସ୍ତେ ଏବେ ଜାଣିଗଲେଣି ତାଙ୍କ କଥା–ଦେଖେ ଶିଖେ ନୋହିଲେ ଠେକେ ଶିଖେ । ଏଇ କେତେବର୍ଷ ତଳେ ନରି ମିଶ୍ରଙ୍କ ଘରେ, ଭାଇ ଭାଇ କଳି ଲଗେଇ ଦେଇ–ଦେଖେଇ ଦେଲେ ଦିହିଁକି ପୁରୀ ବାଲି । ଦିହେଁ ଉଚ୍ଛନ୍ନ–ଆଜି ଦାଣ୍ଡର ଭିକାରୀ । ଜୟରାମ ସବୁ ଜାଣନ୍ତି–ଗୋଟିଏ ବିଷକୁମ୍ଭ ପୟୋମୁଖ ଦାସେ ।

 

ଦାସେ, କହିଲେ, ଆରେ ଦି’ଭାଇ ତ । ପାଠ ପଢ଼ିଲେ ଚାକିରୀ–ତାଳଗଛ ଛାଇ । ଫେରେ ଘରକୁ ଆସିଲେ ତ ଏଠି ମୂଳପିଣ୍ଡ ଥିବା ଚାହି–‘ବୋଇଲା ଆରେ ରଣା, ବୁଲି ବୁଲି ଆସି ସେଇ ଅଗଣା ।’ ସେ ପାଠ ପଢ଼ିଛି ନା, ଏସବୁ ବିଷୟବାଡ଼ି ସେ କ’ଣ ବୁଝୁଛି । ତାକୁ ଟିକେ ମଣେଇ ଦବୁନା–

 

ହଉ ବାପା ଆସୁଛି, କହି ଜୟରାମ ଚାଲିଲେ । ଇଶ୍ୱର ବଢ଼ତି କରନ୍ତୁ–କହି ଦାସେ ଆଗକୁ ଚାଲିଲେ । ଜୟରାମ ଭାବିଲେ, କେତେ ଢଙ୍ଗରେ କଥା କରୁଛି ଯେ, ସତେ ଯେମିତି ଭାଇକି ମୁଁ କିଛି ଦେଖାଉନି ଜାଣିଶୁଣି । ତାକୁ ଧଣ୍ଡ କରି ଦେଇ ସବୁ ସମ୍ପତ୍ତି ପିଣ୍ଡିକାରେ ପକାଇବି ଯେପରି । ଏଡ଼ିକି ଜାଲିଆ କଥା–ୟାଙ୍କୁ ଦେଖିଲେ ଏଣିକି ବାଟ ଭାଙ୍ଗି ଆସିବା କଥା । ଜୟରାମ ଭାରାକ୍ରାନ୍ତ ମନରେ ଫେରିଲେ–ହରିର ମନରେ ଏସବୁ କଥା ଜଟିଳଭାବେ ପ୍ରବେଶ କରୁ ନ ଥିଲା-

•••

 

(ଛଅ)

 

ସେଦିନ ସାବିତ୍ରୀ ଅମାବାସ୍ୟା । ରବି ମା’ କୋଡ଼ ଛାଡ଼ି ନ ଥାନ୍ତି । ସୁଷମା ସହଳ ସହଳ ନଈକୁ ଗଲା ଗାଧୋଇ । କାତେ ପାଣି–ଦେଖିବାକୁ କାଚକେନ୍ଦୁପରି–ସକାଳୁଆ ଦକ୍ଷିଣା ହାଉଆରେ ଲହଡ଼ି ଉଠୁଛି–ଦିପାଖେ ବେଣାମୂଳ–ଛବିଟିଏ–ଯେ ଦେଖିବ ମନେକରିବ ଯେ ଏ ନଈରେ ଅକାତକାତ ପାଣି, ଭୟ ପାଇବ । ନିତିଦିନିଆ ଜଣାଶୁଣା ଲୋକ ବି ନିଛାଟିଆରେ ଚାହିଁଦେଲେ ଚମକି ପଡ଼ିବ । କିମ୍ଭୀର ଭୟ ନ ଥାଏ । ଦିନ ଥିଲା, ଯେତେବେଳେ କିମ୍ଭୀର ଉତ୍ପାତ, ଆତଙ୍କ ସୃଷ୍ଟି କରୁଥିଲା । କାହୁଁ ଦଳେ ଶିକାରୀ ପୁରସ୍କାର ଲୋଭରେ ଆସି ସମସ୍ତଙ୍କୁ ଗୁଳିକରି ମାରିଦେଲେ । ସେହିଦିନୁ କିମ୍ଭୀର କଥା କାହାରି ମନରେ ନ ଥାଏ । ଦି’ପାଖେ, ପୁଲାଙ୍ଗ, ପଣସ ତୋଟା । ସ୍ଥାନେ ସ୍ଥାନେ ନଈ କଣ୍ଡିଆ କରି ଲୋକେ ରାତିଯାକ ପାଣି ମଡ଼ାଇ ବାଇଗଣ ଇତ୍ୟାଦି ଫସଲ କରିଥାଆନ୍ତି । ବଢ଼ି ଆସିବା ପର୍ଯ୍ୟନ୍ତ ବେଶ୍‌ ଦି ପଇସା ରୋଜଗାର ହୁଏ । ଯେଉଁ ସାଲ ବଢ଼ି ଟିକିଏ ଡେରିରେ ଆସେ, ସେ ସାଲ କଣ୍ଡିଆବାଲାଙ୍କର ‘ପୁଅବାର ତେର’ ଆନନ୍ଦର ସୀମା ନ ଥାଏ ।

 

ସ୍ୱଚ୍ଛସଲୀଳା ସ୍ରୋତସ୍ୱତୀ ନେଇ କେତେ କବି କେତେ ତରୁଣ ତରୁଣୀମାନଙ୍କର ପ୍ରେମ ବର୍ଣ୍ଣନା କରିଯାଇଛନ୍ତି–ସତେ ଯେପରି ତଟିନୀ ପ୍ରେମ ପରିସ୍ଫୁରଣର ଆଲମ୍ୱନ । ଆମ ଏ ଗାଁଟି ତ ମଫସଲ । ଲୋକ ଚୁଗୁଲିକି ସଭିଙ୍କ ଭୟ । ତେଣୁ ଏ ପ୍ରକାର ପ୍ରେମ ସେଠାରେ ଆରୋପ କରିବା ଏକ ପ୍ରକାର ‘କଳ୍ପନା–ସୌଧ’ ତିଆରି କରିବା ପରି ହେବ । ତେବେ ଝିଅ ବୋହୂମାନେ ଗାଧୋଇବା ସମୟରେ କେହି କେହି ତରୁଣ କରୁଣୀ ବଙ୍କେଇ ଚାହିଁ ମନେ ମନେ କିଛିଟା ଆରାମ ଲଭନ୍ତି–ନ ଦେଖିଲା ପରି ଚାଲିଯାଆନ୍ତି–ବାସ୍‌ ସେତିକି ।

 

ଖରୋଟିଆ ପୁଲାଙ୍ଗ ପାଚିଛି–ବାଜୁରା ରାତିଯାକ ଖାଇ ପକାଇଥାନ୍ତି । ସାଧାରଣତଃ ଯାହାର ଯେପରି ପୁଲାଙ୍ଗ ତୋଟା ନଈ ପାଖରେ ଥାଏ, ସମସ୍ତେ ବି ଯାଆନ୍ତି–କାରଣ ବଡ଼ିସକାଳୁ ନ ଗଲେ ବାରବୁଲା ଗୋଟିଆଲି ସବୁ ଖୁଣ୍ଟିଖାଣ୍ଟି ଅଣ୍ଟିରେ ପୂରାଇ ଛୁ କରନ୍ତି । ଜୟରାମଙ୍କର ଖଣ୍ଡିଏ ଛୋଟ ପୁଲାଙ୍ଗ ତୋଟା ନଈ ପାଖରେ ଥାଏ–ପୁଲାଙ୍ଗଗଛ ବୋଲି ସେପରି ବେଶି ନୁହେଁ–ଗଛ ଦି ଚାରୋଟି । ସେଦିନ ହରି ପୁଲାଙ୍ଗ ଗୋଟାଉଥିବାବେଳେ ଦେଖିଲା–ନଈ ଗାଧୁଆ ତୋଠରେ କେହି ନାହାନ୍ତି–ସୁଷମା ଏକା ଏକା ଗାଧୋଉଛି–ଅତି ସକାଳୁଟା–ବୋଧେ ବ୍ରତ କରିଛି ସୁଷମା । ନିଜର ଅସ୍ତିତ୍ୱ ଜଣାଇ ଦେବାକୁ ଖଣ୍ଡିକାଶ ମାଇଲା । ସୁଷମା ସେତେବେଳେ ଉତ୍ତଳା ହୋଇ ମନଫୁର୍ତ୍ତିରେ ଗାଧୋଉଛି–କଡ଼େଇ କଡ଼େଇ ଦେଖିନେଲା ଯେ, ହରିଭାଇ ଛଡ଼ା ଆଉ କେହି ନୁହନ୍ତି । ଜାଣିଶୁଣି ପାଣି କାବୁର କାବୁର ଶବ୍ଦରେ ଯେପରି ଖଣ୍ଡିକାଶର ଉତ୍ତର ଦେଲା । ମନ ହେଉଥାଏ ଡାକି ଦିଅନ୍ତା । ହରି ଲୁଚି ଲୁଚି ଖଣ୍ଡେ ଦୂରକୁ ଚାଲିଗଲା–ସୁଷମାର ତ ନଜର ପୁଲାଙ୍ଗ ତୋଟା ଆଡ଼େ । ଖଣ୍ଡେ ଦୂରରେ ହରି ଗଡ଼ିଲା ନଈ ତଳକୁ–ବେଣାଗଛ ମୂଳେ ଛପି ଛପି, ତୋଠ ୧୫/୨୦ ହାତ ଅଛି–ପାଣିରେ ଥିର କରି ବୁଡ଼ିଲା । ସୁଷମା ଏଣେ ତେଣେ ଚାହୁଁଛି କ’ଣ ଚାଲିଗଲା କି ହରିଭାଇ । ‘ଆଲୋ ମା’’ ଚିତ୍‌କାର କଲା–କିଏ ଯେପରି ତା ଗୋଡ଼ ଭିଡ଼ି ନେଉଛି–କିମ୍ଭୀର ଆଶଙ୍କାରେ ଚମକି ପଡ଼ିଲାବେଳକୁ ଆଖି ଦୁଇଟି ଚାପା । ମନେ ମନେ ଖୁବ୍‍ ଧୈର୍ଯ୍ୟ ରଖି–ସତେ ଯେପରି ବିଚଳିତ ନୁହେଁ–କହିଲା, ହଁ ମୁଁ ଜାଣିଛି–ହରି ଭାଇ ।

 

ହରି ହାତ ଛାଡ଼ି ଦେଇ କହିଲା–ଏଇନେ ପାଟି କରୁଥିଲୁ, କ’ଣ ଭାରି ଧୀରରେ କହୁଛୁ ।

 

ସୁଷମା କହିଲା–ତୁମର ସବୁବେଳେ ଏ ଦୁଷ୍ଟାମି–ଭାଇନାଙ୍କୁ କହିଦେବି ଯେ, ତେଲ ନ ଲଗେଇ କିମିତି ପାଣିରେ ବୁଡ଼ୁଛ ।

 

ସତ କହୁଛି ସୁଷମା, ମନ ଲାଗିଲାନି ପୁଲାଙ୍ଗ ଗୋଟାଇବାରେ, ପାଣି ଲାଗି ତୋ ମୁହଁଟି–ମତେ ଆଜି ଭାରି ଦିଶିଲା–ହଉ ତୁ ରାଗିଲୁ ତ, ମୁଁ ଯାଉଛି, କହିଲା ହରି–ଆବେଗଭରା ସ୍ୱର ।

 

ସୁଷମା ଏଣେ ତେଣେ ଚାହିଁ କହିଲା–ମନେ ମନେ ତୁମର ପ୍ରଶ୍ନର ଉତ୍ତର କିଏ ଦେଖିବ ମ–ମାଈପେ ଆସିବାବେଳ ହୋଇଗଲାଣି ।

 

ହରି କହିଲା–ମତେ ଗୋଟେ ଛୋଟ କଥାର ଜବାବ ଦେ, ମୁଁ ଚାଲିଯିବି–ତୁ ଯେ ଏ ବ୍ରତ କରିଛୁ, ତୋ ସତ୍ୟବାନ କିଏ କହି ଗାଲରେ ଟିପ ମାରିଦେଲା–ସୁଷମା ଯେପରି ତଡ଼ିତ କମ୍ପନ ଅନୁଭବ କଲା–ଲାଜରେ ସୁଡ଼ୁବୁଡ଼ୁ ହୋଇଗଲା । କହିଲା, ତୁମର ସବୁ ବେଆଡ଼ା କଥା । ସୁଷମାକୁ କୋଳକୁ ଟାଣିଆଣି, ଟିକିଏ ଏଣେତେଣେ ଚାହିଁ, ଆଙ୍କିଦେଲା ଗୋଟିଏ ଉଚ୍ଚ ଚୁମ୍ୱନ ତା’ର ପାଣି ଭିଜା ଚିବୁକରେ । ସୁଷମା ଚମକି ଗଲା । ଭାବୁଥିଲା ସିନା, ହରିଭାଇ ଆସିଲେ ମଜା ହୁଅନ୍ତା–ଅନୁଭବଟା ଯେ ଏକବାର ନୂଆ । ‘ତୋ ନିଷ୍ଠାରେ ମୁଁ କୋଳକୁ ଆସିଛି ଯେ କହି ଦୌଡ଼ି ଚାଲିଗଲା-। ଅନୁକମ୍ପନ ଯାହାଲାଗି ରହିଥିଲା–ସୁଷମାର ଅଙ୍ଗରେ; ଯିବାଟା ଆଉ ଟିକକ ଆଗରୁ ହୋଇଯାଇଥିଲେ, ଏତେ କଥା ନ ଥାନ୍ତା । ଠିକ୍‌ ଯିବା ସମୟରେ, ସୁଷିଅପା, ନିଲୁଅପା, ଦାସଙ୍କ ସ୍ତ୍ରୀ ନିତେଇବୋଉ ପ୍ରଭୃତି ପାଞ୍ଚ ଛଅଜଣ ମାଇପେ ଗାଧୋଇ ଆସୁଥାଆନ୍ତି । ତୋଟା ଉପରୁ ଚାହିଁଦେଇ, ମୁହଁ ମୋଡ଼ିଦେଲେ । ମାଈପଙ୍କର ତ ତିଳରେ ତାଳହୁଏ–କିନ୍ତୁ ପଛରେ ସବୁ । ସୁଷମା ପାଣି ଗରାଟି ଧରି ଉଠୁଛି–ଦାସଙ୍କ ସ୍ତ୍ରୀ ପଚାରିଲେ ସୁଷମା ! ଆଜି କ’ଣ ସହଳ ସହଳ ବ୍ରତ କରିଛୁ କି ? ମାଉସୀ ଆସି ନାହାନ୍ତି ।

 

ନା, ସେ ଘରେ ଗାଧୋଇ ପଡ଼ିବ । ବୟସ ହୋଇଗଲାଣି–ନଈ–ଗଡ଼ାଣି ଉଠାଣିକି ସେ ଡରୁଛି–କହି ସୁଷମା ଚାଲିଲା । ମନ ତାର ବିମର୍ଷ । ଏଇଲେ ଯେ ତା ଯିବା ପଛେ ପଛେ, କେତେ ଚୁଗୁଲି ପଡ଼ିବ–ଏବଂ ଏ କଥା ଯେ ମିଣିପଙ୍କ କାନକୁ ଯିବ–ଏହା ଭାବି ତାର ହୃଦୟ ଦୁଃଖରେ ଚହଲି ଉଠିଲା । ବ୍ରତ କରିବାର ସରାଗ ଆଉ ଯେପରି ମନେପଡ଼ିଲାନି ତାର । କେଡ଼େ ଉଲ୍ଲାସ କ୍ଷଣକ ପୂର୍ବରୁ–ଏବେ କ’ଣ ହେଲା । ମନେ ମନେ ହରି ଭାଇ ଉପରେ ତାର ରାଗହେଲା–କାହିଁକି ସେ ଆସି,....ଭାବି ପାରେନି । ଯନ୍ତ୍ରଚାଳିତ ପରି ଘରକୁ ଫେରୁଥାଏ–ମୁଣ୍ଡରେ ତାର ଶତ ବୃଶ୍ଚିକର ଦଂଶନ ।

 

ସତକୁ ସତ ଗାଧୁଆ ତୋଠରେ କ୍ଷୁଦ୍ରସଭାର ସମାବେଶ ହୋଇଗଲା । ନୂଆ ଓ ଭଲ ବିଷୟବସ୍ତୁଟିଏ ମିଳିଯାଇଛି । ମାମଲତକାର ଦାସଙ୍କ ସ୍ତ୍ରୀ ଆଗ କହିପକାଇଲେ, ଓଃ ସାବିତ୍ରୀ ସତ୍ୟବାନ ଦର୍ଶନ ଏଇ ତ ମିଳିଗଲା–ଆଉ କୁଆଡ଼େ କାହିଁକି ଯିବା ?

 

ସୁଷିଅପା ମନକୁ କଥାଟା ଯେମିତି ପାଇଗଲା–ତାର ପାନଖିଆ ବାହାଡ଼ା ଦାନ୍ତକୁ ଦେଖାଇ, ପାଟିଟାକୁ ଆକର୍ଣ୍ଣ ବିସ୍ତାର କରି ଗୋଟେ ହସ ହସିଲା ।

 

ନିଲୁଅପା କହିଲା–କିଲୋ ସୁଷିଅପା, କ’ଣ ଭାରି ପ୍ରେମ । ଆଲୋ କାହାକୁ କହିବା–ଆମ ଏ ଛୋଟ ଗାଁଖଣ୍ଡ କମ୍‌ ନୁହେଁଲୋ, ହଇଲୋ କିଏ କ’ଣ ନାହିଁ କଲା, ହରି ସୁଷମାକୁ ବାହା ହବାକୁ ! ହେଇନି ତ–ଆଜହୁଁ ଏ ଟୋକାଟୋକି ଉଦଣ୍ଡୀଭଳି ହେଉଛନ୍ତି–ପୁଣି ସକାଳୁଟାରେ ।

 

ଶଶୀବୋଉ କହିଲା–ଆଲୋ ଏଗୁଡ଼ାକ ମୂରବୀଙ୍କ ବଢ଼ାଣିଆ ସବୁ । ମୋ ଝିଅଟି–ନନା ପଦେ କହିଦେଲେ, କୁଆଡ଼େ ପଶିଯିବ ଭୂଇଁରେ, ମୋ ପିଲାଦିନେ–ଥରେ ହସି ଦେଇଥିଲି ଦୋଳବେଦୀ ପାଖରେ–ସେତେବେଳେ ଏଇ ସୁଷମା ସାଙ୍ଗର କି ତାଠାରୁ ବର୍ଷେଖଣ୍ଡେ ସାନ ହେବି–ଯାହା ସୋଧା ଖାଇଛି ଘରେ, ଛ୍ୟା, ଛ୍ୟା, ଏବୁକୁ ଏସବୁ କ’ଣ ହଉଛନ୍ତି ?

 

ସୁଷିଅପା ସେ’ଣୁ ଆଁ କରିଅଛି, କିମିତି ଶଶୀବୋଉର ସରିଗଲେ, ସେ ଗୁଡ଼େ ଗାଳିଦେବ, କହିଲା, ମୁଁ ପରା ସେଦିନ ଠାକୁରାଣୀଙ୍କ ପାଖେ ଦୀପ ଦବାକୁ ଯାଇଥିଲି ଯେ–ମା’ଲୋ କ’ଣ କହିବି–ଅନ୍ଧାର କିଟିକିଟି–ଏ ଦୁହେଁ ଖିଲିଖିଲି ହୋଇ ହସିହସି ବାହାରି ଆସୁଛନ୍ତି ଗମ୍ଭୀରା ଭିତରୁ, ମୋତେ ଦେଖି ଆଗ କାବା ହୋଇଗଲେ । ମୁଁ ଜାଣି ଜାଣି ନ ଦେଖିଲା ପରି ହେଲି, ଆଉ କ’ଣ କରନ୍ତି । ଯାହା ଜଣାଗଲାଣି, ଏ ଗାଁ ଖଣ୍ଡିକରେ ଗୋପଲୀଳା ଦେଖିବା ଆମେ ।

 

ଦାସଙ୍କ ସ୍ତ୍ରୀ, ତାଙ୍କ ପୁଅ ନିତେଇର ପ୍ରଶଂସା କରି ବସିଲେ । ନିତେଇ ଶାନ୍ତ–ଆଡ଼ଆଖିରେ କାହାକୁ ଚାହିଁଦିଏନି–ପିଲାଟା ହାତେ ସିନା ପାଠ ହେଲାନି ନୋହିଲେ ଏ ଛୋପରା କଥାଗୁଡ଼ା ସେ ସହିପାରେନି ।

 

ବିନୁଅପା, ଲୁଗା ଚିପୁଡ଼ୁ ଚିପୁଡ଼ୁ କହିଲା, ମୁଁ ବାପଘରେ ଥିଲାବେଳେ ଥରେ ପଡ଼ିଶାଘରକୁ ଯାଇଥିଲି–ବାହାହେଲା ଝିଅ, ବାପଘରେ ତ ମାଇନ ନ ଥାଏ । ଗୋଟେ ଟୋକା ଆରମ୍ଭ କଲା ଥଟା, ତା ବିଧବା ଭାଉଜ ସାଥିରେ–ଆଲୋ କ’ଣ ହେଲା–ଭାଉଜ ଟିକିଏ ଉଠିଗଲା-। ଏ ଛତରା ଟୋକା–ଆଉ କ’ଣ କହିବି । ଜାଣି ଆମେ ବାହାହୋଇ ଯାଇଥିଲୁ, ଆଉ ଏ ବାହା ନ ହୋଇ ଏମିତି ଅଭିଲା କଥା ।

 

ଦାସଙ୍କ ସ୍ତ୍ରୀ, ବହୁ ଭାବିଚିନ୍ତି ପଚାରିଲେ କ’ଣ ହେଲା ସେଠୁ–ଅଧା ଅଧା ରଖିଦେଲୁ ଯେ ।

ଛ୍ୟା, ଛ୍ୟା, ତୋର ବଅସ ଅଛିନା, ସେଇଥିକି ଏତେ ଉଙ୍କାର ହଉଛୁ–କହିଲା ବିନୁ ଅପା-

ଦାସଙ୍କ ସ୍ତ୍ରୀ ବି ଛାଡ଼ିଲାବାଲା ନୁହନ୍ତି–କହିଲେ, ତୋର ତ ନଇଲେ ଜମା ଇଚ୍ଛା ନ ଥିବ-

 

ସୁଷିଅପା ମୁରବୀଗଳାରେ କହିଲା–ଆଲୋ ସମସ୍ତେ ସେମିତି ବଅସବେଳେ ହୁଅନ୍ତି–ହେଲେ ଆକଟ ରହିବା ଦରକାର ।

 

ନିତେଇ ବୋଉ ତରତର ହେଲେ–ନିତେଇ ସକାଳୁ କିଛି ଖାଇନି–ଭୋକ ଲାଗିଲେ ବିରୁଡ଼ି ପରି ହୁଏ ସେ । ସୁଷି ଓ ବିଲୁ ଆଖି ଠରାଠରି ହେଲେ ।

•••

 

(ସାତ)

 

ସପନି ମିଶ୍ରେ ବିରଞ୍ଚିପୁର ଗାଁରେ ଜଣେ ନାଉଁଆ ଲୋକ । ଟିକିଏ ବଦ୍‌ରାଗୀ ଯାହା । ଜୟରାମଙ୍କ ସହ ତାଙ୍କର ଭଲ ଭାବଥାଏ । ମାମଲତିକାର ଦାସଙ୍କୁ ସେ ଭାରି ଘୃଣାକରନ୍ତି–ଦାସେ ବି ଆଉ ଯୁଆଡ଼େ ଯାଆନ୍ତି ପଛକେ ମିଶ୍ରଙ୍କ ପାଖୁ ବେଶୀ ଆସନ୍ତିନି । କିନ୍ତୁ ବେଳେବେଳେ ଦୁଇଟି ପରସ୍ପର ବିରୋଧୀ ପକ୍ଷ, ସ୍ୱାର୍ଥଦୃଷ୍ଟିରୁ ତୃତୀୟ ବିପକ୍ଷରେ ଏକାଠି ହୁଅନ୍ତି । ଏଇ ଦେଶରେ ପୁଣି, ବିଦେଶୀ କବଳରୁ ମୁକ୍ତି ଲଭିବାପାଇଁ ବିଭିନ୍ନ ଭାଷାଭାଷୀ ଲୋକେ ଏବଂ ବିଭିନ୍ନପ୍ରାନ୍ତର ଲୋକେ ଯଥା :–ହିନ୍ଦୁ, ମୁସଲମାନ, ଓଡ଼ିଆ, ବଙ୍ଗାଳୀ, ବିହାରୀ ସମସ୍ତେ ଏକତାନରେ ଉଠିଥିଲେ । ସେ ତୃତୀୟ ପକ୍ଷ ଯେପରି ଅପସରି ଯାଇଛି, ଏଇ ଚାଲିଛି ବିଭିନ୍ନ ପ୍ରାନ୍ତମଧ୍ୟରେ ବାଦାନୁବାଦ । ସୀମା ଆନ୍ଦୋଳନବେଳେ ଯେସବୁ ବାତାବରଣ ସୃଷ୍ଟିହେଲା, ସେଇଥିରୁ କିଏ ଅନୁମାନ କରିବ ଯେ ଦିନେ ଏମାନେ ସମସ୍ତେ ହାତକୁହାତ ମିଳାଇ, ବିଦେଶୀ ବିରୁଦ୍ଧରେ ଉଠିଥିଲେ । ଏବେ ବି ପାକିସ୍ଥାନରେ, ଗୃହବିବାଦ ଏପରି ଉତ୍କଟ ହେଲାଣି ଯେ, କୌଣସିମତେ ଭାରତ ବିରୁଦ୍ଧରେ ତେଜାଇ ଦେଇ ପାରିଲେ ଆପାତତଃ ନିଜ ଦେଶଟା ବର୍ତ୍ତମାନପାଇଁ ଗୃହବିବାଦରେ ଖଣ୍ଡଖଣ୍ଡ ହେବା ସମ୍ଭାବନାରୁ ରକ୍ଷା ପାଇଯାଆନ୍ତା । ଠିକ୍‌ ଏହିପରି ଛୋଟ ଧରଣର ଗୋଟିଏ ଘଟଣା ନେଇ, ଜୟରାମ ଓ ସପନି ମିଶ୍ରଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେଲା । କଥାଟା ହେଲା, ସେଦିନ ଧାନବୁଣାବେଳେ, ଜୟରାମଙ୍କ ହଳିଆ, ଭୁଲକ୍ରମେ ମିଶ୍ରଙ୍କ ହିଡ଼ଆଡ଼କୁ ଟିକିଏ ମଡ଼ାଇ ହଳକରି ଦେଇଛି । ମୋଟେ ଇଞ୍ଚେ ଖଣ୍ଡେ ମାଡ଼ିଯାଇଛି କି ନାହିଁ, ମିଶ୍ରେ ଯାଇ ଦୈବାତ୍‌ ପହଞ୍ଚିଗଲେ । କମ୍‌ କଥା ନୁହେଁ–ନିଜର ବିଲ ଦଖଲ କରିଯିବା କଥା ଏ । ଇଞ୍ଚେକି କେତେ ସେକଥା କ’ଣ ଖିଆଲ ଅଛି । ଭାବିଲେ ଯେପରି ତାକୁ ବେଖାତିର କରାଯାଇଛି । ଏକବାର କ୍ରୋଧରେ ଅନ୍ଧ–କିଛି ନ କହି ରାଗରେ ତମତମ ହୋଇ ଚମକି ଗଲେ–ସେ ହଳିଆକୁ ପକାଇଲେ ଏକ ନିର୍ଘାତ ବ୍ରହ୍ମଚାପୁଡ଼ା–‘ବଦ୍‌ମାସ, ଲାଭରେ ଅଛୁ, ମୂଲିଆ ବାପୁଡ଼ା–ମାଣେ ଗୁଣ୍ଠେ ପଦିକେ ତ ନାହିଁ–ମୂଲ ଲାଗି ଆଠେଣା, ବାରେଣା ନେଲେ ଚଳିବେ, ଜମିର ମୂଲ୍ୟ କାହୁଁ ବୁଝିବେ । ବଳଦ ଭଳିଆ ମାଡ଼ିଯାଉଛି ଯୁଆଡ଼େ ସିଆଡ଼େ ।’’ ହଳିଆର ପ୍ରାଣକୁ ବାଧିଲା–କାନ ତାର ଭାଁ ଭାଁ ହୋଇଗଲା । ଏକେ ଖଟିଖଟି ଝାଳ ବୋହିଗଲାଣି–ବାଧା ହେଉଛି–ସେଥିରେ ମାଡ଼–ପୁଣି ବକା ଚାଲିଛି । ସହି ପାରିଲାନି ସେ–ହଳୁଆ ପାଞ୍ଚଣଟା ଧରି ମାଡ଼ି ଆସିଲା ମିଶ୍ରଙ୍କ ଆଡ଼କୁ–ଦୈବାତକୁ ମିଶ୍ରେ ଅପସରିଗଲେ । କହିଲା–ଆଉ ସେ କାଳ ନାହିଁ ବ୍ରାହ୍ମଣ–ଯେ ୟାକୁ ଧର ତାକୁ ମାର କରୁଥିବ । ମୁଁ କିଛି କହୁନି ବୋଲି–ମାଇଲ ଗୋଟେ ସହିଲି, ପୁଣି ବେଜିତ କରୁଛ । ଭୁଲ୍‌ରେ କ’ଣ ଅବା ହୋଇଯାଇଥିବ–ସାଆନ୍ତ ତ ଅଛନ୍ତି ତାକୁ ନ କହି ସେଣୁ ଲଙ୍ଗଳା ହେଉଛ । ମୁଁ ଟିକିଏ ପୁରୁଣା ଲୋକ–ପୁରୁଣା କଥା କିଛି ଦେଖିଛି ‘ବା’ ସାଙ୍ଗରେ, ଟୋକା ଟାକେରିଆ କିଏ ହୋଇଥାନ୍ତେ ତ ଆଜି ବ୍ରାହ୍ମଣ ମଜା ବାହାରି ଯାଇ ଥାଆନ୍ତା।

 

ମିଶ୍ରେ ଦେଖିଲେ, ସମ୍ମାନ ଗଲା । ଯାହା ଦିଟା ପକାଇନାହିଁ–ପାଖରେ ବି ଆଉ କେହି ଶୁଣିନି–ମାନ ଜଗି ପଳାଇ ଆସିଲେ । ଜୟରାମଙ୍କ ଉପରେ ଖଡ୍‍ଗ ହସ୍ତ । ବ୍ରାହ୍ମଣେ ତ ଦେଖିଲେଣି ଯେ, ଏମିତି ଚଷା, ପଧାନ, ବାଉରି, ଭୋଇ କେହି ଆଉ ହାକିମ ସମ୍ଭାଳିବାକୁ ପ୍ରସ୍ତୁତ ନୁହଁନ୍ତି । ଏଣେ ଏମାନେ ତ ହାକିମିକରି, ପିଣ୍ଡାରେ ସୁଆରସକରି, ବଡ଼ବଡ଼ କଥା ଲମ୍ୱେଇ କରି କହି, ଗଞ୍ଜପା ପଶା ଖେଳି, କାମ କରାଇ ଆସିଛନ୍ତି । ଏଡ଼େ ସହଜରେ ପ୍ରକୃତି ଛାଡ଼ୁଛନ୍ତି କିପରି ? ଅପମାନ ପାଆନ୍ତି, ଗାଳି ଶୁଣନ୍ତି । ପୁଣି ଚଷା, ବାଉରି ଶ୍ରେଣୀର ଲୋକେ ଚାପିଚୁପି ହୋଇଥିଲେ, ଏବେ ସବୁ ଜାଣିଲେଣି–ସ୍ଥାନେ ସ୍ଥାନେ ବି ସ୍ୱେଚ୍ଛାଚାରୀ ହେଲେଣି ଯେ ସାଧାରଣ ୪ଜଣ ଦୁଆରକୁ ଗଲେ ବି ଉଠୁନାହାନ୍ତି । ବ୍ରାହ୍ମଣଙ୍କ ଭିତରେ ଈର୍ଷା, ଅହଙ୍କାର, ଗାଁରେ ଦଳାଦଳି–ଅତି ଚାଲାକ କିନା-। ଜଣଙ୍କର ଉଠିତିରେ ଅନ୍ୟର ଈର୍ଷା । ଗୋଟିଏ Conflict ବା ଦ୍ୱନ୍ଦ ଉପସ୍ଥିତ–ନୂଆ ପରିବେଶଟିଏ, ଦେହସୁହା ହେବା ପର୍ଯ୍ୟନ୍ତ, ଏ ଦ୍ୱନ୍ଦ ତ ରହିବ । ସେଣୁ ମିଶ୍ରେ ଜୟରାମଙ୍କ ଘରକୁ ପଶିଯାଇ, ଡାକ ଉପରେ ଡାକ ପକାଇଲେ।

 

ଜୟରାମ ପହଞ୍ଚିଲେ–ନମ୍ର ସହକାରେ ମିଶ୍ରଙ୍କୁ ବସିବାକୁ କହିଲେ । ମିଶ୍ରେ କୁଠେଇ ବସୁଛନ୍ତି–୧୦୫ ଉତ୍ତାପ ମୁଣ୍ଡରେ–ଆଗ୍ନେୟଗିରି ଗହ୍ୱର ତାଙ୍କ ମୁଖରୁ ବାହାରିଲା–କ’ଣ ଛେନାଗୁଡ଼, ତୁ ଏକୁଟିଆ ଲୋକ ଲଗାଇଛୁ ନା ଏ ବ୍ରହ୍ମାଣ୍ଡରେ ଆଉ ସବୁ ଲଗାଉଛନ୍ତି । ମନେ ମନେ ବଡ଼ ହୋଇ ଯାଉଛୁ ଯେ, କୁଆଡ଼ିକି ପାଉନି । ଭଲଭଲ ବୋଲି କହିଲାରୁ, ତୁ ବେଶ୍‍ କିଳା ସଜାଡ଼ୁଛୁ–ମାହାଳିଆ ଗୋପୀଦାସେ ତୋ ନା’କୁ ଚିଡ଼ିଚିଡ଼ି ହୁଅନ୍ତି ।

 

ଜୟରାମ ହଠାତ୍‌ ବୁଝି ପାରିଲେନି–କାହିଁକି ମିଶ୍ରଙ୍କର ଏ କ୍ରୋଧ । ବଡ଼ ଧୈର୍ଯ୍ୟରଖି, କାରଣଟି ଜାଣିବାକୁ ଉତ୍କଣ୍ଠିତ ହେଲେ । ଭିତରୁ ମିଶ୍ରଙ୍କର ଏ ଗୁଣ ଶୁଣି, ହରି ସମ୍ଭାଳି ପାରିଲାନି–ଝଡ଼ପରି ଚାଲିଆସି କହିଲା–ମିଶ୍ରେ ମୁହଁ ସମ୍ଭାଳି କଥା କହନ୍ତୁ–କଥାତ କହିବେ, ଏଡ଼େ ଗରମ କ୍ୟାଁ-। ଜୟରାମ ବିରକ୍ତ ହେଲେ–ଯା, ଯା, ତୁ ପିଲାଲୋକ, ତୋର ଏ ସବୁରେ କ’ଣ ଅଛି । ହରି ଚାଲିଗଲା ।

 

ମିଶ୍ରେ କହି ଲାଗିଲେ–ଠିକ୍‌, ତୁମଲୋକ ତ ଯାହା କଲା କଲା–ଆଉ ତୁମେ ଦି ଭାଇ ମାର ଏ ବୁଢ଼ାକୁ ! ଗାଁରେ କୃଷ୍ଣ ସାଜୁଛି, ପଛେ, ଏଣେ କଳିକି ମୁହଁ ଦେଖ, ଭଲପାଠ ପଢ଼ିଛରେ ବାବୁ–ଏ ହାଇସ୍କୁଲ ସବୁ ସତ୍ୟାନାଶ କଲା । ଜୟରାମ ବାଧାଦେଇ ପଚାରିଲେ, କ’ଣ ମିଶ୍ରେ ! ମୋ ଲୋକ କଲା ?

 

କ’ଣ କଲା–ମିଶ୍ରେ ପାଚିଗଲେ । ମୁଁ ଗଲାବେଳକୁ ମୋ ହିଡ଼ମାଡ଼ି ହୋଇ ହଳ ହଉଛି । ଏତିକି କହିଲାବେଳକୁ, ତୋ ଲୋକ ପାଞ୍ଚଣ ଉଠାଇ ଅଗ୍ନି ଶର୍ମା । ମହତ୍‌ ରଖି ଚାଲି ଆସି ନ ଥିଲେ–କ’ଣ କହିବି । ମୋ ପିଲାଦିନୁ ଏପରି ଅପମାନ ପାଇ ନ ଥିଲି ।

 

ଜୟରାମ କହିଲେ–ଆଚ୍ଛା ମିଶ୍ରେ ମୁଁ ହିଡ଼ ଠିକ୍‌ କରିଦେବି । ସେତେବେଳେ ଜୟରାମ ଟିକିଏ ଉତ୍ତେଜିତ ହୋଇ ପଡ଼ିଥିଲେ । ଯଦି ସେ ଲୋକ ଆପଣ କହିବାରୁ, ବେଜିତ୍‌ କରିଥାଏ ତେବେ ଜୟରାମର ମୁଣ୍ଡ କଟିଯିବ ପଛକେ ତାକୁ ସର୍ବସ୍ୱାନ୍ତ କରି ଛାଡ଼ିବି, ଯେ ପର୍ଯ୍ୟନ୍ତ ସେ ଆପଣଙ୍କଠାରୁ କ୍ଷମାମାଗି ନ ନେଇଛି । କିନ୍ତୁ ଯଦି ଅନ୍ୟ କିଛି ବ୍ୟତିକ୍ରମ ହୋଇଥାଏ ତେବେ ବି ମୁଁ ଚୁପ୍‌ ରହିବିନି ।

 

ହଁ ହଁ ବୁଝ କହି ମୁହଁ ଫଣ ଫଣ କରି ମିଶ୍ରେ ଚାଲିଗଲେ ।

•••

 

(ଆଠ)

 

ଉଦୁଉଦିଆ ଖରାବେଳେ, ମାମଲତିକାର ଦାସେ କୁଆଡ଼େ ବୁଲିବୁଲି କିଛି ଶିକାର ନ ପାଇ, ବିଷର୍ଣ୍ଣ ମନରେ ଫେରୁଛନ୍ତି, ମନରେ ନାନା ରକମ ଦୁଶ୍ଚିନ୍ତା । ଆଚ୍ଛା ଯୁଗ ହେଲା ଆଚ୍ଛା ଏ କଂଗ୍ରେସ ହେଲା–ଲୋକଗୁଡ଼ାକ ମୁହଁ ପାଇଗଲେଣି । କାହାକୁ ମାନୁଛନ୍ତି ନା କଥାଟା ଘେନୁଛନ୍ତି । ଭଲ କଥାଟିଏ କହିଲେ କହୁଛନ୍ତି, ଗାଁ ପଞ୍ଚାୟତରେ କଥାପଡ଼ିବ । କେତେବେଳେ ସେ ଜଣକୁ କହିଲାବେଳକୁ, ବଳେବଳେ ପାଁଜଣ ବାହାରିପଡ଼ି କହୁଛନ୍ତି, ମୂଲିଆ ମୁଣ୍ଡ–କୋର୍ଟ କଚେରୀ କି ଗଲେ ସେ ଥୟ ପଡ଼ିବ–ଗାଁର, ପାଁଜଣ ବସି କ’ଣ ନ୍ୟାୟ କରିଦେବେନି । ସେ ଏଇ ଗାଁର ଲୋକ, କିଏ କ’ଣ କାହାକୁ କହିଲା–କାହାର ମତଲବ କ’ଣ –ଏକଥା ସେହି ଗାଁ ଲୋକେ ତ ଭଲ ବୁଝିବେ-। ବୃଥାରେ ଧଳାଘରକୁ ଦୌଡ଼ି ଲାଭ କ’ଣ ? ଦାସଙ୍କର ଚିନ୍ତା ଘନେଇ ଆସେ–ଏମିତି କରିତ ଦିହକ ଗଲାଣି–ଏଣିକି କ’ଣ ଆଉ ଗୋଟେ କିଛି ଧରିହେବ ? ୟାଙ୍କୁ ବିଧାତା ଛାଡ଼ିଲାଣି–ବ୍ରାହ୍ମଣ କଥା ବି ମାନୁ ନାହାନ୍ତି–ନର୍କରେ ପଡ଼ି ଘାଣ୍ଟି ହେବେ । ପୁଣି ଭାବନ୍ତି ନର୍କ କ’ଣ କିଏ ଦେଖିଛି । ଶାସ୍ତ୍ର ତ କହୁଛି, ଏହି ମର୍ତ୍ତ୍ୟରେ, ସ୍ୱର୍ଗ ଓ ନର୍କ କର୍ମ ଅନୁସାରେ ମିଳେ, ସେମାନେ ମୋ ମାମଲତିକାରିଆ ପଣିଆକୁ ଖୋରାକ ଯୋଗାଉ ନାହାନ୍ତି ବୋଲି ତ ନର୍କହେବା କଥା ନୁହେଁ । ପ୍ରକୃତରେ, କଚିରୀ ଦଉଡ଼ି ଦଉଡ଼ି, କେତେକଙ୍କ ଘରଦ୍ୱାର ଉଠିଯାଇଛି । ମନେପଡ଼ିଲା ଅନେକ ଦିନର କଥା–କିପରି ନିଜ ଗାଁର ଦି’ ଭାଇ ଏହି ମକଦ୍ଦମାରେ ହିଁ ଆଜି ଦାଣ୍ଡର ଭିକାରୀ । କାହିଁ, ତାଙ୍କୁ ଦେଖିଲେ ତ ନମସ୍କାର କରୁଛନ୍ତି, ହେଲେ କଚେରୀ ଯିବାକୁ କହିଲେ ସୁନ୍ତୁରୁପୁନ୍ତୁରୁ ହୁଅନ୍ତି । ଏହିସବୁ ଭାବନା–ଯାହାକୁ ବିବେକ ଓ ରାକ୍ଷସ ଭିତରେ ଦ୍ୱନ୍ଦ୍ୱ କୁହାଯାଏ–ଦାସଙ୍କର ଛୋଟ ମାମଲତିକାରିଆ ମୁଣ୍ଡଟିକୁ ଏପାଖ, ସେପାଖ କରୁଥିଲା । ଦେଖିଲେ, ବିଲଆଡ଼ୁ ଜୟରାମଙ୍କ ମୂଲିଆ ହଳ ନେଇ ଫେରୁଛି–ମୁହଁଟି ତାର ବିଷର୍ଣ୍ଣ–ଦାସେ ଠଉରାଇଲେ–କ’ଣ ଗୋଟେ ଘଟିଛି । ଯାହାକୁ ଦେଖନ୍ତି ଦାସେ, ତୁଚ୍ଛାକୁ ହେଲେ ଦାନ୍ତ ନିକୁଟ ଦିକଥା ପଚାରି ଦିଅନ୍ତି–କାଳେ କିଛି ଖୋରାକ ମିଳିଯିବ ପରା । ଲୋକେ କିନ୍ତୁ ଜାଣନ୍ତି କେତେଗୁଡ଼ିଏ କୁଟୀଳ ପ୍ରକୃତିର ଆଧାର ହିଁ ଗୋପୀଦାସେ–ସେଥିପାଇଁ ଏବେ ବି ଗାଁରେ କଥାପଡ଼ିଲେ କହନ୍ତି ‘ତୁଟା ଗୋପୀଦାସ କିରେ ?

 

ଦାସେ ପଚାରିଲେ, କିରେ ବାବା । କାମରୁ ତ ଫେରୁଛୁ–ସବୁଦିନ ତ ଚଉପଦୀ ପକାଇଥାଉ, ଆଜି ମନଟା ତୋର ଖଟା ଜଣାଯାଉଛି ଯେ–କ’ଣ ଗୋଟେ ଭାରି କାମ ପଡ଼ିଥିବ ବୋଧେ ।

 

ନାହିଁ ସାଆନ୍ତେ, ଭାରି କାମ କିଛିନାହିଁ–କି ସେମିତି କାମ ପଡ଼ିଲେ ମୁଁ ହଦେଇବା ଲୋକ ନୁହେଁ । ମୋ ଗାଲ ଦେଖନ୍ତୁ ଆଜ୍ଞା, ଏ ପର୍ଯ୍ୟନ୍ତ ଚିହ୍ନ ଯାଇ ନ ଥିବ ।

 

ଦାସେ ଦେଖିଲେ, ଗାଲଟି ତାର ପ୍ରକୃତରେ ରଙ୍ଗା ପଡ଼ିଯାଇଛି–ଆଙ୍ଗୁଠି ଦାଗ ଜଳଜଳ ଦିଶୁଛି–ବଡ଼ ଦୁଃଖିତ ହେଲେ, କହିଲେ ଆହା, ହା–କେଡ଼େ ହେଇ ଚିହ୍ନ ବସିଯାଇଛିରେ, ବାପା, ଟିକିଏ ତେଲ ମାଲିସ କରିଦେବୁ ଓଃ–କିଏ ବଦମାସଟା ଏମିତି କଲାରେ, ଦାସେ, ମୂଲିଆର ଗୋଟିପଣ ହୋଇଗଲେ–ମୂଲିଆ କହିଲା–ଆଜ୍ଞା–ସପନି ସାଆନ୍ତ, ସାଆନ୍ତ ବିଲ ହଳ କରୁଥିଲି–ହୋସ ନାହିଁ, ଟିକିଏ ସପନି ସାଆନ୍ତଙ୍କ ହିଡ଼କୁ ମାଡ଼ିଯାଇଛି । କିଛି ନ କହି ଯୁ ଚାପୁଡ଼ା ପକେଇଲେ ଆଜ୍ଞା, ମୋ ବାପ ଚଉଦ ପୁରୁଷରେ ଏମିତି ନିପ୍ରାମିମାଡ଼ କିଏ ଖାଇ ନ ଥିବ । ସାଆନ୍ତ, ମୂଲିଆ ଗଛକୁ ବକଳପରି–ଟିକିଏ ହୁଡ଼ିଗଲେ କ’ଣ ସମ୍ଭାଳନ୍ତିନି । କହି ଚାଲିଥାଏ, ମନର ଆବେଗରେ–ହାଲୁକା ହୋଇଆସୁଥାଏ ତାର ଭାରାକ୍ରାନ୍ତ ମନଟି । ବଳଦ ଦିଓଟି ସତେ ଯେପରି ତାର କଥାରେ ସମ୍ମତି ଜଣାଉଥାନ୍ତି ।

 

ଦାସେ ପିଇଯାଉଥାନ୍ତି–ଦଣ୍ଡକେ ବାଛି ଦେଉଥାନ୍ତି, କେଉଁ କଥାଗୁଡ଼ାକ ତାଙ୍କର ଦରକାରୀ । କେଉଁଗୁଡ଼ିକ ନୁହେଁ । ଦେଖିଲେ ଯେ, ସପନି ମିଶ୍ରେ ଅପମାନିତ ହେବା ପରି, କିଛି ମୂଲିଆ କଥାରୁ ଜଣାଗଲାନି ।

 

ଗେଲେଇ କରି ପଚାରିଲେ ଦାସେ–ଯେପରି ମୂଲିଆ ଦୁଃଖ, ତାଙ୍କର ଅଷ୍ଟାଙ୍ଗକୁ ବାଧୁଛି–‘‘ସେ ତ ଭାରି ରାଗିଲୋକ–ବେଜିତ କରୁଥିବେ ତ ଓଳିଏ ପାଇଯିବ! ତୁ କାମ କିମିତି କରୁଥିଲୁ । ମୂଲିଆ ସେତେବେଳକୁ ଭାବପ୍ରବଣ–କହିଲା ମୁଁ ଯେମିତି ଗରମ ହୋଇ, ଦି ଚାରି ପଦ ଶୁଣାଇଦେଲି ସେ ପଳାଇଗଲେ, ସୀମା ଟପିଗଲେ, ଏ ଦିହ କେତେ ସହିବ ଆଜ୍ଞା ? ଦାସେ ଜାଣିଗଲେ, ମିଶ୍ରେ ଅପମାନିତ ହୋଇଛନ୍ତି । କହିଲେ, ଆରେ ତୁ ସିନା ସହିଲୁ, ଆଉ କିଏ ହୋଇଥିଲେ ବଜେଇଥାନ୍ତା–ଗହୀରବିଲ କିଏ ସାକ୍ଷ ନା ଗୁହା । ମୂଲିଆଟି କହି ଉଠିଲା, ମୁଁ ଆଜ୍ଞା ସେଇକଥା ହେଜେଇ ଦେଇଛି ଯେ । ଦାସେ କହିଲେ, ବେଶ୍‌ କରିଛୁ ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ–କିଏ କ’ଣ କାହାର ଚାକର । ବାଉରୀ ଚାଷୀ ମୂଲିଆ ବୋଲି କ’ଣ ତାଙ୍କର ଜୀବନ ନୁହେଁ । ତୁ ଗୋଟେ ଭାକୁଡ଼ା, ଲଗେଇ ଦେଇଥାନ୍ତୁ ଦି ପାହାର, କିଏ ଦେଖନ୍ତା, ଆଉ ଦିନେ ପାଟି ଫିଟାଇବାର ଯୁ ନ ଥାନ୍ତା ।

 

ଉଠାଇଥିଲି ଆଜ୍ଞା ପାଞ୍ଚଣଟା । ପଳେଇଗଲେ ଚୁପ୍‌ ହୋଇ କହିଲା ମୂଲିଆ ।

 

ଦାସେ ଆନନ୍ଦରେ ଚାଲିଲେ । ମୂଲିଆ ଚମକି ପଡ଼ିଲା–କ’ଣ ସବୁ ସେ କହିଦେଲା–ପୁଣି କାହା ଆଗରେ । ସାଆନ୍ତେ କେତେ ତାକୁ କହନ୍ତି–ସବୁ କହିବୁ, ଦୁଃଖକଥା କିଛି କହିବୁନି ଦାସକୁ କି ଗୁମର ଫିଟେଇବୁନି ତାଙ୍କ ଆଗେ । ମନ ତାର ପୁଣି ଭାରାକ୍ରାନ୍ତ ହୋଇପଡ଼ିଲା–ଆସିଲା ସାଆନ୍ତ ଘରକୁ ।

 

ଜୟରାମ ଠିକଣା କଥାଟା ବୁଝିନେଲେ । ମିଶ୍ରେ ତାଙ୍କୁ ନ ପଚାରି ମୂଲିଆକୁ ମାରିବା ଏକ ନିଶ୍ଚିତ ଅନ୍ୟାୟ ।

•••

 

(ନଅ)

 

ଦିନ ପରେ ବି ଦିନ ଗଡ଼ି ଚାଲିଥାଏ । ଏହିପରି ଆସି ଗ୍ରୀଷ୍ମଛୁଟି ପ୍ରାୟ ଶେଷ । ଏହି ଗୋଟିକ ଗ୍ରୀଷ୍ମଛୁଟି ଭିତରେ କେତେଗୁଡ଼ିଏ ଘଟଣା ଘଟିଗଲା–ସୁଯୋଗ ହେଉ ବା ଦୁର୍ଯ୍ୟୋଗ ହେଉ–କେତେଗୁଡ଼ିଏ ସମ୍ପର୍କକୁ ସନ୍ଦେହର କୁହେଳିକା ଓ ଭାବନାର ବିଷମତାରେ ଆଚ୍ଛନ୍ନ କରି ରଖିଲା । ହରିର କଲେଜରେ ଭର୍ତ୍ତି ହେବା କଥା–ଜୟରାମ ଆଗରୁ ଟଙ୍କାପଇସା ବି ସଂଗ୍ରହ କରି ରଖିଛନ୍ତି–ପାଞ୍ଜି ଦେଖି ଭଲ ଦିନୁଟିରେ ଭାଇକୁ ପଠାଇବେ ।

 

ହରି ତାର ଭାବି କଲେଜ ଜୀବନ ନେଇ ବହୁ କଳ୍ପନା କରି ଚାହିଁ ରହିଛି । ତା ହାଇସ୍କୁଲ ପରି, ଧୋତି କାମିଜ୍‌ ପିନ୍ଧା ମାଷ୍ଟ୍ରେ ସେଠି ନାହାନ୍ତି । ସେଠି ଯେ ପଢ଼ାନ୍ତି–ସେମାନେ ସବୁ ପ୍ୟାଣ୍ଟ କୋର୍ଟ ପିନ୍ଧାବାଲା–ପୁଣି ସେମାନଙ୍କୁ ମାଷ୍ଟ୍ରେ ନ କହି ପ୍ରଫେସର ବା ଅଧ୍ୟାପକ କହନ୍ତି । ଚକ୍‌ଖଡ଼ି ଧରି ବାର ଭଙ୍ଗୀରେ ପଢ଼ାଇବା, ପଚରାପଚରି କରି ପିଲାଙ୍କୁ ଏକଗୋଡ଼ିକିଆ କରିବା ସବୁ ସେଠି ନାହିଁ । ୫୦ ମିନିଟ୍ ପିରିୟଡ଼–ଅଧ୍ୟାପକ ଆସି ବକ୍ତୃତା ଦେଇଯାଆନ୍ତି । ପିଲାମାନେ ବି କୁଆଡ଼େ ଛାଣ୍ଟକାଣ୍ଟ । ଖାଲି କାର, ଘୋଡ଼ାଗାଡ଼ି, ସାଇକଲ ଭେଳାଭେଳା । କିଏ କ’ଣ ବଦମାସୀ କଲା–କାହାର ଚରିତ୍ର ଖରାପ ହେଲା–ଏସବୁ ବାହାରେ ମଧ୍ୟ ହାଇସ୍କୁଲ ମାଷ୍ଟ୍ରେ ଦେଖନ୍ତି–କିନ୍ତୁ ସେଠି ସାତଖୁଣ ମାଫ । ସେତେବେଳକୁ ଛାତ୍ରମାନଙ୍କର ଦାୟିତ୍ୱ ଆସି ଯାଇଥାଏ ବୋଲି ମନେକରାଯାଏ-। ସିନେମା ଥିଏଟର, ତରୁଣ ତରୁଣୀମାନଙ୍କର ସ୍ୱଚ୍ଛଳ ଚାଲିଚଳନ, ଇନ୍ଦ୍ରିୟମାନଙ୍କୁ ବହୁ ସାମଗ୍ରୀ ଯୋଗାଏ । ତେଣୁ ଅନେକ ପିଲା, ସ୍କୁଲରେ ଭଲ କରିଥିଲେ ବି, କଲେଜରେ ଭାଙ୍ଗି ଯାଆନ୍ତି–ମନ ବିକ୍ଷିପ୍ତ ହୋଇଯାଏ–ଅଧ୍ୟୟନରେ ବିଶୃଙ୍ଖଳା ଘଟେ । ସେଥିରେ ପୁଣି ଛାତ୍ରଙ୍କ ଭିତରେ ରାଜନୈତିକ ଦଳାଦଳି–କଲେଜରେ ଭୋଟନିଆ–ସଭାସମିତି–ଏସବୁ ବହୁତକଥା ହରି ଶୁଣିଛି–ତେଣୁ କଲେଜ ବିଷୟରେ କେତେ କ’ଣ ଧାରଣା କରି ପକାଉଛି । କେମିତି ସେ ତାର କାଳ୍ପନିକ ଦୃଶ୍ୟଟିକୁ ବାସ୍ତବରେ ଉପଭୋଗ କରିବ, ବ୍ୟସ୍ତ । ‘ଏଣେ ବି ସୁଷମା କଥା, ମନେପଡ଼ିଯାଏ । କେତେ ହସ, କେତେ ଖେଳ–ଦଣ୍ଡେ ଜଣେ ଜଣକୁ ନ ଦେଖିଲେ ପାଗଳ–କିପରି ସେ ଏତେଦିନ ସୁଷମା ବ୍ୟକ୍ତିରେକେ ଚଳିବ । ଅବଶ୍ୟ, ପୁରୀ ଗାଁ ପାଖ, ମାସକେ ଅନ୍ତଃତ ଥରେ ତ ଆସିବ–ହେଲେ ନିତିଦିନର ଦେଖାକୁ, ମାସକ ଦେଖାରେ ଚଳାଇବାକୁ ହେବ । ସରାଗ ମଉଳି ଆସେ ।

 

ସୁଷମାର ରୂପସମ୍ଭାର ଯୌବନରେ ବିକଶିତ ହୋଇଉଠୁଛି–ତାର ଅଙ୍ଗରେ ଲାବଣ୍ୟ, କେଶର ମସୃଣତା, ଢଳ ଢଳ ଚକ୍ଷୁ, ଅଧରରେ ରକ୍ତିମା, ଉନ୍ନତବକ୍ଷ–ସବୁରେ ସେ ଅପୂର୍ବ ମାଦକତା ଅନୁଭବ କରୁଛି । କେତେ ଚାଲିଯାଉଥିଲା ହରିଭାଇ ପାଖକୁ, କେତେ ଲୋଟିପଡ଼ୁଥିଲା–ଆଉ ସେ ଚଞ୍ଚଳତା ନାହିଁ । ହରିଭାଇ ସ୍ପର୍ଶ ଅତି ସୁଖକର–ଅନୁଭବ କରିଛି । ସବୁବେଳେ ହରିଭାଇ ତା ପାଖେ ଥାନ୍ତେକି । କିନ୍ତୁ ଯେଉଁ ନଈକୂଳର ସ୍ମୃତି ଆଜି ତା ପକ୍ଷେ ଅଭୁଲା, ପବିତ୍ର, ଶାଶ୍ୱତ, ସେ ଯେ ଅନ୍ୟମାନଙ୍କର ଚୁଗୁଲିର ହାଟ । ସେହିଦିନ ସେ ହରିଭାଇ ପାଖକୁ ଯାଏନି–ମା’ର ଶାସନ । ସଙ୍କୋଚ କାହାକୁ କହନ୍ତି, ଲଜ୍ଜା କ’ଣ, ଭୟ କେଉଁଠାରେ–ସବୁ ସେ ବୁଝିଛି । ହରିଭାଇ ପାଖରେ ଅଛି–ନ ଗଲେ ବି ‘ସେ ଅଛି ତ । କିନ୍ତୁ ଚାଲିଯିବେ ସେ–ବଡ଼ପାଠ ପଢ଼ିବେ । ଆଉ ଇଚ୍ଛାକଲେ ବି ସବୁବେଳେ ଦେଖିପାରିବନି । ବିଷର୍ଣ୍ଣ ଓ ବିମର୍ଷ ସେ । ମନ ହଉଥାଏ–ଚାଲିଯାଇ ଦିନ ରାତି ହରିଭାଇକି ଧରି ରଖନ୍ତା ଯିବା ପୂର୍ବରୁ– କିନ୍ତୁ ଲୋକ ନିନ୍ଦା । ଦୁହେଁ ଦୁହିଁଙ୍କୁ ପ୍ରାଣଦେଇ ଭଲପାଉଥିଲେ ବି, ଲୋକ ନିନ୍ଦା, ସମସ୍ତଙ୍କର ସନ୍ଦେହ–ଏ ସବୁ–ଦୁହିଁଙ୍କୁ ଦୂରେଇ ରଖେ । ଦୁଇଟି ତରୁଣ ତରୁଣୀ ବାହା ହେବା ପୂର୍ବରୁ ପରସ୍ପର ମିଳାମିଶା କରିବା ଓ ଭାବ ବିନିମୟ କରିବାର ସୁବିଧା–ଏ ପର୍ଯ୍ୟନ୍ତ ଗାଁ ଗହଳରେ ଦିଆଯାଇନି । ବରଂ ଏପରି ହେଲେ ତାହା ଏକ ଗୁରୁତର ସାମାଜିକ ଅପରାଧ ବୋଲି ଧରାଯାଏ । ଦୁଇଟି ଅପରିଚିତ ଜୀବନକୁ ମଧ୍ୟସ୍ଥ ଜରିଆରେ ବନ୍ଧେଇବା କଥା–ତେଣିକି ଏବେ ତାଙ୍କ ମନ ନ ମିଳିଲା–ସେ ଭାଗ୍ୟ କଥା–ଯେ ଯାହା ହାଣ୍ଡିରେ ଚାଉଳ ପକାଇଥିଲା ନା ।

 

ସେ ଦିନ ନଈକୂଳରେ ଚୁଗୁଲି । ଗାଁ ଯାକ କଥାଟା ରାଷ୍ଟ୍ର ହୋଇଗଲାଣି । ଘୋର କଳଙ୍କ–ସବୁରି ତୁଣ୍ଡରେ ସେଇ କଥା । ହରି ଯାଉଛି କଲେଜକୁ । ସୁଷମା ବୋଉ ଭାବନ୍ତି, ଜଲଦି ବାହାଘର ହୋଇଗଲେ ଯାଆନ୍ତା । କେତେଥର ଜୟରାମଙ୍କୁ କହିଛି ଏହି ଗ୍ରୀଷ୍ମରେ ବାହାଘର କରିଦେବାକୁ – କେତେ ଝିଅଟାକୁ ମାଡ଼ିକରି ରଖିବ । ଜୟରାମ ବୁଝାଇ ଦିଅନ୍ତି । ଗୁରୁଜନମାନେ ଯେତେବେଳେ କଥା କରିଛନ୍ତି, ସେ ନିଶ୍ଚୟ ହେବ । ପିଲାଟା ନୂଆ ନୂଆ କଲେଜ ଯାଉଛି–ଏଇଲେ ଛନ୍ଦି ଦେଲେ ବିଗିଡ଼ି ଯାଇପାରେ । ତାର ଭଲକୁ ଦେଖିଲେ କ’ଣ ସୁଷମାର ନୁହେଁ । ତା ପରେ ସୁଷମା ତ କିଛି ଗୃହଯୋଗ୍ୟା ହୋଇଯାଇନି–ଏଇ ଗାଁରେ ତ ଝିଅ ଅଛନ୍ତି–୩/୪ ବର୍ଷ ହେଲା ବି ଘରଯୋଗ୍ୟା ହୋଇ ରହିଛନ୍ତି । ସବୁ ତ ଠିକ୍‌ ହୋଇଛି, ବାସ୍ ବାକି ପାଁଜଣ ଖାଇବା କଥା । ଆଉ ଚୁଗୁଲି–ତାକୁ ପସରା କଲେ ଚଳେନି । ଏଇ ଦାସେ, ମାମଲତକାର ସାଜିଛନ୍ତି–ଭୋଇଆଣୀ ଘରେ ରାତି ଅଧରେ ଧରାପଡ଼ିଥିଲେ–ତାଙ୍କରି ଚକ୍ରାନ୍ତ ଯୋଗୁଁ ପ୍ରଥମ ସ୍ତ୍ରୀ ଆତ୍ମହତ୍ୟା କଲା–ତରୁଣୀ ଭାର୍ଯ୍ୟାକୁ ଯୋଗାଡ଼ କରି ଯେମିତି ଆଣିଛନ୍ତି କିଏ ନ ଜାଣେ । ମାମଲତକାର ନା ! କଥାଟା ଉଡ଼ିଗଲା । କିଏ ତାଙ୍କର କ’ଣ କଲେ । ଭୂତକୁ ଡରିଲେ ଭୂତ ଡରାଏ । ଏହିପରି ବହୁତ ବୁଝାଇଛନ୍ତି ଜୟରାମ–ଶେଷକୁ କହିଲେ, ‘‘ଯଦି ତୁମକୁ ଝିଅଟାକୁ ରଖିବାକୁ ଏତେ ମାଡ଼ି ପଡ଼ୁଛି–ମୋ ପାଖକୁ ଛାଡ଼ିଦିଅ–ସେ ଦାୟିତ୍ୱ ମୁଁ ତୁଲାଇବି ।’’ ସୁଷମା ବୋଉ ଆଶ୍ୱସ୍ତ ହେଲେ ।

 

ପଚାରିଲେ, ହରି କେବେ ପୁରୀ ଯାଉଚି କି ? ଜୟରାମ କହିଲେ–ଯାଉଛି ଏଇ ପଅରଦିନ–ଭଲ ଦିନ ଅଛି–ଘରେ ଏଠି ଖାଉଥିଲା, ଚଳୁଥିଲା । ଏଣିକି ତ ପ୍ରବାସରେ ପଡ଼ିବ । କାଲି ରାତିରେ ସୁଷମାକୁ ପଠାଇବ–ତୁମେ ବି ଟିକିଏ ଆସିବ । ସମସ୍ତେ ସାଥିସୁଥା ହୋଇ ଟିକିଏ ଖିଆପିଆ କରିବେ । ଦିହେଁ ଦିହିଁକୁ ଦଣ୍ଡେ ନ ଦେଖିଲେ ଛଟପଟ ହେଉଥିଲେ–ଏବେ ତ ଛାଡ଼ବାଡ଼ ହେବେ । ହେଲେ କର୍ତ୍ତବ୍ୟ ତ ! ଜୟରାମଙ୍କ ଚକ୍ଷୁ ବାଷ୍ପାକୁଳ ହେଲା ।

 

ସୁଷମା ବୋଉ କହିଲେ–ସୁଷମା ତ କ’ଣ ସେମିତିଗୁଡ଼େ ବହି ପଢ଼ୁଛି । ସ୍କୁଲକୁ ସିନା ଯାଉନି–ହେଲେ ପଢ଼ାରେ ଭାରି ମନ ।

 

ଜୟରାମ ହସି ହସି କହିଲେ–ମୋତେ କ’ଣ କହୁଛ–ମୁଁ କ’ଣ ତାକୁ ଜାଣିନି ?

 

X            X            X            X

 

କଣ୍ଟଦିନ ଆଜି । ସୁଷମା ବୋଉ ସୁଷମାକୁ ନେଇ ଆସିଯାଇଛନ୍ତି । କେବଳ ସୁଷମା ଓ ହରିଙ୍କୁ ଛାଡ଼ି ସମସ୍ତେ ବଡ଼ ଖୁସୀ । ସୁଷମା ବୋଉ ପିଠାପଣାର ତତ୍ୱ ନେଉଛନ୍ତି–କୁନ୍ତଳା ତ ନିଜେ ସବୁ କରୁଛି । ପୁଅ ନ ଥିଲେ ବି–ଆଜି ବାତ୍ସଲ୍ୟରସରେ ଯେମିତି ତାର ହୃଦୟ ଫାଟି ପଡ଼ୁଛି । ସୁଷମା ଗୋଟିଏ ଘରେ ଶୋଇପଡ଼ିଛି–ଆଉ କାଲିଠାରୁ ହରିଭାଇକୁ ସେ ଦେଖିବନି–କେତେ ଏକୁଟିଆ–ଖାଁ ଖାଁ ଲାଗିବ ତାକୁ । ତୁଚ୍ଛାକୁ ତ କିଏ କେତେ ଟାହି ଟାପରା କରୁଛନ୍ତି–ରାଣ୍ଡ ମା’, ସମ୍ପତି ତ ବାବରଖାନା ଇତ୍ୟାଦି–ସେଥିରେ ପୁଣି ହରିଭାଇ ନ ଥିବେ । ପୁଣି ଭାବେ, ଭାଇ ତାର ବଡ଼ ପାଠ ପଢ଼ିବେ–କଲେଜ ଯିବେ–ଏତେବେଳେ ମନ ଖରାପ କରିବା ଠିକ୍‌ ନୁହେଁ ।

 

ପରଦିନ ସକାଳୁ ତ ଯିବା କଥା । ସେଦିନ ଉପରବେଳା, ହରି ହାଇସ୍କୁଲକୁ ଯାଇ, ସବୁ ମାଷ୍ଟ୍ରମାନଙ୍କୁ ଦେଖାକରି, ସେମାନଙ୍କର ଆଶୀର୍ବାଦ ନେଲା । ସମସ୍ତେ ତାର ନମ୍ରବ୍ୟବହାର ଓ ଶିଷ୍ଟାଚାରରେ ଆନ୍ତରିକ ଖୁସୀ । ପ୍ରଧାନଶିକ୍ଷକଙ୍କ ପାଖକୁ ଆସି ନମସ୍କାର କଲା–କହିଲା, ‘ସାର୍‌ ମୁଁ କାଲି ସକାଳେ ଯାଉଛି’ । ଚକ୍ଷୁ ତାଙ୍କର ଛଳ ଛଳ ହେଲା–କହିଲେ, ‘‘ହରି, ବହୁତ ଛାତ୍ର ଦେଖିଲିଣି, କୃତୀଛାତ୍ର ବି ଦେଖିଛି, କିନ୍ତୁ ଏପରି ଉଚ୍ଚକୋଟୀର ବ୍ୟବହାର କେଉଁଠୁ ପାଇନି । ଚରିତ୍ର, ବ୍ୟବହାର ଏ ସବୁହିଁ ମଣିଷପଣିଆ । ବାପା, କଲେଜରେ ବହୁ ଆଡ଼ମ୍ୱରପୂର୍ଣ୍ଣ କଥା ଦେଖିବୁ, କିନ୍ତୁ ନିଜର ନିଜତ୍ୱ ଓ ଚରିତ୍ର, ନିଷ୍ଠା ଓ ଆତ୍ମବିଶ୍ୱାସ, ଆଜି ଭଳି ଅକ୍ଷୁର୍ଣ୍ଣ ରଖିବୁ । ମନଭୁଲାଣିଆ କଥା ଭିତରେ ହିଁ ଇଶ୍ୱର ପ୍ରକୃତ ଚରିତ୍ରବତ୍ତା ପରୀକ୍ଷା କରନ୍ତି । ଈଶ୍ୱର ତୋର ଏ ତପସ୍ୟାରେ ସହାୟ ହୁଅନ୍ତୁ’’ ।

 

କି ସ୍ନେହ, କି ବାତ୍ସଲ୍ୟ–ଗୁରୁଙ୍କର ଏ ଅକୃତ୍ରିମ କଥା ଆଉ ଶୁଣିବନି ସେ । କୋହରେ ତାର କଣ୍ଠରୁଦ୍ଧ ହୋଇଆସିଲା । ଦୀର୍ଘ ଚାରିବର୍ଷ କାଳ ଯେଉଁ ସ୍କୁଲରେ ପଢ଼ିଥିଲା–ଯେଉଁ ବଗିଚା, ନିଜେ ପରିଶ୍ରମ କରି ବଢ଼େଇଥିଲା, ସେ ହଷ୍ଟେଲ, ସେ ବେଞ୍ଚଟେବୁଲ, ହତାର କୂଅ–ଏସବୁ ଯେପରି ତାର ଅତି ପ୍ରିୟ ମନେହେଲା ଓ ସେହି ପ୍ରିୟତମ ଜିନିଷକୁ ଆଜି ଯେପରି କିଏ ଛଡ଼ାଇ ନେଇଯାଉଛି ତା’ଠାରୁ । ଏଣିକି ଆସିଲେ, ସେ ଆଉ ସ୍କୁଲ ଛାତ୍ରର ବ୍ୟବହାର ପାଇବନି, ପାଇବ ପୁରାତନ ଛାତ୍ର ବା ଭଦ୍ରଲୋକ ହିସାବରେ ।

 

ଫେରି ଆସିଲା । ତା ମନରେ ଆଉ ଯେପରି କିଛି ନାହିଁ–ଭାବୁଛି ସେହି ସବୁ କଥା–ଗଣେଶ ଚତୁର୍ଥୀ, ଶ୍ରୀପଞ୍ଚମୀ–ଡାଳ ଫୁଲ–ଇତ୍ୟାଦି ଗତ ୪ ବର୍ଷ ଭିତରର ସରଳ ସ୍ମୃତିଗୁଡ଼ିକ । ମନ ତାର ଭାରାକ୍ରାନ୍ତ–ଆସି ଦେଖେ ତ ସୁଷମା ମନ ମାରି ଖଟ ଉପରେ ଏକାକୀ ଶୋଇଛି । ଆହା ! ପୁଣି ସୁଷମାକୁ ଛାଡ଼ିବ । ସମ୍ଭାଳି ପାରିଲାନି–କଇଁ କଇଁ ହୋଇ କାନ୍ଦିଲା ଅତି ଛୋଟ ପିଲାଙ୍କ ପରି । ସୁଷମା କୁଣ୍ଢାଇ ପକାଇ, କ’ଣ କହିବ ବୋଲି ହଉଥିଲା–କିନ୍ତୁ ହେଲାନି । ଦୁହିଁଙ୍କର ଅଶ୍ରୁଧାର ଛୁଟି ଚାଲିଲା । ଓଃ କି ସ୍ପର୍ଶ ସେ–କି ସ୍ୱର୍ଗୀୟ ପ୍ରେମ–କି ଅକୁହା କଥା । ମନର କଥା ଦୁହିଁଙ୍କର, ଯେପରି ଆଖିର ଚାହାଣି ଭିତରେ ସୁସ୍ପଷ୍ଟ–ଲୁହ ହିଁ ତାର ସାକ୍ଷୀ ।

 

କାନ୍ଦର ଶବ୍ଦ ଶୁଣି, କୁନ୍ତଳା ଆସି ଦେଖନ୍ତି ତ–ଦୁହେଁ ଆଉ ସମ୍ଭାଳିବା ଅବସ୍ଥାରେ ନାହାନ୍ତି । ହଠାତ୍‌ ହରି କହି ଉଠିଲା ଭାଉଜ । କାଲିଠାରୁ, ଆମେ ଥଟା ହେଉଥିଲେ କିଏ ଆସି ଆଉ ଉସୁକେଇବ–ଖୁମୁଟା ଖୁମୁଟି ହେଉଥିଲେ କିଏ ଆସି ଆଉ ହସେଇବ–ଭାଉଜ ବି ଧୈର୍ଯ୍ୟ ରଖିପାରିଲେନି । କହିଲେ, ‘‘ହରି, ମରଦ ହୋଇ ଏତେ ଧୈର୍ଯ୍ୟହରା ଏଇ କଥାରେ ? କୁଆଡ଼େ ଶାଶୁଘର ଯାଉଛ କି ? ପାଠ ପଢ଼ିବ, ସାହେବବାବୁ ହବ–ସେତେବେଳେ ତୁମେ ସାହେବ ଆଉ ସୁଷମା ମେମ୍‌–ସେତେବେଳେ ନଈ ନ ଥିବ କି ତୋଟା ନ ଥିବ । ଯେଉଁଠି ସୁଷମା, ସେଇଠି ହରି, ଯେଉଁଠି ହରି, ସେଇଠି ସୁଷମା–ଦି ମହଲା ଉପର ପଲଙ୍କ ଉପରେ ବିଛାଡ଼ି ହୋଇଥିବ ନାଲି ନେଳି ରଙ୍ଗର ବିଜୁଳି ଆଲୁଅ, ଆଉ ପାଖେ ପାଖେ ଖେଳି ବୁଲୁଥିବ ବିଜୁଳି ହାଓ୍ୱାର ତରଙ୍ଗ । ମୁଁ ତ ଖାଲି ଲସର ପସର ହେଉଥିବି–ଆଉ କ’ଣ ଭାଉଜକୁ ପଚାରିବ କି ସେତେବେଳେ ?’’

 

ଭାଉଜଙ୍କର ଏ ରହସିଆ କଥାରେ, ଦିହିଁଙ୍କ କୋହ ଯେପରି ବାରପଣ ଥମିଗଲା–ସୁଷମା କହି ପକାଇଲା–ଭାଉଜ ବଡ଼ ଛତରା–ହରି ଲାଜରେ ମୁହଁ ପୋତିଲା । ଦିହିଁଙ୍କ ଆଖିରେ ଲୁହର ଦାଗ, କିନ୍ତୁ ମୁହଁରେ ହସର ଆଭା ।

 

ଭାଉଜ, ଅବସ୍ଥା ଟିକିଏ ସମ୍ଭଳାପଡ଼ିବା ଦେଖି କହିଲେ, ‘‘ପିଠାଗୁଡ଼ାକ ଅଧା ହୋଇଛି–ମୁଁ ଯାଏଁ–ତୁମେ ଏଇଠି ଗପ କରୁଥାଅ–ମୁଁ ଏଇଲେ ଆସିବି’’ କହି ସୁଷମାକୁ ହରି ଆଡ଼କୁ ଠେଲିଦେଇ ହସି ହସି ଚାଲିଗଲେ । ହରି ଧରିନେଲା ସୁଷମାକୁ–ସୁଷମାର ଦୁଇ ବାହୁ ତଳେ ହରିର ଦୁଇଟି ହାତ ସାମନା ପଟରୁ ବେଷ୍ଟିତ । ଦେହରେ ଚମକ–ହୃଦୟରେ କମ୍ପନ, ଦୁହେଁ ଦୁହିଁଙ୍କୁ ନିବିଡ଼ ଭାବରେ ଆଲିଙ୍ଗନ କଲେ–ହରି ଆଙ୍କିଦେଲା ତାର ରକ୍ତିମା ଅଧରରେ ଏକ ଉଷ୍ମ ଚୁମ୍ୱନ । ଅପୂର୍ବ ଶିହରଣ–ନୂଆ ନୂଆ ଯୌବନରେ ଅଭିନବ ଅନୁଭୂତି ।

 

X            X            X            X

 

ସେ ଦିନର ସେହି ଅଭୁଲା ସ୍ମୃତିକି ଗଣ୍ଠିଧନ କରି ହରି ତା ପରଦିନ କଲେଜକୁ ଗଲା । ସୁଷମା ନିଜ ପାଠ ପଢ଼ାରେ ଦ୍ୱିଗୁଣଭାବେ ମନୋନିବେଶ କଲା–ତା ହରିଭାଇର ଯୋଗ୍ୟା ହେବ ସେ–ଏହି ଆଶା ଆଉ ସମ୍ଭାବନାରେ ।

•••

 

(ଦଶ)

 

ଦିନପରେ ଦିନ ଗଡ଼ି ଚାଲିଥାଏ । ହରି ତାର କଳ୍ପିତ କଲେକ ଜୀବନର ବାସ୍ତବ ରୂପରେଖାରେ ନବଜୀବନ ପାଇବାପରି ମନେକରେ । ପ୍ରଶସ୍ତ କ୍ଷେତ୍ର । କେତେ ଭଲ ଭଲ ପିଲାସବୁ ସ୍କୁଲକୁ ଆସି କଲେଜରେ ଭର୍ତ୍ତି ହୋଇଛନ୍ତି–ମନେକରେ ସମସ୍ତେ ତାର ପ୍ରତିଦ୍ୱନ୍ଦୀ–ଯେପରି ସମସ୍ତେ ତାକୁ ଜ୍ଞାନଗାରିମା ଓ ବୁଦ୍ଧିରେ ବଳିଯିବେ । କଠୋର ପରିଶ୍ରମ କରେ । ବିଶ୍ରାମ ସମୟରେ ମନେପଡ଼େ ତାର ଗାଁଗହଳର ମଧୁମୟ ସ୍ମୃତି ଏବଂ ସେହି ସ୍ମୃତିର ରାଜ୍ୟରେ ଭାସିଉଠେ ତାର କୁହୁହରାଣୀର ବର୍ତ୍ତୁଳ ଚନ୍ଦ୍ରମୁଖ । ମାନସୀ ତାର ମୂର୍ତ୍ତିମନ୍ତ ହୋଇଉଠେ ବେଳୁଁ ବେଳ । ଭାବେ, ଖୁବ୍‌ ଭଲ ପଢ଼ିବ, ଗୌରବ ଦେଖିବ ତାର ମାନସୀ–କୁଣ୍ଢାଇ ପଳାଇବ ସେ–ହିମତ ପାଏ, ଶକ୍ତିପାଏ, ଲାଗିପଡ଼େ କର୍ତ୍ତବ୍ୟରେ ତାର ଦ୍ୱିଗୁଣ ଉତ୍ସାହରେ ।

 

ଜୟରାମ ଓ କୁନ୍ତଳା–ଘରେ ନିଛାଟିଆ–କେହି ଆଉନାହିଁ । ହରିଥିଲା ସୁଷମା ଆସୁଥିଲା–ଦିହିଁଙ୍କର ଛନ୍ଦରେ ଘରେ ଖେଳୁଥିଲା ହସ ଓ ସ୍ନେହର ତରଙ୍ଗ । ଆଉ ସୁଷମା ପ୍ରାୟ ଆସେନି–ଏଣେ ବି ବୟସ ହେଲାଣି । ମା’ର ତାକିଦ, ସେ ବି ସ୍କୁଲକୁ ଆଉ ଯାଏନି । ଜୟରାମ ଓ କୁନ୍ତଳା–ଦୁହେଁ–ଯେତେବେଳେ କଥା ହୁଅନ୍ତି–ହରି ଓ ସୁଷମା–ଆସିବ ବୋହୁ ହୋଇ, ଘର ଗହଳ ହେବ–ଲକ୍ଷ୍ମୀ ବିରାଜିବେ । ହରି କିମିତି ଚାଲେ–ସୁଷମା ସେ ଏକାଠି କିମିତି ଦିଶନ୍ତି–ଇତ୍ୟାଦି । ପରିବର୍ତ୍ତିତ ଅବସ୍ଥାଟା ଦିହସୁହା ହୋଇଗଲାଣି ।

 

ସୁଷମା ଭାବେ–ହରିଭାଇ ତାର–କେତେ ଭଲ ପଢ଼ୁଛନ୍ତି–ସେ ତ ସ୍କୁଲ ଛାଡ଼ିଲା–କିପରି ଯୋଗ୍ୟାହେବ ତାଙ୍କର । ମାଇକିନିଆ ଜନ୍ମ ପାଇଛି ମଫସଲରେ, ବାହାରକୁ ବାହାରିଲେ ଦୋଷ, ଛୁଇଁଲେ ପାପ, ଛାଇ ପଡ଼ିଲେ କଳଙ୍କ । ଯେ ପାଠପଢ଼ି ଛାତି ଫୁଲାଇ ଚାଲିଲା–ଚାଲୁଛନ୍ତି ତ ଅନେକ–ଫିଟଫାଟ–ଏଇ ଗାଁ ଖଣ୍ଡିକୁ ତ କେତେ କର୍ମୀ ଆସୁଛନ୍ତି–ପ୍ରଥମେ ପ୍ରଥମେ ନାକ ଟେକୁଥିଲେ–ଚାହୁଁଛି କିଏ, ଶୁଣୁଛି କିଏ–ବଳେବଳେ ସହିଲେ, ଚାନ୍ଦା ଦଉଛନ୍ତି–ସମର୍ଥନ କରି ତାଙ୍କ କଥାରେ ମୁଣ୍ଡ ହଲାଉଛନ୍ତି–ଚର୍ଚ୍ଚାବାର୍ଚ୍ଚାରେ ବି କମିନାହିଁ । ହେଲେ ତାର ତ ଆଗକୁ ପଛକୁ କେହି ନାହିଁ–କାହାକୁ ବଳକରି ବାହାରିବ–ଶେଷକୁ ଆଶ୍ରା ବି ମିଳିବନି । ବଡ଼ଲୋକକୁ ଉତ୍ତର ନାହିଁ, ସ୍ୱର୍ଗକୁ ନିଶୁଣୀ ନାହିଁ–ସେ ତ କାହିଁ କେତେତଳେ, ସେଦିନ ନଈରେ କିବା କଥା–ଗାଁରେ ହାଟବସିଲା–ତୁଚ୍ଛା କଥାରେ କଳଙ୍କ ରଟିଲା–ଏବେ ବି ଗାଁରେ କୁହୁଳୁଛି ସେକଥା । ଭାବିଭାବି ଯେ ଦୁଃଖରେ ମ୍ରିୟମାଣ ହୋଇପଡ଼େ । କାହାକୁ କିଛି ନ କହିବା ଭଲଭାବି ବହିପତ୍ର ନିଜର ସଂଗ୍ରହକରି ରଖେ–ନିତି ନିୟମିତ ପଢ଼େ–ବୋଉକୁ କହି ଖଣ୍ଡିଏ ଖବର କାଗଜ ମଗାଏ । ନିଜେ ନିଜେ ଲେଖେ ପଢ଼େ–ଇଚ୍ଛା, ତାର ଲେଖିବା ପଢ଼ିବା କେହି କେବେ ନ ଦେଖୁ । ବୋଉ ତାର ବେଳେବେଳେ ବକେ, ‘‘କ’ଣ ଲୋ ମାଇକିନିଆ ଝିଅ ଚୁଲିମୁଣ୍ଡକୁ–ଏ ବହିପତ୍ରଗୁଡ଼ାକ ମରଦ ପିଲାଙ୍କୁ ମାନେ’’, କିନ୍ତୁ ବେଶୀ ଖଙ୍ଗସ କରି କିଛି କହେନି–ଗୋଟିଏ ଝିଅ । ସମୟେ ସମୟେ ହେଡ଼ମାଷ୍ଟ୍ରେ ଆସି ଟିକିଏ ବତାବତି କରି ଚାଲିଯାଆନ୍ତି । ସବୁ କଷ୍ଟ, ଅବୁଝାକଥା ଟିପିଟାପି କରି ରଖିଥାଏ ସେ । ହେଡ଼ମାଷ୍ଟ୍ରେ ଆସିଲେ ସେତକ କହୁ କହୁ ତାକୁ ଦି’ଘଣ୍ଟା ଲାଗିଯାଏ । ତାର ପଢ଼ାଘରଟିରେ, ଶିବଗୌରୀଙ୍କର ଫଟୋଟିଏ ଝୁଲୁଥାଏ–ସକାଳେ ଓ ଶୋଇବାବେଳେ ଆନ୍ତରିକ ପ୍ରଣତି ଜଣାଏ ସୁଷମା–ଆଶା ତାର ଭଲ ପଢ଼ିବ–ହରିଭାଇଙ୍କର ଯୋଗ୍ୟା ହେବ ।

 

ଦାସଙ୍କର ମଉକା । ହରି କଲେଜକୁ ଗଲା–ଏଣିକି ସୁବିଧା ପଟିଲା । ଜୟରାମ କାହାର ପିଣ୍ଡାକୁ ବେଶୀ ଯାଆନ୍ତିନି–ଚୁଗୁଲିରେ ଭାଗ ନ ଥାଏ–ଅଭାବ ବି ନାହିଁ–ଦି ପ୍ରାଣୀ ଆରାମରେ ଚଳନ୍ତି । ଭାଇ ଭଲ ପଢ଼ୁଛି–ସେ ଯୋଗ୍ୟହେବ, ବୋହୂ ଆସିବ–ସେହି ଆଶାରେ ଦି’ପ୍ରାଣୀ ତାଙ୍କ ତକରେ ଥାନ୍ତି–କିନ୍ତୁ ଈର୍ଷାରେ ଜଳି ଯାଉଥାନ୍ତି ଦାସେ । ଏଣେ ସପନି ମିଶ୍ରଙ୍କର ହିଡ଼ହଣା ରାଗଟା ଜୟରାମଙ୍କ ଉପରେ ଜଳୁଛି–ଦାସେ ସୁବିଧା ଉଣ୍ଡି ମିଶ୍ରଙ୍କ ରାଗକୁ ଇନ୍ଧନ ଯୋଗାଇବା ଆଚ୍ଛା ରକମ ସୁର କରିଦେଲେ । ଛାର ମୂଲିଆଙ୍କଠାରୁ ବ୍ରାହ୍ମଣ ଭାଇ ଆମର ଅପମାନ ପାଇଲେ–ଆଜି ମିଶ୍ରଙ୍କୁ ହେଲା, କାଲି ଆଉ ସମସ୍ତଙ୍କୁ ବି ହେବ । ଜୟରାମର ବହପ ବଳ ନ ଥିଲେ ଛାର ମୂଲିଆର ଏତେ ଦିମାକ୍‌ ହୁଅନ୍ତା ? ସେଥିରେ ପୁଣି ସବୁ ଶୁଣି, ଜୟରାମ ବି ତା ଲୋକକୁ ଆକଟ କରିନି । ସପନି ମିଶ୍ରଙ୍କ ମନକୁ କଥାଟା ପାଏ । ମିଶ୍ରଙ୍କ ଭାବଭଙ୍ଗୀ ଠଉରାଇ ଦାସେ ଆରମ୍ଭ କରନ୍ତି–ମିଶ୍ରେ-! ଏଇ ସେଦିନ ମୋର ସ୍ତ୍ରୀ, ଗାଁ ମାଇପେ ଆଉ ବି କେତେ କ’ଣ ନଈକୁ ଯାଉଥିଲେ–ସକାଳୁଟା–ସାବିତ୍ରୀ ଅମାବାସ୍ୟା ହେବ–ହରି.... ଆଉ ସୁଷମା–ଏ ଦିଟା ଯାହା ହେଉଥାନ୍ତି ରାମ ରାମ–ସେ ତାଙ୍କର ଯାହା କଲେ କଲେ, ପୁଣି ଆମେ ଗାଁରେ ଘର କରିଥାଇଁ–ଝିଅପୁଏ ସମସ୍ତେ ଅଛନ୍ତି–ଏ ନାଟ ଦେଖିଲେ କ’ଣ ଶିଖିବେ ସେମାନେ–ଗୋଟେ ରାସପୁରୀ ହେଲାଣି ଏ ଗାଁ । ମିଶ୍ରେ କହନ୍ତି–କଥାଟା ଯାହାହେଉ, ପରମ୍ପରାଟା ସୁସ୍ଥ ଦୁହେଁ, ଅନୁକରଣୀୟ ନୁହେଁ, ଦାସେ ଯୋଡ଼ ଦେଇ ହାଙ୍କନ୍ତି,–‘ତେଣୁ ସର୍ବଥା ଦୂଷଣୀୟ–ଏହାର ପୁନରାବୃତ୍ତି ଯେପରି ନ ହୁଏ, ତାହାବି ଗ୍ରାମବାସୀଙ୍କର ଦେଖିବା କର୍ତ୍ତବ୍ୟ । ହରି ପିଲା–ତା ଭାଇନା ତ ମୂରବୀ–ନିଜ ଦାୟିତ୍ୱ ନିଜେ ନ ବୁଝିଲେ–ଜୟରାମଙ୍କ ନା’ ଶୁଣୁଶୁଣୁ ମିଶ୍ରଙ୍କର ମୁଣ୍ଡ ଗରମ–ତାକୁ ଇନ୍ଦ୍ରଚନ୍ଦ୍ର ଦିଶୁ ନାହାନ୍ତି–ସେ କିପରି କାହାରିକୁ ଖାତିର କରୁନି ଇତ୍ୟାଦି ଯାବତ ଭର୍ତ୍ସନା ମିଶ୍ରଙ୍କର ପାଟିରୁ ବର୍ଷିଯାଏ–ଦାସେ ଆଁଟା କରି ଚାହିଁ ମନେ ମନେ କୁହାଟ ମାରୁଥାନ୍ତି ।

 

ଏହିପରି ଦିନେ ମିଶ୍ରେ ଖୁବ୍‌ ତାନମାନରେ ଗର୍ଜୁଥାନ୍ତି । ଦାସେ କହିଲେ, ଆମେ ଗ୍ରାମବାସୀମାନେ ସମସ୍ତେ ଏକାଠି ହେଲେ, ମାନିବନି ସେ, ଯିବ କୁଆଡ଼େ । ବ୍ରାହ୍ମୁଣେ ଅତି ସିଆଣିଆ ନା–ତୁଚ୍ଛାକୁ ଜଣେ ଭଲ କଥାଟେ କହିଲେ, ଆଉ ଜଣେ ପ୍ରତିବାଦ କରିବ–ଏଣେ ସାତତଳ ଲୋକଙ୍କଠଉଁ ଅପମାନ ପାଉଥିବେ–ଏବେ ଆପଣଙ୍କ କଥାହେବାଠୁଁ ସମସ୍ତେ ଟିକିଏ–ଚେତିଚନ୍ତି–ବୁଝିଲେଣି କୁ’ ପାଣି କୁଆଡ଼େ ଉଠିଲାଣି ।

ମିଶ୍ରେ କହିଲେ, ତେବେ ସମସ୍ତେ ଆଜି ରାତିକୁ ବସ–କହି ମିଶ୍ରେ ଟିକିଏ କାମରେ ଚାଲିଗଲେ । ଦାସକୁ ଲାଗିଲା ଝୁଙ୍କୁ । ଦାସେ ଦିପହରଟା ଯାକ, ଦ୍ୱାରଦ୍ୱାର ବୁଲି ସମସ୍ତଙ୍କୁ କହୁଥାନ୍ତି–କିଏ କିମିତି ଦାସଙ୍କ କଥାଟା ଶୁଣି ଉଡ଼ାଇ ଦଉଥାନ୍ତି–ସମସ୍ତେ ତ ୟାଙ୍କ ଗୁଣ ଜାଣନ୍ତି । ଦାସେ ବି ଜାଣନ୍ତି, ତାଙ୍କର ପତିଆରାଟା କେତେ–ତେଣୁ କହନ୍ତି, ‘‘ମୋର କିଛି ନାହିଁ, କଥାଟା ମିଶ୍ରେ ଜୋର କରି ଧରିଛନ୍ତି । ମିଶ୍ରଙ୍କ କଥାଟା ଶୁଣି ସମସ୍ତେ ଟିକିଏ ଗୁରୁ ବୋଲି ବିଚାରୁଥାନ୍ତି । ଦାସେ କଡ଼କଡ଼ ହୁଅନ୍ତି–ଭାବନ୍ତି ‘‘ମିଶ୍ରଙ୍କ କଥାଟା ବାସୁଛି–ନିର୍ବୁଦ୍ଧଆ ବୋକାଗୁଡ଼ାକ’’ । ସବୁ ସାରି ଦାସେ ଚାଲିଲେ ସୁଷମାବୋଉ ଘରକୁ । ସୁଷମାବୋଉ ପଡ଼ିଶା ଘରକୁ ଧାନକୁଟି ଯାଇଥିଲେ, ସେଇଲେ ଫେରୁଥାନ୍ତି ଧୂଳିଧୂସ ହୋଇ ! ଦାସକୁ ଦେଖି ଆଡ଼ ଆଡ଼ ହେଲେ । ଦାସେ କହିଲେ, ‘‘ଆହେ ସୁଷମାବୋଉ, ତୁମେ ଆଚମ୍ୱିତ ହଉଥିବ ମୋ ଆସିବା ଦେଖି–ମୁଁ ଆସେନି ସିନା–ତୁମ କଥା, ତୁମ ଘର କଥା ସବୁ ପଚାରି ବୁଝୁଥାଏ । ସୁଷମା ବାପାଥିଲେ, ଆମର ପଟୁଥିଲା–ଛାଡ଼ ସେକଥା–ତୁମେ ଏକୁଟିଆ ଲୋକ–ପାଖପଡ଼ିଶାରେ କାମଧନ୍ଦା କରି ଚଳୁଚ । ଗାଁ କଥାଟା ଭାବିଲାବେଳେ ଛାଏ କାହିଁକି ମୋ’ ମନକୁ ଆସେ ତୁମ କଥାଟା, ଗରିବ କଥା ବୁଝୁଛି କିଏ ? ଏଇ ଏବେ କୁ’ଦିନ ସାବିତ୍ରୀ ଅମାବାସ୍ୟା ନା କ’ଣ ହେବ ! ତୁମ ଝିଅ ନଈକୁ ଯାଇଥିଲା, ଜୟରାମର ଭାଇ କ’ଣ ଥଟାତାମସା କଲା–ସେ ପାଲା ଏବେ ପୁଣି ବାହାରିଲାଣି ।

ଶୁଣୁ ଶୁଣୁ ସୁଷମା ବୋଉ ଭାଙ୍ଗିପଡ଼ିଲେ–ସତେ ଯେପରି ଅକାଳ ଚଡ଼କ ପଡ଼ିଗଲା–ଧୂଳିଧୂସ ହୋଇ ଫେରୁଛନ୍ତି–କାମର ବାଧା–ବୁଢ଼ୀଲୋକ–ଥକା ହୋଇଗଲେ–ଚାହିଁ ରହିଲେ ବକ୍‌ବକ୍‌–ବିଜୁଳି ଚମକ ଯେପରି ନିମିଷକେ ପ୍ରାଣ ନେଇଯାଏ, ଠିକ୍‌ ସେହିପରି । ପାଖ ଘରେ ସୁଷମା ଏ କଥା ଶୁଣି, ମୁହଁମାଡ଼ି ପଡ଼ିଗଲା ତାର ସେହି ପ୍ରିୟ ବହିଗୁଡ଼ିକ ପାଖେ ।

ଦାସେ କହି ଲାଗିଲେ–ଅପ୍ରିୟ କଥା–ଆଗରୁ ଟିକିଏ କହିଦେବାକୁ ଆସିଲି–ମୁଁ ଏ କଥାରେ କାନ ଦଉ ନ ଥିଲି–ଛୋଟ ଛୋଟ କଥା–ପିଲାଖେଳ–ଏ ମାଇପି କଥାରେ ଏତିକି ଆଣ୍ଟ–ହେଲେ ମୋ’ କଥା କିଏ କ’ଣ କାନକୁ ନେଲା–ମିଶ୍ରେ ତ ଏକଜିଦିଆ–ଧରିଛନ୍ତି ଜିଦ୍‌ ।

ଥର ଥର ଗଳାରେ ସୁଷମା ବୋଉ କହିଲେ, ଝିଅକୁ ତ ମୁଁ ଗୋଡ଼େ, ଗୋଡ଼େ ଜଗିଛି–ଘର ଛାଡ଼ି ଏରଣ୍ଡା ଡେଇଁନି ସେ–ମିଶ୍ରେ ଜାଣିବା ଶୁଣିବା ଲୋକ ହୋଇ ଏ କଥା ଧଇଲେ–ସେତ ସବୁ ବୁଝି ବିଚାରି କରନ୍ତି । ଦାସେ, କହିଲେ, ‘‘ମୁଁ କ’ଣ ଜାଣେ, ଏଇ ଯାହା ଶୁଣିଲି–ଅନେକ କଥା–ଆଜିକାଲି ଝିଅ ବି କ’ଣ କମ–ତୁମ ପିଲାଦିନ କଥା ହେଜିଲ–କେତେ ନିୟମ ନିଷ୍ଠା । ଅବଶ୍ୟ ଏ କଥାରେ କେତେ ସତ କେତେ ମିଛ ଭଗବାନଙ୍କୁ ଗୋଚର ବୋଧହୁଏ ତୁମକୁ ସଭାକୁ ଡକାଯାଇପାରେ ଏ ସମ୍ବନ୍ଧେ ପଚାରିବାକୁ’’ । ଦାସଙ୍କର ଏ କଥାରେ ‘ସୁଷମା’ର କୋହ ଦ୍ୱିଗୁଣିତ ହେଲା–ସେ କୋହର ଶବ୍ଦ ଶୁଣି, ମା’ର ମନ ସହନ୍ତା କେତେକେ–ଗରିବ ହେଲେ ବି ମନ ସମ୍ଭାଳିଲାନି–କହିଲେ, ମୁଁ ଯାଇପାରିବିନି–ତୁମେ ସବୁ ଯାହା କରିବ କର, ଗରିବ ମାଈପ ସବୁରି ଶାଳୀ–ଆଜି ଯଦି ଥାନ୍ତେ ?–ଆଉ କହି ପାରିଲାନି–ହଠାତ୍‌–କିଛି ସମୟ ବିତିଗଲା–ସୁଷମା ବୋଉ କହିଲେ ତୁମେ ଯାଅ–ସେ ଯାଇଛନ୍ତି, ମୁଁ ଏ ଝିଅଟି ନେଇ ନଈରେ ଡେଇଁ ପଡ଼ିବି–ଅଡ଼ୁଆ ଯିବ । ନହିଲେ–କୁଆଡ଼େ ପଳେଇବି–କେତେ ତ ଦୁଃଖ ସହିଲି–ଏହା କହି ସୁଷମା ବୋଉ ଚାଲିଯାଉଥିଲେ । ଶୁଣେଇ ଶୁଣେଇ ଦାସେ କହିଲେ, ସବୁ ମୁଁ ଜାଣେ, ସୁଷମା’ର କିଛି ଦୋଷ ନାହିଁ, ସବୁ ଦୋଷ ଜୟିର–ସେ ମୁରବୀ ହୋଇ ତା’ ଭାଇକୁ ଆକଟିବାର କଥା–ତୁମେ ସିନା ମାଈପି ଲୋକ, ଏ କାଳର ଛନ୍ଦମନ୍ଦ ଜାଣିନ । ଆଚ୍ଛା ସୁଷମା ବୋଉ, ମୋ ଉପରେ ଘୋଷା ହେବନି –ଏଇ ତୁମକୁ କହିଛି ବୋଲି ଶୁଣିଲେ, ମୋ ବାସ ନ ଉଠୁ ସେଣେ–ହେଲେ ମୁଁ ଚେଷ୍ଟା କରିବି ତୁମ ଆସିବା କଥା ଉପରେ ଜୋର ନ ଦେବାକୁ–କହି ଦାସେ ଫେରିଲେ ।

ସୁଷମା ବୋଉ ଅତ୍ୟନ୍ତ ମର୍ମାହତ ହେଲେ, ନିଜ ଝିଅ ନେଇ ମାହାଜନ ମେଳାରେ କଥା ପଡ଼ିଲେ କଥାଟା ରାଷ୍ଟ୍ର ହୋଇଯିବ । କିଛି ନ ହେଲେ ତ ଲୋକେ କହିବେ, ନିଆଁ ନ ଥିଲେ ଧୂଆଁ ଆସନ୍ତା କି ? କି କଳଙ୍କ ପସରା–ମନେ ମନେ କହିଲେ, ଏ ଝିଅ ମୋର ସର୍ବସ୍ୱ ନେଲା–ପିଲା ନ ଥିଲା ନାହିଁ–ବୁଢ଼ୀ ଦିନେ ୟା ବି ଶୁଣିବାକୁ ଏ ପୋଡ଼ା କପାଳରେ ଥିଲା । ବୋଉର ଏ ଗୁଣୁଗୁଣୁ କଥା, ମୁଣ୍ଡରେ ହାତ ଦେବା ଦେଖି ସୁଷମା ଆଉ ସହିପାରିଲାନି–ମନ ତାର ବିଦ୍ରୋହୀ ହୋଇଉଠିଲା–ଶରୀର କମ୍ପିବାକୁ ଲାଗିଲା–ଦୌଡ଼ି ଆସି କହିଲା, ‘ମା’, ମୁଁ ଏହି ଶିବ–ଗୌରୀଙ୍କ ଉପରେ ହାତ ଦେଇ କହିବି ମୁଁ କିଛି କରିନି–ହଉ ଯଦି ଏତେ କଥା, ମୁଁ ଏ ଘର ଛାଡ଼ି ଚାଲି ଯାଉଛି–ତୁ ମୋତେ ତେଜ୍ୟା କରି ଦେ, କଳଙ୍କ ଯିବ–ଏ ଦୁନିଆରେ କାଉ କୋଇଲିଙ୍କୁ ଠାବ ଅଛି, ମୁଁ ମୋର କପାଳଘେନି ଚାଲିବି–ପଢ଼ିଛି, ଆତ୍ମହତ୍ୟା ପାପ–ତା କରିବିନି । ଶିବଗୌରୀ ମୋ କପାଳରେ ଯାହା ଲେଖିଥିବେ ମୁଁ ଭୋଗିବି । ମା’, ମୋତେ ଛାଡ଼ିଦେ–କଇଁ କଇଁ ହୋଇ କାନ୍ଦି ଉଠିଲା । ଗୋଟିଏ ଝିଅ, କେଉଁ ମା’ର ଛାତି ଧରିବ ଏ କଥା–କେତେ ଦେବତା ପୂଜି କରି ପାଇଛି–ଆଜି କ’ଣ ଦେଖିଲା ସେ–କ’ଣ ବୋଲି ନ କହିଲା ଝିଅକୁ ଦାଣ୍ଡର କଥାରେ–ଧାନ କୁଟି ଚଳୁଛି–ରାଣ୍ଡିଖଣ୍ଡିଟେ ବୋଲି ସିନା ଆଜି ତାର ଏ ଦଶା–ଲୁହ ଗଡ଼ିଚାଲିଥାଏ ଅବିରତ ।

ଗରିବର ଦୁନିଆରେ ନିଦାରୁଣ ବତାସ–ମା’ ଝିଅଙ୍କ ଲୁହ ଏକାଠି ହେଲା–କିଏ ନାହିଁ ଦେଖିବାକୁ । ସାକ୍ଷୀ ତଳେ ମାଟି, ଉପରେ ଆକାଶ, ଆଉ କାନ୍ଥରେ ଝୁଲୁଥିବା କେଉଁ ଭୋକିଲା ଚିତ୍ରକରର ଖଣ୍ଡେ ଶିବଗୌରୀ ଛବି ।

ଚାହୁଁ ଚାହୁଁ ସନ୍ଧ୍ୟା ଆସି ଉପନୀତ ହେଲା–ଗାଁର ଯେଉଁମାନେ ସବୁ ଯେ ଯାହାର କାମଦାମରେ ଯାଇଥିଲେ–ସମସ୍ତେ ଗୋଟିଏ ଗୋଟିଏ ହୋଇ ଫେରିଲେ । ଯେଉଁ କେତେକେ ଜମି ହାତଚାଷ କରିଥାଆନ୍ତି ସେମାନେ ଫେରି ନିଜର ଗୋରୁଗାଈ ଖାଇବା ଖବର ବୁଝିଲେ । ଗୃହିଣୀମାନେ ନିଜ ନିଜର ଘରେ ସଞ୍ଜଦେଲେ । ଏସବୁ ସନ୍ଧ୍ୟାର କାମ ଭିତରେ ସମସ୍ତଙ୍କ ମନରେ ମାହାଜନମେଳା କଥା କେତେ ପ୍ରକାର ଭାବ ସୃଷ୍ଟି କରିଥାଏ । କଥାଟା ହେଉଛି, ଯେଉଁ ଜୟରାମ ଖାଣ୍ଟି ଲୋକ ବୋଲି ଗାଁର ସଭିଏଁ ଜାଣନ୍ତି–ଯେ ଗୋଳମାଳ ଭିତରକୁ ପଶିବା ତ ଦୂରର କଥା, ତାଠାରୁ ଦୂରେଇ ରହେ, ଆଜି ତାଙ୍କରି କଥା ପଡ଼ିବ–ଏହାହିଁ ବିଶେଷ ଚମକ ସୃଷ୍ଟି କରିଥାଏ । ଥୋକେ ଲୋକ ଜୟରାମଙ୍କର ଭଲ ଚଳଣି, ଘରର ଉନ୍ନତି ନେଇ ଈର୍ଷାଶୀଳ ! ଆଉ କେତେକଙ୍କ ପକ୍ଷରେ ସୁଷମା ହରିର ଅବାଧ ମିଳନ ଅସହ୍ୟ ହୋଇ ପଡ଼ିଥାଏ । କେତେକ ହରିର କୃତିତ୍ୱ ନେଇ ମନେ ମନେ ଅସହିଷ୍ଣୁ ହୋଇ ଉଠିଥାନ୍ତି । କେତେ ବୁଝୁଥାଆନ୍ତି ଯେ, ଏ ମାହାଜନମେଳା ଗୋଟିଏ ସ୍ୱାର୍ଥପୂର୍ଣ୍ଣ ଚକ୍ରାନ୍ତ ଜୟରାମଙ୍କ ବିରୁଦ୍ଧରେ । ହେଲେ ଗାଁର ନାଉଁଆ ଲୋକଙ୍କ ଗୋଡ଼ାଣିଆ ହିସାବରେ ଦିପଦ ଆଣ୍ଟି କରି ସତକଥା କହିବାର ସାହସ ହୁଏତ ନାହିଁ ସେମାନଙ୍କର । ଜୟରାମ ଓ କୁନ୍ତଳା ବିମର୍ଷ ଥାଆନ୍ତି–ଭାବନ୍ତି କାହାର ହାନି ଲାଭରେ ନ ଥାଇ ସୁଦ୍ଧା ବିଧାତା ଏପରି କରୁଛି । ଜୟରାମ କହନ୍ତି ଆମର ଦୁର୍ବଳତା ତ ନାହିଁ–ଠିକ୍‌ କଥା ପଡ଼ିବ–ନ୍ୟାୟ ନ କରି ଯଦି ଭୁରୁଡ଼ିରେ ଚାଲନ୍ତି–ତାଙ୍କର ସେ ଯାହା କରିବେ କରୁଥାନ୍ତୁ–ଆମ ତକରେ ଆମେ । କିନ୍ତୁ ସବୁଠାରୁ ଆତଙ୍କିତ ସୁଷମା ଓ ତା ବୋଉ–ଗରିବ ସେ, ଝିଅ ଜନ୍ମ କରିଛି–ନାଗସାପ ବେକରେ ବନ୍ଧା–ତୁଚ୍ଛାକୁ ପାଳଣରେ କଥାଟା ଘାଣ୍ଟି ହେଲେ–ଚାରିଆଡ଼େ ଡିଣ୍ଡିବ ବାଜିବ । ସାଇପଡ଼ିଶା ନେଇ ଚଳିଲେ–ମାନିଲେ ହଇରାଣ ! ନ ମାନଲେ ଗାଁରୁ ଉଠିବା କଥା ।

ଗାଁର ସେବକ ଗାଁର ସଭିଙ୍କୁ ଡାକି ଦେଇଗଲା ଗାଁ ଠାକୁରାଣୀଙ୍କ ମଣ୍ଡପରେ ସମସ୍ତେ ଠୁଳ ହେବା ପାଇଁ । ଗୋଟିଏ ଗୋଟିଏ ହୋଇ ସମସ୍ତେ ଜୁଟିଲେ–କାନ୍ଧରେ ଗାମୁଛା ଖଣ୍ଡିଏ ଖଣ୍ଡିଏ, ପାନ ଖାଇ, ଦିଖଣ୍ଡ ଲେଖେଁ ଅଣ୍ଟାରେ ଯାକି, ଲଣ୍ଠନଟିଏମାନ ଧରି ଜଣ ଜଣ ହୋଇଆସି ନିଜ ନିଜର ଆସ୍ଥାନ ଜମେଇଲେ । ଯେଉଁମାନେ ଜୁଟିଲେ–କିଏ ବିଲବାଡ଼ି କଥା, କିଏ ଗାଁ ହାନିଲାଭ କଥା ସବୁ କଥାବାର୍ତ୍ତା ହେଉଥାନ୍ତି । ଅନିଶା ଥାଏ–ମିଶ୍ରଙ୍କୁ । ସପନି ମିଶ୍ରେ ଓ ଦାସେ ଆସି ପହଞ୍ଚିଲେ–ଦିହିଁଙ୍କ କାନ୍ଧରେ ନାଲି ଦରପାଚିଲା ଗାମୁଛା–ନାସଦାନୀ ପାନଡିବାଟିଏ ଓ ଲଣ୍ଠନ ଖଣ୍ଡିଏ ଖଣ୍ଡିଏ । ଦୁହିଁଙ୍କୁ ଦେଖି ସମସ୍ତେ ଗପ ବନ୍ଦ କଲେ–ସତେ ଯେପରି ରଜା ଓ ମନ୍ତ୍ରୀ ଆସି ପହଞ୍ଚିଲେ । କିଏ କିମିତି ଦାସଙ୍କୁ ଚାହିଁ ଟୁପୁଟୁପୁ ହେଉଥାଆନ୍ତି–ଇଏ ଦାସ ମିଶ୍ରଙ୍କ ପଛରେ ଗୋଡ଼େଇ ଗୋଡ଼େଇ ସତେ ଯେମିତି ୫ ହାତ ଉପରକୁ ଉଠିଯିବ ? ଜୟରାମ ଯଥାସମୟରେ ଆସି ମଣ୍ଡପର ଗୋଟିଏ ପାଖରେ ବସି ଥାଆନ୍ତି–ଅପରାଧୀ ପରି । ସାଧାରଣ କଥା–ଅଭିଯୁକ୍ତ ଆସାମୀକୁ ଦେଖିଲେ, ସମସ୍ତଙ୍କ ଧାରଣା କିଭଳି ହୋଇଯାଏ ତା ପ୍ରତି–ସେ ଅଭିଯୋଗ ଠିକ୍‌ ହେଉ ଅଥବା ଭୁଲ୍‍ ହେଉ । ଗାଁର ସଭିଏଁ ଜାଣନ୍ତି, ଆଜି ଜୟରାମଙ୍କ ନାଁରେ ଅଭିଯୋଗ ହେବ ଓ ତାର ବିଚାର ହେବ । ପୁଣି ଅଭିଯୋଗ କଲାବାଲା ଖୋଦ୍‍ ସପନି ମିଶ୍ରେ । ତେଣୁ ଜୟରାମଙ୍କୁ ଆଗ ଦେଖିଲେ ସମସ୍ତେ ସମ୍ମାନ କରୁଥିଲେ ବି ଆଜି କେହି ତାଙ୍କୁ କିଛି କହୁନାହାନ୍ତି ।

 

ଦାସେ ଆରମ୍ଭ କଲେ–ବର୍ତ୍ତମାନ ତ ସମସ୍ତେ ଜୁଟିଲେଣି, କଥାପଡ଼ୁ–ମିଶ୍ରେ ଆପଣେ କହନ୍ତୁ । ସମସ୍ତଙ୍କର ଦୃଷ୍ଟି ମିଶ୍ରଙ୍କ ମୁହଁ ଉପରେ ନିବିଷ୍ଟ । ମିଶ୍ରେ ଗଳା ଖଙ୍କାରି କହିଲେ–କଥାଟା କ’ଣ ଏବେ ସୁଦ୍ଧା ଆପଣମାନେ ସମସ୍ତେ ଜାଣିଥବେ–ମୁଁ ବୋଲି ଆସିପାରିଲି ଅନ୍ୟ କିଏ ହୋଇଥିଲେ, କ’ଣ ଯେ ହୋଇଥାନ୍ତା–

 

ନାରଣ ଦାସେ କହିଲେ; ହଁ ସେ ବାଉରୀ କଥା ନା.........ଆମେ ସବୁ ଶୁଣିବାକୁ ପାଇଚୁ.....କଥାଟା ଏତେ ସହଜ ନୁହେଁ–ହଉ ଆପଣ କହନ୍ତୁ ସବୁ । ରଥେ କହିଲେ; ଆଛା ଚାଲୁ ।

 

ମିଶ୍ରେ କହି ଲାଗିଲେ–ମୁଁ ମୋ ପାଇଁ ବେଶୀ ବେସ୍ତ ନୁହେଁ, ମାନେ ଏଗାଁର ଉଣା ଅଧିକେ ସମସ୍ତଙ୍କର ଚାଷବାସ ଅଛି । ଆମେ ହେଲେ ବ୍ରାହ୍ମୁଣିଆ ଲୋକ । ମଜୁରିଆଙ୍କ ଉପରେ ନିର୍ଭର । ସେମାନଙ୍କର ଯଦି ଆମ୍ଭମାନଙ୍କ ପ୍ରତି ଗୋଟେ ଖାତିର ବା ଭୟ ନ ଥାଏ, ଆମ ଚାଷ ଗଛରେ ଉଠିଯିବ । ପୂର୍ବପୁରୁଷମାନେ ଏଇ ଖାତିରରେ ଚଳିଆସିଛନ୍ତି–ଆମର ସେ ପତିଆରାଟି ଗଲେ, ତାଙ୍କର ଘୋଡ଼ାମୁହାଁ ବଂଶଧର ବୋଲି ବୁଝିବା । ତେବେ ଆମେ ସମସ୍ତେ ତ ମୁଲିଆ ଲଗାଉଥାଇଁ, ଯଦି ପ୍ରତ୍ୟେକେ ନିଜ ନିଜର ମୂଲିଆକୁ କାଏଦାରେ ରଖେ, ତାଙ୍କର କ’ଣ ଏଡ଼େ ବହପ ହେବ । ମୋର ଯେଉଁ ‘‘ଶମାଭୋଇ’’ କାର୍ଯ୍ୟକରେ, ଆପଣ ଯେ ଯାଆନ୍ତୁ ଦଶହାତରୁ ଓଳିକି ପକାଇବ, ଏପର୍ଯ୍ୟନ୍ତ ମୋ ପାଖେ ସଳଖ ହୋଇଠିଆ ହୋଇନି, କି ମୁହଁ ଟେକି କଥା କହିନି, କିନ୍ତୁ ସେ ଦିନ ମୁଁ ଖାଲି ହିଡ଼ହଣା କଥା କହିବାରୁ ଯାହା ହେଲା ନାରାୟଣ, ନାରାୟଣ–ଗୋପୀଦାସେ କହିଲେ–ମିଶ୍ରେ ଉଣାଅଧିକେ ଏ ଗାଁରେ ୨୦ ବର୍ଷ ହେଲା ମାମଲତ କଲେଣି । ପାଞ୍ଚ ଦଶ ଗାଁରେ ତାଙ୍କୁ ସବୁ କଳିକତରାଳରେ ବି ଭଦ୍ରଲୋକେ ମାନନ୍ତି । ଏଇ ଆମରି ଗାଁରେ କେତେ କେତେ ଅଡ଼ୁଆ ନିଶାପ ସବୁ ତୁଟାଇଛନ୍ତି । ଏବେ ତାଙ୍କର ଯଦି ଅପମାନ ହେଲା ଆମର ଗାଁକୁ ହେଲାନି କି-? କାଲିତ ଆମକୁ ଦିଚାପୁଡ଼ା ପକାଇଲେ ବି କେହି କହିବାକୁ ନ ଥିବ ।

 

ରଥେ କହିଲେ–ହଁ, ତେବେ କଥାଟା କ’ଣ, ପୁଣିତ ଭଲଭାବରେ ବୁଝିବା ଚାହିଁ । ବର୍ତ୍ତମାନକୁ ଆମେ ମିଶ୍ରେ ଆପଣଙ୍କ କଥା ଶୁଣିଲେଇଁ । ତେବେ କାହିଁକି ସେ ଲୋକ ତାଙ୍କୁ ବେଜିତ୍‌ କଲା, ମାରିବାକୁ ବାହାରିଲା ଏସବୁତ ଫେରେ ତା ଠାରୁ ଶୁଣିବା ଦରକାର । କେତେକ ବି ଏ କଥାରେ ସମ୍ମତ ହେଲେ ।

 

ମିଶ୍ରଙ୍କୁ ଏ କଥାଟା ସୁଖ ଲାଗିଲାନି, କିନ୍ତୁ ପ୍ରତିବାଦ କରିବାତ ନୀତିଗତ ଭୁଲ । ତେବେ ତାଙ୍କର ଗାମ୍ଭୀର୍ଯ୍ୟ ରଖି କହିଲେ ମୋର ଏଥିରେ କିଛି କହିବାର ବି ନାହିଁ, କିଛିବି ଆପତ୍ତି କରି ଲାଭ ନାହିଁ–ମୋ ଦେହଟା ମୋ ପୂର୍ବ ଖାତିରରେ ବେଶ୍‌ ଚଳାଇ ନେଇପାରିବି, ହେଲେ ମୋ ବାଳପାଚିଲା, ଆଜିଯାଏ ଯାହା ହୋଇନି ! ତାହା କରିବାକୁ ଆପଣମାନେ ଯଦି ଚାହାନ୍ତି ତେବେ କରନ୍ତୁ । ବାଉରି ସାଥିରେ ମୋର ନ୍ୟାୟ–ତେବେ ମୋର କଥାରେ ଆପଣମାନେ ବିଶ୍ୱାସ କରିପାରିଲେନି–ୟାକୁ ମୋର ଦୁର୍ଭାଗ୍ୟ ଛଡ଼ା ଆଉ କ’ଣ କହିବି ?

 

ଦାସେ ଜୋର ଦେଇ କହିଲେ–ଆପଣମାନେ ଯାହା କହିଛନ୍ତି–ସେ ସବୁକୋର୍ଟ କଚେରୀ କଥା । ପକ୍ଷଙ୍କ ଦିପାଖୁ ସାକ୍ଷୀ ଜମାନବନ୍ଦି ସରେ, ତେବେ ରାୟ’ ଦିଆହୁଏ । ଏ ଆମର ଗାଉଁଲି କଥା–ଗାଁର ହିତ ଦୃଷ୍ଟିରୁ ଆଜି ଯଦି ଆମେ ବାଉରିକୁ ଡାକି ନ୍ୟାୟ କରିବା, ତେବେ ସେ ଆମ ସାଥୀରେ ଜଣେ ହୋଇଗଲା ।

 

ଏପର୍ଯ୍ୟନ୍ତ ଜୟରାମ ଚୁପ୍‌ ହୋଇ ବସିଥିଲେ । ଏ ସବୁ ଜିନିଷ ତାଙ୍କର ପ୍ରତିକୂଳରେ ଯିବାର ଲକ୍ଷ୍ୟକରି ଆରମ୍ଭକଲେ ଯେ ମୁଁ ସବୁକଥା ଭଲଭାବେ ବୁଝିଛି । ହିଡ଼ ଟିକିଏ କଟିଯିବା କଥା ସତ । ମିଶ୍ରେ ଯେତେବେଳେ ଦେଖିଲେ ହଠାତ୍‌ ଚମୁକିଯାଇ ମୋ ଲୋକଙ୍କୁ ପକାଇଲେ ଏକ ନିର୍ଘାତ ଚାପୁଡ଼ା ଓ ନାନା ଅସଭ୍ୟ କଥାରେ ଗାଳିଦେଲେ । ମୋ ଲୋକ ଅତି ସହିଷ୍ଣୁ, ଏଠାରେ ସମସ୍ତେ ଜାଣିଥିବେ, ସେ ଯାହାହେଉ, ବିଲ ହେଉଛି ମୋର, ବାଉରିର ନୁହେଁ । ମିଶ୍ରେ ମୋତେ କହିଥିଲେ କ’ଣ ହୋଇ ନ ଥାନ୍ତା । ତା ନ କରି ମୁଁ ନ ଥାଇ, ମୋର ବାଉରିକୁ ମାଡ଼ ଦେବା ପ୍ରକାରାନ୍ତରେ ମୋତେ ମାରିବା ପରି ହେଲା । ଏସବୁ କରି ପୁଣି କହୁଛନ୍ତି, ବାଉରିଠାରୁ କିଛି ନ ଶୁଣି ଏକତରଫା ନ୍ୟାୟ କରିବାକୁ । ତା ପରେ, ମୁଁ କ’ଣ ଲୋକଙ୍କୁ ବହପ ଦେଲି, ବୁଝିପାରୁନି । ମୁଁ ତାକୁ କହି ନ ଥିଲି କାହାକୁ ଗାଳି ଫଯିତ କରିବାକୁ । କିନ୍ତୁ ଅନ୍ୟକେହି ତାକୁ ମାଇଲେ, ସେ ତାର ପ୍ରତିରୋଧ କରିବିନି–ଏ କଥା କିଏ କାହାକୁ କହି ନ ଥାଏ ।

 

ସମସ୍ତେ ଚୁପଚାପ କଥାଟା ଖାଣ୍ଟିପରି ସମସ୍ତଙ୍କୁ ଲାଗୁଥାଏ । ରଥେ ମୁଣ୍ଡ ଟୁଙ୍ଗାରୁ ଥାନ୍ତି-। ମିଶ୍ରେ ଦେଖିଲେ କଥାଟା ବାଁ ତଳ ହେଉଛି । ନିଜେ କିଛି କହିବା ଠିକ୍‌ ମନେ ନ କରି, ଦାସଙ୍କୁ ଟିପ ମାରିଦେଲେ ।

 

ଦାସେ ଆରମ୍ଭ କଲେ ଆହେ ଜୟରାମ ଯାହା କହୁଛ କିଛି ଭୁଲ କହୁନ । ତେବେ ମିଶ୍ରେ କେତେଦିନର ମାମଲତିକାର । ତୁମେ ଜନ୍ମହେବା ଆଗରୁ, ସେ କେତେ ଅଡ଼ୁଆ ତୁଟାଇଛନ୍ତି-। ବାଉରିମାନେ ଅନ୍ଧ ମୂର୍ଖ ସେମାନଙ୍କର କଥାଟାଏ ବୁଝିବା ଶକ୍ତି ନ ଥାଏ, ତେଣୁ ସମୟେ ସମୟେ ସେମାନଙ୍କୁ ଆକଟ କରାଯାଏ । ଏ କିଛି ଆଜିର କଥା ନୁହେଁ । ପୁରୁଷ ପୁରୁଷ ଧରି ଚଳିଆସୁଛି । ତୁମ ବାପା ଥାନ୍ତେ କି କହନ୍ତେ । ସେମାନଙ୍କ ଉପରେ ତ କାହାର ଅହନ୍ତା ନାହିଁ–ମିଶ୍ରେ ଗୋଟେ ମାରିଦେଲେ–ଏମିତି ବାପ ଚଉଦପୁରୁଷ ବି କରୁଥିଲେ ଆଜିତ ନୂଆ ନୁହେଁ ତେବେ ତୁମ ବାଉରି ଜବାବ ଦେବା କଥାଟା ନୂଆ । ସେଥିରେ ତୁମେ ତାକୁ ଘଣ୍ଟ ଘୋଡ଼ାଇବା କେଉଁ ନ୍ୟାୟ ଭିତରେ ଯାଏ ।

 

ମିଶ୍ରେ କହି ଉଠିଲେ ମୁଁ ସେଦିନ ବୁଝିଛି, ଜୟରାମର ବହପ ପାଇ ନ ଥିଲେ, ମୋତେ ଜବାବ ଦେଲାବାଲା ଏମିତି କିଏ ଅଛି ।

 

ରଥେ ଏ ସବୁ କଥା ଶୁଣି ମନେ ମନେ ଉଁ ଚୁଁ ହଉଥିଲେ, କିନ୍ତୁ ମିଶ୍ରଙ୍କର ଆଖି ଦିଟା ଦେଖି ଚୁପ୍‍ ପଡ଼ିଲେ । ଜୟରାମଙ୍କର ଆଉ କିଛି କହିବାର ନ ଥିଲା । ସମସ୍ତେ ବି ଚୁପ୍‌ ।

 

ତାପରେ ମିଶ୍ରେ ଆଗତ କଲେ ଯେ ଆମ ଏ ଗାଁ ଖଣ୍ଡିକରେ ସମସ୍ତେ ଝିଅ, ବୋହୁ ନେଇ ଚଳୁଥାଇଁ । ସାମାଜିକ ଶୃଙ୍ଖଳା ଭିତରେ, ଗାଁ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ଓ ଅତୁଟ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏ ବର୍ଷେଖଣ୍ଡେ ହେଲା ଗୋଟେ ନୂଆ କଥା ଦେଖିବାକୁ ମିଳିଲା । ଆଛା ଜୟରାମ, ତୁମେ ଏ କଥା ହୃଦୟଙ୍ଗମ କରିପାରୁଥିବ ।

 

ଜୟରାମ କହିଲେ–ଆଗ କଥାଟା ଖୋଲି କହନ୍ତୁ ମୋର ଏ ଛୋଟ ଛୋଟ କଥାରେ ନଜର ନ ଥାଏ ।

 

ଦାସେ ସମ୍ଭାଳି ପାରିଲେନି । କହି ଉଠିଲେ ତୁମର ସବୁ ଖାଲି ବଡ଼ ବଡ଼ କଥା–ସେଇଥି ବୋଲି ତୁମ ବାଉରି ପାଞ୍ଚଣ ଉଠାଇଲା । ତୁମେ ଆଉ କାମ କରିବ ନା କ’ଣ ?

 

ଜୟରାମ ତ ମନେ ମନେ ଉତ୍ୟକ୍ତ ହୋଇଥିଲେ । ତାଙ୍କ ଉପରେ ଏ ଆପେକ୍ଷ ଆଉ ସହିପାରିଲେନି । କହିଲେ, ବୁଝିଲ ଦାସେ, ତୁମର ସେ ଟାଉଟରିଆ ଢଙ୍ଗ ମୋତେ ବେଶ୍‌ ଜଣା । ବେଶୀଗୁଡ଼େ ସେପରି କହନାହିଁ । ତୁମ ବାଡ଼ିତଳେ ଜୟରାମ ପଡ଼ିନି ।

 

ମିଶ୍ରେ ଦାବିଦେଇ କହିଲେ ‘ଓଃ’ କାହିଁକି କଳି କରୁଛ–ତୁମେ ଚୁପ ରହ ଦାସେ । କଥାଟା ଖୋଲି କହିବାଟା ସୁନ୍ଦର ନୁହେଁ ବୋଲି କହୁନି, ମୋର ବୟସ କେତେ ହେଲାଣି ଦେଖୁଚ–ତୁମେ ସବୁ ମୋ ପୁଅ ସମାନ ହରି ଓ ସୁଷମାର ଅବାଧ ମିଳାମିଶା ସେଦିନ ନଈ ତୁଠର କଥା–ଯା ଏବେ ବି ଗାଁରେ ଘରେ ଘରେ ଆଲୋଚନା ହେଉଚି ।

 

ଏହିଠାରେ ଜୟରାମ–କହିଲେ ମିଶ୍ରେ ଆପଣେ–ଆପଣ ଜାଣନ୍ତି ବାପା ମୋର ତାଙ୍କ ଅନ୍ତିମଶଯ୍ୟାରେ କି ଆଶା ପୋଷଣ କରି ଇଙ୍ଗିତ ଦେଇଥିଲେ । ଏବେ ବି ସେହି ମନୋଭାବ ଆମର ଅଛି । ଯଥା ସମୟରେ ଯଥାବିଧି ତାଙ୍କର ଇଚ୍ଛା ସମ୍ପନ୍ନ ହେବ । ଏ ଅବସ୍ଥାରେ ସେ ଦୁହିଁଙ୍କର ପରସ୍ପର ପ୍ରତି ଆକୃଷ୍ଟ ହେବା କିଛି ଅସ୍ୱାଭାବିକ ନୁହେଁ । ନଈକୂଳେ କ’ଣ ହୋଇଥିଲା, ତା ମୁଁ ଭଲଭାବେ ବୁଝିନେଇଛି–କଥାଟା ଯାହା ତାହା ନାରୀତୁଣ୍ଡରେ ତିଳକୁ ତାଳ ହୋଇଛି । ଏ ପରିବର୍ତ୍ତିତ ଯୁଗରେ, ସେଇ ପୁରୁଣା କଥା ଆଉ ଧରିଲେ ଚଳିବନି । ଆପଣମାନେତ ଦେଖୁଛନ୍ତି, କେତେ ମହିଳାକର୍ମୀ ଏ ଗାଁକୁ ଆସୁଛନ୍ତି–କାହିଁ କେହିତ ତାଙ୍କୁ ବାସନ୍ଦ କରୁନି । ଓଲଟି ସମସ୍ତେ ତାଙ୍କୁ ଚର୍ଚ୍ଚାକରି ଛାଡ଼ୁଛନ୍ତି । ତେବେ ଏ ବିଂଶ ଶତାବ୍ଦୀରେ । ଅଠରଶ ଶତାବ୍ଦୀର କଥା, ପଲ୍ଲୀ ବାଳକ ବାଳିକାମାନଙ୍କ ପକ୍ଷେ ପ୍ରୟୋଗ କରିବା କ’ଣ ଆମ ଗାଁରେ ଗୋଟେ Specia। case ହବ ନା କ’ଣ ?

 

ଇଂରାଜୀରେ ପଦେ ଶୁଣି, ମିଶ୍ରେ ଗର୍ଜିଉଠିଲେ–ଜୟରାମ ତୁମର ମୁଣ୍ଡ ଆଜି ବିଗିଡ଼ିଛି ନା କ’ଣ ? ଗାଁଟା ସହର ନୁହେଁ । ଭାରତର ମୋଟା ଭାଗ ଏଇ ଗାଁ ଗଣ୍ଡା–ଇଏ ଆମ ଗାଁକୁ ଯୁ ନାରୀକର୍ମୀ ସବୁ ଆସୁଛନ୍ତି, ତୁମେ ଭାବୁଛ ସେମାନେ ଆମର ଅନୁକରଣୀୟ ଓ ଆଦର୍ଶ ।

 

ବିବାହ ପୂର୍ବରୁ ଏ ପ୍ରକାର ପ୍ରୀତି ଚପଳମତି ବାଳକ ବାଳିକା ପକ୍ଷେ ବିପଦସଙ୍କୁଳ । ମାନୁଛି ତୁମର ଏ କ୍ଷେତ୍ରରେ ବିବାହ କଥା ହୋଇଛି–ତେବେ ତା ପୂର୍ବରୁ ଏସବୁ କଥା ଗୋଟେ ଖରାପ ନଜିର ହୋଇ ରହିଯିବ ।

 

ଦାସେ–କହିଲେ–କେଉଁଠି ବିବାହ କଥା ହୋଇଛି–ସବୁ ମନଗଢ଼ା କଥା–ବିଧବା ମା’ଟିଏ ନା–ଜୟରାମ ଜାଲ ପକାଇ ଗୋଟେ ଆଶାସୌଧ ଗଢ଼ିଛନ୍ତି–ଆଉ କ’ଣ କହି ଆସୁଥିଲେ, ଜୟରାମ ଉତ୍ୟକ୍ତ ହୋଇ ଦାସକୁ ମାରିବାକୁ ଚିହିଁକି ଆସୁଥିଲେ । କୌଣସି ମତେ, ଅନ୍ୟମାନେ, ଓଗାଳି ନ ଥିଲେ ଗୋଟେ ତୁମୁଳ କାଣ୍ଡ ଘଟିଯାଇଥାନ୍ତା । ଜୟରାମ ରାଗରେ ଘରକୁ ଫେରି ଆସିଲେ । ଗରମାଗରମ ଅବସ୍ଥାଟା ଦେଖି ଦାସେ ପ୍ରସ୍ତାବଟା ମିଶ୍ରଙ୍କ ହାତକୁ ଚଟ୍‌କରି ବଢ଼ାଇଦେଲେ–ପଢ଼ି ଶୁଣାଇ ଦିଆଗଲା ।

 

‘‘ଜୟରାମଙ୍କର କେତୋଟି କାର୍ଯ୍ୟ ଗାଁର ଆଦର୍ଶକୁ କ୍ଷୁର୍ଣ୍ଣ କରୁଛି । କହିବାରେ ତାଙ୍କର ଗାଁ ପ୍ରତି ଅବମାନନା ପ୍ରକାଶ ପାଉଛି । ତାଣୁ ତାଙ୍କ ସହ କେହି ସହଯୋଗ କହିବେ ନାହିଁ–ସେମିତି ଜରୁରୀ ଆବଶ୍ୟକ ନ ହେଲେ କଥାବାର୍ତ୍ତା ପର୍ଯ୍ୟନ୍ତ ନୁହେଁ । ସୁଷମା ବୋଉକୁ ତାଗିତ୍‌ କରିଦିଆଯାଉ, ଯେ ସେ ଜୟରାମଙ୍କ ପରିବାର ସହ ସମ୍ପର୍କ ଯେପରି ନ ରଖନ୍ତି । ଯଦି ସେ ଏଥିରେ ଅରାଜି ହୁଅନ୍ତି, ତେବେ ଗାଁ ବାଲା, ତାଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ ।’’ ସେତେବେଳକୁ ସମସ୍ତେ ଉତ୍ତେଜିତ ଅବସ୍ଥାରେ । କାହାର ଆଉ ବସିବାକୁ ଇଚ୍ଛା ନ ଥାଏ । ହଁ ହଁ କରି ସମସ୍ତେ ଉଠିଗଲେ । ପ୍ରସ୍ତାବ ପାଶ୍‍ ହେଲା ବୋଲି ଧରି ନିଆଗଲା ।

 

ସେହି ରାତିରେ ସେବକ ଯାଇ–ମାହାଜନ ମେଳାର ନିଷ୍ପତ୍ତି, ସୁଷମା, ବୋଉଙ୍କ ଘରେ ଶୁଣାଇ ଦେଲା–ସୁଷମା ବୋଉ ଏହିପରି କିଛି ଆଶଙ୍କା କରିଥିଲେ–ଲଥ୍ କରି ବସିପଡ଼ିଲେ–ସୁଷମା ଅଚେତନ ପ୍ରାୟ–ହରି ଭାଇ ସହ ଆଉ ସମ୍ପର୍କ ରଖିପାରିବନି–ଛୁଟିରେ ଆସିଲେ କଥା ଦିପଦ ହୋଇପାରିବନି–ମନଭିତରେ ତାର ଶତ ବୃଶ୍ଚିକର ଦଂଶନରେ ଜଳିଉଠିଲା । ଦୁଇଜଣିଆ ଗରିବ ସଂସାରଟିରେ ବହିଗଲା ଏକ ତୁମୁଳଝଡ଼–ଦେଇଗଲା ଶକ୍ତ ଘୁଣଖିଆ ଚିନ୍ତା ।

 

X            X            X            X

 

ହରିର ସୁନାମ ଛାତ୍ରମହଲରେ ଖେଳିଗଲା ଏ ଗାଁର ଯେଉଁଦିନ ସେ ଅଢ଼ାଇଶ ପିଲାଙ୍କ ମଧ୍ୟରେ ପ୍ରଥମହୋଇ ଦ୍ୱିତୀୟ ବର୍ଷକୁ ପ୍ରମୋସନ ପାଇଲା । ବିଶେଷତ୍ୱ ଥିଲା ତାର ଶତକରା ୮୫ ନମ୍ୱର ପାଇବାରେ । ଏତେ ଅଧିକ ନମ୍ୱର ଆଗରୁ କେହି କେବେ ରଖି ନ ଥିଲା । ଲଜିକ୍‌ରେ ସେ ରଖିଥିଲା ୧୦୦ରୁ ୯୫ ନମ୍ୱର–ପ୍ରଫେସର କହିଲେ ‘ମୁଁ’ ଶହକୁ ଶହେ ଦେଇଥାନ୍ତି–କିନ୍ତୁ ଖାତା ଦେଖୁଛି ଯେତେବେଳେ ବିଧିକରି ୫ଟା ନମ୍ୱର କାଟିଲି । ହରି ନମ୍ର ସହକାରେ ଶୁଣିଲା । ସାରା କଲେଜରେ ହରିର ପ୍ରଶଂସା । ଧୀର କିନ୍ତୁ ଭୀରୁ ନୁହେଁ, ନମ୍ର କିନ୍ତୁ ସ୍ପଷ୍ଟବାଦୀ, ସାଧାସିଧା ଓ ସରଳ, କିନ୍ତୁ ଅପରିଷ୍କାର ବା ଅରୁଚିସମ୍ପନ୍ନ ନୁହେଁ । ଗ୍ରୀଷ୍ମଛୁଟିରେ ୧୦/୧୨ ଜଣ ଛାତ୍ର, ଜଣେ ଅଧ୍ୟାପକଙ୍କ ପରିଚାଳନାରେ ଉତ୍ତର ଭାରତ ପରିଭ୍ରମଣରେ ଯିବାର ହେଲା ତା ଭିତରେ ହରି ଜଣେ । ପ୍ରଥମେ ପ୍ରଥମେ, ଏତେ ପିଲା ଓ ସହରର ରଙ୍ଗୀନ ଆବହାଓ୍ୟା ଭିତରେ ଗାଉଁଲି ପାଣିପବନରେ ବଢ଼ିଥିବା ହରିର ଯେଉଁ ନୀଚଧାରଣା ନିଜପ୍ରତି ଥିଲା ଯାହାକୁ Inferiority Complex ବୋଲି କୁହାଯାଏ, ତାହା କ୍ରମେ ଦୂରୀଭୂତ ହୋଇଗଲା । ନିଜ ଉପରେ ଅଗାଧ ବିଶ୍ୱାସ ସ୍ଥାପନ କରି, ହରି ଗୋଟିଏ ଆଦର୍ଶଛାତ୍ର ହେବାର ଉଦ୍ୟମ ଅନ୍ତରରେ ପୋଷଣ କଲା । ଭଲ ଡିବେଟିଂ କରିବା, କେହି ବିଦପରେ ପଡ଼ିଲେ ସାହାଯ୍ୟ କରିବା, ବଡ଼ବଡ଼ ବିଦ୍ୱାନଲୋକଙ୍କୁ କଲେଜରେ ଭାଷଣଦେବାକୁ ନିମନ୍ତ୍ରଣ କରିବା–ଅନେକ କିଛି ପ୍ରୋଗ୍ରାମ ତାର ମସ୍ତିଷ୍କଟିକୁ ଭରାକରି ରଖିଲା । କହିବା ବାହୁଲ୍ୟ ଯେ, ନିଜର କୃତୀତ୍ୱ ଓ ଅଧ୍ୟାପକମାନଙ୍କର ପ୍ରଶଂସା ହେଲା ତାର, ହୃଦୟରେ ପ୍ରେରଣା ।

 

ଗାଁରେ ଯେଉଁ ନୂତନ ବାତାବରଣଟି ସୃଷ୍ଟି ହୋଇଯାଇଛି–ହରି ଆସିଥିଲେ, ସୁଷମା ଓ ତାହାର ବିବାହ ସମ୍ପର୍କରେ କେତେକ ଆଲୋଚନା କରିବାପାଇଁ ଜୟରାମ ସ୍ଥିର କରିଥିଲେ । କିନ୍ତୁ ହରିର ଉତ୍ତରଭାରତ ଯିବା ପରିଭ୍ରମଣ କଥା ଶୁଣି, ଏସବୁ କଥା ପୂଜାଛୁଟିକୁ ସ୍ଥଗିତ ରହିଲା । ପ୍ରଥମେ ପ୍ରଥମେ, ଗାଁ ବାସନ୍ଦ ଜୟରାମକୁ ଅଶ୍ୱସ୍ତିକର ବୋଧ ହେଉଥିଲେ ବି, ପରେ ଦେହସୁହା ହୋଇଗଲା ।

 

ଗୋପୀ ଦାସେ ଏ ମଧ୍ୟରେ ବହୁବାର ସୁଷମା ବୋଉଙ୍କ ଘରକୁ ଯାଇଛନ୍ତି–ଅତି ଆପଣାର ହୋଇ ପଡ଼ିଛନ୍ତି । ହରିର ଗ୍ରୀଷ୍ମଛୁଟିରେ ଆସିବା କଥାଟା ଶୁଣି, ମନେମନେ ବଡ଼ ଛକପକ ହେଉଥାନ୍ତି–କିନ୍ତୁ ଯେତେବେଳେ ଶୁଣିଲେ ଯେ ହରିର ଗ୍ରୀଷ୍ମଛୁଟିରେ ଆସିବା ସମ୍ଭବ ନୁହେଁ ମନେ ମନେ ଭାବିଲେ ପୁଣି ସମୟ ପାଇଗଲେ–ଚକେଗଲେ ବାରହାତ । ସୁଷମା ବୋଉଙ୍କ ଘରକୁ ଯାଇ ଅତି ସରଳଭାବରେ କହିଦେଲେ ଯେ, ହରି ଏଥର ଗ୍ରୀଷ୍ମଛୁଟିରେ ଆସୁନାହାନ୍ତି–କୁଆଡ଼େ କାଶ୍ମୀର ଇତ୍ୟାଦି ଭ୍ରମଣରେ ଯାଇଛନ୍ତି । ସୁଷମା ବୋଉ ନ ଜାଣିଲା ପରି ଚାହିଁ ରହିଲେ ସୁଷମା ଆଡ଼କୁ । ସୁଷମା କହିଲା–ସେ ବି ଏ ସମ୍ୱନ୍ଧେ କିଛି ଜାଣିନି । ଦାସେ ମୂରବିପଣିଆରେ କହି ଚାଲିଲେ, ବୁଝିଲ ସୁଷମା ବୋଉ, ଖବର ନ ପାଇଲ ବୋଲି ଦୁଃଖ କରି ଲାଭନାହିଁ–ପ୍ରଥମରୁ କହିଛି ଦୁନିଆଟା ଏଡ଼େ ସରଳ ନୁହେଁ । ଗାଁରେ ଥିବାବେଳେ ଯେଉଁ ପିଲେ, ପାଲା, ଯାତ୍ରା, ଥିଏଟର ସବୁ ଦେଖି ଅସୀମ ଆନନ୍ଦ ପାଆନ୍ତି, ସହରରେ କିଛିଦିନ ରହି ସିନେମା, ବାଇସକୋପ ଦେଖିଲେ, ପୁଣି ଫେରିଆସି ‘ଯାତ୍ରା’ ଦେଖିବାକୁ ଲାଜ ଲାଗେ, ‘ସହରରେ ରସଗୋଲା, ପୁରି ବା ଦୋସା ସମ୍ୱର ଖାଇ ଖାଇ, ଗାଁରେ ଖରାପିଠିଆ ହୋଇ ମୁଢ଼ି ସୋରିଷତେଲ ଖାଇବାକୁ ସଙ୍କୋଚ ଲାଗେ । ଲୁଚେଇ ସିନା ଖାଇବେ, କାଳେ କିଏ ଦେଖି ପକାଇବ ବୋଲି । ସହରି ଝିଅ ପୁଅଙ୍କ, ଠାଣି ପ୍ରକାର ଦେଖି, ମଫସଲକୁ ଆସି, ଏ ସାଧାସିଧା ଲୋକକୁ ଦେଖିଲେ ସେମାନଙ୍କୁ ହସ ଲାଗେ–ଏଗୁଡ଼ାକ ନିପଟ ମଫସଲି ବୋଲି । କଲେଜରେ ପୁଅ ଝିଅ ସମସ୍ତେ ଏକ ଘାଣ୍ଟ ତରକାରୀ–ସେଇଥିପାଇଁ କହୁଥିଲି–ବିବାହ କଥା ହୋଇଛି ଯେବେ, ଜଲଦି କରିନିଅ, ତା ତ ହେଲାନି, ଆଉ ଏବେ ସେକଥା ଉଠୁଛି କି ନାହିଁ ଦେଖ । ତାଙ୍କର ତ ପୁଅ–ପୁଣି କିଛି ବାପ, ମା’ ନାହାନ୍ତି ଯେ, କିଛି ଗୋଟିଏ ଭରସା ରଖିବ–ମୁରବି ଭାଇ, ପୁଅତ କିଛି ପଚି ଯାଉନି–ଜୟରାମ ଲାହିରେ ତେଲ ପକାଇ ବସିଛନ୍ତି । ମଝିରେ ତୁମେ ଝିଅଟିଏ ଜନ୍ମ କରି ଯେଉଁ କୁହୁଡ଼ିରେ ପହଁରୁଛ ନା, ହାତଗୋଡ଼ ଭାଙ୍ଗିଯିବ । କିଛି ଖରାପ ଭାବିବନି, ଏଗୁଡ଼ିକ ଟିକିଏ ଭାବିଚିନ୍ତି ଦେଖ । କହି ଦାସେ ଗଡ଼ଜିଣିବା ପରି ଫେରି ପଡ଼ିଲେ ।

 

କଥାଗୁଡ଼ାକ, ମା’ ଓ ଝିଅ ଉଭୟଙ୍କ ମନରେ ସୃଷ୍ଟି କଲା ତୀବ୍ର ଆନ୍ଦୋଳନ । ଗୋପୀନାଥ ମାମଲତିକାର ହେଉ, ଠକ ହେଉ ବା ପାଜି ହେଉ, ଏ କଥାଗୁଡ଼ିକ କିପରି ଗରୁ ଗରୁ ପରି ଲାଗିଲା । ପ୍ରକୃତରେ ତ ଜୟରାମଙ୍କ ପରିବାର ସହ ଆଉ କଥାବାର୍ତ୍ତା ନାହିଁ–କ’ଣ ତାଙ୍କର ଖବର ଅନ୍ତର କିଛି ତ ଜାଣି ହେଉନି–ଖାଲି ଆଶା ଆଶଙ୍କାରେ ସମୟ ବିତିଯିବା ହିଁ ସାର ହେଉଛି-। କିପରି ଏବେ ପ୍ରସଙ୍ଗ ଉଠିବ ।

 

ସୁଷମାର ହରିଭାଇ ତା ହୃଦୟରେ ସେହିପରି ମୂର୍ତ୍ତିମନ୍ତ । ଅତୀତର ସେହି ସ୍ମୃତିଗୁଡ଼ିକରେ ଦୁହେଁ ରାଜା ଓ ରାଣୀ । ଅବିଶ୍ୱାସ କରିପାରିଲେନି ସେ । ସନ୍ଦେହ ତାର ହୁଏ–ଗାଁବାଲା ଯେପରି ସବୁ ଷଡ଼ଯନ୍ତ୍ର କରିଛନ୍ତି ତାଙ୍କର ଏ କ୍ଷୁଦ୍ର ଅସହାୟ ପରିବାରଟି ବିରୁଦ୍ଧରେ । ଏ ପରିବାରଟି ଉପରେ କାଳେ ଦାଉ ସାଧିବେ, ସେଥିଯୋଗୁଁ ଅବା ହରିଭାଇ ଚିଠି ଦେଉ ନ ଥିବେ ବା ସେହିଯୋଗୁଁ, ଜୟରାମ ଚୁପ ଅଛନ୍ତି । ଜୟରାମ ହୁଅନ୍ତୁ ବା ହରିଭାଇ ହୁଅନ୍ତୁ, ଆମର ଯେପରି କିଛି କ୍ଷତି ନ ହୁଏ, ସେଥିଯୋଗୁଁ ବୋଧହୁଏ ତଫାତ୍‍ ରହିଛନ୍ତି । କଲେଜରେ ଅନ୍ୟ ଝିଅ ପଢ଼ନ୍ତି–ପୁଅ ଝିଅ–ଗୋଳଘାଣ୍ଟ ତରକାରୀ–ମନ ତାର ସନ୍ଦିଗ୍ଧ ହୋଇଉଠେ, କିନ୍ତୁ ପରେ ଭାବେ ଦାସେ ମାମଲତିକାର ଓ ଉଦ୍ଦେଶ୍ୟପୂର୍ଣ୍ଣ ତାଙ୍କର କଥା ।

 

ସୁଷମା ବୋଉ କିନ୍ତୁ ଦାସଙ୍କ କଥାରେ ପ୍ରଭାବିତ । କେତେ କଥା ହରି କହି ଯାଇଥିଲା–ମାସକେ ଥରେ ଆସିବ–କେତେ ଲୁହ, କେତେ କାନ୍ଦ,–ଏବେ କିଛି ସ୍ୱର ଶବ୍ଦ ନାହିଁ । ଦାସେ କ’ଣ ଏତେ ଗଢ଼ଚକ୍ର କରି କଥା କହୁଛନ୍ତି । କିଛି ଥିବ କଥାରେ ନିଶ୍ଚେ ।

 

ମା’ ଝିଅ କେହି କାହାକୁ ଏ ସମ୍ୱନ୍ଧେ କିଛି ପଚାରନ୍ତିନି । ଦୁହେଁ ଭାବନ୍ତି–କିଏ କଅଣ ଭାବନ୍ତି ଅପର ଜାଣେନି । ଅଡ଼ୁଆ କଥାଟେ–କିଏ କାହାକୁ କହିବ । ହବା କଥାଟାରେ ବିରାଡ଼ି ଛିଙ୍କିବା କଥା । ଦାସଙ୍କ ପୁଅ ନିତେଇ ଅନେକ ସମୟରେ ଏଣିକି ସୁଷମା ବୋଉଙ୍କ ଘରକୁ ଯା ଆସ କରେ । ହରି ନାହିଁ–ଜୟରାମଙ୍କ ପରିବାର ଅଟକ । ନିଶଙ୍କ ଓ ଅପ୍ରତିଦ୍ୱନ୍ଦୀ ଯେପରି । ଦାସେ ଏ ଯା ଆସ ଟା କରିବାକୁ ବହୁ ଆଗରୁ ଇଙ୍ଗିତ ଦେଇଥିଲେ ବି, ନିତେଇ ପରି ବୋକା ମୂର୍ଖକୁ ଅକଡ଼ିଆ ଲାଗୁଥିଲା । ଏବେ ତ କେହି ନାହିଁ–ବାଟ ପୁରା ସାପ୍‌ । ସୁଷମା ବୋଉ ଆଗ୍ରହ କରନ୍ତି–ଖାଇବା ପାଇଁ ବେଳେ ବେଳେ ଭୁଜା ଚୁଡ଼ା ଯାହା ଥାଏ ଦିଅନ୍ତି–ଭାବନ୍ତି ସବୁଆଡ଼େ ମୁହଁ ଥାଉ–ଗରିବ ଲୋକ, କାହାକୁ ମୁହଁ ଛିଞ୍ଚାଡ଼ିବେ । ସୁଷମା ଦେଖା ଦିଏନା–ଆଗରେ ପଡ଼ିଲେ ମୁହଁ ଭାଙ୍ଗି ଚାଲିଯାଏ–ବୋଉ ଡାକିଲେ ବି କାମରେ ବ୍ୟସ୍ତ ଅଛି ବୋଲି ଜବାବ ଦେଇଦିଏ ନିତେଇକୁ ଶୁଣେଇ ଶୁଣେଇ । ଭାବେ ସବୁ ଦାସଙ୍କ କାରସାଦି । ଯାହାଙ୍କୁ ହୃଦୟର ସାଥୀରୂପେ ଧରିନେଇଛି ସେ, ଯାହାକୁ ନେଇ ଗଢ଼ି ଉଠିଥିବା ଅଭୁଲା ମଧୁର ସ୍ମୃତିଗୁଡ଼ିକ ମନେପଡ଼ି ରୋମାଞ୍ଚ ହୁଏ–ସେ ସ୍ମୃତି କ’ଣ ସ୍ମୃତିରେ କେବଳ ରହିଯିବ ? ସନ୍ଦେହ ହୁଏ, ପ୍ରକୃତରେ କ’ଣ ହରିଭାଇ ତାକୁ ଭୁଲିଗଲେଣି–ସହରରେ ତ ମନଭୁଲାଣିଆ ଛବି ବହୁତ ଅଛି–ନା ସେ ଭୁଲି ନ ଥିବେ କେବେ ଏହି ଆଶା ଓ ଆଶଙ୍କାରେ ମନ ତାର ଭାରାକ୍ରାନ୍ତ ହୋଇଯାଏ । ଅବଶ ହୋଇଯାଏ ତାର ସର୍ବାଙ୍ଗ । ମୁହଁ ମାଡ଼ି ନିଜ ପଢ଼ାଘରେ ଶୋଇପଡ଼େ–ଖାଲି ଭାବେ । ନିତେଇ ମୁହଁ ଚୁନପତର ଖାଇଲା ପରି କରି ଫେରେ ।

•••

 

(ବାର)

 

ସେ ଦିନ କଲେଜରେ ଡିବେଟିଂ ବିଷୟ–‘‘ସମାଜର ଅଗ୍ରଗତିରେ ଅଧ୍ୟାପକମାନଙ୍କର ଦାନ ଆଇନଜୀବିମାନଙ୍କ ଅପେକ୍ଷା ମହତ୍ତର ।’’ ଭଲ ଭଲ ବାଗ୍ମୀ ଅଧ୍ୟାପକମାନେ ବିଷୟର ସପକ୍ଷରେ ଥାଆନ୍ତି ଓ ସହରର ବିଶିଷ୍ଟ ନିମନ୍ତ୍ରିତ ଓକିଲମାନେ ବିଷୟର ବିପକ୍ଷରେ ପ୍ରସ୍ତୁତ । ଓକିଲମାନଙ୍କ ତରଫରୁ ନେତା ବିଶିଷ୍ଟ ଓକିଲ ଧନପତି ବାବୁ । ଏ ଧନପତିବାବୁ କଲେଜ ଗଭର୍ଣ୍ଣିବଡ଼ିର ମୁଖିଆ ମେମ୍ୱର–ତାଙ୍କର ଗୋଟିଏ ଝିଅ ଛଡ଼ା ଏ ସଂସାରରେ ଆଉ କେହି ନ ଥାନ୍ତି–ତେଣୁ ସବୁ ପ୍ରଧାନ ପ୍ରଧାନ ଅନୁଷ୍ଠାନମାନଙ୍କର ତାଙ୍କୁ ଡକରା । ଏ ସବୁଥିରେ ବି ସେ ଅକୁଣ୍ଠିତ ଚିତ୍ତରେ ଯୋଗ ଦେଇପାରନ୍ତି । ଓକିଲ ହିସାବରେ ପ୍ରତିପତ୍ତି ଅଛି–ଦୀର୍ଘ ଚେହେରା–ଗୋରା ତକ ତକ ଦେହ–ନାସା ଦୀର୍ଘ ତାଙ୍କର ଚେହେରା ଦେଖିଲେ ହାକିମମାନେ ସ୍ୱତଃ ଟାଣି ହୋଇଯାଆନ୍ତି–ତର୍କଣାଗୁଡ଼ିକ ବଡ଼ ଗବେଷଣାମୂଳକ ଓ ଜେରାଗୁଡ଼ିକ ପ୍ରତ୍ୟୁତ୍ପନ୍ନମତି ପ୍ରସୂତ । ଅର୍ଥଲୋଲୁପୀ ହେଲେ ହେଁ ତାଙ୍କର ଖ୍ୟାତି ଯୋଗୁଁ ଅନେକ ଅନୁଷ୍ଠାନମାନଙ୍କୁ ଅର୍ଥ ସାହାଯ୍ୟ କରନ୍ତି ।

 

କଲେଜ ହଲ୍‍ରେ ଦେଖିବାକୁ ବହୁତ ଲୋକ ସମାଗମ ହୋଇଥାଏ । ଛାତ୍ରୀ ଓ ଶିକ୍ଷକମାନେ ବି ଯୋଗ ଦେଇଥାଆନ୍ତି । ଖୋଦ୍‍ ଅଧ୍ୟକ୍ଷ ସଭାପତି ହୋଇଥାଆନ୍ତି । ଅଧ୍ୟାପକମାନଙ୍କ ପକ୍ଷରେ ‘ହରିହର’ ଛାତ୍ର ମହଲରୁ ଥାଏ । ସେ ଦିନ ବଡ଼ ଗରମାଗରମ ଆଲୋଚନା ଚାଲିଲା । ଅଧ୍ୟାପକମାନଙ୍କର ନେତା, ଓକିଲମାନଙ୍କୁ ମିଥ୍ୟାବାଦୀ ଲୋଭୀ ଓ ସମାଜର ପକା ଦୋଷୀ ସାବ୍ୟସ୍ତ କରନ୍ତି । ଯେ ନରହନ୍ତା, ତାଙ୍କୁ ବି ନିର୍ଦୋଷ ପ୍ରମାଣ କରାଇବାକୁ ଓକିଲ ଥାଆନ୍ତି–ତେଣୁ ଏ ପ୍ରକାର ଓକିଲମାନଙ୍କୁ ସମାଜର ‘Criminal’ ବୋଲି କୁହାଯାଇପାରେ-

 

ଓକିଲମାନଙ୍କ ତରଫରୁ ପ୍ରଫେସରମାନଙ୍କୁ ବୋକା, ଗ୍ରାମଫୋନ ମେସିନ ବୋଲି ଆଖ୍ୟା ଦିଆଗଲା–ସେମାନେ ଖାଲି କହିବେ In my last lecture I told you ଇତ୍ୟାଦି–ବାହ୍ୟ ଜଗତ ସମ୍ୱନ୍ଧରେ କିଛି ଜଣାନାହିଁ । ପିଲେ ପଢ଼ନ୍ତି ପାଶ୍‍ କରନ୍ତି–ସେମାନେ ଖାଲି ବେକାର ସୃଷ୍ଟି କରୁଛନ୍ତି । ଏଇମାନଙ୍କ ଭିତରୁ ଗୁପ୍ତପ୍ରଣୟରେ ଲିପ୍ତ ଥିବା Case ସବୁ ବି ଓକିଲମାନଙ୍କ ପାଖକୁ ଆସେ ଇତ୍ୟାଦି ।

 

ଆଲୋଚନା ବଡ଼ ଉପଭୋଗ୍ୟ ହେଲା–କିନ୍ତୁ ଦୁଇପକ୍ଷ ରଗାରଗି ଖୁବ୍‌ ଗୁଡ଼େ ହେଲେ । ଏତିକିବେଳେ ଧନପତିବାବୁ କହିଲେ–ହେଉ ହେଉ ଓକିଲମାନେ ସମାଜର ହନ୍ତା–ତେବେ ଯେଉଁମାନଙ୍କ ଅଧ୍ୟାପନାରେ ଏମାନଙ୍କର ସୃଷ୍ଟି, ସେମାନଙ୍କୁ ହନ୍ତାମାନଙ୍କର ଗୁରୁ ବୋଲି କୁହାଯାଇପାରେ–ଏତିକିରେ ସଭା ମଧ୍ୟରେ ଘନ ଘନ କରତାଳି ଧ୍ୱନି ଶୁଭିଲା । ଓକିଲମାନେ ମନେ ମନେ ଉଚ୍ଛ୍ୱସିତ ହେଲେ ।

 

ସଭାର ଉତ୍ତେଜନା ଟିକିଏ ଥମିବାବେଳେ–ହରିହର ଉଠିପଡ଼ିଲା–କହିଲା–‘ବୁଦ୍ଧି ଗୋଟିଏ ଏପରି ଜିନିଷ, ଯାହା ଥିଲେ ଲୋକ ଯେଉଁ କାର୍ଯ୍ୟରେ ହାତ ଦେଉନା କାହିଁକି, ସେଥିରେ ବିଜୟୀ ହୁଏ । ଏହି ପ୍ରଖର ବୁଦ୍ଧି ଯୋଗୁଁ , ବିହାରୀଲାଲ ନାମ ସାରା ଭାରତରେ ବି ଜଣା । ଅଧ୍ୟାପକମାନଙ୍କ ଶିକ୍ଷାରେ, ବୁଦ୍ଧି ମାର୍ଜିତ ଓ ଶାଣିତ ହୁଏ ଓ ଛାତ୍ରମାନେ ଛାତ୍ରୋତ୍ତର ବୈଷୟିକ ଜୀବନରେ ପ୍ରବେଶ କଲେ ତାଙ୍କ ବୁଦ୍ଧି ସେମାନଙ୍କର ବହୁ କ୍ଷେତ୍ରରେ ବିଜୟର କାରଣ ହୁଏ । ଅଧ୍ୟାପକମାନେ ବୁଦ୍ଧି ଶିଖାନ୍ତି, କିନ୍ତୁ ବୁଦ୍ଧିର ପ୍ରୟୋଗ ଅସତ୍‌ ପନ୍ଥାରେ କରିବାକୁ ମନା ବି କରିଥାନ୍ତି-। ତା ସତ୍ତ୍ୱେ ଓକିଲମାନେ ତାଙ୍କ ଶାଣିତ ବୁଦ୍ଧିର ପ୍ରୟୋଗ ଯଦି ନରହନ୍ତାକୁ ରକ୍ଷା କରିବାରେ ପ୍ରୟୋଗ କରନ୍ତି, ସେଥିରେ ଅଧ୍ୟାପକଙ୍କର ଦୋଷ ଆସିଲା କେଉଁଠୁ ? ତୀକ୍ଷ୍ଣ ବୁଦ୍ଧି ଯଦି ସେମାନେ ଅନ୍ୟ ସତ୍‌ବାଟରେ ସମାଜର କଲ୍ୟାଣ ସାଧନରେ ଓ ନିରପରାଧୀଙ୍କ ରକ୍ଷା ଉଦ୍ଦେଶ୍ୟରେ ପ୍ରୟୋଗ କରନ୍ତେ, ତେବେ ନରହନ୍ତା ବୋଲି ମାନିନେବା କଥାଟା ସେମାନେ କହିବାର ଅବକାଶ ତ ନ ଥାନ୍ତା-

 

ଅଧ୍ୟାପକମାନେ Hear Hear ପାଟି କଲେ–ସାରା ସଭା ହଲଟି ଆନନ୍ଦରେ କମ୍ପି ଉଠିଲା–ଏତିକିରେ ସଭା ସରିଲା । ଅଧ୍ୟକ୍ଷ ହରି ଉପରେ ଏତେ ଖୁସି ହେଲେ ଯେ, ଉଠି କୁଣ୍ଢାଇ ପକାଇଲେ ।

 

ଧନପତିବାବୁ ପିଲାଟିର ପରିଚୟ ଜାଣିବାକୁ ଅତ୍ୟନ୍ତ ଉତ୍କଣ୍ଠା ପ୍ରକାଶ କଲେ । ଅଧ୍ୟକ୍ଷ ଓ ଅଧ୍ୟାପକମାନେ ପରିଚୟ କରାଇ ଦେଲେ, ହରିହର ବିନୟର ସହ ପ୍ରମାଣ କଲେ–ଧନପତିବାବୁ ଆଶୀର୍ବାଦ କରି କିଛି ସମୟ ଚାହିଁ ରହିଲେ । ଏତିକିବେଳେ ଗାର୍ଲସ୍କୁଲ ସାଙ୍ଗ ଛାତ୍ରମାନଙ୍କ ମଧ୍ୟରୁ ମଞ୍ଜୁ ନମସ୍କାର କରି ବାପାଙ୍କ ପାଖୁ ଆସିଲା ଘରକୁ ଯିବ ବୋଲି । ସେ ଯେ ଡିବେଟିଂ ଶୁଣିବାରେ ବିଶେଷ ତତ୍ପର ଥିଲା ତାହା ଭାବଭଙ୍ଗୀରୁ ବେଶ୍‌ ଜଣାଯାଉଥାଏ । ଆନ୍ତସ୍କୁଲ ପ୍ରତିଯୋଗିତା ପାଇଁ ସେ ଗାର୍ଲସ୍କୁଲ ତରଫରୁ ବଛାହୋଇଛି, ତେଣୁ ସେ ନେଇ କିଛି ଅଭିଜ୍ଞତା ଲାଭ କରିବା ପାଇଁ ସେ ଇଚ୍ଛୁକ ଥିଲା । ମଞ୍ଜୁଳା ବାପାଙ୍କ ପାଖେ ହରିହରକୁ ଦେଖି ମନେ ମନେ ତାହାଙ୍କର ବାଗ୍ମୀତାରେ ପଟୁତା କଥା ଭାବିବାକୁ ଲାଗିଲା–ମଧ୍ୟେ ମଧ୍ୟେ ହରି ଆଡ଼କୁ ଚାହୁଁଥାଏ । ଧନପତିବାବୁ ଅଲକ୍ଷ୍ୟରେ ଏସବୁ ବାରି ନେଉଥାନ୍ତି । ଯୁବକର ଗୌରବ ତାକୁ ଯୁବତୀର ଆଖି ଆଗକୁ ଟାଣି ଆଣିବା ସ୍ୱାଭାବିକ । ବାଟଯାକ ଧନପତିବାବୁ ଭାବୁଥାଆନ୍ତି I.A ଶେଷ ଶ୍ରେଣୀର ପିଲା ତୁଣ୍ଡରୁ, ଏପରି ଚମତ୍କାରଭାବେ କଥା ଶୁଣିବା–ଏଇ ପ୍ରଥମ । ଦେବଦତ୍ତ ବୁଦ୍ଧି ନ ଥିଲେ ପିଲା–ଏତେ ଅଳ୍ପ ବୟସରେ ଏପରି ହେବା ସମ୍ଭବ ନୁହେଁ–ଭାବନା ମଧ୍ୟେ ମଧ୍ୟେ ନିଜ ଝିଅ ଆଡ଼କୁ ବି ସେ ନଜର ଦେଉଥାଆନ୍ତି । ବାପାଙ୍କର ଚିନ୍ତାକୁଳ ମୁଖ ଓ ମଧ୍ୟେ ମଧ୍ୟେ ଏପରିଭାବେ ତାକୁ ଚାହିଁବା, ମଞ୍ଜୁଳାକୁ ଅସ୍ୱାଭାବିକ ବୋଲି ମନେ ହେଉଥାଏ ।

 

Unknown

ମଞ୍ଜୁଳାର ଅନ୍ତର ଏ ପିଲାଟି ପ୍ରତି ସେତିକିବେଳୁ ଭକ୍ତିରେ ପୂରି ଯାଇଥାଏ । ଭଲ ହେଉ ବା ମନ୍ଦ ହେଉ ମଣିଷ ଜୀବନରେ ଏପରି ଗୋଟିଏ ଗୋଟିଏ ମୁହୂର୍ତ୍ତ ଆସି ପହଞ୍ଚେ, ଯେଉଁଥିରେ ହୁଏତ ତାର ଭାଗ୍ୟ ଉଠିଯାଏ କାହିଁ କେଉଁଠିକୁ, କାହାର ବା ଖସିଯାଏ କେଉଁ ପାତାଳ ଗର୍ଭକୁ । ଗରିବ ପିଲା ହରି–ଗାଉଁଲି ମଫସଲରେ ବଢ଼ିଛି । କେତେବାଟ ଉହୁଙ୍କି ପାରିବ ସେ । ସହରରେ ଆଜିକାଲି ପଢ଼ିବା କେତେ ବ୍ୟୟସାପେକ୍ଷ–ବୃତ୍ତି ପାଉଥିଲେବି ସେ କାହିଁରେ କେତେ ? ତେବେ ଭଲ ପଢ଼େ–ବୁଦ୍ଧି ତୀକ୍ଷ୍‍ଣ–ମେଧାବୀ, ବାଗ୍ମୀ–ଦୈବାତ୍‌ ଧନପତିବାବୁଙ୍କ ଭଳି ଲୋକର ସୁନଜରରେ ପଡ଼ିଯିବା ନିଶ୍ଚୟ ଗୋଟିଏ ସୁମୁହୂର୍ତ୍ତ । ମେଧାବୀ କ’ଣ ନାହାନ୍ତି–କେତେ ପ୍ରତିଭା ଯେ ବଣରେ ମଉଳି ଯାଉଛି–ଆହାର ନ ପାଇ କିଏ ଜାଣେ ? ହରି ଯିବା ଆସିବା କରେ । ଧନପତିଙ୍କ ସଂସାରରେ ଝିଅଟି ତାଙ୍କର ସବୁ । ମନେ ଭାବନ୍ତି କୌଣସି ଗୋଟିଏ ଯୋଗ୍ୟ ଜ୍ୱାଇଁ ମିଳିଲେ–ତାଙ୍କର ଉତ୍ତରାଧିକାରୀ ହୋଇ ରହନ୍ତେ । ଭଲ ଜ୍ୱାଇଁ ମିଳି ପାରନ୍ତି । କିନ୍ତୁ ଏହାକୁ ଘରେ ରହିବା ଶୁଣି ରାଜି ହେଲେତ ହୁଏ, ହରି ପରି ମେଧାବୀ ଛାତ୍ର–ପୁଣି ଗାଉଁଲି–ଯଦି କୌଣସି ମତେ ନିଜର ହୋଇପାରେ ତେବେ ନିଜ ପୁଅ ପରି ୟାକୁ ଟାଣି ନେଲେ ହୁଅନ୍ତା । ତେବେ କିଏ କିପରି, ଭଲଭାବେ ନ ଜାଣିଲେ ତ କିଛି କରିବା ଠିକ୍‌ ହେବନି । ମନ କଥା ମନରେ ଥାଏ–

 

ହରି ବି ଯିବା ଆସିବା କରେ । ନାମଜାଦା ଲୋକ–ସାଧାରଣତଃ କ୍ଷଣେ ରୁଷ୍ଟ, କ୍ଷଣେ ତୁଷ୍ଟ ପ୍ରକାରର । ଥରେ ଧନପତିବାବୁ ହରିକୁ ଟିକିଏ ମଞ୍ଜୁର ପଢ଼ା ପ୍ରତି ନଜର ରଖିବାକୁ ଅନୁରୋଧ କରିଥିଲେ–ପଇସାପତ୍ର କଥା କହିବାକୁ ବଡ଼ ଦୋଦୋପାଞ୍ଚ ହେଲେ । ଏତେ ଭଲ ପାଉଛି ମନର ଆଶା କେଉଁଠି–ଗୋଟେ ଦରମା କଥା କ’ଣ କହିବି ? ପୁଣି ହରି ତ ମୋ ଭିତରର କଥା ଜାଣିନି ବା ଜାଣିବାତ ଏବେ ଠିକ୍‌ ନୁହେଁ । ସେ ଯଦି ଭାବେ–ଧନୀ ଲୋକ ମାଗଣାରେ ସୁବିଧା ମାରିନେବାକୁ ତିଆର । ସେପରି ଗୁଡ଼େ ଭାବି, ଶେଷରେ ପ୍ରସଙ୍ଗ ଉଠାଇଲାକ୍ଷଣି ହରି କହିଲା, ଆଜ୍ଞା ମୁଁ ବୃତ୍ତି ପାଉଛି–କୌଣସି ପ୍ରକାର ଦରମା ଇତ୍ୟାଦି ଜିନିଷ ମୋର ଗ୍ରହଣ କରିବାତ ଠିକ୍‌ ହେବନି–ତାପରେ ମୁଁ ଆସି ତତ୍ତ୍ୱ ନେଇଯିବି ମୋ ବେଳରେ । ଧନପତି ବାବୁ ବଡ଼ ଗୋଟିଏ ଆନ୍ଦୋଳନରୁ ବଞ୍ଚିଗଲେ–ସେହି ଦିନଠାରୁ ହରି ସମୟେ ସମୟେ ଯା ଆସ କରେ–ମଞ୍ଜୁକୁ ଆଲଜେବ୍ରା ଇଂଲିସ୍‌ ପ୍ରଭୃତି ପ୍ରାଞ୍ଜଳଭାବେ ବତାଇଦିଏ–ବେଳେ ବେଳେ ତାଙ୍କ ଘରେ ଜଳଖିଆ ଇତ୍ୟାଦି ସେମାନଙ୍କର ଅନୁରୋଧରେ କରିନିଏ । ଏତେକଥା ଭିତରେ ନିଜର ନିଜତ୍ୱ ଟିକକ ରଖିଥାଏ ଯା ବଳରେ ସେ ଗୌରବ ସହକାରେ ଆସେ ଓ ଫେରେ । ଯୁବକ ଯୁବତୀ–ଯେତେ ହେଲେ ଗୋଟିଏ ସରସ ଛୋଟ ଜଗତ ପରି ଜଣାପଡ଼େ, ଧନପତିବାବୁ ଓକିଲ ଲୋକ । ନାନା ଅନୁଷ୍ଠାନକୁ ଯିବାରେ ବ୍ୟସ୍ତଥାନ୍ତି । ପୂଜାରୀ ଟୋକାଟିଏ ଓ ବଗିଚା ମାଳି ଦୁହେଁ ଦରମାଖିଆ ଚାକର ଯାହା ଥାନ୍ତି । ସେମାନେ ବି ହରିକି ଦେଖିଲେ ଭକ୍ତି କରନ୍ତି । ମଞ୍ଜୁର ସାନ୍ନିଧ୍ୟରେ ହରିର ମନେପଡ଼େ ସାବିତ୍ରୀ ଅମାବାସ୍ୟାର ସ୍ମୃତି–ସୁଷମାର ସ୍ପର୍ଶ, ଗୋଟିଏ ସରସ ବିଜନତା–ଆହା, କେତେଦିନୁ ଦେଖିନି ତାକୁ ଚିଠି ବି ଦେଇପାରିନି । ଭାଇନା କହୁଥିଲେ ଗାଁରେ କ’ଣ ଫୁଟରଫାଟର ଚାଲି ତାଙ୍କ ଘର ବାସନ୍ଦ କରିଛନ୍ତି–ଆଉ ସୁଷମା ଯାଉନି ତାଙ୍କ ଘରକୁ । ଛାଡ଼ ସେ କଥା ଏସବୁ ମାମଲତିକାରି–ତୁଛା ଗୋଲାଘାଣ୍ଟିଆ କଥା–କାମ ତ ନାହିଁ–ସନ୍ଧ୍ୟାବେଳେ ବସିଲେ ତ ଚାଲିଲା ଚୁଗୁଲି । ନଈ ଗାଧୁଆ ତୁଠତ ଗୋଟେ ଟେଲିଫୋନ୍‌ ଏକ୍ସ୍‌ଚେଞ୍ଜ–ମୋର କର୍ତ୍ତବ୍ୟ ଆଗେ ସାରେ–ଆଇ. ଏ. ପରୀକ୍ଷା ମୁଣ୍ଡଉପରେ । ଫେରେ ୟାଙ୍କ ଘରେ ଗୋଟେ ଯୁଟିଛି–କ’ଣ କରିବା–ବଡ଼କୁ ଉତ୍ତର ନାହିଁ, ସ୍ୱର୍ଗକୁ ନିଶୁଣି ନାହିଁ । ସମସ୍ତଙ୍କୁ ତ ଜଗି ଚଳିବା । ଏପରି ଭାବିବାବେଳେ ହରିର ମୁହଁ ଭାବଭଙ୍ଗିରେ ଘନଘନ ପରିବର୍ତ୍ତନ ହେଉଥାଏ । ମଞ୍ଜୁ ପଚାରେ ଆପଣ କ’ଣ ଏମିତି ଗୁଡ଼େ ଭାବୁଛନ୍ତି । ପଢ଼ାପଢ଼ି ତ ବ୍ୟସ୍ତ, ପୁଣି ଏ ସମୟତକ ସିନା ଆନନ୍ଦରେ କଟାନ୍ତେ । ସେହି ଚିନ୍ତା ଚିନ୍ତା–ଆଉ ଚିନ୍ତା–ପାଗଳ ହୋଇଯିବେଟି–ସାବଧାନ । ହରି ସବୁ ଶୁଣେ, ପୁଣି ଟିକିଏ ପଢ଼ାଇ ଦିଏ–କହେ, ଆଚ୍ଛା ମଞ୍ଜୁ ତୁମେ କାଲି ସେ ୧୦ ଖଣ୍ଡ ଅଙ୍କ କରିଥିବ–ମୁଁ ଦେଖିବି–ହରି ଯାଏ ଚାଲି-। ମଞ୍ଜୁ ଭାବେ କ’ଣ ୟାଙ୍କ ଭାବ ? କି ଗମ୍ଭୀର । କ’ଣ ଭାବନ୍ତି ଏ ଅଳ୍ପ ବୟସରୁ–ବ୍ୟବସାୟ ପରି ଆବଶ୍ୟକ କଥାବାର୍ତ୍ତା ତାପରେ ଚଲ୍‌ । ଧନପତିବାବୁ ବି ପଚାରନ୍ତି ହଇଲୋ ଝିଅ–ହରିବାବୁ ଆସିଛନ୍ତିଟି –କାହିଁ ମୋ ପାଖକୁତ ଦିନେ ଯାଉନାହାନ୍ତି । ମଞ୍ଜୁ କହେ, ବାପା! ‘‘ସେ କହନ୍ତି ତୁମ ବାପା ତ ସର୍ବଦା କାର୍ଯ୍ୟନିରତ, ମୁଁ ତାଙ୍କର କର୍ତ୍ତବ୍ୟରେ ବାଧାଦେବି ସେଠାକୁ ଯାଇ । ସେ ଯେପରି ତାଙ୍କର କର୍ତ୍ତବ୍ୟରେ ଥାଇ ଆଜି ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଆମର ସେପରି ପ୍ରତ୍ୟେକ ମିନିଟ୍‌ କର୍ତ୍ତବ୍ୟରେ ଅତିବାହିତ କରିବା କଥା ତାଙ୍କଠାରୁ ଶିଖିବା ଉଚିତ । ମୁଁ ବିଶ୍ୱାସ କରୁଛି ମଞ୍ଜୁ ମଧ୍ୟ ଠିକ୍‌ ସେୟା ଶିଖିବେ ’’ । ଏତିକିରେ ବାପା, ମୁଁ ଆଉ କ’ଣ କହିବି । ଧନପତିବାବୁ ହସନ୍ତି–କହନ୍ତି–ଝିଅ, ହରି ଗୋଟିଏ ବିଶିଷ୍ଟ ଲୋକ ହେଲାପରି ମୁଁ ଦେଖିପାରୁଛି, ହଉ ଈଶ୍ୱରଙ୍କର ଯାହା ବରାଦ ଥିବ । ମଞ୍ଜୁ କିଛି କହେନି । କ’ଣ ବୁଝେ–ମନେ ମନେ ଆନନ୍ଦ ହୋଇ ଚାଲିଯାଏ । ହରିବାବୁ ବଡ଼ ସୁନ୍ଦର, ବଡ଼ ମିଠା କଥା, ଅଥଚ ମିତଭାଷୀ । ଏତେଦିନ ତା ପାଖକୁ ଆସନ୍ତି କେବେତ ବେ–ଆଡ଼ିଆ ଭାବ, ବି ଭାଷା ଖସିଯିବା ଦେଖେନି । ଆବଶ୍ୟକ ମତେ ହସ, କଥା ସବୁ । ତାଙ୍କର ବୟସର କଲେଜ ପିଲେ, ଝିଏ ସ୍କୁଲକୁ ଯାଉଥିଲେ, ଆଖି ଠାରନ୍ତି କେତେ, ଖଣ୍ଡିକାଶ ମାରନ୍ତି କେତେ । କିଏବା ସାଇକଲରେ ହାତଛାଟି ବାହାଦୂରୀ ଦେଖାଏ, କିଏବା ସିଗାରେଟ ଧୂଆଁ କୁଣ୍ଡଳିକରି ଛାଡ଼େ–ୟେତ ସେଇ ଭିତରର । କି ଅବା କୃତ୍ରିମ ଗମ୍ଭୀରତା ତାଙ୍କର ସବୁ–କାଳେ କିଛି ଜଣାପଡ଼ିଲେ ବାପା ତାଙ୍କ ଆସିବା ପସନ୍ଦ କରିବେନି । –ନା ତା ନୁହେଁ । ସେ ଲୋକ ସେପରି ନୁହନ୍ତି ବୋଧହୁଏ । ନୋହିଲେ କି ଓଡ଼ିଶାରେ ଫାଷ୍ଟ ହୁଅନ୍ତେ । ଏସବୁ କଲେତ ମନ ସେଇଠି ଥାଆନ୍ତା–ପଢ଼ୁଥାନ୍ତେ କିପରି ?

 

ଦିନ ଗଡ଼ିଯାଏ ବାପା, ଝିଅଙ୍କର ଏ ଭାବନାଗୁଡ଼ିକ ଅତିକ୍ରମ କରି କରି ।

 

X            X            X            X

 

ସେ ଦିନ ଗଣେଶ ଚତୁର୍ଥୀ, କଲେଜରେ ପୂଜା–କିନ୍ତୁ କଲେଜ ପୂଜାରେ ସେତେ ସମବେତ ସ୍ଫୁର୍ତ୍ତି ନ ଥାଏ, ଯେପରି ଥାଏ ସ୍କୁଲ ପିଲାଙ୍କ ଭିତରେ । ସ୍କୁଲପିଲେ, ବୟସ ହିସାବରେ ସରଳ–ଏକାଠି କାମ କରିବାରେ ମନ ସେମାନଙ୍କର ପୂରିଉଠେ ଆନନ୍ଦରେ, ଶିକ୍ଷକମାନଙ୍କ ପ୍ରତି ଭକ୍ତି ଦୃଷ୍ଟିରୁ, ବିଶୃଙ୍ଖଳା ଦେଖାଯାଏନି, ତେଣୁ ସେମାନଙ୍କର ଉତ୍ସବଟି ସର୍ବାଙ୍ଗ ସୁନ୍ଦର ହୁଏ । ମନେପଡ଼େ ହରିର ତା ସ୍କୁଲ ଦିନର କଥା, ଦେବଦାରୁ ଡାଳ, ଆମ୍ୱ ଡାଳ, ବିଭିନ୍ନପ୍ରକାରର ଆଣିବା–ରାତିରୁ ଉଠି କାହା ବାଡ଼ିରୁ ତାର ବହୁ ସରାଗରେ ଉତୁରିଥିବା ଫୁଲ ସବୁ ନେଇ ଆସିବା–ସେ ସକାଳୁ ଉଠି ବକୁଥିବ–ପିଲେ ହସୁଥିବେ । ସବୁବର୍ଷ ଏପରି ଚାଲେ–ଫୁଲ ଆସେ ବକା ବି ହୁଏ–ମାମୁଲି କଥା । କିନ୍ତୁ କଲେଜରେ ଏସବୁ ନାହିଁ । ତେଣୁ ତାର ଅଭିନବ ପନ୍ଥାରେ ବହିଗୁଡ଼ିକ ଏକାଠି ରଖି ଫୁଲଟିଏ ଭକ୍ତିରେ ଥୋଇ ଦେଲା । ଆଜି ସେ ପଢ଼ାପଢ଼ି କରିବନି–ଭାବି ବାହାରିପଡ଼ିଲା ଧନପତି ବାବୁଙ୍କ ଘରଆଡ଼େ ।

 

ଧନପତିବାବୁ ଏପରି ପୂଜା ଦିନରେ ହରି ବ୍ୟସ୍ତଥିବା ଅନୁମାନ କରିଥିଲେ, ତେଣୁ ତାକୁ ଦେଖି ହସି ହସି କହିଲେ, କିହୋ ହରିବାବୁ, ଆଜି ସକାଳେ ଏତେବେଳେ ? କ’ଣ ତୁମ କଲେଜରେ ପୂଜା ନାହିଁ କି ?

 

ହରି–ହଁ ଆଜ୍ଞା ହେଉଛି । ଆପଣଙ୍କୁ ତ ନିମନ୍ତ୍ରଣ ଥିବ ରାତିକୁ । ଧନପତି ବାବୁ ମନେ ମନେ ଗୌରବ ଅନୁଭବ କଲାପରି କହିଲେ–ଅଛି–ଅଛି କିନ୍ତୁ ଏଣେ ଗାର୍ଲସ୍କୁଲ ନିମନ୍ତ୍ରଣ, ଝିଅ ଲଗେଇଛି ସେଠାକୁ ଯିବାକୁ –ତଥାପି, କଲେଜ ନିମନ୍ତ୍ରଣ ଆପଣ ଆଉ ଏଡ଼ିବେ ! ଝିଅ କହୁଥିଲେ, ତାଙ୍କ ସ୍କୁଲଆଡ଼େ, ଟିକିଏ ବୁଲି ଆସିଲେତ ହେବ ସଂଯମଭାବେ କହିଲା ହରି ।

 

ଏଥିରୁ କେତେକ କଥା ମଞ୍ଜୁର କାନରେ ପଡ଼ିଛି । କିନ୍ତୁ ସାର୍‌ ଥିବାଯୋଗୁଁ, ସେ ତାର ସ୍ୱାଭାବିକ ରୀତିରେ ଆସି ହରିକୁ ନମସ୍କାର କଲା–ବାପାଙ୍କୁ କହିଲା, ବାପା, ସେ ସବୁ ନାହିଁ–ସବୁଥର ପୂଜାରେ କଲେଜକୁ ଯାଉଛ, ଏଥର ଆମ ହେଡ଼ମିଷ୍ଟ୍ରେସ୍‌ ବଡ଼ ଅଭିମାନ କରୁଥିଲେ–ତୁମେ ଏଥର ନିଶ୍ଚୟ ।

 

ଧନପତିବାବୁ ଗୋଟିଏ କର୍ତ୍ତବ୍ୟ ବିରୋଧରେ ପଡ଼ିଗଲା ପରି ଅନୁଭବ କରୁଥିଲେ ବି, ସେଥିରେ ବିଚଳିତ ନ ହୋଇ ବରଂ ପୁଲକିତ ହେଉଥିଲେ । ଗୋଟିଏ ଅଲିଅଳଭରା ମୁରବୀ ପ୍ରକାରେ କହିଲେ, ଆଲୋ ଝିଅ ଏଣେ ତୁମ ମାଷ୍ଟ୍ରେ ଲଗାଇଛନ୍ତି କ’ଣ ଶୁଣୁନୁ । ଅଧରରେ ସ୍ମିତହାସ ରେଖାଟିଏ ଫୁଟାଇ ମଞ୍ଜୁ ଅନ୍ତର୍ହିତ ହେଲା–ଅସ୍ପଷ୍ଟଭାବେ ଭାସିଆସିଲା ତାର କଣ୍ଠସ୍ୱର–ତୁମେ ଯାହା କରିବ । ଧନପତିବାବୁ କହିଲେ, ମଞ୍ଜୁ ଏତେ ଅବାଧ୍ୟ ଥିଲା, ଏବେ ତାର ସେ ଏକଜିଦିଆ ପ୍ରକୃତି କେତେ କମିଗଲାଣି । କିନ୍ତୁ ଟିକିଏ ଜିଦିଖୋରିଆ ହେଲେ ପିଲାଙ୍କୁ ଦେଖିବାକୁ ଭଲ ଲାଗେ । ଏତେ ଅଳ୍ପ ବୟସରେ ଏତେ ବାଧ୍ୟ ହୋଇଗଲେ ମତେ ବାଧୁଛି । ହରି ସାମାନ୍ୟ ସ୍ମିତ ହାସ୍ୟ କରି–କିଞ୍ଚିତ ଗୌରବ ଅନୁଭବ କରି ନମ୍ର ସହକାରେ କହିଲା, ଝିଅ କ’ଣ ସବୁବେଳେ ପିଲାଥିବ । ଆପଣଙ୍କ ପରି ଗୁଣବାନ ହେବାକଥା ସିନା, ଆଜିଠାରୁ ଶିଖିଲେ ହେବ । ଧନପତିବାବୁ ପୂଜାରୀକୁ ଡାକି କିଛି ଜଳଯୋଗର ବନ୍ଦୋବସ୍ତ କରାଇଲେ । ଝିଅ ସେଣୁ କହିଲା ‘ବାପା’ ଆଜି ପରା ଉପବାସ, କେବଳ ଗଣେଶଙ୍କ ଭୋଗ ରାତିରେ ଖାଇବା କଥା–ସକାଳେ କିମିତି ଏସବୁ ଜଳଖିଆ ତିଆରି ହେବ ?

 

ସାମାନ୍ୟ ଆକଟିଲା ପରି କହି ଉଠିଲେ ଧନପତିବାବୁ । ଆମ ପିଲାଦିନେ ଆମେ ଉପାସ କରି ନ ଥିଲୁ କି । ତୁ ପଢ଼ୁଛୁ ! ଉପାସ କରିବୁ ? ବୁଢ଼ାହଡ଼ା ସମସ୍ତେ କି ତୋ ସଙ୍ଗେ ବାଇ ହେବେ ? କୁକାଳେ ପଢ଼ିଥିଲୁ–ଏବେ ଆସି ଆଜି ମରଣକୁ ବାଟ ଖୋଜିଲୁଣି ! ବତଉଛି ଉପାସ । ଝିଅ–ମାଷ୍ଟ୍ରବାବୁ କ’ଣ ଖାଇବେ ? ତାଙ୍କର ତ ପୂଜା । ହରି–ନା ମୁଁ ଖାଇବିନି । ମଞ୍ଜୁ ଗୋଟିଏ ବିଜୟ ହାସଲ କଲାପରି ଚାଲିଗଲା ।

 

ଧନପତିବାବୁ–କି ହରିବାବୁ, ଖାଇବନି ? ମୁଁ ବରାଦ କରୁଥିଲି–ଏ ଝିଅ ଗଣ୍ଡେ ଖୁଆଇ ଦେବନି ।

 

ହରି ଇଷତ୍‌ ହସି କହିଲା ଆଜ୍ଞା ! ଈଶ୍ୱର ଧାରଣା ଗୋଟିଏ ଆବଶ୍ୟକ କଥା । ଆଦର୍ଶ ଦୃଷ୍ଟିରୁ ମୋର ନ ଖାଇବା କଥା–ଝିଅ ଠିକ୍‌ ଅନୁଭବ କରିବ ଗଣେଶପୂଜା କିପରି ପବିତ୍ର ।

 

ଧନପତିବାବୁ–(କହିଲେ) ପ୍ରକୃତରେ ହରିବାବୁ, ପିଲାଦିନ ଛାତ୍ର–ଜୀବନ ବଡ଼ ଭଲଥିଲା–କି ଖୁସୀ, କି ସରଳ ଆନନ୍ଦ–ଏହିପରି ଗୋଟିଏ ଗୋଟିଏ ପୂଜାରେ କି ବିଭୋର ହେଉଥିଲୁ ଆନନ୍ଦରେ ? ସେ ଉପାସ ବାଧୁ ନ ଥିଲା, ସେ ବୁଲିବା କି କାଟୁ ନ ଥିଲା । ଏବକୁ ତ ବରଂ ଉତ୍ସାହ କମି ଆସୁଛି । ହରି–ସବୁପରା ବୈଜ୍ଞାନିକ, ଭୌତିକ ଓ ବାସ୍ତବତା ଦୃଷ୍ଟିରୁ ଦେଖାଯାଉଛି । ଆଧ୍ୟାତ୍ମିକ ଜିନିଷକୁ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରାଯାଉଛି । ମଞ୍ଜୁ କେତେବେଳେ ସ୍କୁଲକୁ ଯିବ ?

 

ଧନପତିବାବୁ–ହଇଲୋ ମଞ୍ଜୁ ।

ମଞ୍ଜୁ–ଆଜ୍ଞା ।

ଧନପତିବାବୁ–ମାଷ୍ଟ୍ରେ ପଚାରୁଛନ୍ତି କେତେବେଳେ ସ୍କୁଲକୁ ଯିବୁ ।

 

ହରିହର ଯିବାକୁ ବାହାରିଲେ । ଧନପତିବାବୁ ଟିକିଏ ରୋକିଦେଇ, ଝିଅକୁ ଡିକ୍‌ସନାରୀଟା ଆଣିବାକୁ କହିଲେ, ମଞ୍ଜୁ ଜାଣେ, ଡିକ୍‌ସନାରୀଟି ବାପା ହରିବାବୁଙ୍କ ପାଇଁ କିଣିଛନ୍ତି–ଆଗ୍ରହରେ ଦୌଡ଼ିଯାଇ ତରତରରେ ଆଣୁ ଆଣୁ, ଗୋଡ଼ଟି ଦୁଆର ଏରେଣ୍ଡାରେ ବାଜି ଛିଣ୍ଡିଗଲା–ରକ୍ତଗୁଡ଼ାକ ବହି ଆସୁଥାଏ । କିନ୍ତୁ ମଞ୍ଜୁର ସେତକ ଖିଆଲ ନାହିଁ । ଧନପତିବାବୁଙ୍କ ହାତରୁ ହରି ଡିକ୍‌ସନାରୀଟି ନେଉନେଉ, ହଠାତ୍‌ ମଞ୍ଜୁର ଶାଢ଼ି ଉପରେ ନଜର ପଡ଼ିଗଲା । ଧନପତି ବାବୁଙ୍କର ତ ଗୋଟିଏ ଝିଅ ସେଇ ତାଙ୍କର ପୁଅଝିଅ ସବୁକିଛି–ଅଧୀର ହୋଇଗଲେ ସେ-। ହରି ତାର ସ୍ୱଭାବସୁଲଭ ଧୈର୍ଯ୍ୟରେ ଧନପତିବାବୁଙ୍କ First aid boxରୁ ବ୍ୟଞ୍ଜନ ଟିକିଏ ଆଣି ଲଗାଇ ବ୍ୟାଣ୍ଡେଜ ବାନ୍ଧି ଦେଇ ସାମାନ୍ୟ ଆକଟିଲା ପରି କହିଲେ–ସବୁ କଥାରେ ଏତେ ତରତର ହେବାଟା ଠିକ୍‌ ନୁହେଁ । ଯାହା କରିବ, ସହି ସମ୍ଭାଳି କରିବ । ଦୁଇଦିନ ପର୍ଯ୍ୟନ୍ତ ଅନ୍ତତଃ ଖଣ୍ଡିଆ ଯାଗାଟିରେ ପାଣି ନ ବାଜିବା ପାଇଁ ମାଷ୍ଟ୍ରଙ୍କର ତାଗିଦ୍‌ ଶୁଣି ମଞ୍ଜୁ ଫିକ୍‌ କରି ହସିଦେଲା । ଯେତେ ଶିକ୍ଷକ ଛାତ୍ରୀ ହେଲେ ବି, ଯୁବକ ଯୁବତୀଙ୍କର ନିବିଡ଼ ସନ୍ନିଧାନରେ ଯେ ଅନୁକମ୍ପନ ହୁଏ, ସେଥିରୁ ଦୁହେଁ ବାଦ୍‌ ଯାଇ ନ ଥିଲେ । କିନ୍ତୁ ସେହି ଅନୁକମ୍ପନ ଭିତରେ ଭାସିଉଠେ ଅତୀତର ଗୋଟିଏ ଗାଉଁଲୀ ଦୃଶ୍ୟ–ସାବିତ୍ରୀ ଅମାବାସ୍ୟାର ସାବିତ୍ରୀ ସତ୍ୟବାନ ଅଭିନୟ–ହରି ଚିନ୍ତାକୁଳ ହୁଏ ।

 

ଧନପତିବାବୁ ବୁଝି ପାରନ୍ତିନି । ହରି ଧନପତିବାବୁଙ୍କୁ କଲେଜ ପୂଜାକୁ ଯିବାପାଇଁ ଆଉଥରେ ଅନୁରୋଧ କରି ଫେରେ । କି ଖିଲାପ କରିଛି ସେ–ଯେ ସୁଷମା ଥାଇ ମଧ୍ୟ ନ ଥିଲା ପରି ହୋଇଛି–ଚିଠିନାହିଁ–ଖବରନାହିଁ–କିଛି ବି ନାହିଁ । ସେହିଲାଗି ବି କ’ଣ ତା ଘରକୁ ବାସନ୍ଦ ହୋଇଛି । କେହି ତାଙ୍କ ସାଙ୍ଗେ ସମ୍ପର୍କ ରଖିବେନି । ତେବେ ସେ ତ ମୁରବୀ ନୁହେଁ–ଛାତ୍ର ହିସାବରେ ଗାଁକୁ ଯାଇ ଥରେ ସୁଷମାକୁ ଦେଖିବ, ତୋଟାମାଳ କୁଞ୍ଜକାନନରେ ସୁଷମାର ଛନ୍ଦ–କିପରି ଆଉଥରେ ଲାଭ କରିବ । ମନତାର ଭାରାକ୍ରାନ୍ତ ହେଲା ।

 

ମଞ୍ଜୁ ଯେ ଆହତ–ଖାଲି ସେତିକି ନୁହେଁ–ତାର ନିଖୁଣ ମନଟି ବି ଆହତ–କାହିଁ କେଜାଣି ତାର ରୋମାଞ୍ଚ ହୁଏ–ଖୁବ୍‌ଭାବେ ହରିର କଥା–କି ସୁନ୍ଦର ବ୍ୟାଣ୍ଡେଜ ବାନ୍ଧୁଥିଲେ ସେ । ନୂଆ ନୂଆ ପୁଲକ–ନୂଆନୂଆ କଳ୍ପନା । ଦୁଇଆଡ଼େ ଦୁହେଁ କଳ୍ପନାର ଶିକାର । ସେ ମୁହୂର୍ତ୍ତପାଇଁ ଅନ୍ତତଃ ଗଣେଶ ପୂଜାଟା ଦୁହିଙ୍କର ବଡ଼ ଗୌଣଭାବେ କକ୍ଷଚ୍ୟୁତ ହୋଇପଡ଼ିଥାଏ ।

•••

 

(ତେର)

 

ଅନେକ ଲକ୍ଷ୍ୟ କରି ଦେଖି ଶେଷକୁ ଗୋପୀଦାସ ଭାବିଲେ, ଯେ ନିତେଇ ଦେଇ କାମ ପଡ଼ିବ ନାହିଁ–କି ସୁଷମାର ହରି ପ୍ରତି ଆସନ୍ତି ତୁଟିବନି–ତେବେ ସୁଷମା ବୋଉର ସମ୍ପତ୍ତିତକ କ’ଣ ଜୟରାମ ମାରିନେବ ? ନିତେଇ ସହ ନୋହିଲେ ଏବେ, ଯଦି କୌଣସି ଉପାୟରେ, ଅସଲ କାମ ବଜାଇ ହୁଅନ୍ତା–ତେବେ ବି–କିନ୍ତୁ ହରି ସହ ବନ୍ଧୁତା ହେଲେ, ସେଠାରେ କାରସାଦି ଦେଖାଇବାତ ମୁଷ୍କିଲ ହୋଇଯିବ ।

 

ଗୋପୀଦାସଙ୍କର ସୁଷମା ବୋଉ ଘରକୁ ଅବାଧ ପ୍ରବେଶ । ରୋଗ ବୈରାଗ ସବୁଥିରେ ସାହାଯ୍ୟ ବି ହୁଅନ୍ତି ଖାଲି ସୁଷମା ଯାହା ନ ଭଳି ରହିଛି । ଜୟରାମ ଓ କୁନ୍ତଳା ତ ଛାଡ଼ ବାଡ଼ ହୋଇ ରହିଛନ୍ତି । ସମ୍ପର୍କ ବି ଦୂରେଇ ଗଲାଣି । କିନ୍ତୁ ସେ ଦିନ ଯେ ଜୟରାମଙ୍କ ଚାକର କହୁଥିଲା, ସାନ ସାଆନ୍ତେ ପୂଜାରେ ଆସିବେ ବୋଲି, ସେ ତ କଲେଜ ପାଠୁଆ ଲୋକ–ଏ ଗାଁ ବାସନ୍ଦକୁ କ’ଣ ସେ ମାନିବ ?

 

ନଦୀରୁ ଫେରି, ୪ଟା ସମୟ ହେବ ଗୋପୀଦାସେ ଆସି ସୁଷମା ବୋଉଙ୍କ ପାଖରେ ଉପସ୍ଥିତ ହେଲେ । ଇଏ ସୁଷମା ବୋଉ–କ’ଣ ଦେହ ଭଲ ହୋଇଗଲାଣି । କ’ଣ କରିବି ଜଞ୍ଜାଳି ଲୋକ–ସେଥିକୁ ନିତେଇଟାତ କିଛି ବୁଝିଲାନି–ଏବେ ମୋତେ ନ କହି ଯାଇଛି ଚାଲି ମାମୁଁ ଘରକୁ–ଏଇ ତେଇସିପୁର ।–ପୁଣି କ’ଣ କହିଛି ଜାଣନା–ଏଥର ପୂଜାଟା ସେଆଡ଼େ ରହିବ । ଭଲା, ଏକି କଥା–ମୁଁ ଆସି ଥକିଲିଣି–ହଉ ରଖିଲେ ରଖନ୍ତୁ ନୋହିଲେ ନାହିଁ–ନିଜେ ଭୋଗିବେ । ସୁଷମା ବୋଉ ସବୁ ଶୁଣି କହିଲେ ମୁଁ ବି ଏ ଝିଅଲାଗି କୁଆଡ଼େ ବାହାରି ପାରୁନି । ଟିକିଏ ଚକାଡୋଳାଙ୍କୁ ଦେଖନ୍ତି, କି ଟିକିଏ ଦେବତା ଠାକୁର କରନ୍ତି–ଆଉ କ’ଣ ଅଛି ଏ ଜୀବନରେ । କିନ୍ତୁ କ’ଣ କରିବି, ଅଳ୍ପ ହସି ଗୋପୀଦାସେ କହିଲେ, କିହୋ ହରି ସହ ତ ହେବ, ଆଉ କ’ଣ । ସହରରେ ଥିଲେ ଯେ ଏସବୁ କଥା ସେ ଭୁଲିଯାଇଥିବ, ମୁଁ ଭାବିପାରୁନି । ସେଇ ଜୟରାମ ଯୋଗୁ ସବୁ ନାଟ ନା–ହରି ଭଲ ପିଲା–ସେ କ’ଣ ଜାଣିଛି । ପାଠ ପଢ଼ୁଛି । ହଉ ଈଶ୍ୱର ଭରସା । ଏ’ ସୁଷମା କାହିଁକି ? ଆହା ଏଇ ଯେ–ଆଲୋ ଝିଅ ଟିକିଏ ଠିକଣା ଲେଖି ଦେବୁଟି–ଚଷମାତ ନ ହେଲେ ଏ ଜଳଜଳା ଆଖିକୁ ଦିଶୁନି–ଟିକିଏ ଲେଖିଦେ, ମୁଁ ଚିଠି ଖଣ୍ଡେ ଖାମ୍‌ରେ ଭର୍ତ୍ତି କରି ଘରକୁ ଯିବା ବାଟେ ବାକ୍‌ସରେ ପକେଇ ଦେଇ ଯିବି । ସୁଷମା ନିର୍ବାବାଦରେ ନିତେଇଚରଣ ଦାସ ପୋ–ତେଇସପୁର, ଜି–ପୁରୀ, ଲେଖିଦେଇ ଦେଲା । ଦାସେ କୃତ୍ୟ କୃତ୍ୟ ହୋଇ ‘‘କେଡ଼େ ସୁନ୍ଦର ଅକ୍ଷର’’–ମା’ ଅଇସୁଲକ୍ଷଣି ହୋ–କହି ସେଠାରୁ ଗଲେ । ଗଲାବେଳେ କହିଗଲେ, ସୁଷମା ବୋଉ ତୁମେ କେତେ ଟଙ୍କା ଏ ଭିତରେ ଦେଲଣି ମନେପଡ଼ୁଛି–ଆଚ୍ଛା ଛାଡ଼–ଘର କଥା–ହିସାବଟା କରି ରଖି ଦେଲେ ସୁବିଧା । ସୁଷମା ବୋଉ ଦାସଙ୍କ ଆଡ଼କୁ ଚାହିଁ ରହିଲେ । କହିଲେ, ଝିଅ, ଭଲ ଲୋକଟିଏ–ଏ ଗାଁରେ ସିନା ସେମିତି କହୁଛନ୍ତି–ଖାଣ୍ଟି କଥାଟା କହେ, ନା–ତେଣୁ କାହାକୁ ଭଲ ଲାଗେନି । ‘ସୁଷମା ବୁଝିଲା, ବୋଉ ତାର ପୁରୁଣାକାଳିଆ ଲୋକ–ସରଳ–ଏତେ ଛନ୍ଦମନ୍ଦ ଜାଣେନି ସେ–ଯେତେ ସହଜରେ ଗୋପୀଦାସଙ୍କୁ ବୁଝିଲା, ସେତେ ସହଜ ନୁହନ୍ତି ସେ ।’ କିଛି ସେ ସମ୍ୱନ୍ଧେ ନ କହି ନିଜ ପଢ଼ାଘରକୁ ଚାଲିଗଲା ।

 

‘ସୁଷମାବୋଉ ଚଟ୍‌କରି ଭାବିନେଲେ ଯେ ଯେ ଝିଅ ମନକୁ ତାଙ୍କ କଥାଟା ପାଇଲାନି–ମନେ ମନେ ଭାବିଲେ–’ ଓଃ ! ଆଚ୍ଛା ମତେ ଏ ଝିଅ ମଣେଇଲା–ହରି କଥା ଆଉ କିଛି ଆଶା ଦିଶୁନି । ଜାଣି ମାଇକିନା ଝିଅ, ନିତେଇ ସହ ବି ଛନ୍ଦି ହୋଇଗଲେ ଯାଆନ୍ତା–ଯାଃ, ଯା ହେବ ହେଉ । ସେ ଗଲେ–ମତେ ହେଲେ ନେଇ ଯାଇଥାନ୍ତେ–କି ଅଡ଼ୁଆ ବୋଝ ମୋ ପାଇଁ ରଖି ଦେଇଗଲେ । ମାଇପି ଲୋକ ହୋଇକି ଦହସତ ପାଇଲି ।

•••

 

(ଚଉଦ)

 

ପୂଜାକୁ ହରି ଆସିବ ଜାଣି, ଏବେଠୁଁ ଜୟରାମ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ କେତେଥର ତା ସମ୍ୱନ୍ଧେ ଆଲୋଚନା ହେଲାଣି । କେହି ତ ଆଉ ନାହାନ୍ତି–କିପରି ହରିକୁ ଛନ୍ଦି ଦେଲେ, ଗୋଟେ ଜଞ୍ଜାଳ ଯାଆନ୍ତା–ତା ପରେ ବୋହୂ ଆସନ୍ତା । ସେ କ’ଣ ନିଜେ ଆଉ ପାଟି ଫିଟାଇ କହନ୍ତା । କିନ୍ତୁ କାହା ସହ ବିବାହ ସମ୍ପର୍କ ପକାଇବେ–ଏକ ସମସ୍ୟା । ଏଣେ ଗାଁବାଲା ଅକଡ଼େଇଛନ୍ତି ଯେ ଜୟରାମ ବିଶେଷ କାହା ସହ କଥାବାର୍ତ୍ତା କରନ୍ତିନି । ସୁଷମା ବୋଉ ନିତେଇ ଓ ଗୋପୀଦାସେ ନିଜ ଲୋକ ପରି ଅହରହ ମାମଲତିକାର ସାଜୁଥିବାରୁ ଜୟରାମଙ୍କ ମନ ବି ଛାଡ଼ବାଡ଼ ହୋଇଗଲାଣି । କୁ କାଳେ କୁ କଥା ହୋଇଥିଲା । ପିଲାଦିନ କଥା କ’ଣ ବଡ଼ଦିନକୁ ରହେ–ଏବେ ତ ହରି କ’ଣ ଧନପତିବାବୁଙ୍କ ଝିଅକୁ ଟିଉସନ କଲାଣି–ଖା’ ପିଆ ସବୁ ତ ଚାଲିଛି । ବୋଧହୁଏ ଧନପତି ବାବୁଙ୍କର ସୁଦୃଷ୍ଟି ପଡ଼ିଛି–ଏସବୁ କେତେକଥା କହନ୍ତି–କିନ୍ତୁ କୁନ୍ତଳା ମନ ସବୁବେଳେ ବିମର୍ଷ–ମନେପଡ଼େ ତାର କେତେବର୍ଷ ତଳର କଥା–କି ଆନନ୍ଦରେ ସୁଷମା ଆଉ ହରି ଲୋଟି ପଡ଼ିଛନ୍ତି–ଆଉ ସେ ଥଟା କରି ଉପଭୋଗ କରିଛନ୍ତି । ହରିର ପରୀକ୍ଷା ଫଳ ପ୍ରତି କି ଉଦ୍‌ବିଘ୍ନ ସୁଷମା–ଲୁହ ଭାସି ଯାଉଥାଏ–ପୁଣି ହେଡ଼ମାଷ୍ଟ୍ରେ ଫଳ କହିଦେବାରୁ କି ଆନନ୍ଦ–ଏ ପିଲାକଥା ନୁହେଁ–ହରି କେବେ ଭୁଲି ପାରି ନ ଥିବ–ସୁଷମା ବି ଝୁରୁଥିବ–ଘଟଣା ଚକ୍ରରେ–ଦେଖାଚାହାଁ ନାହିଁ ବୋଲି କ’ଣ ଏତେ ଅଳ୍ପଦିନ ତଳର ସ୍ମୃତି ଲିଭିଯିବ–ଜୟରାମ ଓ କୁନ୍ତଳା ଦୁହିଁଙ୍କର ଭାବନା ଭିନ୍ନ–ଜଣେ ପୁରୁଷ ସବୁ ତର୍କ କରି ଆଲେଚନା କରି ସିଦ୍ଧାନ୍ତରେ ଉପନୀତ ହେବାକୁ ଚେଷ୍ଟା କରେ, ଆଉ ଜଣେ ଭାବପ୍ରବଣତାର ଛାପରେ ଚିନ୍ତା କରିଚାଲେ । ଜୟରାମଙ୍କର ଯେ ସୁଷମା ପ୍ରତି ମନ ନ ଥାଏ ତା ନୁହେଁ–କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ଯେତେବେଳେ ଆଉ ସମ୍ପର୍କ ନାହିଁ ଓ ହରି ଅନ୍ୟଜଣେ ଧନାଢ଼୍ୟ ଓ ଗଣ୍ୟମାନ୍ୟ ବ୍ୟକ୍ତିର ଦୃଷ୍ଟିରେ ଆସିଛି, ଜଣାଯାଏ ହରି ସେଠାରେ ବି ଆକୃଷ୍ଟ ହୋଇଥିବ । ସେଠାରେ ଯଦି ତାର ଇଚ୍ଛାମତେ ସମ୍ପର୍କ ହୋଇଯାଏ, ଆମର ତ ଖୁସି ହେବାର କଥା-। ପୂଜାରେ ହରି ଆସିବାର କଥା–ତେଣୁ ସେମାନଙ୍କର ସବୁ ଆଲୋଚନା ଅସମାପ୍ତ ଅବସ୍ଥାରେ ରହେ–ହରି ଆସିଲେ ତାର ମନଭାବ ବୁଝି ଯାହାକିଛି କରିବାକୁ ହେବ ।

•••

 

(ପନ୍ଦର)

 

ପୂଜାଛୁଟି ହେବାକୁ କିଛି ଅଳ୍ପଦିନ ଥାଏ–ଦାସେ ଧନପତିବାବୁଙ୍କ ପାଖକୁ ଯିବା ଠିକ୍‌ କଲେ–ଅନେକ ଦିନ ହେଲା ଯାଇ ନାହାନ୍ତି–ଗଲେ ବି କେତେଟା ସମ୍ପତ୍ତି ଦେଣନେଣ ସମ୍ପର୍କରେ ପରାମର୍ଶ କରି ଆସିବେ ।

 

ସେଦିନ ନିତାଇ ବୋଉକୁ କହୁଥାଆନ୍ତି–ବୁଝିଲ, ମୁଁ ଯାଉଛି ପୁରୀ–ଏ ପୁଅଟା ତ ଗୋଟେ ହାଣ୍ଡିଶାଳକୁ ବାଘ, ଦରବାରକୁ ଚୋର–ମୋଟେ ମୁହଁଫିଟା ହେଲାନି । ସୁଷମା ସହ ସମ୍ପର୍କ ଆଜିଠାରୁ ରଖିଥିଲେ କେତେ ସୁବିଧା–ବୋହୂଟିଏ ତ ଆଣିବା–ତେବେ ଏପରି ଜାଗାଟିରୁ ଆଣିଲେ କେତେଗୁଡ଼ିଏ ସମ୍ପତ୍ତି ତ ପାଇବା–ଆଜିକାଲି ଯେପରି ନିଅଣ୍ଟିଆ ଯୁଗ, ସେଥିରେ ଏମାନେ ଚଳିବେ କିମିତି ? ସବୁବେଳେ କିଛି ବାପା ନ ଥିବେ ଯେ, ଏଣେତେଣେ ବୁଲି ଦି’ପଇସା ଆଣି ୟାଙ୍କ ପେଟକୁ ଦେଉଥିବେ । ବୁଝିଲ ନିତାଇ ବୋଉ, ଶୁଖିଲା ନଈରେ ନାହା ପେଲୁଛି–ମୋ ଅନ୍ତେ ଏଇଟା ବାଳାଞ୍ଚବାଳା ହୋଇଯିବ, ୟାକୁ ଥଇଥାନ କରିବାକୁ ମୋ ମୁଣ୍ଡ ପାଗଲା ହେଲାଣି ।

 

ନିତେଇ ବୋଉ ଆଶ୍ଚର୍ଯ୍ୟ ହୁଅନ୍ତି–କହନ୍ତି, କନ୍ୟା ପରା ବାଗ୍‌ଦତ୍ତା–ହରିକୁ ବିଭା ହେବ ବୋଲି ସମସ୍ତେ ଜାଣନ୍ତି–ତୁମେ କ’ଣ ସେଠେଇ ଥୋପ ପକାଇଛ ? ଦାସେ କହନ୍ତି–ହରି କୁ ଯାଏ ଗଲାଣି, ଜାଣିଲଣି । ମୁଁ ଯେଉଁ ଓକିଲ ଘରକୁ ଯାଏ, ତାଙ୍କ ଝିଅକୁ ଟିଉସନ କଲାଣି–ଖା’ ପିଆ ସବୁ ସେଠି । ହରି ଭଲ ପଢ଼ୁଛି । ଧନପତିବାବୁ ତାକୁ ଉଠାଇ ଦେବେ । ସେତେବେଳେ ଗାଁରେ କୂପମଣ୍ଡୁକ ପରି ଥିଲା ନା–ଏବେ କେତେ ଚିହ୍ନା–କେତେ ପରିଚୟ ତାର–ସୁଷମାକୁ ନେଇ କ’ଣ କରିବ ସେ ? ତା ପରେ ଯଦି କିଛି ଥାଏ ମୁଁ ତା ବାଟ କରୁନି । ପୂଜାରେ ଆସିଲେ ପୁଣି କ’ଣ ଭଣ୍ଡୁର ହେବ । ଏହି ଠିକ୍‌ ସମୟ–ଯାଉଛି ବ୍ୟବସ୍ଥା ଟିକିଏ କରିଦେଲେ–ଲୁହା–ତାତିଛି ଏଇଲେ ସାବାଡ଼ ହୋଇବ । ସେଇଠି ତାଙ୍କର ସମ୍ପର୍କ ହୋଇଗଲେ ତ ଗଲା–ସୁଷମା ଚାହିଁଥାଉ–ବଳେ ପାଖକୁ ଆସିବ । ନିତେଇ ସବୁ ଶୁଣୁଥାଏ–ବିଭା ହେବା କଥା ଶୁଣି କୁରୁଳୁ ଥାଏ ।

 

ଧନପତିବାବୁଙ୍କର ସ୍ନେହ ହରି ପ୍ରତି ବଢ଼ିବାରେ ଲାଗିଛି । ଝିଅ ଅତି ଗୁଣବତୀ ହେଲାଣି-। ଶିଷ୍ଟାଚାର, ଆଦବ୍‌ କାଇଦା ସବୁକିଛି ଶିଖିଲାଣି–କ୍ଲାସରେ ମୁଖିଆ ହେଲାଣି । ସେଦିନ ହେଡ଼ମିଷ୍ଟ୍ରେସ୍‌ କହୁଥିଲେ ମଞ୍ଜୁଳାକୁ Inter schoo। debateକୁ ପଠାଇବେ । ହରି ବି ମଧ୍ୟେ ମଧ୍ୟେ ତାଙ୍କ ଘରେ ରହିଯାଏ ଧନପତିବାବୁଙ୍କ ବିଶେଷ ଅନୁରୋଧରେ । ଏଣେ କୃତୀଛାତ୍ର–ସେଥିରେ ଧନପତିବାବୁଙ୍କ ସାନ୍ନିଧ୍ୟରେ ତାର ଖାତିର କଲେଜରେ ବହୁତ ବଢ଼ିଯାଇଛି । ସେ ଦିନ ଧନପତିବାବୁ ମଞ୍ଜୁକୁ ପାଖକୁ ଡାକି, ତାର ମୁଣ୍ଡ ଆଉଁଷି ଦେଉଥାଆନ୍ତି–ଆହା ବୋଉ ନାହିଁ–ସେ ବାପ ଓ ମା’ ମଞ୍ଜୁର । କେଡ଼ୁଟିଏ ହୋଇଗଲାଣି–କି ସୁନ୍ଦର ବ୍ୟବହାର–ଆଉ ସେ ଜିଦ୍‌ ଖୋରିଆ ପ୍ରକୃତି ନାହିଁ–ବାପାଙ୍କର ପ୍ରତ୍ୟେକ କଥାରେ ବାଧ୍ୟ–ସ୍ତ୍ରୀଙ୍କ କଥା ମନେପଡ଼ିଯାଏ । ମଞ୍ଜୁ ପିଲାଟିଏ ହୋଇଥିଲା–ଦୁହେଁ ତାକୁ ଚୁମା ଦେଉଥିଲେ–ତାକୁ ନେଇ କେତେ କଳ୍ପନା କରୁଥିଲେ–କିନ୍ତୁ କଳ୍ପନାକୁ କାର୍ଯ୍ୟରେ ପରିଣତ କରିବାକୁ ଆଉ ସେ ନାହାନ୍ତି । ଭାବି ଭାବି ତାଙ୍କର ଆଖିରେ ଲୁହ ଝରୁଥାଏ–ମଞ୍ଜୁ ବାପାଙ୍କୁ ଚାହିଁ ରହିଥାଏ । ଏତିକିବେଳେ ହରି ବଡ଼ ବିମର୍ଷ ଚିତ୍ତରେ ଗୋଟିଏ ରିକ୍‌ସାରେ ଆସି ପହଞ୍ଚିଲା–ମୁଣ୍ଡରେ ହାତ ଦେଇଛି–ଧନପତିବାବୁ ଓ ମଞ୍ଜୁ ଦେଖି ଅବାକ୍‌ ହେଲେ ଓ ଆଶଙ୍କାରେ ଅଧୀର ହେଲେ–କ’ଣ ହୋଇଛି–ଜାଣିଲେ ଯେ ହରିର ଅଜୀର୍ଣ୍ଣ ହୋଇଥିଲା–ଜୀର୍ଣ୍ଣ ହେବାପାଇଁ କବିରାଜେ ଗୋଟେ ମୋଦକ ଦେଲେ–ତାକୁ ଖାଇ ମୁଣ୍ଡଟା ବୁଲାଇ ଯାଉଛି–ସେ Blood-pressure ଭାବି ଛାନିଆ ହୋଇଗଲାଣି । ସଙ୍ଗେ ସଙ୍ଗେ ଗୋଟେ ସୋଫା ଉପରେ ହରିକୁ ଶୁଆଇ ଦେଲେ–କିଛି ଗରମ ଚା ଆଣି ମଞ୍ଜୁ ପିଆଇ ଦେଲା ଓ ବାପାଙ୍କ ନିର୍ଦ୍ଦେଶରେ ହରିର ବିଛଣାପାଖେ ବସି ବିଞ୍ଚିବାକୁ ଲାଗିଲା । ଧନପତିବାବୁ ଅଧୀର ହୋଇ, ସିଭିଲ ସର୍ଜନଙ୍କ ପାଖକୁ ଛୁଟିଲେ । କିଛି ସମୟ ପରେ ହରିକୁ ଭଲଲାଗିଲା–କହିଲା ମଞ୍ଜୁ । ମୋର ବୋଧହୁଏ ଏ ରକ୍ତଚାପ ରୋଗ ସୃଷ୍ଟିହେଲା, ମଧ୍ୟେ ମଧ୍ୟେ ହଇରାଣ କରିବ ।

 

ଆପଣ ତ ସବୁବେଳେ ଗୁଡ଼େ ମାନସିକ ଶ୍ରମ କରୁଛନ୍ତି । ବୁଲିଯିବା ପାଇଁ ଯେତେବେଳେ କହେ, ନାହିଁ କରନ୍ତି । ଅବଶ୍ୟ ମୁଁ କିଛି କହେନି କିନ୍ତୁ ମଧ୍ୟେ ମଧ୍ୟେ ମନ ନ ଖେଳାଇଲେ ଶରୀର ଖରାପ ହୁଏ । ବଡ଼ ନମ୍ର ସହକାରେ ମଞ୍ଜୁ ଏତକ କହି, ତାର ସାର୍‍ଙ୍କୁ ସୂଚନା ଦେଲା ଯେ ଆଜିହିଁ ସିନେମା ଦେଖିଯିବା ଉଚିତ । ଏତିକିବେଳେ ଡାକ୍ତର ଆସି କାର୍‌ରେ ପହୁଞ୍ଚିଲେ–ହରିକୁ ପରୀକ୍ଷା କରି ଗୋଟେ ହସ ହସିଲେ–କହିଲେ ବାବୁ ବୋଧହୁଏ ମଦନାନନ୍ଦ କି କାମେଶ୍ୱର ମୋଦକରୁ ମାତ୍ରାଧିକ ପକେଇଚନ୍ତି–ନିଶା ବାଉଳାରେ ଝୁଙ୍କି ଧରିଛି B।ood pressure ଆଡ଼େ । ସମସ୍ତେ ଟିକିଏ ଆଶ୍ୱସ୍ତ ହେଲେ । ଡାକ୍ତରବାବୁ କିଛି ଜଳଯୋଗ କରି ବାହାରିଲେ–ଗଲାବେଳେ କହିଗଲେ ଯେ, ହରିଙ୍କର ବିଶ୍ରାମ ଦରକାର ଓ ଅତ୍ୟଧିକ ମାନସିକ ଶ୍ରମ ଭିତରେ ସାମୟିକ ଚିତ୍ତବିନୋଦନ ଆବଶ୍ୟକ ସ୍ୱାସ୍ଥ୍ୟ ପକ୍ଷରେ–ବିଶେଷତଃ ବୁଦ୍ଧିଜୀବୀମାନଙ୍କର–ଏଇଟି ଗୋଟିଏ ବଡ଼ ଦରକାରୀ ଓ ଫଳପ୍ରଦ ବ୍ୟବସ୍ଥା । ସମସ୍ତଙ୍କ ମନକୁ ଯେପରି ଡାକ୍ତରଙ୍କର ଏ କଥାଟି ଚୁମ୍ୱକ ପରି ଧରିନେଲା । ଆଉ ବିଳମ୍ୱ ହୁଏ କେତେକେ–ଆଗରୁ ଭାବୁଥିଲେ, ଯାହା, ଡାକ୍ତର ବତାଇଲେ ତାହା–ସଙ୍ଗେ ସଙ୍ଗେ ପ୍ରାକ୍‌ଟିକାଲ–ମଞ୍ଜୁ ଓ ହରି ଧନପତିବାବୁଙ୍କ କାର୍‌ରେ ବାହାରିଗଲେ–ସିନେମା ଫାଷ୍ଟ ସୋ । ଧନପତିବାବୁଙ୍କର ଆଖି ଲାଗି ରହିଥାଏ, କାର୍‌ଟି ଅଦୃଶ୍ୟ ହେବାଯାଏ ।

 

ମଞ୍ଜୁ ଓ ହରି ସଂସାର କରନ୍ତେ–ଏଇ କୋଠାଟିରେ ରହନ୍ତେ–ଦୁହେଁ ଏହିପରି ଆନନ୍ଦରେ କାର୍‌ରେ ବୁଲନ୍ତେ–ଏହି ସବୁ କଳ୍ପନା ପ୍ରବାହ ଆବିଶ୍ରାନ୍ତ ଛୁଟିଥାଏ ଓ ତାର ବାହ୍ୟପ୍ରକାଶ ହେଲା ଗୋଟିଏ ଦିଗରେ ସ୍ଥିର ଦୃଷ୍ଟି । ଏ କଳ୍ପନା ପ୍ରବାହ ବନ୍ଦ ହୋଇ ନ ଥାନ୍ତା ଯଦି ଦାସେ ପହଞ୍ଚି ନ ଥାନ୍ତେ । ଦାସେ, ବୁଜୁଳିଟିଏ ଧରି ଛତାଟିଏ କାଖରେ ଯାକି ପହଞ୍ଚିଥିଲେ । ସକାଳୁ ଗାଁରୁ ବାହାରିଲେଣି–ବାଟ ସେତେ ବେଶୀ ନ ହେଲେ ମଧ୍ୟ–ବୟସ ଗଡ଼ିଲାଣି, ଏଣେ ଏତେ କଞ୍ଜୁସ୍ ଯେ ଗାଡ଼ିରେ ପଇସା ଦେବାକୁ କୁନ୍ଥୁକୁନ୍ଥୁ, କାହାକୁବି ପଇସା ମାଗିବା ଲାଜ । କେହିବି ମହକିଲ ଆସିପାରୁ ନ ଥିଲେ ନୋହିଲେ ବି ଦାସେ ତା ଖର୍ଚ୍ଚରେ ଆସି ପାରିଥାନ୍ତେ । ଏଣେ ବିନା ଟିକଟରେ ଆସିବାର ଭୟ । ଚାଲିବା ଛଡ଼ା ଆଉ ଅନ୍ୟ କିଛି ନାହିଁ । ମୁହଁ ଅନ୍ଧାର ହୋଇଗଲାଣି–ଏଣେ ବି ମୁହଁ ଚୋଚଡ଼ା ପଡ଼ିଗଲାଣି ଦାସଙ୍କର । ଯାହାହେଉ–ଧନପତିବାବୁ ଓକିଲଙ୍କ କେତେଦିନର ମାମଲତିକାର–ବଡ଼ ଆଦରରେ ଦାସଙ୍କୁ ନେଇ ବୈଠକଖାନାରେ ବସାଇଲେ । ଖାଇବା ପିଇବା ବି ବରାଦ ହେଲା, କିନ୍ତୁ ଦାସେ ଭାଙ୍ଗିଲେ । ବର୍ତ୍ତମାନ ଦେଉଳକୁ ଯାଇ ଦର୍ଶନ ଇତ୍ୟାଦି ସାରି, ସଁ ଧୂପ ମହାପ୍ରସାଦ ଖାଇବାକୁ ତାଙ୍କର ଭାରି ମନ । ଅନେକ ଦିନରେ ପୁରୀ ଆସିଛନ୍ତି, ସେୟା ହେଲା । ରାତି । ୯ସୁଦ୍ଧା ଦାସେ ଦେଉଳରୁ ଫେରିବେ କହି ବାହାରିଗଲେ । ଧନପତିବାବୁ ବହୁତ କଥା ପଚାରିବେ ବୋଲି ହାକୁ ହାକୁ ହଉଥିଲେ ବିଶେଷରେ ଏ ସମ୍ୱନ୍ଧ ନେଇ–କିନ୍ତୁ ଦାସଙ୍କର କ୍ଲାନ୍ତି ଓ କ୍ଷୁଧା ଦୁଇଟି ଯୋଗୁଁ ତାଙ୍କୁ ଆଗ ଅଟକାଇବା ଉଚିତ ମନେକଲେନି ।

 

ମଞ୍ଜୁ ଓ ହରି ଦୁହେଁ ବାଲକୋନିରେ ବସି ସିନେମା ଦେଖୁଥାନ୍ତି । ଭଲ ଛବିଟିଏ ଚାଲିଥାଏ–କେତେ ସମୟ ପରେ ଆସିଲା ଠିକ୍‌ ଦୃଶ୍ୟ ଯେଉଁଥିରେ ‘କୁମାର’ ତାର ପ୍ରେମିକା ଲୀନାକୁ ପାଇବାପାଇଁ ଲୁଚି ଲୁଚି ପ୍ରବଳ ଝଡ଼ବର୍ଷାରେ ବିଲ୍ୱମଙ୍ଗଳ ପରି ମାଡ଼ି ଆସୁଛି । ଲୀଳାର ପିତାମାତା ଅସମ୍ମତ–କିନ୍ତୁ କୁମାର ଲୀଳାକୁ ନ ପାଇ ପାଗଳ । ହରି ହଠାତ୍‌ ଚମକିଗଲା–ମନେପଡ଼ିଲା ସୁଷମାର କମନୀୟ ମୁଖ, ଭସାଣିଆ ଆଖି ତାର ଉନ୍ମୁଖୀ ଯୌବନରେ ଛାପା ଛାପା ଇଙ୍ଗିତ–କେତେ ନିବିଡ଼ ସମ୍ପର୍କ । ସାବିତ୍ରୀ ଅମାବାସ୍ୟାର ଯେ ଅପବାଦ ତାହା କାହା ଯୋଗୁଁ ଘଟିଲା । ପରୀକ୍ଷାଫଳ ବାହାରିବା ଦିନ କିଏ ପାଗଳ ହୋଇ ଦୌଡ଼ୁଥିଲା ଆତ୍ମହତ୍ୟା କରିବ ବୋଲି–ଦେବୀଙ୍କ ପାଖେ କାହିଁକି ଜଣାଉଥିଲା ତାର ଅଶେଷ ପ୍ରଣତି । ଯଦି କୁମାର ତାର ଲୀନା ପାଇଁ ସବୁ ଭୁଲି–ନିଜର ଜୀବନକୁ ତୁଚ୍ଛ ମଣେ ତେବେ ସେ ଆଜି ଅନ୍ୟଜଣେ ତରୁଣୀ ସହ ବସି ସିନେମା ଉପଭୋଗ କରୁଛି–କାହିଁକି ? ନିଜକୁ ଅପରାଧୀ ମନେକରି ମଞ୍ଜୁ ଆଡ଼କୁ ଦୃଷ୍ଟିପାତ କରେତ ତାର ମୁହଁ ଆରକ୍ତ–ଗଣ୍ଡ ଓ ଓଷ୍ଠ ଥର ଥର, ବକ୍ଷ ଉନ୍ନୀତ–ମଞ୍ଜୁର ପଣତ କାନି ତାର ପୃଷ୍ଠଦେଶରେ । ହରି ଘୁଞ୍ଚିଗଲା–ମଞ୍ଜୁ ଅପ୍ରତିଭ ହେଲା । ଦୁହିଁଙ୍କର ସିନେମା ଉପଭୋଗ କରିବା ସେହିଠାରେ ଆପାତତଃ ଶେଷ ହେଲା । ମଞ୍ଜୁ ଭାବିନେଲା ହୁଏତ ହରିବାବୁ ଅନ୍ୟ କାହାର ପ୍ରେମରେ ମଜ୍ଜିତ ବା ଶିକ୍ଷକ ହୋଇ ଛାତ୍ରୀ ସହ ଏପରି ଲାଗି ବସିବା ଆଦର୍ଶ ବିରୁଦ୍ଧ ବୋଲି ତାଙ୍କର ଧାରଣା । କିନ୍ତୁ ପଛ କଥାଟି ଯଦି ହୁଏ ତେବେ ସେତ ପ୍ରଥମରୁ ବସିବାବେଳୁ ସାବଧାନ ହୋଇଥାନ୍ତେ ।

 

ଛବି ଆଉ ସୁଖ ଲାଗୁ ନ ଥାଏ, ପ୍ରତ୍ୟେକର ମନ ହଉଥାଏ, କିପରି ନିର୍ଜନ ଜାଗାରେ ଶୋଇ ଗୁଡ଼େ ଭାବିବାକୁ ସମୟ ପାଆନ୍ତେ । କିନ୍ତୁ କେହି କାହାକୁ କହିପାରୁ ନ ଥାନ୍ତି । କିପରି ଛବି ନ ସରୁଣୁ ଯିବେ । ଏହି ଭାବନାର ମଧ୍ୟରେ, ଛବି ଶେଷ ହେଲା । ଦୁହେଁ ଫେରିଲେ ।

 

ସାଢେ ନଅଟା, ଧନପତିବାବୁ–ଦାସେ ଟୁପୁର ଟାପୁର ହେଉଥାନ୍ତି । ହରିର ଭାଇନା ଭାଉଜ କିପରି ଲୋକ–ଦୁହିଁଙ୍କର ସମ୍ୱନ୍ଧ ହେଲେ କିପରି ହୁଅନ୍ତା–ଇତ୍ୟାଦି ବହୁତ କଥା । ଦାସେ, ମଞ୍ଜୁ ଓ ଧନପତିବାବୁ ଦୁହିଁଙ୍କର ଖାନଦାନିକୁ ପ୍ରଶଂସା କରିବାରେ ମୁଖର ହୋଇଥାନ୍ତି । ହରିର ଭାଉଜ ଲକ୍ଷ୍ମୀଟିଏ, ଭାଇନା ଭଲଲୋକ କିନ୍ତୁ ସେତେ ମିଶାଣ ନୁହେଁ, ଏହି ସବୁ ଖଟାମିଠା ମନ୍ତବ୍ୟ ଚାଲିଥାଏ । ମୋଟ ଉପରେ ଦାସେ କହନ୍ତି ଯେ, ସବୁ ଦୃଷ୍ଟିରୁ–ବିଦ୍ୟା, ଧନ, ପରିବାର, ସମ୍ପତ୍ତିବାଡ଼ି, ସଂସ୍କୃତି–ଏପରି ସମ୍ପର୍କ ବାଞ୍ଛନୀୟ ।

 

ଦୁହେଁ ଫେରିଲେ–ଦାସଙ୍କୁ ଦେଖି ହରି ଓ ମଞ୍ଜୁ ଦୁହେଁ ନମସ୍କାର ହେଲେ । ଦାସେ ଲମ୍ୱା ଆଶୀର୍ବାଦ କରି ଆକର୍ଣ୍ଣ ପାଟି ବିସ୍ତାର କରି ଗୋଟିଏ ହସ ହସିଲେ । ଦାସେ ଯେପରି ଏ ସଂସାରରେ ସବୁଠାରୁ ବେଶୀ ଖୁସି, ବେଶୀ ଆନନ୍ଦ ଏ ଦୁହିଁଙ୍କୁ ଦେଖି । ଧନପତିବାବୁ ଦୁହିଁଙ୍କ ମନରେ ଚିନ୍ତାର ଛାପ ଦେଖି ଟିକିଏ ଚିନ୍ତିତ ହେଲେ । ପୁଣି ଭାବିଲେ, ହୁଏତ ନୂଆ ନୂଆ ଅନୁଭୂତି ନେଇ ଟିକିଏ ଶଙ୍କିତ ହୋଇଯାଇଥିବେ ଅବା ।

 

ଧନପତିବାବୁ କହିଲେ, ଦାସେ ଆସିଛନ୍ତି ଅନେକ ଦିନ ପରେ । ପୁଣି ସେ କହୁଛନ୍ତି କ’ଣ କାଲି ବଡ଼ିଭୋରରୁ ଚାଲିଯିବେ । ତେଣୁ ହରି ଆଉ ହଷ୍ଟେଲକୁ ଯିବେ କାହିଁକି–ଏଇଠି ରହିଯାନ୍ତୁ–କେବଳ ଭାଇନା ଭାଉଜ କଥା ଜାଣିବାର ଆଗ୍ରହ ଯୋଗୁଁ ହରି କିଛି ଆପତ୍ତି କଲାନି–ନଚେତ ସେତେବେଳର ମାନସିକ ଅବସ୍ଥା ଯାହା ସେ କେବେହେଁ ରହି ନ ଥାନ୍ତା । ଯାହାହେଉ ହରି ଗୋଡ଼ ହାତ ଧୋଇ ତାର ଲୁଗା ପ୍ରଭୃତି ପାଲଟିବାକୁ ଅଗଣାକୁ ଗଲା । ଠିକ୍‌ ହରି ଯାଇଛି କିନା–ଦାସେ ସେ ଆଡ଼କୁ ଚାହିଁ ମୁରୁକି ମୁରୁକି ହସି ଗୋଟେ ବଡ଼ ଆହ୍ଲାଦ ଅନୁଭବ କରିବା ପରି ଦିଶୁଥାନ୍ତି । ଧନପତିବାବୁ ବି ଓକିଲ–ହେଲେ ନିଜ କଥା ବେଳକୁ ଓକିଲାତି ବୁଦ୍ଧିଟା ଲୁଚିଯାଏ କୁଆଡ଼େ । ପଚାରିଲେ କ’ଣ ଦାସେ, ଖାଲି ପିଇ ଯାଉଛ ।

 

ଦାସେ–‘ଲକ୍ଷ୍ମୀ ନାରାୟଣ’ ତ ଦିହେଁ ଆସୁଥିଲେ ନା–ଓଃ ବଡ଼ ଭଲ ଦିଶିଲା–ଯୋଗ୍ୟ ଯୋଗ୍ୟେନ ଯୋଜୟେତ୍‌–ବିଧାତା ଠିକ୍ କରିଦେଇଛି । ଆପଣଙ୍କୁ ଆଉ ଖୋଜିବାକୁ ନାହିଁ । ଆପଣ ନ ବୁଝିଲେ ମା’ ତାଙ୍କର ସେ ପୁରେ ସବୁ ବୁଝୁଛନ୍ତି । ଧନପତିଙ୍କ ଇଚ୍ଛା–ଖାଲି ହରିକୁ ଟିକିଏ ପଚାରି ଦେବା କଥା । ସବୁତ ମିଶାମିଶି କରୁଛନ୍ତି–ତେବେ ହରିଠାରୁ ତ କିଛି ଶୁଣିବା ଚାହିଁ । ଧନପତିବାବୁଙ୍କର ଏ ସୂଚନା ପାଇବା ମାତ୍ରେ ସେ କାମଟି ଦାସେ ଆଦରି ନେଲେ ।

 

ରାତ୍ରିଭୋଜନ ପରେ ଧନପତିବାବୁ ଚାଲିଗଲେ ଶୋଇବାକୁ । ସେଦିନ ସେ ବୈଠକଖାନା ଖଟଉପରେ ହରି ଶୋଇଲା ଓ ତଳେ ଦାସେ ଶୋଇଲେ । ଦାସଙ୍କୁ ଖଟ ଅଡ଼ୁଆ ଲାଗେ ବୋଲି କହନ୍ତି । ହରି ପଚାରି ବସିଲେ ଗାଁର ସବୁଆଡ଼ ହାଲହଇକତ–ଭାଇନା ଭାଉଜ କିପରି ଅଛନ୍ତି–ସ୍କୁଲ କଥା–ସବୁ । ଦାସଙ୍କ ମନ ଅସଲ ଯାଗାରେ–ହେଲେ ସୁଷମା କଥାଟା ହରିଆଡ଼ୁ ଆଗ ଉଠିଲେ ଭଲ । ଏଇପରି କଥାବାର୍ତ୍ତା ଭିତରେ ଦାସେ ଗୋଟିକଯାକ ହରିର ଆପଣାରେ ହୋଇପଡ଼ି ଥାଆନ୍ତି । ହରିର ତ ବିଷୟ ବୁଦ୍ଧି ଏତେ ନାହିଁ । ଟୋକା–ପୁଣି ଖାଲି ବଡ଼ ବଡ଼ କଥା ପଡ଼ିବ । ସଂସାରର ବାସ୍ତବ ଜୀବନରେ ନାନା ଠୋକର ଖାଇ ମଣିଷ ଯାହା ବୁଝେ, ଅନେକ ସମୟରେ ପୋଥିପତ୍ରର ବଡ଼ ବଡ଼ କଥା ବର୍ଷ ବର୍ଷ ଧରି ଘୋଷିଥିଲେ ମଧ୍ୟ ସେଥିରେ ପ୍ରତ୍ୟୟ ବେଶୀ ରହେନି । ହରି ବୁଝିଲା–ଗାଁଟାଯାକ ଭାଇନା ଭାଉଜଙ୍କୁ ରୋକିଛନ୍ତି, ତେଣୁ ଦାସେ କିପରି ଚିହ୍ନାପଡ଼ି କଥା କହିବେ ? କିନ୍ତୁ ଭିତରେ ବୋଧହୁଏ ଦାସେ ଭାଇନା ଭାଉଜ ଓ ଆମର ପରିବାରର ଜଣେ ବଡ଼ ହିତାକାଙ୍‌କ୍ଷୀ । ପଚାରିଲେ ସେହି ରୋକିବା କଥା । ଦାସେ ବନେଇ ଚୁନେଇ କହନ୍ତି–‘‘କିହୋ ତୁମ ଭାଇନାକୁ ମୁଁ ଦେବତା ପରି ମାନେ–ଅତି ଧର୍ମପ୍ରାଣ ନିର୍ଭୀକ । ଭାଉଜ ତ ଗୋଟିଏ ଲକ୍ଷ୍ମୀ ସାଆନ୍ତାଣୀ । ଇଏ ଗାଁ ଲୋକଙ୍କ କଥା ଜାଣିନ । ୟାଙ୍କର ଇଚ୍ଛା, ଜୟରାମ ଆମକୁ ସବୁକଥାରେ ପଚାରୁ । ଆମକୁ ଖାତିର କରୁ–ସେ ବଡ଼ଲୋକ ହୋଇଗଲାଣି । ହଇରେ କ’ଣ ବଡ଼ଲୋକ–ସେ ବଡ଼ଲୋକ ହେଲାତ ତୁମର ସବୁ କ’ଣ ଗଲା । ମୁଁ କିମିତି ମେଳ ଭିତରୁ ଯିବି–ମୋତେ ବାବା ଏ ଗାଁ ମେଳିକି ଭାରି ଭୟ, ହେଲେ ଓର ଉଣ୍ଡୁଚି–ମଉକା ପାଇଲେ ପାଁ ଜଣକୁ ପଟେଇ, ସେହି ଜୟରାମଙ୍କୁ ଯେ ହଇରାଣ କରୁଛନ୍ତି–ତାଙ୍କୁ ଚେଖେ ଦେବି ।

 

ଘଟଣା ପ୍ରସଙ୍ଗରେ ହରି ବି ସୁଷମା ବୋଉଙ୍କ ଘର ହାଲଚାଲ ପଚାରି ବସିଲା–ଦାସେ ମୁଣ୍ଡରେ ହାତଦେଇ ବସିଗଲେ । କହିଲେ କାହିଁକି ସେ ସବୁ କଥା ପଚାରୁଛୁ । ମୁଁ ତ ଡରି ଡରି ତୋ ମନରେ କଷ୍ଟ ହେବ ବୋଲି ସେ କଥା ଉଠାଉ ନ ଥିଲି । ମାଇକିନା ଝିଅ–ତାଙ୍କର ଘଡ଼ିକେ ଗୋଟେ ଗୋଟେ କଥା ସେଥିକି ପୁଅଟେ ପାଇଛି ମୁଁ–ନା କଥାରେ ବାଗ ଅଛି ନା କାମରେ ଇଚ୍ଛା ଅଛି । ମୂର୍ଖ ବାପୁଡ଼ା, ସେଥିରେ ପୁଣି ସବୁବେଳେ ସେଇ ସୁଷମା ବୋଉ ଘରେ ପଶିଥିବ–ହେଁ ହେଁ ଫେଁ ଫେଁ ଚିଠିପତ୍ର–କେତେ କ’ଣ । ବୁଢ଼ା ବୟସରେ ଘୋଡ଼ାପୁଅ ପାଇବା କଥା । ହରିର ମନ ବିଚଳିତ ହୋଇପଡ଼ୁଥିଲା । ସୁଷମାର ସ୍ୱର ଶବଦ କିଛି ନାହିଁ–ତେବେ କ’ଣ ଭୁଲିଗଲା । ମନେପଡ଼ିଲା କୈଶୋର ସମୟର ମଧୁମୟ ସ୍ମୃତିଗୁଡ଼ିକ –କିନ୍ତୁ ହେଡ଼ମାଷ୍ଟ୍ରେ ସେଦିନ ଆସିଥିଲେ–କ’ଣ ତ ପ୍ରଂଶସା କରୁଥିଲେ ତାର, ମାମଲତିକାର ଲୋକ କ’ଣ କିଛି ଠକାର କରି କହୁଛି । ତାକୁ ଜିଜ୍ଞାଷୁ ଦୃଷ୍ଟିରେ ଚାହିଁବାର ଦେଖି, ଦାସେ କହିଲେ ସେସବୁ କଥା ମୋତେ କିଛି ପଚାରନା । ଏଇ ସେ ପୋଡ଼ପାଡ଼ ଖାମଟା ପକେଟରେ ଥିଲା–ବୋଲି କହି ଦେଖାଇ ଦିଅନ୍ତେ, ହରିର ଆଶଙ୍କା ଦୃଢ଼ୀଭୂତ ହୋଇଗଲା । ଭାବି ପାରିଲାନି କିଛି–ଗୋଟିଏ ଉତ୍ତେଜନାରେ କହିଦେଲା, କହିଦେବ ଭାଇନାକୁ ଯେ ମୁଁ ଆଉ ଏ ଛୁଟିରେ ଯିବିନି । ଭାଇନା ଭାଉଜଙ୍କୁ କହିଦେବ ଟିକିଏ ଗୋସାଣୀ ଏକାଦଶୀ ଆଡ଼କୁ ଦିନେ ଦୁଇଦିନ ଆସି ବୁଲିଯିବେ ।

 

ରାତିଯାକ ଝଟପଟ ହେଲା ବିଛଣାରେ, କି ସୌରଭମୟ ସ୍ମୃତିଗୁଡ଼ିକ ଭୁଲିଗଲା ସୁଷମା–ବଡ଼ ଭୁଲ କଲା ସେ ସବୁରେ ଲିପ୍ତରହି । ତେବେ, ଯଦି ସେ ତାର ପଥ ବାଛିନେଲା, ମରଦପିଲା ହୋଇ ସେ କ’ଣ ଆଉ ପ୍ରେମପାଇଁ ଆତ୍ମହତ୍ୟା କରିବ–ସେ ବି ତାର ପଥ ଠିକ୍‌ କରିନେବ ।

 

ପରଦିନ ସକାଳେ ଦାସେ ନିରତିଶୟ ଆନନ୍ଦ ଅନୁଭବ କରି ଧନପତିବାବୁଙ୍କ ସହ ଦେଖାକଲେ–ଆସିବା ପୂର୍ବରୁ ସୂଚନା ଦେଇଗଲେ ଯେ, ହରିର ଏ ସମ୍ୱନ୍ଧରେ ପୂର୍ଣ୍ଣ ଇଚ୍ଛା ଅଛି ଓ ଶୀଘ୍ର ଏଥିରେ ଅଗ୍ରସର ହେବା ଉଚିତ ।

•••

 

(ଷୋଳ)

 

ଦିନଟି ପରି ଦିନୁଟିଏ । ଜୟରାମ ଓ କୁନ୍ତଳା ନିଜର ପରିବାରର କଥା ନେଇ ଆଲୋଚନାରତ । ପରିବାର ବୋଇଲେ କୁ ପିଲାଛୁଆ ଖାଲି ବହିଯାଉଛନ୍ତି । ଏହି ହରି–ତାର ପୂଜାରେ ଆସିବାର ଅଛି । ଭାଇନା ଭାଉଜ ମୁରବୀ–ବିବାହ କଥା ଯାହା ଯେପରି ତାର ଅବଲମ୍ୱନଟା ଏପାଖ ସେପାଖ ହୋଇଯାଇଛି । ତେଣୁ ଆଲୋଚନା ପାଇଁ କ୍ଷେତ୍ର ବ୍ୟାପକ ହୋଇଯାଇଛି । ହରି ଓ ସୁଷମା–ଉଭୟଙ୍କର କୈଶୋର–ସମ୍ପର୍କ ଓ ପିତା ଗଙ୍ଗାଧରଙ୍କର ଶେଷ ଦିନର ଇଚ୍ଛା, ଫଳବତୀ ହେବାର ଆଶା ଯେ ଲୋପ ପାଉଛି–ସେଥିରେ ପୁଣି ହରି ଧନପତିବାବୁଙ୍କ ଝିଅକୁ ଟିଉସନ କରି ସେ ପରିବାର ସହ ଜଡ଼ିତ ହୋଇଗଲାଣି–ଏସବୁ ଚିନ୍ତାର କଥା ହୋଇପଡ଼ିଛି-। ତେବେ ହରିର ଇଚ୍ଛା ତ ମୂଳ । କୁନ୍ତଳା କହନ୍ତି ଯେ ହରି ଓ ସୁଷମା କେହି ପରସ୍ପରକୁ ଭୁଲିନାହାନ୍ତି, କେବଳ ଗୋପୀଦାସଙ୍କ ଚକ୍ରାନ୍ତ ଓ ଗାଁ ଲୋକଙ୍କ ମେଳି ଆଉ ବାସନ୍ଦ–ଏଇଗୁଡ଼ିକ ଦୁହିଁଙ୍କ କୈଶୋର ସମ୍ପର୍କର ବିକାଶ ପଥରେ ଅନ୍ତରାୟ ହୋଇଯାଇଛି । ହେଲେ, ସେ ସମ୍ପର୍କର ଛାପ ଲିଭିବାର ନୁହେଁ–କେହି କାହାକୁ ଭୁଲି ନ ଥିବେ ନିଶ୍ଚୟ । ଜୟରାମ କହନ୍ତି ପିଲା ସମୟରେ ଅନେକ ଅବାଧ ମିଳାମିଶା ହୋଇଥାଏ–କ୍ଷୁଦ୍ର ଗାଁଟିର ପରିସର ଭିତରେ । ବୃହତ ପରିସର ମଧ୍ୟକୁ ଯାଇ, ଶିକ୍ଷା ଦୀକ୍ଷାଦ୍ୱାରା ମାନସିକ ଚିନ୍ତାଧାରା ବିସ୍ଫାରିତ ହୁଏ । ସୁତରାଂ ଅନେକ ସମୟରେ ବାଲ୍ୟଧାରଣାର ସଂଶୋଧନ ଆବଶ୍ୟକ ହୁଏ । ବର୍ତ୍ତମାନ ଯେତେବେଳେ ସେ ଧନପତିବାବୁଙ୍କ ଘରେ ଟିଉସନ କରୁଛି–ବଡ଼ ବଡ଼ ସମ୍ପର୍କରେ ନିଶ୍ଚୟ ଆସୁଥିବ ଓ ନିଜର Interestଟା ବୁଝିପାରୁଥିବ । ତା ପରେ ଛାଡ଼ ଏବେ ସବୁ କଥା, ଆମେ ତ ଆଉ ବାପା ମା’ ନୁହଁ, ଭାଇ–ଭାଉଜ-। ତେଣୁ ତାର ମନର ଅବସ୍ଥା ବୁଝି ଆମକୁ ଆଗେଇବାକୁ ହେବ । ଭାଇ ଭାଉଜ–ବାପା ମା’ ନୁହେଁ, କୁନ୍ତଳାଙ୍କର ମୁହଁ ଶୁଖିଗଲା–ମା’ ବୋଲି ତାଙ୍କୁ ଡାକିବାକୁ କେହି ନାହିଁ, କି ଆଉ ସମ୍ଭାବନା ବି ନାହିଁ-। ବାସ୍ତବରେ, ଯେ, ଭାଇ ଭାଉଜ ହିସାବରେ ଆଗେଇବା ସାବଧାନତା ଦରକାର କରେ, ଏ କଥା କୁନ୍ତଳା ନ କହିଲେ ବି ଅନୁଭବ କଲେ । ହରିର ମନ କଥା ହେଡ଼ମାଷ୍ଟ୍ରଙ୍କ ଜରିଆରେ ଭଲଭାବେ ବୁଝି ହେବ ବୋଲି, ଦିହିଁଙ୍କର ମନକୁ ପାଇଲା, ତାହାହିଁ ସ୍ଥିର ହେଲା ।

 

ଦାସେ ତ ସେଣୁ ପୁରୀରୁ ଫେରି ଖାଲି ହାଳୁ ହାଳୁ ହେଉଥାନ୍ତି, କିପରି ଖବରଟା ଦିହିଁଙ୍କ ଘରେ ଦିଆଯିବ । ଗାଁ ବାସନ୍ଦ–ସନ୍ଧ୍ୟାବେଳିଆ ଦାସେ ସେଆଡ଼ୁ ନଈରୁ ଫେରି ଜୟରାମ ଘରକୁ ଦାଣ୍ଡେଇଲେ–ଏପାଖ ସେପାଖ ଛକପକ ହୋଇ ଚାହୁଁଥାନ୍ତି, କିଏ କାଳେ ଦେଖି ପକେଇବ । ଜୟରାମ, ଦାସଙ୍କୁ ଅନେକଦିନ ପରେ ଏପରି ଭାବରେ ଦେଖି ଆଶ୍ଚର୍ଯ୍ୟ ହେଲେ ଯେତିକି, ଆଶଙ୍କିତ ହେଲେ ବି ସେତିକି । ମାମଲତିକାର ଧପାବାଜଙ୍କୁ ବୁଝିବା ମୁସ୍କିଲ, ଏ କଥା ଜୟରାମ ଠିକ୍‌ ଜାଣନ୍ତି । ଧନପତିବାବୁ ଯେ, ଜୟରାମଙ୍କ ସହ ଟିକିଏ କଥାବାର୍ତ୍ତା ହେବାରେ ମନ ବଳାଇଛନ୍ତି ଓ ଜୟରାମଙ୍କୁ ତାଙ୍କ ସୁବିଧାରେ ଦୁଇଦିନ ଯେତେବେଳେ ଏଇ ନିକଟରେ ଯାଇ ଆସିବାକୁ ଅନୁରୋଧ କରିଛନ୍ତି–ଏକଥା ସାଧାସିଧା କହିଦେଲେ । ବନେଇ ଚୁନେଇ କହିବାକୁ ଦାସଙ୍କର ମନ ବଳିଲା ନାହିଁ, କାରଣ ଜୟରାମଙ୍କର ମୁହଁ ଗମ୍ଭୀର ଓ ବିରକ୍ତି ସୂଚକ । ଏତିକି ପଚାରିଲେ ଜୟରାମ ଯେ, କଥାଟା କ’ଣ–କାହିଁକି–ମୁଁ ଯିବି–କିଛି ଇସାରା ପାଇଛନ୍ତି କି । ଦାସେ:–ତାଙ୍କ ଝିଅକୁ ହରି ସଙ୍ଗେ ବିଭା ଦେବାକୁ ମନ ତାଙ୍କର–ହେଲେ ତୁମେ ମୁରବୀ–ସେଥିପାଇଁ ବୋଧେ ହୋଇଥିବ । ତୁମ ମତାମତ କିଛି ପଚାରୁ ନ ଥିଲେ–ଜୟରାମ ପଚାରିଲେ, ଦାସେ,–ହରି ସୁଷମା ସମ୍ୱନ୍ଧେ କ’ଣ ମୁଁ ଜାଣିନି–ଗଙ୍ଗା ବାପା କ’ଣ କହିଥିଲେ–ମୁଁ କ’ଣ ଭୁଲିଯାଇଛି । ମତ ଦେବି କ’ଣ । ହେଲେ ସେ ତ ବଡ଼ଲୋକ, ପୁଣି ହରିର ଏବେ ପୁଣି କ’ଣ ଇଚ୍ଛା–ଏସବୁକୁ କି ମୁଁ ପାତ୍ର–କିଛି କହିଲିନି ।

 

ଯିବାପୂର୍ବରୁ ଦାସେ କହିଦେଇ ଗଲେ ଯେ ଏଥର ପୂଜାରେ ହରି ଗାଁକୁ ଆସିପାରିବନି ମୋତେ କହୁଥିଲା–ତୁମକୁ କହିବାକୁ ବି କହିଥିଲା । ଏତିକି କହି ଦାସେ ସେଠାରୁ ନିଷ୍କ୍ରାନ୍ତ ହେଲେ ।

 

ବାକି ସୁଷମା ବୋଉ ଘର ଦେଇ ଯିବା ଠିକ୍‌ ବୋଲି ଭାବି ଦାସେ ସେଇବାଟେ ଆସିଲେ–ସେଇବାଟ ଦେଇ ତ ନିଜ ଘରକୁ ଫେରିବାକୁ ହେବ । ଏବକୁ ଏବ ତ ଦାସେ ଯାଉଥିଲେ ବି–ସୁଷମା ବୋଉ ଅଛ କି ? ବୋଲି ଗୋଟେ ଆପଣୋଇତି ପାଟି କରନ୍ତି । ସେଦିନ ବି ସେଇପରି ଫେରି ଗୋଟେ ଡାକ ଛାଡ଼ିଲେ ଓ ଟିକିଏ ଅପେକ୍ଷା କଲା ପରି ରହିଲେ । ସୁଷମା ବୋଉ ଭିତରକୁ ଡାକିଲେ । ମାମୁଲି ପଚାରିବା କଥା । ସୁଷମା ବୋଉ ପଚାରିଲେ କ’ଣ ନଈଆଡ଼ୁ ଫେରିଲ । ଏତିକିରେ ଦାସେ ଗୋଟେ ବାଟ ପାଇଲେ–କହିଲେ ଏଇ ଜୟରାମଙ୍କ ଘରକୁ ଯାଇଥିଲି । ମୋର ଗୋଟେ ଅଭ୍ୟାସ କିଏ ଗୋଟେ କ’ଣ ଖବର ଦେଲେ, ମୁଁ ପଛେ ନ ଖାଇବି କିନ୍ତୁ ଆଗ ସେ ଖବରଟି ଦେବି । ଜୟରାମଙ୍କ କଥା ଶୁଣି ସୁଷମା ବୋଉ ଆଶ୍ଚର୍ଯ୍ୟ ହେଲା ପରି କହିଲେ, ତାଙ୍କ ଘରକୁ ତୁମ ହାତେ ଖବର କିଏ ଦେଲା–ଏତ ବଡ଼ ଆଚମ୍ୱିତ କଥା । ଦାସେ–କହିଲେ–ସୁଷମା ବୋଉ ବଡ଼ ଲାଗି ଯୋଡ଼ିଆ ଲୋକ–ମୁଁ ଏବେ ସବୁ କହୁଛି । ସେ କିପରି ପୁରୀ ଯାଇଥିଲେ–ଧନପତିବାବୁ ତାଙ୍କ ଝିଅ ମଞ୍ଜୁକୁ ହରିକୁ ବିଭା ହେବାକୁ କିପରି ଇଚ୍ଛୁକ ଓ ସେ ନେଇ ଖବର ପଠାଇଛନ୍ତି ଜୟରାମଙ୍କୁ ଯିବାକୁ । ଏତିକି କହି ପୁଣି ମନ୍ତବ୍ୟଟା ଛାଡ଼ିଲେନି–କହିଲେ, ଯେ ଏତିକି ଶୁଣୁଶୁଣୁ, ଜୟରାମ ବାହାରିଲେଣି । ବୋଧେ କାଲି ବା ପଅରଦିନ ପୁରୀ ଯିବେ । ଗୋଟେ ଦୁଃଖର ହାଓ୍ୱା ଘୋଟିଗଲା ଯେପରି–ଦାସେ ଚାଲି ଆସିଲେ ।

 

ସୁଷମା ସବୁ କଥା ମନେପକେଇଲା–କିନ୍ତୁ ସେ ସ୍ମୃତିଗୁଡ଼ିକର ମୂଲ୍ୟ କ’ଣ ବା ହେବ–ପିତୃହରା ସେ–ଦାଣ୍ଡର ଯେ ହେଲେ, କିଏ ତାକୁ ପଚାରିବ, କିଏ ବା ତା ଦୁଃଖ ବୁଝିବ । ମା’, ତ ବିଧବା–ସବୁରି ଶାଳୀ । କୋହରେ ତାର ଅନ୍ତର ଭରିଗଲା । କାନ୍ଦିଲେ କଳଙ୍କ–ଚାପି ରଖିଲା ତାର କୋହକୁ ଦେହର ସମସ୍ତ ଶକ୍ତି ଦେଇ–ସାକ୍ଷୀ ହେଲା ତାର ନିଭୃତ ଲୋତକ ଅବିରତ ଓ ଅବିଶ୍ରାନ୍ତ ।

 

ମଣିଷ ଦୁଃଖ କରେ–ପୁଣି ସେଇହିଁ ଧୈର୍ଯ୍ୟ ଘେନି–ନିଜକୁ ସବୁ କିଛି ଅଶୁଭ ପାଇଁ ପ୍ରସ୍ତୁତ କରି ନିଏ–ସେଥିରୁ ସେ ପାଏ ସାହସ । ସୁଷମା ଭାବିନେଲା–ବାଲ୍ୟବିଧବା ବି ସ୍ୱାମୀ ନ ଥାଇ ଆଜୀବନ ରହୁଛନ୍ତି–ତେବେ ସେ ଜଣକୁ ଅବା ଚାହିଁଥିଲା–ନ ମିଳିଲା–ଏୟାତ....

 

ଏହି ସମୟରେ ସିଆଡ଼ୁ ସୁଷମା ବୋଉ ଆସି ଚାହିଁ ଦିଅନ୍ତି । ଝିଅ କାନ୍ଦି କାନ୍ଦି ଅସ୍ତବ୍ୟସ୍ତ ହୋଇ ବସିଛି–ଏକେତ ଦାସଙ୍କ କଥା ଶୁଣି ତାଙ୍କ ମନରେ ଘୃଣା ହୋଇ ଯାଇଥିଲା–ଏଥିରେ ଝିଅ ଏପରି–ଗର୍ଜି ଉଠିଲେ–ଆଚ୍ଛା ଝିଅ ଜନ୍ମ ଦେଇଥିଲି, ଲୋକଙ୍କର ଆଉ ଝିଅ ନାହାନ୍ତି–ପୋଡ଼ା କର୍ମଟେ ଯେ, ପୁଅତ ନାହିଁ–କୁଳ ବୁଡ଼ିବା କଥା । ପୁଣି ବିଧବାରେ ତ ମୋ ଜୀବନଟା କଟିବାକୁ ବରାଦ ଥିଲା–ଏଥିରେ ୟା ଦାଉ–ଲୋକେ କ’ଣ ଝିଅ ବାହା କରୁନାହାନ୍ତି–ଏଇ ତ ସପନି ମିଶ୍ରେ–ଏଡ଼େ ମାମଲତିକାର–ଝିଅଟାକୁ ୬୦ ବର୍ଷ ବୁଢ଼ାକୁ ଦେଲେ–ସେଇଥିରେ ତ ସେ ଛୁଆପିଲା ନେଇ ସଂସାର କଲାଣି–ଏଇ ଅଭିଲା ଟୋକି–ଧରିଛି ହରିଭାଇକି । ହଇଲୋ–ସେ ତ କୁଠେଇ ଉଠିଲାଣି–ତୁ ଛତରଖାଇଟା ଆକାଶ କୟାଁକୁ ଚାହିଁ ବସିଛୁ । ମରିଯାଆନ୍ତି ହେଲେ ତୁମ କଥା ତୁମେ ବୁଝନ୍ତ–ବାହା ହେଲେ ହଅ–ନ ହେଲେ ବୁଲ–କହି କହି ଯାଇ ବାରଣ୍ଡାରେ ବସି ପଡ଼ିଲେ ।

 

ଝିଅ ଏସବୁ ଶୁଣି ଜଡ଼ ପାଲଟି ଯାଇଛି–ଏକେତ ମନରେ ନିଆଁ ଲାଗିଛି–ସେଥିରେ ବୋଉଙ୍କ ତୋଡ଼–ସମ୍ଭାଳି ପାରିଲାନି । ଦଉଡ଼ି ଆସି ବୋଉ ଗୋଡ଼ ଯୋଡାକ ଧରି କଇଁ କଇଁ ହୋଇ କାନ୍ଦିଲା–କାହିଁକି ବୋଉ ! ଏତେ ହନ୍ତସନ୍ତ ମୋ ପାଇଁ ହେଉଛୁ । ହଉ ତୋ ମନ ଯାହାକୁ–ଆଣିଦେ–ମୋତେ ବାହା କରିବେ । ମୁଁ ପୋଡ଼ାମୁହିଁ କି କାମର ହେବି–ଝିଅ ଜନମଟେ ତ ପାଇଛି–ସେତିକି ମୋର ଲାଗି–ଗାଁରେ ଏକ–ଘରକିଆ ।

 

କର୍ମରେ ନାହିଁ ବୋଲି ତ କିଛି ନାହିଁ–ଖାଇନୁ–ଏତେବେଳେ ଯେ ଯାଇ ଧଡ଼ପଡ଼ କରି ପଖାଳ ତିଅଣ ଯାହାଥିଲା–ଆଣି ବାଢ଼ିଦେଲା–ବୋଉ ଝିଅକୁ ଚାହିଁ ରହିଲା । କିଲୋ ଖାଉନୁ–ମୋତେ କାହିଁକି ଚାହିଁଚୁ–ବୋଉ ଖାଇବାକୁ ଆରମ୍ଭ କଲା–କି କଥା କହିଲି ଝିଅକୁ–ବକଟେ ବୋଲି ପିଲା–ବାଞ୍ଝମାନେ ତ ଝିଅଟେ ଖୋଜିଲେ ବି ନାହିଁ–କ’ଣ ବୋଲି ବକିଲି–ତାର ତ ବୟସ ପଡ଼ିଛି–ପୁଣି ଭଲମନ୍ଦ ଆଗକୁ ଅଛି । ଖାଉଥାଏ ଯନ୍ତ୍ର ପରି ସିନା–ଚିନ୍ତାଟାତ ମନ ଚହଲାଇ ଦେଉଥାଏ । ଖାଇସାରି ସୁଷମାକୁ ଅତି ସ୍ନେହରେ ଡାକି କହିଲା ଝିଅ । ତୋର କିଛି ଖରାପ ହେବନି । ପୁଅଟି ଭଲପିଲା–ଆମର ପାଠ କଅଣ ହେବ–ତାଙ୍କର ତ ସେଇ ଗୋଟିଏ ପୁଅ–ଆମର ବି କିଛି ବିଷୟ ବାଡ଼ିଅଛି–ଅଭାବ ହେବନି ମା’–ଖୁସିରେ ଚଳିବ । ଆମେ ଯେତିକିରେ ସେତିକିରେ ରହିବା–ବଡ଼ ବଡ଼ କଥା ବଡ଼ ଲୋକକୁ ସାଜେ । ଭାଗ୍ୟରେ ଥିଲେ–ଏଇ ଛୋଟ ଦରିଦ୍ର ଘରର ସଂସାର ଶାନ୍ତି ଓ ସୁଖରେ ଚଳେ–ନ ଥିଲେ ବଡ଼ ଘରରେ ବି ସେ ସୁଖ ମିଳେନି । ଝିଅ ନିରବ–ଚକ୍ଷୁ ବାଷ୍ପାକୁଳ–ପିଲାଦିନେ ତାର ତାଙ୍କ ସହିତ ଏତେଟା ମିଶିବା ଅପରାଧ–ଭୁଲ କରିଛି–ନିତେଇ ଛତରା ଟୋକା–ତାକୁ ନେଇ ରହିବ–ଘର କରିବ–‘‘ହେ ଭଗବାନ! ମୋର ମରଣ ଏଇ ମୁହୂର୍ତ୍ତରେ ହୋଇଯାଆନ୍ତା ହେଲେ ।’’

•••

 

(ସତର)

 

କଲେଜ ହଷ୍ଟେଲର ଦ୍ୱିତୀୟ ମହଲାର ୧୪ ନମ୍ୱର ପ୍ରକୋଷ୍ଠରେ ହରିହର ଚିନ୍ତାମଗ୍ନ । ନିଜର ପଢ଼ାପଢ଼ି ବିଷୟରେ ମନୋନିବେଶ କରି ହେଉନି–ତାହା ବି ଆଉ ଗୋଟିଏ ଚିନ୍ତା । ଭାଇନା ପ୍ରଭୃତି ତାର ବିବାହ ସଂକ୍ରାନ୍ତରେ ଆସିବେ–ଯାହାଗୋଟିଏ ସ୍ଥିର କରି ଧନପତିବାବୁଙ୍କ ସଙ୍ଗେ ଯିବେ । ସୁଷମାର ମୁଖଶ୍ରୀ ତାର ଆଗରେ ଭାସିଉଠିଲା । ମାତ୍ର କେତୋଟି ବର୍ଷ ତଳେ–ସହପାଠିନୀ ଥିଲା, ସେ ରାତିର କେତୋଟି ଘଣ୍ଟା ଛାଡ଼ିଦେଲେ, ବାକି ସମୟ ପ୍ରାୟ ତାର ସଙ୍ଗେ ହସଖୁସିରେ କଟୁଥିଲା । କଥାଗୁଡ଼ିକ କେତେ ମଧୁର, ବିଶେଷରେ କି ସ୍ନେହ ଓ ଆବେଗରେ ମିଶି ବୁଲୁଥିଲା ତାର ସଙ୍ଗେ । ପରୀକ୍ଷା ଫଳ ବାହାରିବା ଦିନ କି ଉତ୍‌ଫୁଲ ଓ ଆନନ୍ଦ ବିଭୋର ହୋଇ ଯାଇଥିଲା । ସେ ସବୁ ଆଜି ଅତୀତ ଗର୍ଭରେ । ତାରି ଯୋଗୁଁ, ଆଜି ଗାଁକୁ ବି ଯାଉନି–ଏତେଶୀଘ୍ର ଭୁଲିଗଲା–ନିତେଇ ପାଖୁ ଚିଠି ଲେଖି ପାରିଲା । ବୋଧହୁଏ ତାର ଏ ପ୍ରଗଲ୍‍ଭତା ପାଇଁ ମୁଁ ଦାୟୀ–ଛାଡ଼ ସେକଥା–ଆଜି ତ ସେ ଅନ୍ୟର । ମଞ୍ଜୁ ଭଲ ପିଲା ଗଢ଼ିଛି ମୁଁ, ବିଭା ହେଲେ ତା ସହିତ ମନ୍ଦ ବା କଅଣ ? ସମସ୍ତେ ତ ଜନ୍ମ ହୁଅନ୍ତି–ବଞ୍ଚିଲେ ଯୁବକ ହୋଇ ସଂସାର କରନ୍ତି–ନିତିଦିନିଆ ଘଟଣା ଦୁନିଆର । ଇତିହାସରେ ବିରହ ମିଳନ ଗାଥା ଅନେକ–କିନ୍ତୁ ସେ କ’ଣ ସାର୍ବଜନୀନ ? କେତେ ଜଣଙ୍କ ଜୀବନରେ ଏପରି ଔପନାସିକ ଛଟାରେ ବିବାହର ମିଳନ ଘଟୁଛି । ମସ୍ତିଷ୍କ ତାହାର ଭାରାକ୍ରାନ୍ତ ହୋଇଗଲା ।

 

ଏହି ସମୟରେ ପ୍ରାଧାନ ଶିକ୍ଷକଙ୍କୁ ଦେଖି ହଠାତ୍‌ ହରିହର ସାଷ୍ଟାଙ୍ଗ ପ୍ରଣିପାତ କଲା–ତାପରେ ଭାଇନାଙ୍କୁ ନମସ୍କାର କରି ଦୁଇ ଖଣ୍ଡି ଚୌକି ଆଣି ପକାଇଦେଲା । ପଢ଼ାପଢ଼ି ସଂକ୍ରାନ୍ତରେ, କଲେଜ ଜୀବନନେଇ ସ୍ୱାଗତ ସମ୍ଭାଷଣ ସରିବା ପରେ–ପ୍ରଧାନ ଶିକ୍ଷକ ପଚାରିଲେ–ହରି ତୁମେ ତ ମୋର ଛାତ୍ର–ଏବେ କିନ୍ତୁ ତୁମେ ଯୁବକ–ସଂସାର କରିବାର ସମୟତ ଉପନୀତ । ତେବେ ଧନପତିବାବୁଙ୍କ କନ୍ୟାସହ ବିବାହ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଭାଇନାଙ୍କୁ ସେ ଖବର ଦେଇଥିଲେ । କିନ୍ତୁ ତାଙ୍କ ପାଖକୁ ଯିବା ପୂର୍ବରୁ ତୁମର ଇଚ୍ଛା ଓ ମତାମତ ବୁଝିବା ଚାହି ।

 

ହରି–ସାର ଆପଣ ଏ କ’ଣ କହୁଛନ୍ତି–ଆପଣ ମୋର ଶୁଭାକାଙ୍‍କ୍ଷୀ–ଭାଇନା ମୋର ପିତୃସ୍ଥାନୀୟ–ଆପଣଙ୍କର ସବୁ ନିଷ୍ପତ୍ତି ହିଁ ମୋର ମଙ୍ଗଳପ୍ରଦ ଓ ଶିରୋଧାର୍ଯ୍ୟ ।

 

ଭାଇନା–ହେଲେ ଆଜିକାଲି ଯୁଗ ପରିବର୍ତ୍ତିତ ଓ ପରିବର୍ତ୍ତିନ ବି ଯଥାର୍ଥ । ସଂସାର କରିବ ତୁମେ । ଆମେ ନୁହେଁ । ତେଣୁ ଅଭିଭାବକ ହିସାବରେ କିଛି କଲେବି, ତୁମର ମତାମତ ନ ନେବା ମୁଁ ଠିକ୍ ମନେକରୁନି ।

 

ପ୍ର.ଶି–ତା ଠିକ୍‌ । ତୁମେ ପ୍ରାପ୍ତବୟସ୍କ । କଲେଜରେ ପଢ଼ୁଛି–ତୁମର ଆଶା ଆକାଙ୍‍କ୍ଷା ଏସବୁ ପୁଣି ଅଛିତ ?

 

ହରି–ମୋର କିଛି କୌଣସିଥିରେ ଆପତ୍ତି ନାହିଁ । ଏହାପରେ ଶିକ୍ଷକ ଓ ଜୟରାମ ଫେରିବାକୁ ଉଦ୍ୟତ ହେଲେ–କହିଲେ, ତେବେ ଆମେ ଯାଉଛୁ–କଥାବାର୍ତ୍ତା କରି ପୁଣି ଗାଁକୁ ଗଲାବେଳକୁ ତୋ ପାଖ ହୋଇଯିବୁ । କିଛି ବାଟ ଆସି ପ୍ର.ଶି. ଫେରିପଡ଼ିଲେ–ଜୟରାମ ଥାନ୍ତି ବାହାରେ । କହିଲେ, ହରି–ସୁଷମାର ବାହାଘର ନିତେଇ ସଙ୍ଗେ ହବାର ଯୋଗାଡ଼ ଚାଲିଛି ।–ସୁଷମା ଅନ୍ତରରୁ କହିଥିଲା ତୁମର ଦେହ ପା କଥା ବୁଝି ଆସିବାକୁ । କେବେ ହେଉଛି–ହରି ଜିଜ୍ଞାସୁ ଦୃଷ୍ଟିରେ ପଚାରିଲା । ଠିକ୍‌ ନାହିଁ–ତେବେ ଖୁବ୍‌ ନିକଟାନିକଟ–

 

ହରି–ମୁଁ ଶୁଣିଛି ।

ପ୍ର.ଶି.–କିପରି ଜାଣିଲ ? ଆଗରୁ ତ ଏ ପ୍ରସଙ୍ଗ ଉଠି ନ ଥିଲା, ଆମେ ସମସ୍ତେ ତ ଭାବିଥିଲୁ– ।

 

ହରି–ଦାସେ କହୁଥିଲେ, ସୁଷମା ଚିଠି ଦେଇଥିଲା ନିତେଇ ପାଖକୁ । କହି, ମୁହଁ ତଳକୁ କରିଦେଲା ଓ ଦୁଇଟୋପା ଅଶ୍ରୁ ଠପ୍‌ କରି ପଡ଼ିଗଲା ତଳେ । ପ୍ର. ଶି. ବିସ୍ମିତ ହେଲେ । ବୁଝିଲେ, ଏଇ ଯାଗାରେ ହରିର ଆଘାତ–ଭୁଲିନି ସେ ସୁଷମାକୁ–କିନ୍ତୁ ଏ ଚିଠି ହିଁ ସୃଷ୍ଟି କରିଛି ଅବସାଦ–କହିଲେ, ଦାସଙ୍କୁ ତୁ ଚିହ୍ନିନୁ ।

 

କିନ୍ତୁ ସେ ମତେ ସେ ଖାମ ଦେଖାଇଛନ୍ତି–ନିତେଇର ଠିକଣା ସବୁ ସୁଷମାର ହସ୍ତାକ୍ଷର–ସାର୍‌ । ତାପରେ ତାର ମା’ତ ଆଉ ଆମ ଘର ସଙ୍ଗେ ସମ୍ପର୍କ ରଖି ନାହାନ୍ତି ।

 

ପ୍ର. ଶି–ସତେ ସୁଷମାର ତ ଏପରି ପିଲା ନ ଥିଲା । କଥା ଦିପଦ ଯେ କହିବାବେଳକୁ ଶଗଡ଼େ ଲାଜ–ସେ, ସତ ହୋଇଥିଲେ ବି କ’ଣ ଚିଠି ଲେଖନ୍ତା ?

 

ହରି–ସାର୍‌ ମନ ହେଉଛି ସେଇ ହାଇସ୍କୁଲକୁ ପୁଣି ଫେରିଯାଆନ୍ତି–କି ସୁନ୍ଦର ପଢ଼ୁଥିଲି–ଏଠାରେ ଅଧ୍ୟାପକ କିଏ କ’ଣ ସମସ୍ତଙ୍କର ଉଦ୍ଦେଶ୍ୟପୂର୍ଣ୍ଣ ବ୍ୟବହାର–ଆଉ କହିପାରିଲାନି । ପ୍ର.ଶି. ହରିକୁ କୁଣ୍ଢାଇ ପକାଇଲେ । କହିଲେ, ହରି ତୁ ସେଇ ପିଲାଦିନ ହରି–ସେହିପରି ସରଳ ଓ ପ୍ରଶାନ୍ତ-। ମାଷ୍ଟ୍ରଗିରି କରିଛି ଓ କରୁଛି–କିନ୍ତୁ ତୋ ପରି ଛାତ୍ରଥିଲେ ମୁଁ ଘର ଭୁଲି ଯାଏରେ । ଶିକ୍ଷକ ଭାବପ୍ରବଣ ହୋଇଚାଲି ଆସିଲେ । ଜୟରାମ ଏପରିଭାବେ ପ୍ର.ଶି.ଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ । ଭାବିଲେ, କ’ଣ ପୁଣି ହେଲା–ହରି ମନାକଲା କି ? ପ୍ର. ଶି. ମୁଣ୍ଡ ହଲାଇ ପଚାରିଲେ, ଜୟରାମ ଦେବୋତ୍ତମ ପିଲାଟିଏ ହରି । ଜୟରାମ ଚାହିଁ ରହିଲେ ପ୍ରଧାନ ଶିକ୍ଷକଙ୍କୁ ।

 

ଯଥା ସମୟରେ ପ୍ରଧାନ ଶିକ୍ଷକ ଓ ଜୟରାମ ଉପସ୍ଥିତ ହେଲେ । ମଞ୍ଜୁ ସେତେବେଳକୁ ବଗିଚାରେ ବୁଲୁଥାଏ । ଆରେ ଏ ଗଛପତ୍ର କିଛି କାଟିଦେ–ସେଠି ଗୋଲାପ ଡାଳଟା ମାଡ଼ିଯାଉଛି ରଜନୀଗନ୍ଧା ଆଡ଼କୁ–ସରେଇନେ–ଏହିପରି ମାଳିକୁ ଫରମାସ ଚଳାଉଥାଏ । ହଠାତ୍‌ ଦୁଇଜଣ ଭଦ୍ରଲୋକ ଦେଖି, ସେମାନଙ୍କୁ ନେଇ ବୈଠକଖାନାରେ ବସାଇଲା । କିଛି ସମୟ ପରେ ଧନପତିବାବୁ ଆସିଲେ–ନମସ୍କାର ! କହି ଉଠିଲେ ଦୁଇଜଣ । ଆପଣ ହରିହରଙ୍କ ଭାଇ କି ?–ପଚାରିଲେ ଧନପତିବାବୁ ।

 

ଜୟରାମ–ଆଜ୍ଞା–ହଁ ।

ଧନପତି–ଠିକ୍‌ ସେହିପରି ଗଢ଼ଣ । ଏ ବାବୁ କିଏ ସେ ?

ଜୟରାମ–ସେ ଆମ ଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ–ହରି ତାଙ୍କରି ପ୍ରିୟ ଓ କୃତୀଛାତ୍ର ଥିଲା ।

 

ଧନପତି–ଆଚ୍ଛା ! ଏ ମଞ୍ଜୁ–ପାଗେଳୀ–ନମସ୍କାର କର ଏ ହେଉଛନ୍ତି ତୋ ସାର୍‌ଙ୍କ ଭାଇନା ଓ ସେ ବାବୁ ତୋ ସାର୍‌ଙ୍କ ସାର୍‌ । ମଞ୍ଜୁ ସଲଜ୍ଜେ ଦୁହିଁଙ୍କୁ ନମସ୍କାର ଜଣାଇ–ଚା, ଜଳଖିଆର ବନ୍ଦୋବସ୍ତ କରିବାକୁ ଚାଲିଗଲା ।

 

ପ୍ର.ଶି–ହରି ଯେପରି, ଏ ଝିଅକୁ ଠିକ୍‌ ସେହିପରି ଶିକ୍ଷା ଦେଇଛି ଜଣାପଡ଼ୁଛି ।

 

ଧନପତି–କାହିଁକି କହୁଛନ୍ତି, ସାର୍‌ଙ୍କର ଗୋଟିଏ ହେଲେ କଥା ତଳେ ପକାଇବ ନାହିଁ । ମା’ ତ ନାହିଁ–ଯେତେ ଅଳିଝଳି–ସବୁ ମୋ ପାଖେ । କିନ୍ତୁ ଏବେ ଆଉ କିଛି ନାହିଁ । ରତ୍ନଟିଏ ମୋର–ବୋଉ ତାର ଚାଲିଗଲା । (ସ୍ତ୍ରୀ) ଦେଇଯାଇଛି ମୋ ଉପରେ ଏହାରି ଦାୟିତ୍ୱ । କିନ୍ତୁ ଆଜି ସେ ମୋର ଦାୟିତ୍ୱ ନେଇଛି ।

 

ଜୟରାମ–ହଜାରେ ଘୋଡ଼ାମୁହାଁ ପୁଅ ନ ଥାଇ, ଏପରି ଝିଅଟିଏ ଥିଲେ ଜନ୍ମ ଓ ଦିହକଟା ସୁଖରେ କଟେ ।

 

ଖାଇବା ପିଇବା ପରେ–ବିବାହ ପ୍ରସଙ୍ଗ ଆଲୋଚନା ହେଲା । କୋଷ୍ଠୀ ଦେଖିବା ଆବଶ୍ୟକ ନାହିଁ ବୋଲି ଦୁଇପକ୍ଷ ରାଜି ହୋଇଗଲେ । ଯୌତୁକ ବେଭାର କଥା ବି ଉଠିଲା ନାହିଁ । ଧନପତିବାବୁ କହିଲେ–ସେ ତ ଝିଅକୁ ମୋର ଗଢ଼ିଛି । ମୋର ଆଉ କିଏ ନାହିଁ । ହରି ମୋର ପୁଅ ସମାନ । ଖାଲି ଯେପରି ମୋ ଦେହ ଥିବା ଯେ, ଦେଖୁଥିବି । ଆଉ କ’ଣ ? ମଞ୍ଜୁ ଭିତରେ ଭିତରେ ଶୁଣି ଖୁସି । ବିବାହ ଦିନ, କାର୍ତ୍ତିକ ପୂର୍ଣ୍ଣିମାକୁ ସ୍ଥିର କରାହେଲା । ଦୁହେଁ ଉଠିଲେ । ବୁଝିଲ ଜୟରାମ–ୟା ବୋଉ ତ ନାହିଁ–ସେ ନିତି ନିୟମ ସବୁ ମୋତେ ଜଣାନାହିଁ । ଯାହା ଯେପରି ମୋତେ କହି ଦେଉଥିବ । ତ୍ରୁଟି କିଛି ହେଲେ ଧରିବନି । ଜୟରାମ କୃତ୍ୟକୃତ୍ୟ ହେଲେ–କହିଲେ ଟିକିଏ ମଞ୍ଜୁକୁ ଡାକି ଦିଅନ୍ତୁ–ଦେଖିକରି ଯିବି ।

 

ଆଲୋ ମଞ୍ଜୁ ! ମଞ୍ଜୁ ନୀରବରେ ଆସି ଦଣ୍ଡାୟମାନ ହେଲା । ମାଛି ମରିବନି–ଆଖି ଦିଓଟି ଗୋଡ଼ ବୁଢ଼ାଆଙ୍ଗୁଳି ଉପରେ ନିବିଷ୍ଟ । ଜୟରାମ ଦଶଟି ଟଙ୍କା ଓ ପ୍ରଧାନ ଶିକ୍ଷକ ଖଣ୍ଡିଏ ଅକ୍‌ସଫୋର୍ଡ ଭାଷାକୋଷ ଦେଲେ–ମଞ୍ଜୁ ନମସ୍କାର କରି ଅନ୍ତର୍ହିତ ହେଲା । ଜୟରାମ ଚାହିଁ ରହିଥାନ୍ତି । ବାହାରି ପଡ଼ିଲା ପାଟିରୁ ‘‘ଲକ୍ଷ୍ମୀ’’ଟିଏ ।

 

ଧନପତିବାବୁ ବହୁତ ବାଧ୍ୟ କରିଥିଲେ ରାତିଟି ରହିବାକୁ । ଘର କାମ ଓ କାଲି ସ୍କୁଲ ଅଛି କହି ଦୁହେଁ–ଆଉ ଦିନେ ରହିବେ–ଏହିପରି କେତେ ରହୁଥିବେ ଇତ୍ୟାଦି ବୁଝାବୁଝି କରି ବିଦାୟ ନେଲେ ଗୋଟିଏ ସରସ ବାତାବରଣ ଭିତରେ ଧନପତିବାବୁଙ୍କଠାରୁ ।

 

ସଡ଼କ ଉପରେ ହରି ଠିଆ ହୋଇଛି–ସାଇକେଲଟିଏ ଧରିଛି । ଗାଡ଼ିବେଳ ହୋଇଗଲାଣି–ଦୁହିଁଙ୍କୁ ନେଇ ଷ୍ଟେସନରେ ଛାଡ଼ିଦେଇ ଆସିଲା । ସବୁ ଶୁଣିଲା । ଟ୍ରେନ୍‌ ଷ୍ଟେସନ ଛାଡ଼ିଲା ହରି ଫେରିଲା–ଶେଷକୁ ମଞ୍ଜୁସହ ସ୍ଥିର ହେଲା । ହଉ ସୁଷମା–ବିଦାୟ ନିଅ–ତରୁଣ ଜୀବନରେ ଦେଖା ଦେଇଥିଲ ଅତି ଚପଳ ମନନେଇ–ସୃଷ୍ଟି କଲ ଯେଉଁ ଆଲୋଡ଼ନ, ତାର ସମାଧି ଏହିପରି ହେଲା । ମାଷ୍ଟ୍ରେ–ଆଜି ଯଦି ମୁଁ ହାଇସ୍କୁଲ ଶିକ୍ଷକ ହୁଅନ୍ତି–ମନା କରିଦିଅନ୍ତି ପୁଅ ଝିଅଙ୍କର ଅବାଧ ମିଳାମିଶା । ଓଃ ସୁଷମା କି ଦୁର୍ବଳ ମୁହୂର୍ତ୍ତରେ ତୁ ଚିଠି ଲେଖିଲୁ–ଭୁଲିଗଲୁ ମୋତେ କାହିଁ, ମୁଁ ତ ଭୁଲି ନ ଥିଲି । ପ୍ରଭୁ ଜଗନ୍ନାଥ–ଦୟା କରି ଏ ଅତୀତ ଲିଭାଇ ଦିଅ ମୋ ମନରୁ । ମୁଁ ଟିକିଏ ଶାନ୍ତି ପାଏ ।

 

ସବୁଦିନ ପରି ସକାଳୁଟିଏ–ଗଛପତ୍ରରେ ଖରା ପଡ଼ିଲାଣି–ନଈର ମାଇପି ତୋଠ ଭିଡ଼ ହୋଇଗଲାଣି ବ୍ରାହ୍ମଣୀ ନାନୀ, ମୁଷିବୋଉ, କାହ୍ନୁ ବୋଉ, ସପନି ମିଶ୍ରଙ୍କ ସ୍ତ୍ରୀ ନିତେଇବୋଉ ସମସ୍ତେ ନଈରେ । ବ୍ରାହ୍ମଣୀ ନାନୀ ଆଗ ଦାନ୍ତକାଠିଟା ଚୋବାଉ ଚୋବାଉ କହିଲା–ଆଲୋ ଶୁଣିଲଣି–ଜୟରାମ ଭାଇର ପୂର୍ବର ସେଇ ଓକିଲ ଝିଅ ସାଥିରେ ବାହା ଠିକ୍‌ ହୋଇଗଲାଣି । ମୁଷିବୋଉ–ହଁ ଗୋ କାଲି ତ ଜୟରାମ ଫେରିଛନ୍ତି–ଯାହାହଉ ଭଲ ହେଲା, ଭାରି ବଡ଼ ଓକିଲ ମ–କ’ଣ ଖାଲି ଟଙ୍କାରେ ଚାଲନ୍ତି ନୋଟ ଜାଳି ଚା କରନ୍ତି ।

 

କାହ୍ନୁ ବୋଉ–ଆଲୋ ଇଏ ହରି ପରା ଟିଉସନ କରୁଥିଲା ସେ ଝିଅକୁ–କିଲୋ ଦେଖି ନ–ପଢ଼ିଲାବେଳେ ସୁଷମା ସାଙ୍ଗେ କେମିତି ଲଗାଇଥିଲା–ବୟସ କଥା–ହଇଲୋ, ତା ଝିଅକୁ ଆଉ କିଏ ମିଳିଲେନି ପଢ଼ାଇବାକୁ ଯେ, ଗଜା ଟୋକାଟାକୁ ରଖିଲେ।

 

ସପନି ମିଶ୍ରଙ୍କ ସ୍ତ୍ରୀ–ମ’–ତାଙ୍କର ଆଗରୁ ଇଚ୍ଛାଥିବ ୟାକୁ ଯୋଇଁ କରିବାକୁ ।

 

ନିତେଇ ବୋଉ–ହଁ ସେ ଆଗରୁ କହୁଥିଲେ–ଓକିଲବାବୁତ ଜୟରାମକୁ ଡକେଇଥିଲେ । ମୁଁ ସବୁ ଆଗରୁ ଜାଣିଛି । ତୁମେ ସିନା ଆଜି ଜାଣିଲ ।

 

ବ୍ରାହ୍ମଣୀ ନାନୀ–ଜାଣିତ ଥିଲୁ–କାହିଁତ କହିଲୁନି ? ତୁମର ସେ ଓକିଲବାବୁ ଡାହାଣ ହାତ–ୟା କହି ଆଖି ଠାରିଦେଲା ମୁଷି ବୋଉକୁ ।

 

ମୁଷିବୋଉ–ହଁ ମ ମାମଲତିକାରିଆଣୀ–କେତେ ରଙ୍ଗ ରଙ୍ଗ ଶାଢ଼ି ଆମ ନିତେଇ ବୋଉ ପିନ୍ଧିପାରୁଛି–ସବୁକଥା ଜଣା । ଏତିକିରେ ନିତେଇ ବୋଉ ଦି’ହାତ ଉପରକୁ ଉଠିଗଲା ପରି ମନେକରି–ଚମ୍ପାଫୁଲିଆ ହସୁଟାଏ ହସିଲେ, ସମସ୍ତେ ଖେଁ କରି ହସିଲେ–ନିତେଇ ବୋଉ ଲାଜେଇ ଗଲା ।

 

ସପନୀ ମିଶ୍ରଙ୍କ ସ୍ତ୍ରୀ–ନିତେଇ ବୋଉ, ତୁମ ନିତେଇଟି ପୁଣି କେବେ ବାହା ହେଉଛି । କ’ଣ ସୁଷମା ସାଙ୍ଗରେ ଠିକ୍‌ ହେଲାଣି ପରା ?

 

କାହ୍ନୁ ବୋଉ–ହଁ ମ, ସେ କଥା ତ ଜଣାଶୁଣା–ସବୁ କାଣ୍ଡ ତ ସେଇଥିପାଇଁ–କହି ଚପିଗଲା ।

 

ନିତେଇ ବୋଉ ଟିକିଏ ରାଗିଯାଇ କହିଲା–କ’ଣ କାଣ୍ଡ–ଭାରି ତ କହୁଛୁ–ସତେ ଯେମିତି ନିତେଇକି ଆମର ଝିଅ ମିଳିବେନି ।

 

ବ୍ରାହ୍ମଣୀ ନାନୀ–ସବୁ ଥାପଡ଼େଇ–କହିଲା, ଆଲୋ–ସେ କ’ଣ କହିଲା–ଆଉ, ତୁ କ’ଣ ବୁଝିଲୁ–କ’ଣ ଆମକୁ ସବୁ ଡାକିବୁଟିଲୋ–ହେଲେ ନିତେଇଟି ତତେ ଲାଗେ ଭାରି–ବୁଝିଲ ମୁଷିବୋଉ–ଜନ୍ମ କଲା ମା’ ବି ସେମିତି ସ୍ନେହ କରିବନି ।

 

ମୁଷିବୋଉ–ନିତେଇ ବୋଉ ଓ ନିତେଇ ଗଲାବେଳେ ବଡ଼ ସୁନ୍ଦର ଦିଶେ ମ ! ସମସ୍ତେ ହସି ଉଠିବେ–ଠିକ୍‌ ମା’ ପୁଅ ତ । ନିତେଇ ବୋଉ ଅପମାନ ବୋଧକଲା–ଚୋର ମା’ ସବୁ ଜାଣେ–ମନେ ମନେ ବୁଝେ । ସବୁଆଡ଼େ ଗାଁ ଖଣ୍ଡକରେ ଜାଣିଗଲେ–କିଏ କେମିତି । ଜୟରାମ ଭାଗ୍ୟ ଖୋଲିଗଲା ବୋଲି ବି କହିଲେ । ଦାସେ ମହାଖୁସି–ବେଶି କିଛି କାହାକୁ ଏ ବିଷୟରେ କହୁ ନ ଥାନ୍ତି–କିମିତି ଜଲଦି ସରିଗଲେ–ଯାହା ହେବ । କେବଳ ଜୟରାମଙ୍କ ସ୍ତ୍ରୀଙ୍କ ମନରେ ସେତେ ହର୍ଷ ନ ଥାଏ–ସ୍ତ୍ରୀଲୋକ ମନ ।

 

ଗୋପୀଦାସେ ସୁଷମା ବୋଉ ପାଇଁ ଏଣିକି ଏଣିକି ସବୁ ବୁଝନ୍ତି । କୌଣସି କଥା ତାଙ୍କର ତଳେ ପକାଇ ଦିଅନ୍ତିନି । କାର୍ତ୍ତିକ ମାସ ବୋଲି ତାଙ୍କ ପାଇଁ ଘରଟିଏ ବୁଝି ଦେଇଥାନ୍ତି ପୁରୀ କୁଣ୍ଢାଇବେଣ୍ଟ ସାଇରେ–ମା’ ଝିଅ ଦୁହିଁଙ୍କ ପାଇଁ । ହବିଷ ମାସ । ଟଙ୍କା ଦଶଟା ବି ଦେଇଥାନ୍ତି ହାତଖର୍ଚ୍ଚ ପାଇଁ । ବୁଢ଼ୀଲୋକ–ସେ ବି ଦାସଙ୍କ କଥାକୁ ଭାରି ବୋଲି ମନେକରେ ।

 

X            X            X            X

 

ଏ ଭିତରେ କାର୍ତ୍ତିକମାସର ବି ୪/୫ ଦିନ ବିତିଗଲାଣି । ହରି ଓ ମଞ୍ଜୁ ଦୁହେଁ ମିଳାମିଶା କରନ୍ତି–ବିବାହ ପାଖ । ଦିନେ ଦୁହେଁ ମନ୍ଦିରରୁ ଫେରୁଥାନ୍ତି–ଗରୁଡ଼ଖମ୍ୱ ପାଖରେ ସୁଷମାବୋଉ ଓ ସୁଷମା ଦୁହେଁ ବସିଥାନ୍ତି–୪ଟା ବେଳେ । ସୁଷମାବୋଉ ଆଖିମୁଦି ମାଳୀ ଗଡ଼ାଉଥାନ୍ତି–ସୁଷମା ଧଳା ଶାଢ଼ିଟିଏ ପିନ୍ଧିଥାଏ –କେଶ ବାସ ମୁକ୍ତ–ଚନ୍ଦନ ଟିକିଏ କପାଳରେ ଶୋଭା ପାଉଥାଏ ।

 

ଦେଖିଲେ ମନେ ହେବ ସତେଯେପରି ତପସ୍ୱିନୀଟିଏ । ଏ ବେଶରେ ଅତିସୁନ୍ଦର ଦିଶୁଥାଏ ସେ । ହରିର ଦୃଷ୍ଟି ପଡ଼ିଗଲା ତାଙ୍କ ଉପରେ–ମଞ୍ଜୁର ବି । ଦେଉଳରେ ସେତେବେଳେ ବେଶି ଗହଳି ନ ଥାଏ । ସୁଷମା, ବୋଉକୁ ହଲାଇଦେଲା–ଆଲୋ–ହରି ଭାଇ ମ–ବୁଲି ଚାହିଁଲା–ହରି ନମସ୍କାର କରି ମାଉସୀ ଭଲଅଛୁ–କ’ଣ ହବିଷ ପୁରୀରେ କରୁଛୁ କି କହି ଦେଇ ଦୃଷ୍ଟି ସୁଷମା ଆଡ଼େ ଫେରାଇ ଦେଲା । ସୁଷମା ‘‘ନମସ୍କାର’’ କରି ମୁହଁ ତଳକୁ ନୋଇଁଲା । ହରି ଚାଲିଗଲା–ମଞ୍ଜୁ ଟିକିଏ ପଛକୁ ରହିଯାଇ ପଚାରିଲା–ମାଉସୀ ତୁମେ ହରିବାବୁଙ୍କ ଗାଁର କି ? ମାଉସୀ–ମୁଁ ଜାଣିଛି–ହରି ଆମ ଗାଁର–ମୁଁ ଏସବୁ ଜାଣିବିନି । ଏବେ ସିନା ଏଇ କାର୍ତ୍ତିକମାସଟା ପୁରୀ ଆସିଛି । ହରି କିଛି ଦୂରରେ ଯାଇ ମଞ୍ଜୁକୁ ଅପେକ୍ଷା କରୁଥାଏ–କିନ୍ତୁ ମଞ୍ଜୁର ସରୁଛି କେତେବେଳେ ? ଏ କ’ଣ ମାଉସୀ ତୁମ ଝିଅ ? ନାମଟି କ’ଣ ?

 

ସୁଷମା–ମୋ ନାମ ସୁଷମା । ନମସ୍କାର ।

 

ମଞ୍ଜୁ–ତୁମେ କ’ଣ ଆଜିଠଉଁ ଏତେ ଭକ୍ତ ହେଲିଣି ମ ? କି ମାଉସୀ ଝିଅକୁ କ’ଣ ସନ୍ନ୍ୟାସିନୀ କରିଦେବ କି ?

 

ମାଉସୀ–ନାଇଁ ମା’, ଗରିବ ଘର–ୟା ବାପ କେଉଁଦିନୁ ସଂସାର ଛାଡ଼ିଲେଣି ? ଆଉ କେହିନାହିଁ ୟାକୁ ଛାଡ଼ି କୁଆଡ଼େ ଯିବି ମା’ ? –ମୋ ସାଙ୍ଗେ ସାଙ୍ଗେ ଅଛି ।

 

ମଞ୍ଜୁ–କୁଠେଇ ମାଉସୀ–ବସା କରିଛ ?

 

ସୁଷମା–ଆଗୁଆ ହୋଇ କହି ପକାଇଲା–ଏହି କୁଣ୍ଢେଇବେଣ୍ଟସାହି ଗହ୍ମାରି ଗଛକୁ ଲାଗି ହରିବାବୁଙ୍କ ଗୋଟିଏ ଘର ଅଛି–ତାକୁ ଭଡ଼ା ନେଇଛୁ–ଆମ ଗାଁ ଗୋପୀ ଦାସେ ବୁଝି ଦେଇଛନ୍ତି ।

 

ମାଉସୀ–ଏ ଝିଅ ବଡ଼ ଡବଡବି–କିଏ ବୁଝିଛନ୍ତି କ’ଣ–ସେ ସବୁ ସେ କ’ଣ ପଚାରୁଛନ୍ତି-। ଝିଅ ତୁନି ହେଲା । ମଞ୍ଜୁ ଦିନେ ଆସିବ ବୋଲି କହି, ଝିଅଟିକୁ ଚାହିଁ ଦେଇ ଆଗକୁ ଚାଲିଲା । ମା’ ପୁଣି ଆଖି ମୁଦି ମାଳିରେ ଧ୍ୟାନ ଦେଲେ, ଭାବୁଥାନ୍ତି–ବଡ଼ ଭଲ ଝିଅଟିଏ ।

 

ସାର୍‌ ଆପଣଙ୍କ ଗାଁର ସେ–ଆପଣ ଟିକିଏ କଥାବାର୍ତ୍ତା ନ କରି ଚାଲି ଆସିଛନ୍ତି । ଏ କିମିତି କଥା, ସେ ଭାବିବେକି ବଡ଼ଲୋକ ହୋଇଗଲେଣି–ବେଶି ପଢ଼ିଲେଣି–ଆଉ କାହିଁ କଥା କହିବେ । ହରି ଚିନ୍ତାକୁଳ ହେଲା–ତାର ମନଗହୀର କଥା କିଏ ବୁଝିବ–କି ସ୍ମୃତି ଏ ଝିଅ ସହ ଜଡ଼ିତ–ଆଜି ତାର ପରିଣତି କ’ଣ ହେଲା–ତଥାପି ତାର ମୁହଁଟି କି ସୁନ୍ଦର–କହିଲା–ଛାଡ଼ ମଞ୍ଜୁ । ନିଜର କର୍ତ୍ତବ୍ୟ ଅଛି–ଅକାରଣରେ କାହିଁକି ସମୟ ନଷ୍ଟ କରିବି । ଯେ ଯାଉଛି ସେ ଯାଉ–ହରି ଚମକି ଗଲା–କ’ଣ କହିଦେଲା ଆବେଗରେ– । ନାହିଁମ ଚାଲ–ତୁମେ ବଡ଼ ଜିଦିଖୋରିଆ ମଞ୍ଜୁ । ସାମାନ୍ୟ କଥା ନେଇ ଧରିବସିଲେ ଚଳେ କି । ମଞ୍ଜୁ ବୁଝିଲା ହରିର କଥା–ଅନୁମାନ କରିପାରିଲା ସବୁ କିଛି । ଏଥିପାଇଁ ବୋଧହୁଏ ସାର୍‌ ଖୋଲାଖୋଲି ମିଶନ୍ତିନି ତା ସଙ୍ଗେ । ଭାବପୂର୍ଣ୍ଣ ଦେଖାଯାନ୍ତି ଅନେକ ସମୟରେ । ଭାବିଲା ପ୍ରକୃତ ଯୋଗସୂତ୍ର ତାକୁ ବାହାର କରିବାକୁ ହେବ । କାହିଁକି ସାର୍‌ଙ୍କର ଏ ଭାବ ଓ ଝିଅ ସହ ତାଙ୍କର ସମ୍ପର୍କ କ’ଣ ? କ’ଣ ବର୍ତ୍ତମାନ ହୋଇଛି । ସାର୍‌ ତ ଭଲଲୋକ–ଆଦର୍ଶ ସ୍ଥାନୀୟ–ଭଲ ଭଲ କଥା କହନ୍ତି–କେତେ ଝିଅ ତାଙ୍କ ଭଳି କୃତିଛାତ୍ରଙ୍କ ସହ କଥାବାର୍ତ୍ତା କରିବାକୁ ଚାହିଁଛନ୍ତି–କିନ୍ତୁ ସାର୍‌ ଅତି ମିତଭାଷୀ, ଅତିସରଳ ସେ ତେବେ ନିଜ ଗାଁର ଲୋକଙ୍କୁ ଦେଖି ଏପରିଭାବେ ମୁହଁ ଶୁଖାଇ ଚାଲିଗଲେ କାହିଁକି । ଏ ତ ଅହଙ୍କାର ନୁହେଁ, ପୁଣି ତା ସଙ୍ଗେ ମିଳାମିଶା କରିବାର ଦୂରରେ–ଯେତେ ସୁଯୋଗ ପାଇଲେ ମଧ୍ୟ ପୁଣି–ନିଶ୍ଚୟ କିଛି ଘଟିଛି । ଦୁହେଁ ଗମ୍ଭୀର–ଆସିଲେ ଘରକୁ–ସେତେବେଳେ ସନ୍ଧ୍ୟା ୭ଟା ।

 

ନିଜ ପ୍ରିୟ ଛାତ୍ରର ମନୋଭାବ ଓ ଦାରୁଣ ଆଘାତ ପ୍ରଧାନ ଶିକ୍ଷକ ଶରଣ ସିଂକୁ ଅବିଦିତ ନ ଥିଲା । ସୁଷମା ଯାହାକୁ ତରୁଣ ଜୀବନରେ ହରି ବିଶେଷଭାବେ ସ୍ନେହ କରୁଥିଲେ ଯେଉଁ ଦୁଇଟି ଜୀବନକୁ ମିଶିବାର ସୁବିଧା ଦେଇ ଛାତ୍ରଛାତ୍ରୀଙ୍କର ଶିକ୍ଷକ ଆତ୍ମପ୍ରସାଦ ଲାଭ କରୁଥିଲେ–ଯାହାଙ୍କର ଗମନାଗମନରେ ସ୍କୁଲ ସରସ ଓ ସଜୀବ ହୋଇ ପାରିଥିଲା–ଆଜି ସେ ଦୁଇଟି କେଉଁଆଡ଼େ । ଦୁହେଁ ଦୁଇ ପଥରେ । ହରିକୁ ପରୀକ୍ଷା କଲେ–ଦେଖିଲେ ସେ ଆଜି ବି ଅପରିବର୍ତ୍ତିତ–ସୁଷମା ପ୍ରତି ତାର ସ୍ନେହ ଅନୁରାଗରେ ପରିଣତ ହୋଇଛି–କିନ୍ତୁ ସୁଷମା କି ଚିଠି ଲେଖି ବସିଲା ଓ କାହିଁକି ସର୍ବଦା ଏହି ଭାବନାରେ ଛଟପଟ ହୋଇ, ଦିନେ ତାଙ୍କର ଅଧସ୍ତନ ଜଣେ ଶିକ୍ଷକଙ୍କୁ ଡାକି କହିଲେ–ଜଳନ୍ଧର ବାବୁ । ତୁମେ ମୋର ବିଶ୍ୱସ୍ତ ଓ ସେହି ହିସାବରେ ଗୋଟିଏ କାମ କରାଇ ପାରିଲେ ମୁଁ ବଡ଼ ଖୁସି ହୁଅନ୍ତି । ଜଳନ୍ଧର ବାବୁ ଅତି ଚାଲାକ ଓ ତାଙ୍କଦ୍ୱାରା କାର୍ଯ୍ୟସାଧନ ହୋଇପାରିବ ବୋଲି ହିଁ ପ୍ରଧାନଶିକ୍ଷକ ଅନୁରୋଧ କରୁଥିଲେ । ସେ ଅତି ଆଗ୍ରହରେ କହିଲେ ଆଜ୍ଞା ଆପଣଙ୍କର ଆଶୀର୍ବାଦ ହେଲେ ପାରିବି । କହନ୍ତୁ କଥା କ’ଣ ? ପ୍ର. ଶି–ତୁମେ ଏହିଗାଁର ସେ ଗୋପୀଦାସଙ୍କ ପୁଅ ନିତାଇକୁ ଜାଣିଥିବ–ଏଇ ସ୍କୁଲରେ ଦିନକେତେ ପଢ଼ୁଥିଲା–ପାଠ ଛାଡ଼ି ଏବେ ଫୁଟାଣି ମାରି ବୁଲୁଛି–ହଁ ଆଜ୍ଞା ଜାଣିଛି–ସେ ତ ଗାଧୋଇବାବେଳେ ମୁଁ ପ୍ରାୟ ତାକୁ ଦେଖେ–ଟିକିଏ ପଚାରିଲେ ବ୍ରାହ୍ମଣ ଗପି ଚାଲିଯାଏ । ପ୍ରଧାନ ଶିକ୍ଷକ କହିଲେ, ତେବେତ ସୁବିଧା–ତାକୁ ଟିକିଏ କଥା ପ୍ରସଙ୍ଗରେ ରହସ୍ୟ କରି ପଚାରିବ–ସୁଷମା ତାପାଖୁ କି ଚିଠି ଲେଖିଥିଲା–ସେ ଚିଠି କୁଠେଇ ରଖିଛି–ସେ ତେବେ କୁଠାରେ ସେ ଚିଠି ପାଇଲା ଇତ୍ୟାଦି । ଜଳନ୍ଧର ବାବୁ କଥାଟି ଜାଣିବାରେ ଇଚ୍ଛା ପ୍ରକାଶ କରିବାରେ ପ୍ର:ଶି କହିଲେ–ସେ ସବୁ ପରେ ନିଶ୍ଚୟ କହିବି । ଏତିକି ଜାଣିଥାଅ ଯେ ଏ ଭିତରେ କିଛି ଗୋଟାଏ ଚକ୍ରାନ୍ତ ଥିବା ମୁଁ ଅନୁମାନ କରୁଛି । ଜଳନ୍ଧରବାବୁ କାଲି ସନ୍ଧ୍ୟା ସୁଦ୍ଧା ଜଣାଇବେ ବୋଲି କହି ନିଷ୍କ୍ରାନ୍ତ ହେଲେ ।

 

ପରଦିନ ଗାଧୁଆ ତୁଠରେ ନିତେଇ ନଈକୂଳରେ ଗୁଡ଼ାଖୁ ଘସୁଛି–ଜଳନ୍ଧରବାବୁ ଆସିବା ଦେଖି–ସାର୍‌ ନମସ୍କାର । କ’ଣ ଗାଧୋଇବାକୁ ଆସିଗଲେ । ପଚାରିଲା ନିତେଇ । ତୁମ ସମୟ ମୋ ସମୟ ତ ଠିକ୍‌ ଯତି ପଡ଼ିଛି । ନିତେଇ ମଲ୍ଲୀଫୁଲିଆ ହସୁଟେ ହସିଦେଲା–ଗୁଡ଼ାଖୁଯାକ ଥପଥପକରି ପକାଇ ଦେଉ ଦେଉ କହିଲା–ସାର ଆପଣତ କାହିଁ ଗାଁ ଭିତରଆଡ଼େ ଯାଉ ନହାନ୍ତି–ଗଲେ ଖେଳ ଇତ୍ୟାଦି ହୁଅନ୍ତା । ଜଳନ୍ଧରବାବୁ ତାର ମନ ପ୍ରଫୁଲ୍ଲ ଅଛି ବୋଲି ଜାଣିପାରିଲେ । କହିଲେ, କିହୋ ନିତେଇବାବୁ–କେବେ ବାହାସାହା ହେଉଛ–ବଳେ ସେତେବେଳେ ମତେ ଡାକିବନି କି ? ସେତିକିବେଳେ ତ ମିଳିବ ରାତିସାରା–ହେଲେ ଆମେ ଖାଇବାବେଳକୁ ନିତାଇବାବୁ ଥିଲେ ସିନା ସେଠି । ନିତେଇ ହସିହସି କହିଲା–ସାରଙ୍କର ଯୁ କଥା ମୁଁ କ’ଣ ଡାକିବିନି ନିଶ୍ଚୟ ଡାକିବି । ସେତ ଦୂରର କଥା । କି ଦୂରକଥା ଓଠ ଲମ୍ୱେଇ କହିଲେ ଜଳନ୍ଧରବାବୁ–ଏଇତ ଶୁଣୁଛି ଏଇ ମାସରେ କୁଠେଇ ହୋଇଯିବ ସୁଷମା ସାଙ୍ଗରେ । ନିତେଇ ଆନନ୍ଦରେ ବିଭୋର ହୋଇଗଲା–ମାଷ୍ଟ୍ରଙ୍କ ପାଖକୁ ଟିକିଏ ଲାଗିଆସି ଗୁଡ଼ାଖୁତକ ଫୋପାଡ଼ିଦେଇ କୁଳି କରିଦେଲା । ତାପରେ ପଚାରିଲା, ମାଷ୍ଟ୍ରେ ଆପଣତ କେବେ ସେଣେ ଯାଆନ୍ତିନି ସବୁ କିନ୍ତୁ ଜାଣୁଛନ୍ତି ।

 

ଆଚ୍ଛା ନିତେଇବାବୁ ଗୋଟେ କଥା ପଚାରିବି କହିବ ସତକଥା କହିବ ଯଦି ପଚାରିବି । ନିତେଇ–ପଚାରୁ ନାହାନ୍ତି–କ’ଣ ? ଚୁପ ଚୁପ କରି ପଚାରିଲେ । ଆଚ୍ଛା ସୁଷମା କ’ଣ ତୁମପାଖକୁ ଲେଖିଥିଲା । ନିତେଇ କହିଲା–ଆପଣ କେମିତି ଜାଣିଲେ ? ମାଷ୍ଟ୍ରେ–ଆରେ ମୁଁ ଜାଣିନି–ତୁମେ ତ ତାହାହେଲେ କହିବନି–ହଉ ଚାଲ । ନିତେଇ–ଆପଣ କାହାକୁ କହିବେନି ତ ମାଷ୍ଟ୍ରେ–ନିତାଇବାବୁ, ମୋତେ ବିଶ୍ୱାସ କରୁନ–ତେବେ ଥାଉ–କାହିଁକି ପ୍ରକୃତରେ ମୋତେ କହୁଥିବ ପୁଣି ଅବିଶ୍ୱାସ କରୁଥିବ–ଭଲ ନୁହେଁ–ଗମ୍ଭୀର ହୋଇଗଲେ । ମାଷ୍ଟ୍ରବାବୁ ! ନିତେଇ କହିଲା–ସାରଙ୍କର ଖାଲି ଟିକିଏ କଥାରେ ରାଗ ମୁଁ ଚିଠି କିଛି ପାଇନି । ବାପାଙ୍କର ଚିଠିଟିଏ ଥିଲା–ଖାମଭିତରେ କିନ୍ତୁ ଇଂରେଜୀରେ ଠିକଣା ଲେଖା ହୋଇଥିଲା । ବାପା ମୋତେ କହିଥିଲେ–ତେଇସପୁର ଯିବାକୁ–ସେଠି ଯାଇଥିଲି–ଖାମଟାକୁ ନେଇ ଆସିବାକୁ କହିଥିଲେ–ମୁଁ ଆଣି ତାଙ୍କୁ ଦେଇ ଦେଇଛି । ଆଉ କହିଲେ ସବୁବେଳେ ତ ମୁଁ ଗାଁରେ–ମୋ ପାଖୁ କିଏ ଚିଠିଦେବ । ମାଷ୍ଟ୍ରବାବୁ–ତୁମେ ମିଛ କହୁଛ–ଆଚ୍ଛା ସେ ଚିଠି ରଖିଛ ? ନିତେଇ–ମୁଁ ମିଛ କହୁଛି–ସେ ଚିଠି ସେଇଯେ ମାମୁଁଙ୍କ ଘର ଟେବୁଲ ଡ୍ର ଭିତରେ ଚିରି ଫୋପାଡ଼ି ଦେଇଛି । ବାପା କିନ୍ତୁ ଏସବୁ କଥା କହିବାକୁ ମତେ ମନା କରିଛନ୍ତି । ଆପଣ କହିବେନି କାହାକୁ । ନୋହିଲେ ସେ ବୁଢ଼ା ମୋତେ ଦିଫାଳ କରି ଚିରିଦେବ । ମାଷ୍ଟ୍ରେ ପୁଣି ପଚାରିଲେ, ସୁଷମା ତତେ କ’ଣ ଭଲ ପାଏନି । ନିଜେ କ’ଣ ମତେ ସେ କହେ ଯେ ମୁଁ ଜାଣିବି–ଏଇବାପା ଲଗାଇଛନ୍ତି ତାକୁ ବାହା ହେବାପାଇଁ । କାହିଁ କ’ଣ ମାଷ୍ଟ୍ରେ–ଏଥିରେ କିଛି ଅଛିକି ? ନିତେଇ ପଚାରିଲେ । ମାଷ୍ଟ୍ରେ–କ’ଣ ଅଛି–ମୁଁ ବାହା ହୋଇଯିବିନି ଆଉ ତାକୁ । ନିତେଇବାକୁ ବାହାହେବେ–କିମିତି ସବୁ ଆଗରୁ ରଙ୍ଗ କରୁଥିଲ ପଚାରୁଥିଲି ନାଁ ।

 

ସେଦିନ ଗାଧୋଇଆସି ଜଳନ୍ଧରବାବୁ ଖା ପିଆ କରି ଶୋଇଲେ । ସ୍କୁଲକୁ ଆସିଲେନି-। ହେଡ଼ମାଷ୍ଟ୍ର ବି ପଚାରାପଚରି କଲେ–କିନ୍ତୁ ସେ ନାହାନ୍ତି । କିଛିତ ଛୁଟିଫୁଟି ନେଇ ନାହାନ୍ତି–ଗଲେ କୁଆଡ଼େ ।

 

ସନ୍ଧ୍ୟାବେଳେ ହେଡ଼ମାଷ୍ଟ୍ର ତାଙ୍କ କ୍ୱାର୍ଟର ବାରଣ୍ଡାରେ ବସି ଉପାସନାରେ ରତଥାନ୍ତି–ଏତିକିବେଳେ ଜଳନ୍ଧର ବାବୁଙ୍କୁ ଦେଖିଲେ–ହସହସ ହୋଇ ଆସୁଛନ୍ତି । ହେଡ଼ମାଷ୍ଟ୍ର ଶୀଘ୍ର ଶୀଘ୍ର ଧ୍ୟାନଟା ସାରି ପଚାରିଲେ–କ’ଣ ଜଳନ୍ଧରବାବୁ Successful । ଜଳନ୍ଧରବାବୁ ସମସ୍ତ ବର୍ଣ୍ଣନାକଲେ–ଓ ଟୁକୁରା ଚିଠିଗୁଡ଼ିକ ଦେଖାଇଲେ । ସବୁ ଟୋଡ଼ାଯୋଡ଼ି କରି ପଢ଼ିଲେ । ‘‘ନିତେଇ ଚିଠିଟି ପାଇ ଚିରିଦେବୁ । ଖାମଟି ଯତ୍ନରେ ଆଣିବୁ ।’’

 

ତୋର ବାପା

 

ଛୋଟ ଚିଠିଟି । ବାଃ ଜଳନ୍ଧରବାବୁ–ମୁଁ ଯିମିତି କହିଲି ଆପଣ ଆହୁରି ପାଦେ ଯାଇଛନ୍ତି ଆଗକୁ–ଏ ମାଷ୍ଟ୍ରଗିରି ଛାଡ଼ି C.I.D ହୁଅନ୍ତୁ । ବେଶ୍ ଭଲ ହେବ । ଜଳନ୍ଧରବାବୁ ଆନନ୍ଦରେ ମୁହଁ ନୁଆଇଁଲେ । ପରେ ସମସ୍ତ କହିବେ ବୋଲି ପ୍ରତିଶ୍ରୁତି ଦେଇ ହେଡ଼ମାଷ୍ଟ୍ର ଚିଠିଟୁକୁରା ଗୁଡ଼ି ଗୋଟିଏ ଖାମରେ ଯତ୍ନରେ ରଖିଲେ । କିନ୍ତୁ ସବୁଯେ ଠିକ୍‌ ହୋଇଗଲାଣି–ଆଉ ଏସବୁ ଉଠାଇ କି ଫାଇଦା–ହଉ ଥାଉ ।

•••

 

(ଉଣେଇଶ)

 

ସେଦିନ କାର୍ତ୍ତିକମାସ କୃଷ୍ଣ ଏକାଦଶୀ । ସକାଳେ ସୁଷମା ବୋଉ ଗାଧୋଇ ସାରି ବସାଘରେ ଚଉରାମୂଳେ ଚିତା ଦେଉଛନ୍ତି । ବିଭିନ୍ନରଙ୍ଗର ମୁରୁଜରେ । ସୁଷମା ପାଟଟିଏ ପିନ୍ଧି ସବୁ ଯୋଗାଇ ଦେଉଛି । ଏତିକିବେଳେ ମଟରର ଶବ୍ଦଶୁଣି ବସାଘର ସାମନାରେ ରହିବା ଜାଣି, ସୁଷମା ଆଗ୍ରହରେ ଆସି ଚାହିଁ ଦେଖେତ ସେ ଦିନର ଝିଅ–ଯେ କହିଥିଲା ଆସିବାକୁ । ନମସ୍କାର କରି ଭିତରକୁ ନେଇଗଲା । ମଞ୍ଜୁ ମାଉସୀଙ୍କୁ ନମସ୍କାର କରି ତୁଳସୀଚଉରା ମୂଳେ ମୁଣ୍ଡିଆଟିଏ ମାରିଲା-। ମାଉସୀ ସନ୍ତୁଷ୍ଟ ହେଲେ–ଭଲ ଝିଅଟିଏ–ଧର୍ମଆଡ଼େ ମନଅଛି–ଓଲେଇ ଧାଣ୍ଡୋଇ ନୁହେଁ । ସୁଷମାକୁ କହିଲେ–ମଞ୍ଜୁକୁ ଅଭଡ଼ା ପଖାଳ ଗଣ୍ଡିଏ ଦବାକୁ, ମଞ୍ଜୁ ଆଗ୍ରହରେ ରାଜିହେଲା-। ଭିତରେ ଇଚ୍ଛା ନ ଥାଏ–କିନ୍ତୁ ଏତକ ନ ଖାଇଲେ କାଳେ ମାଉସୀ ଭାବିବେ ବଡ଼ଲୋକ ଝିଅ–ଆମଘରେ ଅଭଡ଼ା ତୋରାଣି କାହିଁକି ଖାଇବ । ସୁଷମାକୁ ଭିଡ଼ିକରି ମଞ୍ଜୁବି କହିଲା–ଦୁହେଁ ଏକାଠି ଖାଇବା । ସୁଷମା ଭାବୁଥାଏ–ଆହା କେତେ ଭଲ । ହରିଭାଇଙ୍କୁ ବିଭାହେବେ–ସୁଖରେ ରହିବେ–ମୁଁ ହେଲେ ୟାଙ୍କର ପାଦ ଦାସୀ ହୋଇ ରହନ୍ତି–ଶାନ୍ତି ପାଆନ୍ତି । ଖିଆ ସରିଲା–ଦୁହେଁ ବସିଲେ କେତେକଥା ହେଲେ । ଭଉଣୀ–ତୁମେ କେଉଁଯାଏ ପଢ଼ିଛ ? ସୁଷମା କହିଲା ସେ ଦଶମଶ୍ରେଣୀ ଯାଏ ପଢ଼ିଛି–ଆଉ ପଢ଼ିଲିନି । ଆପଣ କ’ଣ ପଢ଼ିଛନ୍ତି–ମଞ୍ଜୁ କହିଲା ମୁଁ ପରା ଏବର୍ଷ ମାଟ୍ରିକ୍ୟୁଲେସନ ପରୀକ୍ଷା ଦେବି । ଆଚ୍ଛା ଭଉଣୀ ତୁମେ ଶେଷବର୍ଷଟା ପଢ଼ି ଦେଲନି । ଅଧାପନ୍ତରିଆ କରି ରଖିଲ କାହିଁକି ?

 

ସେଣୁ ମାଉସୀ କହିଲେ, ଆଲୋ ଝିଅ କ’ଣ କହିବି । ସୁଷିଟିର ପଢ଼ିବାରେ ଷୋଳଅଣା ମନ–ଘରେ ଘରେ କ’ଣ ସବୁ ପଢ଼ୁନକି ? ଆମ ଗାଁ ପଣ୍ଡିତ ଛୋଟିଆ ନୁହେଁ–ଗୋଟେ ହଲ୍ଲା ଉଠେଇ ଦେଲେଲୋ । କ’ଣ କହିବି–ମଇଳା ଛାଟିଲେ ମୁହଁକୁ ପଡ଼େ । ସେହିଦିନୁ ମୁଁ ମନାକରି ଦେଇଛି–ହେଡ଼ମାଷ୍ଟ୍ରେ କ’ଣ ବାଧ୍ୟକଲେ ତାକୁ ଓ ମତେ–କିନ୍ତୁ ନା । ଝିଅ ନାଗସାପ–ଥରେ ଠିକିଲି କେମିତି କାଳିଆ ୟାଙ୍କୁ ପାରଉତ୍ତାର କରି ଦିଅନ୍ତା ହେଲେ ।

 

ମଞ୍ଜୁ–ଝିଅ କ’ଣ ଗୋଟେ ଗ୍ରହ । କାହିଁ ମୋ ବାପାତ ଦିନେ ମତେ ମନା କରିନାହାନ୍ତି । ମାଉସୀ–ସତ କହିବି ଝିଅ–ୟାର ବାପା ନାହିଁ । ସଭିଙ୍କର ଦିମାକ–କହିବି କାହାକୁ । ସେଥିପାଇଁ ଝିଅକୁ ମୋର କମ ଗାଳି ଦେଇନି । ପୁଅନାହିଁ–ବକଟେ ସେ–କେତେ ଗେଲବସର ହୋଇଥିଲା । ଆଉ ଏ ପୋଡ଼ାମୁହଁରୁ–ସବୁ ବାହାରିଲା ତାକୁ ବକିବାକୁ । କହି କାନ୍ଦକାନ୍ଦ ହେଲେ । ସୁଷମା ଆଖିରେ ଅଶ୍ରୁ ଦେଖାଦେଲା ।

 

ମଞ୍ଜୁ–ମାଉସୀ । ଏତେ ବ୍ୟସ୍ତ ହୁଅନ୍ତି । ଗରିବର ଧନ ଭଗବାନ । ସବୁ ଝଡ଼ ଝଞ୍ଜା ଆସେ–କିନ୍ତୁ ଦରିଦ୍ରର ବନ୍ଧୁ ସହାୟ ହୁଅନ୍ତି । ପ୍ରକୃତ ମଣିଷପଣିଆ ତାଙ୍କରି, ଯେ ଗରିବ । ମଞ୍ଜୁ ଭାବପ୍ରବଣ ହେଲା ।

 

ସୁଷମା–ବୋଉ ସବୁବେଳେ ତୋର ଏପରି କାନ୍ଦିବାଟା ମୋତେ ଭଲ ଲାଗେନି ।

ଆଜି ନିର୍ଜଳ ଓପାସ ହେଲା । ଟିକିଏ ବିଶ୍ରାମ ନେ ।

ମଞ୍ଜୁ–ଆଚ୍ଛା ମାଉସୀ, ହରିବାବୁଙ୍କ ଘର କ’ଣ ତୁମ ଘରକୁ ଲାଗିକରି ?

ସୁଷମା–ନାହିଁ ୩/୪ ଘର ଛଡ଼ାରେ– ।

 

ମାଉସୀ–ତାରି ଲାଗି ସବୁରେ । କମ୍‌ ଭଲପାଉ ନ ଥିଲା ସୁଷମାକୁ ମୋର–କିନ୍ତୁ ସେହି ଲାଗି ଗାଁରେ ମିଛରେ ଦୁଆ ଉଠେଇ କଳଙ୍କ ରଟିଲେ । ସେହିଦିନୁ ମୁଁ ବି ତାଙ୍କ ଘରକୁ ଯାଏନି । କିନ୍ତୁ ଆଗେ ଆଗେ ତାଙ୍କ ଘରେ ଜିରା ଫୁଟିଲେ ମୁଁ ଜାଣୁଥିଲି ।

 

ମଞ୍ଜୁ–ହରିବାବୁ ତ ଭଲ ଲୋକ । ମତେ ପଢ଼ାନ୍ତି ସେ–ଦିନେ ତାଙ୍କର ବେଆଡ଼ା ଭାବ ଦେଖିନି । ପଢ଼ାପଢ଼ିରେ ବି ଅତି ଭଲ–କମସେ କମ୍‌ ହଜାରେ ପିଲା ପଢ଼ନ୍ତି, କିନ୍ତୁ ସେ ଆଗ ସବୁଥିରେ ।

 

ସୁଷମା ଆଗ୍ରହରେ ପିଇ ଯାଉଥିଲା ଓ ମଞ୍ଜୁ ତାହା ବି ଲକ୍ଷ୍ୟ କରିଥିଲା । ମାଉସୀ–ସେ କାହିଁ ଭଲ ନ ହେବ ? ଗାଁ ଖଣ୍ଡି ଭେଲ । ଛାଡ଼ ମୋ କର୍ମ । କିମିତି ଝିଅ ଉଠେଇ ଦେଲେ ମୁଁ ତ୍ରାହି-। ହଉ ଝିଅ, ମୁଁ ଟିକିଏ ଦେଉଳକୁ ଯାଉଛି ଏଇ ଆସିବି–ତୁମେ ଦୁହେଁ ବସି ଗପ କରୁଥାଅ । ଆଜି ନିର୍ଜଳ ଉପାସ–ବେଶି ସମୟ ରହିପାରିବିନି । ବୁଢ଼ୀ ପୁଟୁଳା ମାଳୀ ଧରି ବାହାରିଲେ ।

 

ମଞ୍ଜୁ ସୁଷମାର ଶୁଖିଲା ମୁହଁ ଦେଖି ଠଉରେଇ ପାରିଲା ସବୁ । ତେବେ ଏହି ସୁଷମାକୁ ହରିବାବୁ ଭଲ ପାଉଥିଲେ । କିନ୍ତୁ ମୋ ସାଙ୍ଗେ ବିବାହ ପ୍ରସ୍ତାବ ଦେବାରେ ଆପତ୍ତି ତ କଲେନି । ସୁଷମା ପ୍ରତି ଯେ ତାଙ୍କର ଅନୁରାଗ ନାହିଁ ତାହା ବି ସହଜେ ଜାଣି ହେବନି–କାରଣ “ଯେ ଯାଉଛି ଯାଉ’’–କ’ଣ ୟା ମାନେ–କହିଲା–ସୁଷମା ! ତୁମେ ହରିଭାଇ କ’ଣ ଦୁହେଁ ପଢ଼ୁଥିଲ ? ସୁଷମା ଅତି ନିଷ୍ପ୍ରଭଭାବେ କହିଲା ‘ହଁ’ ତେବେ କାହିଁକି ତୁମ ମନରେ ଏତେ ଅବସାଦ–ହରିବାବୁଙ୍କର ତ ତୁମ ପ୍ରତି ଅଶେଷ ଶ୍ରଦ୍ଧା । ସୁଷମା ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲା । ଠାସୁକୁ ମାରି କଥାଟେ କହି ମଞ୍ଜୁ ବୁଝିବାକୁ ଚେଷ୍ଟା କରୁଛି । କାହିଁକି ତାର ମା’ ହରିବାବୁ ଘରକୁ ଏବେ ଯାଉନାହାନ୍ତି ଇତ୍ୟାଦି ପଚାରିବାରେ–ଗୋପୀଦାସେ ଯେ ଏସବୁ ଭିଆଇଛନ୍ତି ସବୁ କହିଲା । ବିଧବା ମା’ଟିଏ–ମରିଗଲେ ସମ୍ପତ୍ତି ସବୁ ଦେବ–ମୁଁ ସିନାକଣ୍ଟା–ନିଜ ପୁଅ ସହ ବାହା କରିଦେଲେ–ନିଶ୍ଚିନ୍ତ । କାନ୍ଦି ସୁଷମା ଅନର୍ଗଳ କହି ଚାଲିଲା, ମୁଁ କେତେଥର ମା’କୁ ଏକଥା କହିଛି । କିନ୍ତୁ ମା’, ଦାସଙ୍କ କଥାରେ ଭଳିଛି, ଓଲଟି ମତେ ଭର୍ତ୍ସନା କରି କହେ । ସେହିଦିନୁ ବେଶି ବୋଉ ମନରେ କଷ୍ଟ ହେବନି ବୋଲି କିଛି କହେନି । ଭଉଣୀ, ମୁଁ ବି ପାଠ ଏବେ ପଢ଼ୁଛି–ଜାଣୁଛି କର୍ମରେ ଯାହା ଅଛି ହେବ । କୌଣସି କଥା ଧରି ବସିଲେ ମନସ୍ତାପ ହେବା ସାର । ତେଣୁ ନିର୍ଲିପ୍ତ ହୋଇ, ଜୀବନଟା କର୍ମରେ କଟାଇଦେବା ଉଚିତ । ମଞ୍ଜୁ ବୁଝିଲା–ସୁଷମା ଅତି ବିଦ୍ୱାନ–ଦଶମ ଶ୍ରେଣୀ ସେ ପଢ଼ିଲେ ମଧ୍ୟ, ସବୁ ପ୍ରକାର ବହି ଏବେ ବି ପଢ଼େ । ତାର ସ୍ୱତଃ ସମ୍ମାନ ଜାତ ହେଲା ସୁଷମା ପ୍ରତି । ପଚାରିଲା ଭଉଣୀ ତୁମେ ମୁହେଁ ମୁହେଁ ଦାସକୁ ଏକଥା କହିଦେଲନି–ଖାସା ମାମଲତିକାର–ବାପାଙ୍କ ପାଖେ ଠାଣିମାଣି କରି କହେ ନାନା ରଙ୍ଗରେ–ଦେଖିନଉଛି ତାକୁ ।

 

ସୁଷମା–ଭଉଣୀ ସେପରି କିଛି କରିବନି । ତୁମକୁ ବିଶ୍ୱାସ କରି ଆଜି ସବୁ କହିଛି-। କେହି ନାହିଁ ଆଉ ଯାହାଆଗେ ମନଖୋଲି କହିଛି । ମଫସଲର ଗାଉଁଲୀ ଝିଅ–ଚିଠି ଖଣ୍ଡିଏ ଲେଖିବାକୁ ବି ହାତ ଯାଏନି । ଗୋପୀଦାସ କେବେ ମୋ ପାଖକୁ ଯାଏନି–ସେହି ମା’ ପାଖେ ଟୁପୁର ଟାପର, ଥରେ ମୋତେ କହିଥିଲା ଗୋଟେ ଠିକଣା ଲେଖି ଦେବାକୁ ଖାମ୍‌ ଉପରେ–ଲେଖି ଦେଇଥିଲି–ସେତିକି ।

 

ମଞ୍ଜୁ–କାହା ପାଖକୁ ଚିଠି ଦେଉଥିଲା କି ଦାସ ?

ସୁଷମା–ତାଆରି ପୁଅ ନିତେଇ କୁଆଡ଼େ ମାମୁଁ ଘରକୁ ଯାଇଥିଲା–ତାହାରି ପାଖକୁ ।

ମଞ୍ଜୁ–ତୁମର ତାହେଲେ ବିବାହ କ’ଣ ମା’ ଠିକ୍‌ କରିଛନ୍ତି–କ’ଣ ଝିଅ ଉଠାଇଦେବେ ବୋଲି କହିଲେ ।

 

ସୁଷମା–ହଁ, ସେହି ଦାସଙ୍କ ପୁଅ ସାଙ୍ଗରେ ଭଉଣୀ–ନ ଥାନ୍ତି ମୁଁ ମୁହଁ ଦେଖାଇବାକୁ । କିନ୍ତୁ କ’ଣ କରିବି । ମୁଁ ମଲେ ବୋଉ ମୋର କ’ଣ ହୋଇଯିବ । ତାର ସୁଖ ପାଇଁ ଭଉଣୀ–ମୁଁ– । ଆଉ କହି ପାରିଲାନି ।

 

ମା’ କାହିଁକି ଏତେ ଦାସଙ୍କୁ ଚାହୁଁଛନ୍ତି । କ’ଣ ଟଙ୍କାପଇସା ସାହାଯ୍ୟ ଦେଉଛନ୍ତି ପରା । ଠିକ୍‌ ବିଚାରିଛ ଭଉଣୀ–କ’ଣ ମା’ ଉପରେ ୪ଶହ କି ୫ଶହ ଡେରିଲାଣି ?

 

ସବୁ ବୁଝିପାରିଲା ମଞ୍ଜୁ । ବିଦ୍ୱାନ ଝିଅ ଇଏ । ଆଜି ଗରିବକୁଳରେ ଜନ୍ମ ହୋଇଛି ବୋଲି–ସବୁ ଝଡ଼ବହି ଯାଉଛି ତାରି ଉପରେ । ମୁଁ ଆଜି ମାଟ୍ରିକ୍‌ ପରୀକ୍ଷା ଦେବି । କିନ୍ତୁ ସେ ତାହା ଅତିକ୍ରମ କରିଗଲାଣି । କି ମାର୍ଜିତ ବ୍ୟବହାର । ଏ କେବଳ ସମ୍ଭବ ହୋଇଛି, ସାର୍‍ଙ୍କ ସମ୍ପର୍କରେ ଆସିଥିବା ଯୋଗୁଁ । ମୋ ଏପରି ଝିଅ ସାର୍‍ଙ୍କ ମନପ୍ରାଣକୁ ଆକର୍ଷଣ କରିଥିବା–ସ୍ୱାଭାବିକ । କିନ୍ତୁ କୌଣସି ପ୍ରତିବନ୍ଧକ ସୃଷ୍ଟିକରିଛି–ଏଇ ଦାସ ମାମଲତିକାର ।

 

ମାଉସୀ ପହଞ୍ଚିବାରେ ମଞ୍ଜୁ ନମସ୍କାର ହୋଇ ବିଦାୟ ନେଲା । କହିଗଲା–ପୁଣି ଆଉ ଦିନେ ଆସିବ ।

 

X            X            X            X

 

ଜିଦ୍‌ ଲାଗିଛି ମଞ୍ଜୁର । କିପରି ତା ସାର୍‌ଙ୍କର ପ୍ରକୃତ ମନକଥା ବୁଝି ପାରିବ । ସାର୍‍ତ ପ୍ରତିଦିନ ଡ଼ାଏରୀ ଲେଖନ୍ତି । ଯଦି ତାଙ୍କର ସେ ଡ଼ାଏରିଟି କିପରି ହସ୍ତଗତ ହୋଇଯାଆନ୍ତା ଅନ୍ତତଃ ୫ ମିନିଟ୍‌ ପାଇଁ–ଫଟାସ୍‌ କରି ଦେଖିନିଅନ୍ତା–କି ଖଣ୍ଡେ ଚିଠିଫିଟି କି ସେ ସଂକ୍ରାନ୍ତୀୟ କାଗଜ ଖଣ୍ଡେ ଅକସ୍ମାତ ସାର୍‍ଙ୍କ ପକେଟ୍‍ରୁ ପଡ଼ିଯାଆନ୍ତା କି ଦେଖିନିଅନ୍ତା । ପଢ଼ିଛି ଉପନ୍ୟାସରେ କେତେ କେତେ ରୋମାଞ୍ଚକର ସନ୍ଧାନ । କିନ୍ତୁ ହାୟ ଏପରି କ’ଣ ସର୍ବଦା ସମ୍ଭବ । ଡାଏରିଟି ସାର୍‌ଙ୍କ ପକେଟରେ ସବୁବେଳେ ଥାଏ–ଛୋଟ ବହିଖଣ୍ଡେ–କିନ୍ତୁ ଏପରି ଅନଧିକାର ଚର୍ଚ୍ଚା ବା କରିହେବ କିପରି ? ଅହୋରାତ୍ର ସେ ଏହି ଚିନ୍ତାରେ ଥାଏ । ସେଦିନ ୪ଟାବେଳେ ହରିହର କଲେଜରୁ ସିଧା ସେବାଟେ ଆସିଲା । ମଞ୍ଜୁ ତାଙ୍କୁ ନେଇ ବସାଇ ଦେଲା । ବାପା କୁଆଡ଼େ ଯାଇଛନ୍ତି–ସେ ଘଣ୍ଟେ ୨ ଘଣ୍ଟା ଭିତରେ ଫେରିବେ । ଭାବିଲା ପ୍ରିନିସିପାଲଙ୍କ ଚିଠିଟି ମଞ୍ଜୁକୁ ଦେଇଦେବ–ସେ ବାପାଙ୍କୁ ଆସିଲେ ଦେବ କିନ୍ତୁ କାଳେ ଯଦି ମନେ ନ ପଡ଼ିବ ତାର । ପ୍ରିନିସିପାଲ କହୁଥିଲେ, ଚିଠିଟି ଆଜି ଧନପତିବାବୁ ପାଇବେ । ଉଚିତ ବୋଲି; କହିଲା–ମଞ୍ଜୁ–ତୁମେ ଚିଠିଟି ମନେକରି ବାପା ଆସିଲେ ଦେଇଦେବ–ଅତି ଜରୁରୀ–କଲେଜରୁ ସିଧା ସିଧା ଆସୁଛି–ଝାଡ଼ା ଯାଇନି କିଛି କରିନି । ମୁଁ ପୁଣି ସନ୍ଧ୍ୟାବେଳେ ନୋହିଲେ ଆସିବି । କିନ୍ତୁ ତୁମେ ଦେଇଦେବ । ମଞ୍ଜୁକୁ ସୁବିଧା ମିଳିଲା । କହିଲା ସାର୍‌ ଚିଠିଟି ଜରୁରୀ । ମୁଁ ଦେଇଦେବି । କିନ୍ତୁ ଆପଣ ଟିକେ ରହିଯାଉ ନାହାଁନ୍ତି । ବାପା ତ ବର୍ତ୍ତମାନ ଆସିବେ । ମୋତେ ଦେବେ–ପୁଣି ବାଟଯାକ ଭାବୁଥିବେ ମୁଁ ଦେଲି କି ନାହିଁ । ତା ପରେ ବାପା ପଢ଼ି କ’ଣ ଆପଣଙ୍କୁ ପଚାରି ପାରନ୍ତି । ଆପଣ ଏଇଠି ଝାଡ଼ା ଯାଆନ୍ତୁ । ବାପା ଆସିଯାଇ ପାରନ୍ତି । ହରିହର–ଆଚ୍ଛା’ ବୋଲି କହି, ଗାମୁଛାପାଲଟି ଝାଡ଼ା ଗଲେ । ଇତ୍ୟବସରରେ ମଞ୍ଜୁ ତାଙ୍କ ଡାଏରିଟି ପକେଟରୁ କାଢ଼ିଲା–ହାତ ଥରୁଥାଏ । ଟିକିଏ ଖଡ଼୍ କରି ହେଲେ ଏଣେତେଣେ ଚାହୁଁଥାଏ । ଛାତି ଦୁଲଦୁଲ ପଡ଼ୁଛି । ତରତର ହୋଇ ପୃଷ୍ଠାଗୁଡ଼ିକ ଓଲଟାଇ ଓଲଟାଇ ଦେଖିଲା, ପ୍ରାୟ ସବୁଦିନ ‘ସୁଷମା’ କଥା–କିପରି ତାକୁ ଭଲପାଆନ୍ତି–ଇତ୍ୟାଦି ଲେଖା ହୋଇଥାଏ । କିନ୍ତୁ ଧୈର୍ଯ୍ୟଧରି ପଢ଼ିପାରୁଚି କେତେକ । ଶେଷଆଡ଼କୁ ଦିନେ ଲେଖାହୋଇଛି । ହାୟ, ସୁଷମା କଅଣ କଳ୍ପନା କରିଥିଲି, କ’ଣ ହେଲା । ହଠାତ୍‌ ଶବ୍ଦ ଶୁଣି ତରତରରେ ଡାଏରୀଟି ରଖି ଦେଉଁଦେଉଁ–ପକେଟରୁ ରୁମାଲଟି ଖସି ପଡ଼ିଲା–ସେତେବେଳକୁ ପଶି ଆସିଲେଣି । ସାର୍‌ କାମିଜଟି ଖସିପଡ଼ିଲା ଯେ, ରଖି ଦେଉ ଦେଉ ରୁମାଲ ଖସିପଡ଼ିଲା–କହି ମଞ୍ଜୁ ଥରୁଛି । ଦେହରେ ଯେପରି ୧୦୫ ଟେମ୍ପରେଚର । ହରି କହିଲା, ସେମିତି କାହିଁକି ହେଉଛ ? ଖସିପଡ଼ିଲା ତ ରଖିଦେଲ । କଥାଟି ଅତି ସରଳ ଭାବରେ କହିବାର ଦେଖି, ମଞ୍ଜୁ ଟିକିଏ ଆଶ୍ୱସ୍ତ ହେଲା । ହରି କାହିଁକି କଳ୍ପନା ବି କରିବ ଯେ, ମଞ୍ଜୁ, ତାହାର ଡାଏରୀ ଦେଖିଥିଲା ବୋଲି । କିଛିକ୍ଷଣ ପରେ ଧନପତିବାବୁ ଆସିଲେ–ହରି ଚିଠିଟି ଦେଲେ । କାଲି Free Scholarhip କଥା କ’ଣ ପୁନର୍ବିଚାର କରାଯିବ-। କେତେଟା Caseରେ–ଯିବାର କଥା । ହରି ସାମାନ୍ୟ ଜଳଯୋଗ କରୁ କରୁ କହିଲା, ଆମ ମଞ୍ଜୁ ଏତେ ନରଭସ ପିଲା–ମୋ କାମିଜ୍‍ଟା ପଡ଼ିଗଲା–ତାକୁ ରଖି ଦେଉ ଦେଉ ସେ ଛାନିଆ-। ଧନପତିବାବୁ ହସିଲେ–କହିଲେ ସେଇଟା ସାର୍‌ଙ୍କ ଶିକ୍ଷା ।

 

ହରିହର ଯିବା ପରେ ଧନପତିବାବୁ ଝିଅସହ ଟିକିଏ ଆଳାପ କଲେ–ଝିଅ କହିଲା ବାପା, ଆମ ସାର୍‌ଙ୍କ ଗାଁର ଗୋଟିଏ ଝିଅ, ତା ମାଆ ସଙ୍ଗେ ଆସିଛି । ସେଦିନ ଦେଉଳରେ ଦେଖିଲୁ–ବଡ଼ ଭଲ ଝିଅ–ବହୁତ ପଢ଼ିଛି–ଅତି ସୁନ୍ଦର ଚଳଣି । Excellent–behaviour ତାକୁ ଟିକିଏ ଘରକୁ ଆଣନ୍ତେ କି ? କି ମା’, ମୁଁ କ’ଣ ମନା କରୁଛି–ଆଣୁନୁ । ଅନେକ ଝିଅ ମଫସଲରେ ଜନ୍ମ ହୋଇଥିଲେ ବି ସେମାନଙ୍କର ଜନ୍ମିତ ଶକ୍ତିଦ୍ୱାରା, ଅତି ବୁଦ୍ଧିମତୀ ହୋଇଥାନ୍ତି । ଅତି କଷ୍ଟ କଥା ଜଲଦି ବୁଝିଯାଇ ପାରନ୍ତି ।

 

ଯାହାକୁ କହନ୍ତି Extraordinay Common Sense and Power of graspingthings । ହଁ, ବାପା, ଠିକ୍‌ ସେହି ଶକ୍ତି–ମଞ୍ଜୁ ଆନନ୍ଦରେ କୁରୁଳି ଉଠିଲା । ବାପା ଭାବିଲେ, ଏ ଝିଅଟିପ୍ରତି ମଞ୍ଜୁ ଏତେଶୀଘ୍ର ଆକୃଷ୍ଟ ହେଲା କିପରି–ଭାବିଲେ ପୁଅଟିଏ ଅନ୍ୟପୁଅ ଦେଖିଲେ–ମାସ ମାସ ଦେଖୁଥିଲେ ବି ଦୁହେଁ ବନ୍ଧୁତା ପ୍ରତିଷ୍ଠା କରିବା ସମୟ ସାପେକ୍ଷ । ଏପରି ଦେଖାଯାଏ, ସହରରେ ଗୋଟିଏ ଲୋକ ତାହାର ପଡ଼ିଶା ଲୋକର କଥା ଜାଣେନି–କିନ୍ତୁ ସ୍ତ୍ରୀ ଲୋକମାନେ କିପରି ହଠାତ୍‌ ମିଳିଯାନ୍ତି । ବୋଧହୁଏ ସ୍ତ୍ରୀ ଲୋକମାନେ କୌଣସି ଗୋଟିଏ ସରଳ ପ୍ରକୃତିର ଅଧିକାରୀ, ଯାହା ଫଳରେ କି ସେମାନଙ୍କର ମିଳାମିଶା ଖୁବ୍‌ ଚଞ୍ଚଳ ହୋଇଯାଏ । ବାପା ଏହିପରି ଭାବି ଉଦ୍ୟାନରେ ପଦଚାରଣ କରୁଛନ୍ତି ତେଣୁ ମଞ୍ଜୁ ଡ୍ରେସ୍‌ ପିନ୍ଧି ଡ୍ରାଇଭରକୁ ଧରି ହାଜର–ବାପା ମୁଁ ଯାଉଛି ।

 

X            X            X            X

 

ବିଭାଘର ଆଉ ମୋଟେ ୧୪ ଦିନ ଅଛି–କିପରି ସବୁ ଯୋଗାଡ଼ କରିବାକୁ ହେବ–ଜୟରାମ ସେ ଚିନ୍ତାରେ ଅତିବ୍ୟସ୍ତ । ହରି ଲେଖିଛି ଛୁଟିନେଇ ଆସିବ ଦ୍ୱାଦଶୀ ଦିନ । ଆଉ ମୋଟେ ଚାରିଦିନ ଥିବ । ପୁଅ ବାହା ବେଶୀ ଝନଝଟ ନୁହେଁ–ହେଲେ ଖଣ୍ଡିଏ ଗାଡ଼ି ଯୋଗାଡ଼ କରିବାକୁ ହେବ । ଏଣେ ଗାଁବାଲା ଏକ ଘରିକିଆ କରିଛନ୍ତି । ଏ ପର୍ଯ୍ୟନ୍ତ ସିନା ଚୁପ୍‌ଚାପ୍‌ ଥିଲେ–କିନ୍ତୁ ନିମିତ୍ତଟା–ପୁଣି ସେଉଟି ପ୍ରଥମ, ଜୟରାମଙ୍କ ଦାୟିତ୍ୱରେ । ଗାଁବାଲା ନ ଆସିବା–ଗୋଟେ କଥା–କାଳକାଳକୁ ରହିଯିବ । କିନ୍ତୁ ଏଥିବୋଲି କ’ଣ ତା ମୁଣ୍ଡ ନୋଇଁଯିବ । ପୁରୀରେ କରିଦେଲେ ଗଲା । କିନ୍ତୁ ସେ ବି କ’ଣ ଭଲ ହେବ । ସେ ଚିନ୍ତାରେ ଜୟରାମ ଦୋଘାଇରେ ପଡ଼ିଥାନ୍ତି । କ’ଣ କରିବେ । କୁନ୍ତଳାଙ୍କର ଇଚ୍ଛା, ଯେ ଯାହା ହେଲା ହେଲା, ଏବେ, ମିଶ୍ରଙ୍କ ପାଖକୁ ଯାଇ ଟିକିଏ ଜଣାଇ କହିଲେ ହୋଇ ଯାଆନ୍ତା । ତେବେ ସେହି କଥା ହଉ । ଭାଇ ତ, ତାର ନିମିତ୍ତ ହେଉଛି । ଆଚ୍ଛା, ମୁଁ ଯିବି–ସ୍ଥିର କରି ସେହି ମୁହୂର୍ତ୍ତରେ ବାହାରିଲେ । ଦେବାତକୁ ମିଶ୍ରେ ବସି ତାଙ୍କର ପିଣ୍ଡାରେ କ’ଣ ସବୁ ଜମିବାଡ଼ି ନକ୍‌ସା ଦେଖୁଥିଲେ । ଜୟରାମ ପିଣ୍ଡାକୁ ଉଠିବାରୁ, ମିଶ୍ରେ ବଡ଼ ଆହ୍ଲାଦ ହୋଇ କୁଣ୍ଢାଇ ପକାଇଲେ–କିଏ ଜୟୀ, ତୁ କୁଆଡ଼େ ? କେତେ ଦିନରେ ଆମର ଏ ପିଣ୍ଡାରେ ପାଦ ପଡ଼ିଲା । ଅନେକ ଦିନ ବିତିଗଲାଣି । ବାଦବିବାଦ–ସେପରି କିଛି ଗୁରୁତର ନ ଥିଲା–ଦାସଙ୍କ ଚକ୍ରାନ୍ତରେ ଏସବୁ ଘଟଣା । ଏବେବି ତ ଦାସଙ୍କ ଉଦ୍ଦେଶ୍ୟ ସଫଳ ହେଲା । ତାଙ୍କ ପୁଅ ନିତେଇ ସୁଷମାକୁ ବାହା ହେବ ଓ ବୁଢ଼ୀର ସମ୍ପତ୍ତି ଦାସଙ୍କ କବଳକୁ ଆସିବାର ବାଟ ସଫା ହୋଇଯାଇଛି–ତେଣୁ ଦାସେ ବି ଆଉ ଜୟରାମଙ୍କ ଘରେ ଖବରଟା କହିଥିଲେ । ଏକଥାବି ଉଣା ଅଧିକେ କେତେକ ଜାଣନ୍ତି । ମିଶ୍ରେ ଭାବୁଥିଲେ ଏ ଦାସ ଯୋଗୁଁ ଏତେକଥା । ଇଏତ ଯାଇ ତାହା ସହ କଥାବାର୍ତ୍ତା ହେଲାଣି । ମୁଇଁ କେବଳ ଚିହ୍ନା ପଡ଼ିଲି । ପରସ୍ପର ପରସ୍ପରକୁ ଭେଟିବାକୁ ବ୍ୟାକୁଳ–କିନ୍ତୁ କିଏ ଆସିବ–କିଏ କହିବ ? ଏବେ ଜୟରାମଙ୍କୁ ଦେଖି ସବୁ ବାଡ଼ବନ୍ଧ ଏକାବେଳେ ସାଫ୍‌ । ଜୟରାମ, ମିଶ୍ରଙ୍କଠାରୁ ଏପରି ଖୋଲା ବ୍ୟବହାର ଆଶା କରି ନ ଥିଲେ । ହଠାତ୍‌ ଏପରି ଦେଖି, ସେ ଅତିଶୟ ଭାବପ୍ରବଣ ହୋଇଗଲେ । ମିଶ୍ରେ କହିଲେ, ଜୟୀ ଗୋଟେ ମାଜେଣା କର ମ ଦିଅଁଙ୍କ ଠାଇଁ,–ସମସ୍ତେ ଆମେ ଯିବା–ଗୋଟେ ଅକାରଣରେ ଗାଁଟାରେ ଫଟାଫଟି । ଜୟୀ ରାଜି ହେଲେ । ସେଇକ୍ଷଣି, ଦାଣ୍ଡରେ ଯାଉଥିବା, ଦିଚାରିଜଣ ବି ଆସି ଜୁଟି ଗଲେ–ତାଲିକା ହୋଇଗଲା–ମଙ୍ଗଲକୃତ୍ୟ ସଭାଦିନ ସବୁ ହେବା ସ୍ଥିର ହେଲା । ମିଶ୍ରେ ପଚାରିଲେ, ଆରେ ଜୟୀ ! ବୋହୁଟି କେମିତିକା ଦେଖିବାକୁ ? ଜୟରାମ ଖୁବ୍‌ ଖୁସିଟାଏ ହୋଇ କହିଲେ–ମୁଁ କହିବି କ’ଣ ଗୋଟେ ଅଧିକ । ଆପଣତ ଆମର ଆପଣାର–ଆସୁନାହାନ୍ତି ପୁରୀ ଥରେ–ଦେଖି ଆସିବେ । ମିଶ୍ରେ ଆହ୍ଲାଦ ହେଲେ । ଗୁଡ଼େ କାମ–କେତେବେଳେ ଯିବି–ତେବେ ଆମ ହରିର ବାହା–ମୁଁ ଦେଖିବିନି–ମନେ ମନେ କହିହେଲେ ।

 

ଜୟରାମ ଘରକୁ ଆସି ନିଜ ସ୍ତ୍ରୀଙ୍କ ଆଗେ ସବୁ ବଖାଣିଲେ । କୁନ୍ତଳା ସନ୍ତୁଷ୍ଟ ହେଲେ । ଯାହାହେଉ ଗୋଟେ ଅଡ଼ୁଆ ଗଲା । ହେଲେ ତୁମେ ତ ଟିକିଏ ଝିଅଟିକୁ ଦେଖିଲନି–ବିଧିତ ଗୋଟେ । କୁନ୍ତଳା କହିଲେ–ମୁଁ ତ ପିଡ଼ିଆ–ତୁମେ ଭାଇ ଭାଇ ଯାହା କରୁଛ–ମୋତେ କ’ଣ କହିଛ-? ଜୟରାମ ସନ୍ତାପି ହେବା ପରେ–କହିଲେ, କୁନ୍ତଳା ଏଇ ତମ କଥା ଗଲାଣି । ଗଲା–ଥରତ ଯାଇଥିଲି–କଥା ହେଲା । ତୁମ ଯିବା ସମୟ କ’ଣ ଗଲାଣି । ଆଚ୍ଛା ଆମେ ଯିବା ଏଇ ଦିନେ ଦୁଇଦିନ ଭିତରେ–ସପନି ମିଶ୍ର ବୁଢ଼ା ବି ଯିବ କହିଛି–ଯାଇ ଦେଖିଆସିବା । ମାଷ୍ଟ୍ରଙ୍କୁ ସାଙ୍ଗରେ ନବା । କୁନ୍ତଳା ପଚାରିଲେ ଆଉ ଗୋପୀଦାସଙ୍କୁ ? ଜୟରାମ ହସି ଉଠିଲେ–ସେ ତ ସବୁଠାଇଁ–ତାକୁ ଖାଲି ଇସାରା ଦେଲେ ସେ ଯିବ । ମାମଲତିକାର ଲୋକ–ସେ । ଆମେ ପହଞ୍ଚିବା ଦିନ ଯେ ଠିକ୍‌ ସେଠି ନ ଥିବ କିଏ କହିବ । ଗୋଟେ ନାରଦ ସେ–କୁନ୍ତଳା ସରଳଭାବେ ତୀବ୍ର ମନ୍ତବ୍ୟଟିଏ ଦେଲେ ।

 

ସୁଷମା, ଧନପତିବାବୁଙ୍କ ଘରକୁ ଆସିଛି । ମାଉସୀକୁ କହି ତାକୁ ଏଇ କେତେଦିନ ପାଇଁ ଆଣିଛି । କାର୍ତ୍ତିକ ମାସ ପୁରିଗଲେ, ମାଉସୀ ଗାଁକୁ ଯିବେ ଚାଲି, ଘରେତ ସହଜେ ମାଇପି ଲୋକ, କେହି ନାହିଁ ! ସୁଷମା ଥିଲେ ମଞ୍ଜୁକୁ ଅତି ଭଲ ଲାଗେ–କଥାବାର୍ତ୍ତା, ଖେଳବୁଲ–ପାଠଚର୍ଚ୍ଚା–ସବୁକିଛି । ଧନପତିବାବୁ ବିଝିଅଟିର ନମ୍ର ବ୍ୟବହାର, ଶିଷ୍ଟାଚାର, ବାକ୍‌ସଂଯମତା ସବୁ ଦେଖି, ଅତି ପ୍ରୀତ ହୋଇ ଥାଆନ୍ତି । ସେଦିନ ଅଁଳାନବମୀ, ଅନେକ ଲୋକ ପୁରୀରୁ ବାହାରନ୍ତି । ସାକ୍ଷୀଗୋପାଳ ଦର୍ଶନ ଉଦ୍ଦେଶ୍ୟରେ । ଧନପତିବାବୁ ବି ଯିବାକୁ ଇଚ୍ଛା କରିଥିଲେ । କାରରେ ସେ, ସୁଷମା, ମଞ୍ଜୁ, ସୁଷମା ବୋଉ ସମସ୍ତେ ଯାଇ ବୁଲିଆସିବେ । ସୁଷମା ବୋଉ ପାଇଁ, ମଞ୍ଜୁର ଏ ବ୍ୟବସ୍ଥା । ହରିହର ଯିବାକୁ ନାହିଁ କଲେ । ସୁଷମା ଏଠାରେ ଥିବାତକ, ତାଙ୍କୁ ବଡ଼ ଆଶ୍ୱସ୍ତି ଲାଗେ । ସେ ପ୍ରାୟତଃ ଆସନ୍ତିନି । ଆସିଲେ–ବାହାରେ ବାହାରେ ଧନପତିବାବୁଙ୍କ ସହ ଦେଖାକରି ଚାଲି ଯାଆନ୍ତି । କେବେ କିପରି ମଞ୍ଜୁ ଚେଷ୍ଟାକରି ଜାଣିଶୁଣି ସୁଷମାକୁ ନେଇ ଚାଲିଆସିଲେ ହରିବାବୁ, କୌଣସି କାରଣ ଦେଖାଇ ହଠାତ୍‌ ଚାଲି ଯାଆନ୍ତି । କିନ୍ତୁ ସୁଷମା ଉପରେ ଦୃଷ୍ଟିରଖି ଫେରାଇ ଆଣିବା ମଞ୍ଜୁ ଲକ୍ଷ୍ୟ କରିଛି । ହଠାତ୍‌ ମାଳୀ ଧାଇଁ ଆସି ଚିତ୍କାର କଲା,–ମା’, ମା’, ବାପାଙ୍କ ମୁଣ୍ଡ ଫାଟି ରକ୍ତ ବହିଯାଉଛି–ମା’ । ଦଉଡ଼ି ଆସ । ‘‘ହେ, ମୋ ‘‘ବାପାଲୋ’’ କହି–ମଞ୍ଜୁ ଦଉଡ଼ି ଯାଇ ପଡ଼ିଲା ବାପାଙ୍କ ପାଖରେ । ବାପା ବେହୋସ–ମଞ୍ଜୁ ନିର୍ଜୀବ, ସ୍ଥାଣୁ–ଆଖି ନିଶ୍ଚଳ, ମୁକ ହୋଇ ବସିଛି–ସେତେବେଳେ କାଟି ଦେଲେବି ଟୋପେ ରକ୍ତ ତା ଦେହରୁ ବାହାରିବନି । ସୁଷମା ହଠାତ୍‌ ନିଜ ହାତବ୍ୟାଗ୍‌ଟି ନେଇ ଆସିଲା–ସେଥିରେ କନା ତୁଳା ବଳଣା, କତୁରୀ ଇତ୍ୟାଦି ଥାଏ । ପାଣି ଆଣି ଭଲ ଭାବରେ କ୍ଷତ ଯାଗାକୁ ଧୋଇ ଦେଲା–ମୁଣ୍ଡର ଡାହାଣ ପାଖ, କପାଳ ଉପରକୁ କଣାଟେ ହୋଇ ଯାଇଛି । ନିଜ କତୁରୀରେ ବାଳଗୁଡ଼ିକୁ କାଟି ଦେଲା ସେ ଯାଗାରୁ, କନାଗୁଡ଼େ ପୋଡ଼ି ସେଥିରେ ଭର୍ତ୍ତି କରିଦେଲା–ତାପରେ ତୁଳା ମେଞ୍ଚେ ଦେଇ–କନା ଭଲକରି ମୁଣ୍ଡ ଚାରିପାଖେ ବାନ୍ଧି ଦେଲା । ସେତେବେଳକୁ ଥଣ୍ଡା ପାଣିବାଜି, ଧନପତିବାବୁଙ୍କ ଚେତା ଫେରି ଆସିଥାଏ । ମଞ୍ଜୁ ଚାହିଁ ରହିଥାଏ ସେହିପରି । କଥାକହୁ ନ ଥାଏ । ଧନପତିବାବୁ କହିଲେ–ଓଃ, ପାଇଖାନା ଯାଇ ଆସୁ ଆସୁ ସେ ଦୁଆର ବନ୍ଧରେ ଢାଇକରି ମାଡ଼ ହୋଇଗଲା, କି ଦୁର୍ଯୋଗ ! ଆରେ ମଞ୍ଜୁ–ସେ ସେମିତି କାହିଁକି ବସିଛି–ଆଲୋ ! ମୁଁ ମରିନି ଲୋ । ତୋ ବାପା ବଞ୍ଚିଛି । ମଞ୍ଜୁ ! ମୁଁ ପରା ତୋ ଦାୟିତ୍ୱ ନେଇଛିଲୋ–କହି–ମଞ୍ଜୁକୁ ଭିଡ଼ି ଆଣିବାକୁ ଉଦ୍ୟତ ହେଲାରୁ ମଞ୍ଜୁ ଭେଁ କରି କାନ୍ଦି ଉଠିଲା । ସୁଷମା ଅତି ଧୈର୍ଯ୍ୟ ସହକାରେ ମାଳିର ସାହାଯ୍ୟରେ ଧନପତିବାବୁଙ୍କୁ ଆଣି ପଲଙ୍କରେ ଶୁଆଇ ଦେଲା । ମଞ୍ଜୁକୁ ଗୋଟିଏ ପାଖରେ ବସି ଆଉଁସିବାକୁ କହିଲା ଓ ନିଜେ ପଙ୍ଖାଟିଏ ଧରି ବ୍ୟଞ୍ଜନ କରିବାକୁ ଲାଗିଲା । କିଛି ସମୟ ପରେ ଧନପତିବାବୁ ସତେଜ ଅନୁଭବ କଲେ । କିଏ ମା’ ସୁଷମା !–ତୁ ମୋର ଝିଅ–ମୋ ମା’ ନ ଥିଲେ ତ ଦୁହେଁ ଯେମିତି ହୋଇ ଯାଇଥିଲେ କିଏ ମୋତେ ଡାକ୍ତରଖାନା ନେଇଥାନ୍ତା ? କିଏ କ’ଣ କରିଥାନ୍ତା । ସୁଷମା ଇଷତ୍‌ ହସି କହିଲା, କିଛି ନାହିଁ–ବାପା ! ଶୋଇପଡ଼ ! ମଞ୍ଜୁ ତ କଷ୍ଟରେ ବଢ଼ିନି–ସେ ଟିକିଏ ଧୈର୍ଯ୍ୟ କମ୍‌ ପିଲା-। ମାଳିତ ମରଦୁଟେ ହୋଇ ବାକୁ ବାକୁ ଚାହିଁଛି । ମଞ୍ଜୁ କହିଲା–ନାନୀ ମୋର ନ ଥିଲେ ମୁଁ କ’ଣ କରିଥାଆନ୍ତିଟି । ଧନପତିବାବୁ ଧୀରେ କହିଲେ–ପାଠ ଖାଲି ପଢ଼ିଲେ ହୁଏନି ମଞ୍ଜୁ–ଶକ୍ତି, ଧୈର୍ଯ୍ୟ, ବୁଦ୍ଧି–ଏଗୁଡ଼ିକ ମନୁଷ୍ୟର ପ୍ରଧାନ ସମ୍ପଦ । ମୋର ଦୁଇଟି ଝିଅ ଆଜି–ମଞ୍ଜୁ ଓ ସୁଷମା–ଦୁଇ ଆଖି ମୋର–ମୁଁ ଆଉ କିଛି ବୁଝିବିନି । ମା’ ସୁଷି, ତୁ ତୋ ସାନ ଭଉଣୀକୁ ଚଳା । ଧନପତିବାବୁ ଦୁହିଁଙ୍କ ସ୍ୱର୍ଗସୁଖ ପାଉଥାନ୍ତି ଯେପରି । ସେହିଦିନୁ–ମଞ୍ଜୁ ଓ ସୁଷମା ଗୋଟିଏ ବୃନ୍ତର ଦୁଇ ପୁଷ୍ପ ପରି ସୌରଭ ବିତରଣ କରୁଥାନ୍ତି । ହସି ଉଠୁଥାଏ ଧନପତିବାବୁଙ୍କର ବିରାଟ ପ୍ରାସାଦ ଓ ପ୍ରାଙ୍ଗଣ ।

 

ଭଉଣୀ, ମୁଁ ଯାଉଛି–କେତେଦିନ ହେଲା ଆସିଲିଣି–ବୁଢ଼ୀ ମା’ ବ୍ୟସ୍ତ ହେଉଥିବ–ସେଦିନ ଅଁଳାନବମୀକୁ ଯାଇ ପାରିଲିନି–ଆର ବର୍ଷକୁ ଯିବାମ । ଆମରି ଗାଁକୁତ ଯିବ–ପୁଣି ଦେଖା ହବନି–ଏକଥା କହିଲାବେଳେ–ତାର ମନର କୋହ ଯେପରି ଲହଡ଼େଇ ଲହଡ଼େଇ ଆସୁଥିଲା–ତାହା କେବଳ ଭାବି କଥା ଜାଣିଥିବା ମଞ୍ଜୁ ହୃଦୟଙ୍ଗମ କରୁଥାଏ । ନା, ନାନି । ମୁଁ ତୋତେ ଛାଡ଼ିବିନି । ଚାଲ, ତୋ ବୋଉକୁ ଏଠିକି ନେଇ ଆସିବି । ସେ ଆମ ଘରେ ରହିଗଲେ କ’ଣ ହବନି-? ସୁଷମା କହିଲା, ନାଇଁ ଭଉଣୀ–ବୋଉ ଏତେଦିନ ଗୋଟିଏ ଯାଗାରେ ଚିତା ଚଉରା ଥାପି, ମାସ ଆସି ସରିବାକୁ ହେଲାଣି–ଏଇଲେ ଆଣିଲେ ତା ମନ ଦିଲ୍‌ଗିଲ୍‌ ହବ । ମୁଁ ପୁଣି ଆସିବି ମ ତୋ ବାହାଘର ହେବ ଏଇ ପୂର୍ଣ୍ଣମୀରେ–ମୁଁ ଆସିବିମ ଆସିବି । ମୋ ଭଉଣୀ ବାହା ହବ, ମୁଁ ଆସିବିନି-? ଅଶ୍ରୁ ଛଳଛଳ ହୋଇ ଆସିଲା–ତାର ଚକ୍ଷୁ ଦୁଇଟି ।

 

ନାନି–ତୁ ବର୍ତ୍ତମାନ ମୋର ବଡ଼ ଭଉଣୀ । ତୋର ବିବାହ ନ ହେଲେ ମୋର ହୋଇପାରେନା–ମୁଁ କରାଇ ଦେବିନି ।

 

ଏଁ–ସୁଷମା ଚାହିଁ ରହିଲା ମଞ୍ଜୁଆଡ଼େ–ମଞ୍ଜୁର ମୁହଁ ରକ୍ତାଭ–ଚକ୍ଷୁ ଦୀପ୍ତିମନ୍ତ ।

 

ଧନପତିବାବୁ ପୁରା ଆରୋଗ୍ୟ ହୋଇ ନ ଥାନ୍ତି । ହରିହର ଏ ସମ୍ୱାଦ ପାଇ କେତେଥର ଦେଖିବାକୁ ଆସିଲାଣି । ଦ୍ୱାଦଶୀ–ଧନପତିବାବୁ ବିଛଣା ପାଖରେ ବସାଇ ହରିହରକୁ ଆଲିଙ୍ଗନ କଲେ । ବାପା ତୁମେ ମୋର ପୁଅ ସଦୃଶ । ବୟସ ହେଲାଣି–କେତେବେଳେ କ’ଣ ହୋଇଯାଇପାରେ–ଅବଶ୍ୟ ମୁଁ ଏଇଲେ ଯାଉନି–ତେବେ ପାଚିଲା ଆମ୍ୱ । ତୁମେ କେଉଁଦିନ ଗାଁକୁ ଯାଉଛ ? ପୂର୍ଣ୍ଣମୀତ ପାଖ । ଭାଇନାକୁ କହିବ, ସବୁ ଟିକିଏ ବୁଝିବେ । ମୁଁ ଭଲ ହେଉ ହେଉ ଆଉ ପନ୍ଦର ଦିନ ଯାଇପାରେ ।

 

କାହିଁ, ଆଜ୍ଞା, ମୁଁ ଡାକ୍ତରକୁ ଡାକୁଛି–ପେନସିଲିନ୍‌ ୨/୪ଟା ଦେଲେ ଜଲଦି କମିଯାଆନ୍ତା-

ଆରେ ନାଇଁ–ମୋ ପାଖେ ପରା ବଡ଼ ଡାକ୍ତର–ତା ଯୋଗୁଁ ତ ଆଜି ମୋତେ ଦେଖୁଛ ବାପା ।

କିଏ ଆଜ୍ଞା ଦେଖୁଛନ୍ତି ?

 

ତୁମରି ଗାଁର ‘ସୁଷମା’–ମୋ ବଡ଼ ଝିଅ ସେ ହରି–ମୋ ବଡ଼ ଝିଅ–ଜୀବନରେ ଏମିତି ଗୋଟିଏ ମାତ୍ର ଦେଖିଲି ।

 

‘ସୁଷମା !–ହରି ପାଟିରୁ ବାହାରିଗଲା ଅତି ବିସ୍ମୟରେ ।

 

ହଁ ବାପା–‘ସୁଷମା’–ତୁମେ ଯାହାକୁ ବାଲ୍ୟଜୀବନରେ ଅତି ସ୍ନେହ କରୁଥିଲ । ମଞ୍ଜୁ ମୋର ସବୁ କହିଛି । କିନ୍ତୁ ବାପା ! ସେ କଥା କାହିଁକି ? ହରି ଆଖିରୁ ଅଶ୍ରୁ ଦିଟୋପା ପଡ଼ିଗଲା ଧନପତିବାବୁଙ୍କ ଡାହାଣପାଖ ବାହା ଉପରେ । କାନ୍ଦୁଛ ହରି ?–ମୁଁ ସବୁ ବୁଝିଛି । ସୁଷମା–ଦେବୀ–ଅଭିଶପ୍ତ, କୌଣସି ଦେବୀ ମୋ ଘରେ ମୋର ସେବା କରିଛି । ମୁଁ ଆଜି ମୁକ୍ତ । ମୋର ଜନ୍ମ ସାର୍ଥକ । କିନ୍ତୁ ବାପା–ହରି କହି ଉଠିଲା– । ଧନପତିବାବୁ ଆଶ୍ଚର୍ଯ୍ୟ ହେଲେ ଏ ଡାକ ଶୁଣି ।

 

କ’ଣ ହରି କହ । ଆଜି ତତେ ପାଇ ମୋର ସବୁ ଜଞ୍ଜାଳ ଯାଇଛି–ଏଣିକି ମୋତେ ଆଉ ଚିନ୍ତା କରିବାକୁ ହେବନି ବାପା । ସୁଷମା ମୋତେ ଭୁଲିଛି–ସେ ଦାସଙ୍କର ପୁଅ ପାଖକୁ ଚିଠି ଦେଇଛି–ସେହିଠାରେ ତାର ବିବାହ ହେବା କଥା ଆପାତତଃ ସ୍ଥିର ହୋଇଯାଇଛି–ଆଉ ସେ ପିଛିଲା କଥା ଉଠାନ୍ତୁ ନାହିଁ–ହରି ଏକ ନିଃଶ୍ୱାସକେ ଏତକ କହିସାରି ଗଭୀର ଦୁଃଖରେ ମ୍ରିୟମାଣ ହୋଇପଡ଼ିଲା । ଚକ୍ଷୁଯୁଗଳ ବାଷ୍ପାକୁଳ ହୋଇଉଠିଲା ।

 

ଚିଠି–ସୁଷମା ଲେଖିଛି–ବାହାରିଗଲା ଧନପତିବାବୁଙ୍କ ପାଟିରୁ–ନିର୍ବାକ ହୋଇଗଲେ ସେ ।

ଧନପତିବାବୁ ଅଛନ୍ତି ?

କିଏ ?

 

ପଶି ଆସିଲେ–ଜୟରାମ, ପ୍ରଧାନଶିକ୍ଷକ ଶରଣ ସିଂ, ସପନି ମିଶ୍ରେ, ଦାସେ ଓ ଜୟରାମଙ୍କ ସ୍ତ୍ରୀ କୁନ୍ତଳା । ଆରେ, ଆପଣଙ୍କର ଏ କ’ଣ ହୋଇଛି । ହରି ସମସ୍ତଙ୍କୁ ଅଭିବାଦନ କରି କହିଲା–ମୁଣ୍ଡ ବାଜି ଆଘାତ ହୋଇଯାଇଛି । ତେବେ କମି ଆସିଲାଣି–ଆଉ ୮/୧୦ ଦିନ ଯିବ । ପ୍ରଧାନଶିକ୍ଷକ ଓ ଜୟରାମ ବିଛଣା ପାଖକୁ ଯାଇ ଧନପତିବାବୁଙ୍କୁ ସହାନୁଭୂତି ଜଣାଇ ଜିଜ୍ଞାସୁ ଦୃଷ୍ଟିରେ ଛିଡ଼ା ହୋଇ ରହିଲେ ।

 

ମଞ୍ଜୁ କାହିଁ କି ? ଜୟରାମ ପଚାରିଲେ ।

 

ଆମର ହିତବାଦୀ ବନ୍ଧୁ ଓ ହରିର ଭାଉଜ ଆସିଛନ୍ତି–ଟିକିଏ ତାଙ୍କୁ ଦେଖିବାକୁ । ହରିର ଭାଉଜ ଜିଗିର ଲଗାଇଲେ–ତାଙ୍କୁ ଟିକିଏ ଦେଖିବେ ।

 

ଧନପତିବାବୁ–ସତେ ! ଆଲୋ ମଞ୍ଜୁ । ହରି ବାହାର ବୈଠକଖାନାକୁ ଚାଲିଗଲା–ମସ୍ତିସ୍କ ଭାରାକ୍ରାନ୍ତ–କି ଏକ ଅଡ଼ୁଆରରେ ପଡ଼ିଲା ସେ । ସୁଷମା, ତୁ ଏତେ ଦାରୁଣ ? ଏୟା କଲୁ-? କଲୁ ଯଦି ପୁଣି ଏଠାରେ ଏ ଅଭିନୟ ସୃଷ୍ଟି କରି କି ହା ହୁତାଶରେ ପକାଇଲୁ ?

 

ମଞ୍ଜୁ ଭିତରୁ ସୁଷମାକୁ ନେଇ ଆସିଲା । ମୁଣ୍ଡରେ ସୁଷମାର ଓଢ଼ଣା–ମୁହଁ ଦେଖାଯାଉନି–ଭିଡ଼ି ଭିଡ଼ି ତାକୁ ଆଣୁଛି । ଏଇ ଦେଖନ୍ତୁ ବୋହୂ । କହି–ମଞ୍ଜୁ ଓଢ଼ଣା ଟାଣି ଦେଲା ।

 

ଏ–ସୁଷମା । ମଞ୍ଜୁ, ତୁ ଏ କ’ଣ କଲୁ ମଞ୍ଜୁ ?–ଧନପତିବାବୁ ଉଠି ପଡ଼ିଲେ । ଜୟରାମ କାବା–ଗୋଟେ ଆନ୍ଦୋଳନ ସୃଷ୍ଟି ହୋଇଗଲା । ମଞ୍ଜୁ କହି ଉଠିଲା ଏ ମୋର ନାନୀ ବାପା ।’ ତୁମର ବଡ଼ଝିଅ । ତାର ବିବାହ ନ ହେଲେ–ମୋ କଥା ଉଠି ନ ପାରେ । ମୁଁ ସବୁ ବୁଝିଛି ବାପା–ସବୁ କହିଛି–ସାର୍‌ଙ୍କର ବିବାହ ଏହିଠାରେ ହେଲେ... ।

 

କିନ୍ତୁ ମଞ୍ଜୁ–ତୁ କେମିତି ପିଲା–କ’ଣ ଏପରି ପାଗଳାମି କରୁଛୁ–ଏଇଟା ପିଲାଖେଳ ନୁହେଁ–ତୁ କେତେକ କଥା ଜାଣିନୁ–ସୁଷମାର ବିଭାଘର ଅନ୍ୟଠାରେ ସ୍ଥିର ହୋଇଯାଇଛି ।

 

ସୁଷମା ଗଛ କାଟିଲା ପରି ପଡ଼ିଗଲା–ବେହୋସ । ଧନପତିବାବୁ ବିବ୍ରତ ହୋଇ ଡାକ ପକାଇଲେ,‘‘ଆରେ ପାଣି ଆଣରେ–ମଞ୍ଜୁ ତୁ ସର୍ବନାଶ କଲୁ’’ । ହରି ସେଠୁ ଚମକି ଆସିଲା । ସୁଷମାର ଚେତା ଆସିଲା ।

 

ଭଉଣୀ–ତୁ କ’ଣ କଲୁ–ଧୀର ଅଥଚ ଆବେଗଭରା ସ୍ୱରରେ କହି–ପକାଇଲା ହରି ।

 

ବୃଦ୍ଧ ଶରଣ ସିଂ–ହଠାତ୍‌ ଉଠି ଚିତ୍କାର କଲେ–‘‘ହରି ଓ ସୁଷମା, ତୁମେ ଅଦ୍ୟାପି ମୋର ଛାତ୍ର ଓ ଛାତ୍ରୀ–ମୋର ଆଦେଶ–ଦୁହେଁ ଏକତ୍ର ଛିଡ଼ା ହୁଅ–କହି ଦୁହିଁଙ୍କୁ ଠିଆ କରାଇ ଦେଲେ । ଘରଟି ନିସ୍ତବ୍ଧ । କେବଳ ପ୍ରଧାନ ଶିକ୍ଷକଙ୍କ ପାଟି । ତୁମ ଦୁହିଁଙ୍କର ପରିଣୟ ଯଥାର୍ଥ । ମଞ୍ଜୁ–ଦେବୀ-। ଧନପତିବାବୁ, ଏଇ ନିଅନ୍ତୁ ‘ସୁଷମାର’ ଚିଠି–ଦୁଇଖଣ୍ଡ କାଗଜ ବଢ଼ାଇ ଦେଲେ ।

 

ଗୋପୀଦାସେ ଉଠିଯାଉଥିଲେ–ଜୟରାମ ଭିଡ଼ି ବସାଇ ଦେଲେ । ପ୍ରଧାନ ଶିକ୍ଷକ କହି ଉଠିଲେ–ନିତେଇକୁ ମାମୁଁ ଘରକୁ ପଠାଇ, ଖାମ ଉପରେ ସୁଷମାଠାରୁ ଇଂରେଜିରେ ଠିକଣା ଲେଖି–ଏଇ ଚିଠି ପଠାଇଥିଲେ ଦାସେ ପ୍ରତିପାଦନ କରିବାକୁ–ଯେ ସୁଷମା ନିତେଇ ସହ ସମ୍ପୃକ୍ତ ଓ ସେହିଠାରେ ବିଭାଘର ହେବା ଉଚିତ । ହରିକୁ ଏହି ଖାମଟି ଦେଖାଇ, ତାର ମନ ବିବ୍ରତ କରି ଦେଇଥିଲେ । ମଞ୍ଜୁ ଯାହା ବୁଝିଛି ଠିକ୍‌–ସେ ସାକ୍ଷାତ୍‍ ଲକ୍ଷ୍ମୀ –ଆଜି ମୁଁ ଅତି ଆନନ୍ଦତ ଯେ, ଆପଣଙ୍କର ଝିଅ ଯଥାର୍ଥ ପ୍ରେମ ବୁଝିପାରିଛି । ସେ ଏବେ ନ କହିଥିଲେ–ମୁଁ, କଥା ଉଠାଇ ନ ଥାନ୍ତି-

 

ଧନପତିବାବୁ ଗର୍ଜି ଉଠିଲେ–ଗୋପୀଦାସ–ଭିଡ଼ିଆଣ ଏଠାକୁ ତାକୁ–ସଇତାନ–ଆଜି ତୋତେ ତଳିତଳାନ୍ତ କରିଦେବି–କହ ସତକଥା–କ’ଣ ଏ ବ୍ୟାପାର–ଦାସେ କାଠ ହୋଇ ଠିଆ ହୋଇଥାନ୍ତି–ଲାଲ ଚାବୁକରେ ନୋଳା ଫଟାଇ ଦେବି । ଆଜି ତୋର ମାମଲତିକାରି କାଢ଼ିଦେବି । ଏ ମାଳି, ବାହାର କରିଦେ ଏ କୁକୁର ସଇତାନକୁ ଏଠୁଁ । ସପନି ମିଶ୍ରେ କହି ଉଠିଲେ–ଗୋପୀଆ । ତୁ ଏପର୍ଯ୍ୟନ୍ତ ତୋ ସ୍ୱଭାବ ଛାଡ଼ିଲୁନି–ତୋର ଯୋଗୁଁ ଗାଁଟା ଆମର ସତ୍ୟାନାଶ ହୋଇଗଲା ।

 

ଗୋପୀଦାସେ ପ୍ରାଣନେଇ ଚାଲିଗଲେ–ଧନପତିବାବୁଙ୍କର ରାଗ କମି ଆସିଲା କିନ୍ତୁ ସେହିପରି ଆବେଗରେ କହି ଚାଲିଲେ–

 

ହରି ଓ ସୁଷମା–ଲକ୍ଷ୍ମୀ ନାରାୟଣ । ବାପ ହରି । ମଞ୍ଜୁ ତୋର ଭଉଣୀ–ତୋର ଶିକ୍ଷାରେ ଆଜି ସେ ଦେବୀ–ତୋରି ଶିକ୍ଷାରେ ଆଜି ସେ ଗୁରୁଙ୍କର ହୃଦୟ ଭେଦ କରିପାରିଛି–ଆଉ କହିପାରିଲେନି ।

 

ହରି ଭାବପ୍ରବଣ ହୋଇଗଲା–ମଞ୍ଜୁକୁ ପାଖକୁ ଟାଣିଆଣି କହିଲା–ଭଉଣୀ–ତୁ ଭାରି ଜଣେ । ତାପରେ ଧନପତିବାବୁଙ୍କୁ ଉଦ୍ଦେଶ୍ୟ କରି କହିଲା–ବାପା ଆଜି ମୁଁ ମଞ୍ଜୁର ପୂର୍ଣ୍ଣଦାୟିତ୍ୱ ନେଲି । ମଞ୍ଜୁ ସୁଷମାକୁ ଅନ୍ତରାଳକୁ ନେଇଗଲା ।

 

ଧନପତିବାବୁ ଆଖି ମାରିଦେଲେ । ହରି ଭିତରକୁ ଗଲା । କୁନ୍ତଳା ସୁଷମାକୁ ଯାକିଆଣି ରହସ୍ୟ କଲେ–କହିଲେ, ‘‘ତୁ ତ ଆଚ୍ଛା ଜଣେ–କିଓ ହରି–ଆଉ ଭାଉଜକୁ କ’ଣ ପଚାରିବ ? ଯାର ଯାରେ ମଜ୍ଜେ ମନ–

 

ତୁମେ ଭାଉଜ ବଡ଼ ଅଭଦ୍ର । ହରି ଲାଲ ହୋଇଗଲା ଲଜ୍ଜାରେ ।

 

ଏତିକିବେଳେ ପୋଷ୍ଟମ୍ୟାନ ଆଣି ଚିଠି ଦେଇଗଲା–ଖୋଲି ଦେଖନ୍ତିତ ଗଭର୍ଣ୍ଣରଙ୍କ ପାଖରୁ ଚେକ ଟ୧୦୦୦ଙ୍କା, ସ୍ୱର୍ଣ୍ଣପଦକ ଗୋଟିଏ–ମଞ୍ଜୁ ନାଁରେ । ‘‘ଆଲୋ ମଞ୍ଜୁ–ହେ ମଞ୍ଜୁ’’ ବୋଲି ଡାକି ଡାକି ଧନପତିବାବୁ, ଶରଣ ସିଂ, ଜୟରାମ ଧାଇଁଗଲେ ଭିତରକୁ ।

 

ସୁଷମା ଚିଠି ଭିଡ଼ିନେଇ ପଢ଼ିଲା–First prize for standing first in all Orissa womens debating Society–Manjubala of Puri Girls High School, ହଠାତ୍‌ ଆନନ୍ଦର ଲହରୀ ଖେଳିଗଲା–ଶରଣ ସିଂ କହି ଉଠିଲେ–ହରି ମୋର ଯୋଗ୍ୟ ଛାତ୍ର ଓ ମଞ୍ଜୁ ତାର ଯୋଗ୍ୟ ଛାତ୍ରୀ ।

 

ମଞ୍ଜୁ ହସି ହସି ଗୁରୁପତ୍ନୀଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲା–ଏ ହଜାରଟି ଟଙ୍କା ଆଜି ଦିବସରେ ମୋର ଗୁରୁପତ୍ନୀଙ୍କୁ ଆନ୍ତରିକ ଭେଟି ।

 

ଦୁହେଁ ମଞ୍ଜୁକୁ ତୋଳି ଧରିଲେ– ।

Image